ଭଦ୍ରକ,୧୬/୦୫ : ମନ ଜିଣୁଛି ଦେବତା ଗଡ଼ିଆ କୃଷି ଫାର୍ମ । ଯିଏ ସେହି ବାଟ ଦେଇ ଯାଉଛି, ଅଟକି ଯାଉଛି । ଫାର୍ମ ଭିତରକୁ ନ ଗଲେ ତାର ମନ ବୁଝୁନି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ଦେବତା ଗଡ଼ିଆରେ ୭ ଏକର ପରିମିତ ସମନ୍ୱିତ କୃଷି ଫାର୍ମରେ ଫଳୁଛି କଦଳୀ କାନ୍ଧି, କାଜୁ ଆଉ ପିଜୁଳି । ପୋଖରୀରେ ଖେଳୁଛନ୍ତି ମାଛ । ଯାଆଁଳ ବି ଚାଷ ହେଉଛି । ଫର୍ମ ଚାରିପାଖରେ ଅମୃତଭଣ୍ଡା ଗଛ ଧାଡ଼ି କି ଧାଡ଼ି ଲାଗିଛି । ପୋଖରୀ ହୁଡ଼ାରେ ରହିଛି ଧାଡ଼ିକୁ ଧାଡ଼ି ସଜନା ଗଛ । ସୋଲାରରେ ପାୱାରରେ ମୋଟର କାର୍ଯ୍ୟ ହେଉଥିବା ବେଳେ ଫାର୍ମ ଭିତରେ ବି ବାୟୋପିକ ମାଛ ଚାଷ ଆରମ୍ଭ ହୋଇଛି।
ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଟିଲୋ ପଞ୍ଚାୟତର ଯୁବ ଚାଷୀ ଅବିନାଶ ସାହୁ । ୩ ବର୍ଷ ହେଲା ଫାର୍ମ ଆରମ୍ଭ କରିଛନ୍ତି । ନିଜେ ପରିଶ୍ରମ କରୁଛନ୍ତି । ୫ ଜଣ ଶ୍ରମିକଙ୍କୁ ପ୍ରତିଦିନ ରୋଜଗାର ଦେଇ ସ୍ୱାବଲମ୍ବୀ କରିଛନ୍ତି । ତାଙ୍କ ଉଦ୍ୟମ, ପ୍ରୟାସ ଆଉ ବୁଦ୍ଧି ବଳରେ ବାଡ଼ିରୁ ଏବେ କଦଳୀ ଗାଡ଼ି, ମାଛ ଗାଡ଼ି ଭଳି ନାନା ପ୍ରକାରର ଚାଷରୁ ଆମଦାନି ହେଉଥିବାବେଳେ ଅମଳ ଦ୍ରବ୍ୟ ଭଦ୍ରକ ଜିଲ୍ଲାକୁ ଯୋଗାଯାଉଛି । ଉଦ୍ୟାନ ବିଭାଗରୁ ପ୍ରଶିକ୍ଷଣ ନେଇ ଖୁବ ସୁନ୍ଦର ଭାବେ ଫଳ ଫଳାଉଛନ୍ତି । ବନ୍ତ ସହକାରୀ କୃଷି ଉଦ୍ୟାନ ଅଧିକାରୀ ପାୟଲ ଚୌଧୁରୀ ସରକାରୀ ବ୍ୟବସ୍ଥାରେ ଯାହା ସମ୍ଭବ ସବସିଡ୍ରୁ ଆରମ୍ଭ କରି ଋଣ ଯୋଗାଇ ଦେଇଛନ୍ତି । ଯୁବକମାନେ ଉଦ୍ୟମ କଲେ ସମନ୍ୱିତ ଚାଷ ନିମନ୍ତେ ସରକାରୀ ସୁବିଧା ପର୍ଯ୍ୟାପ୍ତ ଅଛି । ଯାହାକୁ ଯୁବ ଚାଷୀ ଅବିନାଶ ସାହୁ ପ୍ରଶିକ୍ଷଣ ନେଇ ଏବେ କାର୍ଯ୍ୟର ଲଗାଉଛନ୍ତି । ଏବେ ଲାଭ କମ ହେଉଛି । ଆଗକୁ ନିଶ୍ଚିତ ଲାଭ ପରିମାଣ ବଢିବ ବୋଲି ସେ ପ୍ରକାଶ କରିଛନ୍ତି ।
ଅବିନାଶ କୁହନ୍ତି, ବାଡ଼ିରେ ୩ ଶହ କଦଳୀ ଗଛ ଲାଗିଛି । ୫୦ ହଜାର ଟଙ୍କାର କଦଳୀ ବିକ୍ରି ହୋଇଛି । ଭଲ ଚାହିଦା ରହୁଛି । ଆଗକୁ ଆହୁରି ଅମଳ ବଢିବ ବୋଲି ବିଶ୍ୱାସ ରହିଛି । ସେହିଭଳି ପିଜୁଳି ୩ ଶହ ଗଛ ଲଗାଯାଇଥିବାବେଳେ ପପେୟା ୨ ଶହ ଗଛ ଲାଗିଛି । ୪ଶହ କାଜୁ ଗଚ୍ଛରୁ ଅମଳ ଆରମ୍ଭ ହୋଇଛି । ୭ ଏକର ଜମି ଭିତରେ ମୋର ଫାର୍ମ ବାଡ଼ି । ୩ ଏକର ଜମିରେ ୩ଟି ପୋଖରୀ ଅଛି । ମାଛ ଚାଷ ଭଲ ଫାଇଦା ଦେଉଛି । ମାଛ ଯାଆଁଳ ମଧ୍ୟ ଅମଳ ହେଉଛି । ମାଛ ଠାରୁ ଯାଆଁଳ ଚାଷରେ ଅଧିକ ରୋଜଗାର ହେଉଛି । ଏବେ ବାୟୋ ଫ୍ଲକ ମାଧ୍ୟମରେ ମାଛ ଛାଷ ଲାଗି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ୩୭.୫ ଲକ୍ଷ ଲକ୍ଷ ଟଙ୍କା ଋଣ ଆଣିଛି । ୫୦ ପ୍ରତିଶତ ସବସିଡ୍ ରହିଛି । ଏବେ ଅଧିକ ଅର୍ଥ ଖର୍ଚ୍ଚ ହେଉଛି । ଲାଭ ବେଶୀ ହେଉନି । ଆଉ ଦୁଇ ବର୍ଷ ପରେ ନିଶ୍ଚିତ ଅଧିକ ପରିମାଣରେ ଲାଭ ବାହାରିବ ବୋଲି ସେ କହିଛନ୍ତି ।