ପ୍ରମୂଖ ଖବର
  • Operation Sindoor; ଆହୁରି ଶକ୍ତିଶାଳୀ ହେବ ସେନା, ପ୍ରତିରକ୍ଷା ବଜେଟ୍‌ରେ ହୋଇପାରେ ଅତିରିକ୍ତ ବ୍ୟୟବରାଦ
  • ||
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ଭାରତୀୟ ସେନାକୁ ଓଡ଼ିଶା ଯୋଗାଉଛି ‘୫ଜି’ ଡ୍ରୋନ୍, କୃଷିକ୍ଷେତ୍ରରୁ ଯୁଦ୍ଧକ୍ଷେତ୍ରରେ ହେଉଛି ବ୍ୟବହାର

Published By : Prameya | May 16, 2025 8:14 AM

ଭୁବନେଶ୍ୱର, ୧୬/୦୫ : ବଦଳିଛି ଯୁଦ୍ଧର ପରିଭାଷା । ସେନାର ପଦାତିକବାହିନୀ ଟ୍ୟାଙ୍କ୍‌ ଧରି ଶତ୍ରୁ ରାଷ୍ଟ୍ରର ସୀମା ଭିତରକୁ ପ୍ରବେଶ କରିବା ଆଉ ଆବଶ୍ୟକ ପଡ଼ୁନି । ମିସାଇଲ୍‌ ଓ ଡ୍ରୋନ୍‌ ଉଦ୍ଭାବନ ପରେ ଏହା ହିଁ ଆଧୁନିକ ସମୟରେ ଯୁଦ୍ଧର ବଡ଼ ସରଞ୍ଜାମ ପାଲଟିଛି । ଓଡ଼ିଶା ପାଇଁ ଗୌରବର କଥା ହେଲା, ଆମ ରାଜ୍ୟର ଷ୍ଟାର୍ଟଅପ୍‌ ଭାରତୀୟ ସେନାକୁ ଡ୍ରୋନ ଯୋଗାଉଛି । ଅପରେସନ ସିନ୍ଦୂରରେ ଡ୍ରୋନ୍‌ ହିଁ ତୁଲାଇଛି ସବୁଠୁ ବଡ଼ ଭୂମିକା । ହାଇଟେକ୍‌ ଡ୍ରୋନ ଯୋଗାଇ ଷ୍ଟାର୍ଟଅପ୍‌ ସଂସ୍ଥା ‘ଆଇଜି ଡ୍ରୋନସ୍‌’ ଆମ ସେନାକୁ ବଳୁଆ କରିବାରେ ତୁଲାଉଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ଜାତୀୟ ସୁରକ୍ଷାକୁ ଅଗ୍ରାଧିକାର ଦେଇ ଆତ୍ମନିର୍ଭର ଭାରତରେ ଅଧିକରୁ ଅଧିକ ସ୍ୱଦେଶୀ ଜ୍ଞାନକୌଶଳ ଡ୍ରୋନ୍‌ ନିର୍ମାଣକୁ ପ୍ରତିରକ୍ଷା ବିଭାଗ ଗୁରୁତ୍ୱ ଦେଉଛି । ଏଥିପାଇଁ ୨୦୨୧ରୁ କେନ୍ଦ୍ର ସରକାର ପ୍ରୋତ୍ସାହନ ଦେଇ ଆସୁଛନ୍ତି । ଆମ ରାଜ୍ୟର ଆଇଜି ଡ୍ରୋନ୍‌ସ ପକ୍ଷରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ ହେଉଥିବା ଭର୍ଟିକାଲ୍‌ ଟେକ୍‌ ଅଫ୍‌ ଆଣ୍ଡ୍‌ ଲ୍ୟାଣ୍ଡିଂ (ଭିଟିଓଏଲ୍‌) ଓ ଫାଷ୍ଟ ପର୍ସନ୍‌ ଭିଉ (ଏଫ୍‌ପିଭି) ଡ୍ରୋନ୍‌ ଭାରତୀୟ ସେନାକୁ ଯୋଗାଇ ଦିଆଯାଉଛି । ଭାରତର ପ୍ରଥମ ‘୫ଜି’ ଡ୍ରୋନ ନିର୍ମାଣ କରି ଆଇଜି ଡ୍ରୋନସ୍‌ ବେଶ୍‌ ସୁନାମ ଅର୍ଜନ କରିଛି । 

