ଭୁବନେଶ୍ୱର,୦୪/୧୧: ଆଜିଠୁ ଶିକ୍ଷା ଓ ଅନୁସନ୍ଧାନ  (ସୋଆ)ରେ "ରିସର୍ଚ୍ଚ ଆଣ୍ଡ  ଇନୋଭେସନ୍‌ସ ଇନ୍‌ ଇଣ୍ଡଷ୍ଟ୍ରିଆଲ୍‌ ଆଣ୍ଡ  ମେରାଇନ୍‌ ବାୟୋଟେକ୍ନୋଲୋଜି: ଏ  ସର୍କୁଲାର ଇକୋନୋମି' ଶୀର୍ଷକ ଜାତୀୟ  କର୍ମଶାଳା ଆରମ୍ଭ ହେଉଛି । ଏହା ଦୁଇ  ଦିନ ହେବ । ସୋଆର ସେଣ୍ଟର୍‌ ଫର୍‌  ଇଣ୍ଡଷ୍ଟ୍ରିଆଲ୍‌ ବାୟୋଟେକ୍ନୋଲୋଜି ରିସର୍ଚ୍ଚ  (ସିଆଇବିଆର୍‌) ଏହି କର୍ମଶାଳାର  ଆୟୋଜନ କରିଥିବା ବେଳେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନ ସାଇନ୍‌ସ  ଆଣ୍ଡ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡ ଏହାର  ପୃଷ୍ଠପୋଷକ ରହିଛି ।  

ନାସନାଲ୍‌ ରିସର୍ଚ୍ଚ ଡେଭଲପମେଣ୍ଟ  କର୍ପୋରେସନ୍‌ (ଏନ୍‌ଆର୍‌ଡିସି) ଓ  ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସୋସାଇଟି  ଅଫ୍‌ ଇଣ୍ଡିଆର ମିଳିତ ସହଯୋଗରେ  ଏହା ଆୟୋଜିତ ହେଉଛି । ସମ୍ମିଳନୀରେ  ବିଶିଷ୍ଟ ଗବେଷକ, ଶିଳ୍ପ ବିଶେଷଜ୍ଞ  ଏବଂ ନୀତି ନିର୍ଦ୍ଧାରକ ଯୋଗ ଦେବାର  କାର୍ଯ୍ୟକ୍ରମ ରହିଛି । ଜୈବପ୍ରଯୁକ୍ତିବିଦ୍ୟା  କ୍ଷେତ୍ର ଉପରେ ଆଲୋଚନା କରାଯିବ ।  ବିଶ୍ୱରେ ପରିବେଶ ପ୍ରଦୂଷଣ ଓ ଜଳବାୟୁ  ପରିବର୍ତ୍ତନ ଭଳି କ୍ଷେତ୍ରରେ ଇଣ୍ଡଷ୍ଟ୍ରିଆଲ୍‌  ବାୟୋଟେକ୍ନୋଲୋଜି ଓ ମେରାଇନ  ବାୟୋଟେକ୍ନୋଲୋଜିର ବିଶେଷ ଭୂମିକା  ରହିଛି । ଏହି ବିଷୟକୁ ନେଇ ସମ୍ମିଳନୀ  ଆୟୋଜନ କରାଯାଇଥିବା ସୋଆ  ସିଆଇବିଆର୍‌ର ନିର୍ଦ୍ଦେଶକ ତଥା ଏହି  ଜାତୀୟ ସମ୍ମିଳନୀର ଆବାହକ ପ୍ରଫେସର  ହୃଦୟନାଥ ଥାଟ୍ଟୋଇ କହିଛନ୍ତି ।  

ପ୍ରଫେସର ଥାଟ୍ଟୋଇ କହିଛନ୍ତି,  ମେରାଇନ୍‌ ବାୟୋଟେକ୍ନୋଲୋଜି ଦ୍ୱାରା  ସାମୁଦ୍ରିକ ସଂପଦର ଅଶେଷ ସମ୍ଭାବନାକୁ  କାର୍ଯ୍ୟକ୍ଷମ କରାଯିବା ସହ ଜୈବପ୍ରଯୁକ୍ତିରେ  ଶୈକ୍ଷିକ ଗବେଷଣା ଓ ବ୍ୟବହାରିକ  ପ୍ରୟୋଗ ମଧ୍ୟରେ ଥିବା ପାର୍ଥକ୍ୟ ଦୂର  କରିହେବ । ଶିଳ୍ପ ପ୍ରୟୋଗ ପାଇଁ ଜୈବିକ  ପ୍ରକିୟା ଗୁଡିକୁ ବ୍ୟବହାର କରିବା ଦ୍ୱାରା  ଏହି କ୍ଷେତ୍ର ଗୁଡିକରେ ପାରମ୍ପରିକ  ପଦ୍ଧତିର ସ୍ଥାୟୀ ବିକଳ୍ପ ସୃଷ୍ଟି ହେବ । ୨୦୨୩ ମସିହାରେ ସୋଆ ପକ୍ଷରୁ  ପ୍ରତିଷ୍ଠା ହୋଇଥିବା ସିଆଇବିଆରର  ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମୁଦ୍ର,  କୃଷି, ପରିବେଶ, ଫାର୍ମାସ୍ୟୁଟିକ୍ସ ଏବଂ ମେଡିକାଲ୍‌ ବାୟୋଟେକ୍ନୋଲୋଜି କ୍ଷେତ୍ରରେ  ଗବେଷଣାକୁ ଅଧିକ ପ୍ରୋତ୍ସାହିତ କରିବା ।