ଇସଲାମାବାଦ,୨୦।୬:  ପାକିସ୍ତାନର ଖୈବର ପଖତୁନଖ୍ୱାର ବନ୍ନୁରେ ଲଗାତାର ସିରିଜ୍ ବୋମା ବିସ୍ଫୋରଣ। ଲଗାତାର ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁଲୋକ ଆହତ ହୋଇଛନ୍ତି। ପୋଲିସ ଏହି ରିମୋଟ୍-କଣ୍ଟ୍ରୋଲ୍ ଦ୍ବାରା ହୋଇଥିବା ବିସ୍ଫୋରଣକୁ ଆତଙ୍କୀ ହମଲା ବୋଲି ଘୋଷଣା କରିଛି। ବନ୍ନୁର ଓ୍ବଜିର ସବ୍-ଡିଭିଜନ୍ ଅନ୍ତର୍ଗତ ପାହାଡି ଅଞ୍ଚଳରେ ‘ମରକା ବୋ’ରେ ଏହି ଛାତି ଥରା ଘଟଣା ଘଟିଛି। ବନ୍ନୁର ଡିଷ୍ଟ୍ରିକ୍ଟ ପୋଲିସ ଅଫିସର (ଡିପିଓ) ୟାସିର ଆଫ୍ରିଦି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ଦୁଇଟି ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଛି ସେଭଳି ୩ ଜଣ ଆହତ ହୋଇଛନ୍ତି।

ଡନ୍‌ର ରିପୋର୍ଟ ଅନୁସାରେ, ପୋଲିସ କହିଛି ଯେ, କାଙ୍ଗ ମୁସା ଖେଳା ଅଞ୍ଚଳରେ ରିମୋଟ୍-କଣ୍ଟ୍ରୋଲ୍ ବ୍ଳାଷ୍ଟ ଜରିଆରେ ଦୁଇଟି ବାହାନକୁ ଟାର୍ଗେଟ କରାଯାଇଛି। ପୋଲିସ ଓ ସ୍ଥାନୀୟ ସୁତ୍ର ଅନୁସାରେ, ଏକ ପ୍ରାଇଭେଟ୍ ବାହାନ ଯାତ୍ରୀଙ୍କୁ ନେଇ ଡୋମେଲ ଆଡକୁ ଯାଉଥିଲା। ଏହି ସମୟରେ ଟାର୍ଗେଟ କରାଯାଇଥିଲା। ଏହି ଜୋରଦାର ବିସ୍ଫୋରଣରେ ପୁରା ବାହନ ନଷ୍ଟ ହୋଇଯାଇଛି ଓ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଥିବା ବ୍ୟକ୍ତିମାନେ କହିଛନ୍ତି, ଯେତେବେଳେ ପ୍ରଥମେ ବିସ୍ଫୋରଣରେ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଉଥିଲା, ସେତେବେଳେ ଘଟଣାସ୍ଥଳଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଆଉ ଏକ ବିସ୍ଫୋରଣ ହୋଇଥିଲା। ଏହାଦ୍ବାରା ଅନ୍ୟ ବାହନ ମଧ୍ୟ ଧ୍ବଂସ ହୋଇଯାଇଥିଲା ଏବଂ ଆଉ ଦୁଇ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।

ଘଟଣାର ତୁରନ୍ତ ପରେ ‘ରେସକ୍ୟୁ ୧୧୨୨’ ର ଟିମ୍ ପହଁଞ୍ଚି ମୃତକଙ୍କୁ ଏବଂ ଆହତଙ୍କୁ ଡୋମେଲ ରୁରାଲ ହେଲଥ୍ ସେଣ୍ଟର ଓ ଖଲିଫା ଗୁଲ୍ ନଓ୍ବାଜ ଟିଚିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୁରକ୍ଷାକର୍ମୀ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଆରମ୍ଭ କରିଦେଇଛନ୍ତି। ଅଧିକାରୀଙ୍କୁ ଆଶଙ୍କା ରହିଛି ଯେ, ଏହି ଅଞ୍ଚଳରେ ଆହୁରି ବିସ୍ଫୋରକ ଉପକରଣ ରହିପାରେ। ଏଥିପାଇଁ ତଲାସୀ ଅଭିଯାନ ଜାରି ରହିଛି। ପାକିସ୍ତାନ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦ୍ଦାରୀ ଏହି ଆଇଇଡି ବିସ୍ଫୋରଣକୁ କଡା ନିନ୍ଦା କରିଛନ୍ତି ଓ ନିର୍ଦୋଷ ନାଗରିକଙ୍କ ମୃତ୍ୟୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଆହୁରି ପଢନ୍ତୁ :ସିଟ୍‌ ପାଇଁ ରକ୍ତାକ୍ତ ସଂଘର୍ଷ, ଯୋଗା ଏକ୍ସପ୍ରେସ୍‌ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା : ରକ୍ଷା କରିପାରିଲେନି ଆରପିଏଫ୍-ଜିଆରପି