ମେଡ୍‌ ଇନ୍‌ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଅଭିଯାନରେ ପ୍ରତିରକ୍ଷା ବିଭାଗ ଦେଶ ଭିତରେ ବିକଶିତ ଡ୍ରୋନକୁ ସେନାରେ ସାମିଲ କରୁଛି । ଏହି ଡ୍ରୋନ୍‌ଗୁଡ଼ିକ ପ୍ରତିକୂଳ ପରିସ୍ଥିତିରେ ଆଶାଠୁ ଅଧିକ ଫଳ ଦେଉଛି । ସୀମାରେ ସୁରକ୍ଷା ବଢ଼ାଇବା କ୍ଷେତ୍ରରେ ଡ୍ରୋନର ଭୂମିକା ଏବେ ଅତି ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି । ଆଇଜି ଡ୍ରୋନସ୍‌ ପକ୍ଷରୁ ତିଆରି ଡ୍ରୋନ୍‌ ପ୍ରତିରକ୍ଷା ଛଡ଼ା ଅନ୍ୟ ସେବାରେ ମଧ୍ୟ ନିୟୋଜିତ ହେଉଛି । ସର୍ଭେ, ମ୍ୟାପିଂ ଓ ଶିଳ୍ପ ବିଶେଷଜ୍ଞଙ୍କ ଦ୍ୱାରା ଡ୍ରୋନ ଦ୍ୱାରା ଅନୁଧ୍ୟାନ କାମ ମଧ୍ୟ କରାଯାଉଛି । ଭାରତୀୟ ସେନା, କେନ୍ଦ୍ର ସରକାର, ବହୁ ରାଜ୍ୟ ସରକାର ଡ୍ରୋନ୍‌ ଯୋଗାଣ ପାଇଁ ଆଇଜି ଡ୍ରୋନସ ସହ ଚୁକ୍ତି କରିଛନ୍ତି । ଏହାଛଡ଼ା ଭାରତୀୟ ରେଳବାଇ, କୋଲ ଇଣ୍ଡିଆ, ଏନଏଚ୍‌ଏଆଇ, ଓଏମ୍‌ସି, ଇଡକୋ, ଓବିସିସି, ଆଦାନୀ, ଆଦିତ୍ୟ ବିର୍ଲା, ଇଣ୍ଡିଆନ ଅଏଲ ଭଳି ନାମୀଦାମୀ ସଂସ୍ଥା ମଧ୍ୟ ଆଇଜି ଡ୍ରୋନସର ଗ୍ରାହକ ଅଛନ୍ତି । ଜଗା, ସ୍କାଏହକ୍‌, ଡେଲଟା ୪୦୦ ଓ କିଷାନ ନାଁରେ ୪ ପ୍ରକାର ଡ୍ରୋନ୍‌ ନିର୍ମାଣ କରୁଛି ଷ୍ଟାର୍ଟଅପ୍‌ ଆଇଜି ଡ୍ରୋନସ୍‌ । 

ଏ ସମ୍ପର୍କରେ ଆଇଜି ଡ୍ରୋନ୍‌ସର ପ୍ରତିଷ୍ଠାତା ଓ ସିଇଓ ବୋଧିସତ୍ତ୍ୱ ସଂଘପ୍ରିୟ କହିଛନ୍ତି ଯେ ଭାରତ ମାତାର ସେବା ପାଇଁ ଆଇଜି ଡ୍ରୋନ୍‌ସ ସଂକଳ୍ପବଦ୍ଧ । ଆମର ଶତାଧିକ ସଂସ୍ଥା ସହ ସଂପର୍କ ରହିଛି । ଗୁଣାତ୍ମକ ମାନର ଡ୍ରୋନ୍‌ ଯୋଗାଣରେ ଆମେ ବେଶ୍‌ ଆଗରେ ଅଛୁ । ଓଡ଼ିଶାର ଡ୍ରୋନ୍‌ ଷ୍ଟାର୍ଟଅପ୍‌ ଆନାଡ୍ରୋନ୍‌ ସିଷ୍ଟମ୍‌ସ ମଧ୍ୟ ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନରେ ଭାରତୀୟ ସ୍ଥଳ ସେନା ଓ ବାୟୁ ସେନାକୁ ଡ୍ରୋନ୍‌ ଯୋଗାଉଛି । ବନ୍‌ଭି ଏରୋ ମଧ୍ୟ ଡ୍ରୋନ୍‌ ନିର୍ମାଣରେ ସଫଳତା ପାଇଛି । କୃଷିକ୍ଷେତ୍ରରୁ ଆରମ୍ଭ କରି ଯୁଦ୍ଧକ୍ଷେତ୍ର ସବୁଠି ଏବେ ଡ୍ରୋନର ଚାହିଦା କାହିଁରେ କଣ? ବିଶ୍ୱ ବଜାରରେ ଭାରତୀୟ ଡ୍ରୋନର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି । ମେକ୍‌ ଇନ ଇଣ୍ଡିଆରେ ଦେଶରେ ପ୍ରତିରକ୍ଷା ସାମଗ୍ରୀର ଉତ୍ପାଦନ ବଢ଼ିବା ସହ ରପ୍ତାନୀ ମଧ୍ୟ ବଢ଼ୁଛି । ୨୦୨୪-୨୫ରେ ୨୪ ହଜାର କୋଟି ଟଙ୍କାର ପ୍ରତିରକ୍ଷା ସରଞ୍ଜାମ ଭାରତ ରପ୍ତାନୀ କରିଥିଲା ବେଳେ ୨୦୨୯ ସୁଦ୍ଧା ଏହା ୫୦ ହଜାର କୋଟିକୁ ଛୁଇଁବ । ୨୦୪୭ ସୁଦ୍ଧା ଭାରତ ବିଶ୍ୱର ସବୁଠୁ ଅଧିକ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କରିବ । ଏଥିରେ ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ଡ୍ରୋନର ବଡ଼ ଭୂମିକା ରହିବ ବୋଲି ଆକଳନ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.