ଭୁବନେଶ୍ୱର,୧୩/୦୫: ଗତ  ଦଶନ୍ଧିରେ ଅର୍ଥନୈତିକ ଅଭିବୃଦ୍ଧିରେ  ଦେଶର ବିଭିନ୍ନ ରାଜ୍ୟ ଗୁଡ଼ିକ ମଧ୍ୟରେ ବଡ଼ ପାର୍ଥକ୍ୟ ରହିଛି । ଏଭଳି ସ୍ଥିତିରେ ଅର୍ଥନୀତିର ବିଭିନ୍ନ ମାନକକୁ ଦେଖିଲେ  କର୍ଣ୍ଣାଟକ, ଓଡ଼ିଶା ଏବଂ ତେଲଙ୍ଗାନା  ଭଳି ରାଜ୍ୟ ଗୁଡ଼ିକ ଟପ୍‌ ପରଫର୍‌ମର  ଭାବେ ଉଭା ହୋଇଛନ୍ତି । ଗୁଜରାଟ ଏବଂ  ଓଡ଼ିଶା ଶିଳ୍ପ ଭିତ୍ତିକ ଅଭିବୃଦ୍ଧି ଉପରେ ଏବେ ଫୋକସ କରିଛନ୍ତି । ଦଶନ୍ଧି ଧରି  ଓଡ଼ିଶାର ଶିଳ୍ପ କ୍ଷେତ୍ର ବାର୍ଷିକ ୧୦%  ହାରରେ ବଢ଼ିଛି । ଏ କ୍ଷେତ୍ରରେ ସବୁ ରାଜ୍ୟକୁ ପଛରେ ପକାଇ ଦେଇଥିବା ଇକ୍ରା ରିପୋର୍ଟରେ ପ୍ରକାଶ ପାଇଛି । 

ଆର୍ଥିକ ବର୍ଷ ୨୦୨୩-୨୪ରେ  ରାଜ୍ୟ ଜିଡିପିରେ ଶିଳ୍ପର ଯୋଗଦାନ  ୫୧% ଛୁଇଁଛି । ଏହା ମଧ୍ୟ ସାରା  ଦେଶରେ ସର୍ବାଧିକ । ବିନିର୍ମାଣ  କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି  ଯୋଗୁ ଏହା ହୋଇପାରିଛି । ସ୍ଥାୟୀ  ମୂଲ୍ୟକୁ ଦେଖିଲେ ମୋଟ ରାଜ୍ୟ ମୂଲ୍ୟ  ସଂଯୋଗ (ଜିଏସ୍‌ଭିଏ) ଅଭିବୃଦ୍ଧି ୭%  । ଏ କ୍ଷେତ୍ରରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ  ରହିଛି । ଏହି ସମୟରେ ଜାତୀୟ  ଅର୍ଥନୀତି ୫.୮% ହାରରେ ବଢ଼ିଛି ।  ଅର୍ଥାତ ଓଡ଼ିଶାର ପ୍ରଦର୍ଶନ ଜାତୀୟ  ସ୍ତର ଠାରୁ ଉନ୍ନତ । ରାଜ୍ୟ ସରକାର  ଓଡ଼ିଶାକୁ ନିବେଶର ଏକ ପ୍ରମୁଖ ସ୍ଥଳ  ଭାବେ ଗଢ଼ି ତୋଳିବାକୁ ନିରନ୍ତର  ଉଦ୍ୟମ କରୁଛନ୍ତି । ମେକ୍‌ ଇନ୍‌ ଓଡିଶା  ଭଳି ନିବେଶକ ସମ୍ମିଳନୀ ଏବଂ ଶିଳ୍ପ  ବାତାବରଣକୁ ଉନ୍ନତ କରିବା ଦିଗରେ  ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି ।  ନିରନ୍ତର ଶିଳ୍ପ ଅଭିବୃଦ୍ଧି କେବଳ ରାଜ୍ୟର  ରୁପାନ୍ତରଣରେ ସହାୟକ ହେଉନି । ଏହା  ରାଜ୍ୟବାସୀଙ୍କ ଲାଗି ସମୃଦ୍ଧି ଏବଂ ନୂଆ  ସମ୍ଭାବନା ଆଣିବାରେ ସହାୟକ ହେଉଛି । 

୨୦୧୪-୧୫ରୁ ୨୦୨୪-୨୫ ଡାଟାକୁ  ଦେଖିଲେ କର୍ଣ୍ଣାଟକର ମୋଟ ରାଜ୍ୟ ମୂଲ୍ୟ  ସଂଯୋଗ (ଜିଏସ୍‌ଭିଏ) ବାର୍ଷିକ ସର୍ବାଧିକ  ୭.୫% ହାରରେ ବଢ଼ିଛି । ୧୯ ରାଜ୍ୟ  ମଧ୍ୟରେ ଏହା ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟ  ଭାବେ ଉଭା ହୋଇଛି । ସେବା କ୍ଷେତ୍ରର  ଆଖିଦୃଶିଆ ଅଭିବୃଦ୍ଧି ଯୋଗୁ କର୍ଣ୍ଣାଟକ  ଏହି ସଫଳତା ପାଇଛି । ଏହି ଅବଧିରେ  କର୍ଣ୍ଣାଟକର ସେବା କ୍ଷେତ୍ର ୮.୩% ବଢ଼ିଛି ।  ରିୟଲ ଇଷ୍ଟେଟ, ବ୍ୟକ୍ତିଗତ ସେବା ଭଳି  କ୍ଷେତ୍ରର ଅଭିବୃଦ୍ଧି ଯୋଗୁ ରାଜ୍ୟ ଏଭଳି  ସଫଳତା ପାଇଛି । 

ଆର୍ଥିକ ବର୍ଷ ୨୦୨୩-୨୩ରେ  ଦେଶର ଅର୍ଥନୀତିରେ ସେବା କ୍ଷେତ୍ରରେ  ଅଂଶ ୫୫% ଥିବା ବେଳେ ଶିଳ୍ପ ୩୧%  ଏବଂ କୃଷିର ଅଂଶ ୧୫% ରହିଥିଲା ।  ରାଜ୍ୟ ଗୁଡ଼ିକୁ ଦେଖିଲେ ବିଭିନ୍ନ  କ୍ଷେତ୍ରରେ ଏହି ତାରତମ୍ୟ ଭିନ୍ନ ରହିଛି ।  ମଧ୍ୟପ୍ରଦେଶର ରାଜ୍ୟ ଅର୍ଥନୀତିକୁ କୃଷି  କ୍ଷେତ୍ରର ଅଂଶ ୩୩% ରହିଛି । ଯାହା  ରାଜ୍ୟ ଗୁଡ଼ିକ ମଧ୍ୟ ସର୍ବାଧିକ । 

ସେହିଭଳି କର୍ଣ୍ଣାଟକର ରାଜ୍ୟ  ଜିଡିପିରେ ସେବା କ୍ଷେତ୍ରର ଅଂଶ  ୬୬% । ଏହା ଅନ୍ୟ କୌଣସି ରାଜ୍ୟ  ତୁଳନାରେ ସର୍ବାଧିକ । ଆନ୍ଧ୍ରପ୍ରଦେଶର  କୃଷି ଉତ୍ପାଦନ ସର୍ବାଧିକ ୭.୨% ରହିଛି ।  ମାଛ ଏବଂ ଜଳ ସମ୍ପଦ କ୍ଷେତ୍ରରେ ଦୃଢ଼  ପରଫରମାନ୍ସ ଏହି ରାଜ୍ୟରେ ରହିଛି ।  ୨୦୨୩-୨୪ରେ ମୁଣ୍ଡପିଛା ଆୟ କ୍ଷେତ୍ରରେ  ରାଜ୍ୟ ଗୁଡ଼ିକ ମଧ୍ୟରେ ତେଲଙ୍ଗାନା,  କର୍ଣ୍ଣାଟକ ଏବଂ ତାମିଲନାଡୁ ଆଗରେ  ରହିଛନ୍ତି । ପୂର୍ବରୁ ଶୀର୍ଷ ତାଲିକାରେ ଥିବା  ହରିଆଣା, ଉତ୍ତରାଖଣ୍ଡ ଏବଂ କେରଳକୁ  ଏମାନେ ପଛରେ ପକାଇ ଦେଇଛନ୍ତି ।