ପ୍ରମୂଖ ଖବର

‘ଓଶୋ’ ଆସୁଛନ୍ତି...

Published By : Prameya | April 29, 2025 1:15 PM

ଧୀରେ ଧୀରେ ପାଦ ଚାଲି, ଗୁଣ୍ଠୁଣି ହାତୀ ଭଳି ଢଳିଢଳି ଆସୁଛନ୍ତି "ଓଶୋ' ମୋ ପଢ଼ାଘରକୁ । ଦୃଷ୍ଟି ତାଙ୍କର ପହଁରି ଯାଉଛି ସାରା କୋଠରିରେ । ଗଦା ଗଦା ବହି । ତା' ଭିତରେ କେଉଁଠି ଲୁଚିଲେ ଯାଇ "ଜେଜେ' ତାଙ୍କର । କୋମଳ କଣ୍ଠରେ "ଜେଜେ... ଜେଜେ...' ଡାକ ପଢ଼ାଘରେ ଯାଉଛି ସଞ୍ଚରି । ମୁଁ ଆସୁଛି ଫେରି, ଦୃଶ୍ୟରେ ହେଉ ବା ଅଦୃଶ୍ୟରେ । ଦେଖୁଛି "ଓଶୋ'ଙ୍କର ଖେଳ କୌତୁକ । ପୃଷ୍ଠା ପରେ ପୃଷ୍ଠା, ବହି ସବୁ ମେଲି ହୋଇଯାଉଛି ସରୁ ସରୁ ଅଙ୍ଗୁଳି ଚାଳନାରେ । ଅଢ଼େଇ ବର୍ଷର ନାତି ମୋର "ଓଶୋ' । "ଓସେନିନ୍‌' ଶବ୍ଦରୁ "ଓଶୋ' । ନାମ ମାତ୍ର ନୁହେଁ । ଏକ ଦୃଷ୍ଟି ଓ ଦର୍ଶନ । ସମୁଦ୍ରର ଗଭୀରତା ଓ ଆକାଶର ଅସୀମତା । ଶୂନ୍ୟତା ଭିତରେ ଜୀବନର ପୂର୍ଣ୍ଣତା ଖୋଜିବାରେ "ଓଶୋ' ନାମର ସାର୍ଥକତା । ଅଢ଼େଇ ବର୍ଷର ଶିଶୁଟିର ଦୃଷ୍ଟିରେ ମୁଁ ଦେଖିଥିଲି ସମୁଦ୍ରର ବ୍ୟାପ୍ତି ଓ ଆକାଶର ଦୀପ୍ତି ଓ ଦ୍ୟୁତି । ଦେଖିଥିଲି ଏବଂ ଏବେ ବି ଦେଖୁଛି । ମୋ ପଢ଼ାଘର ଭିତରେ ମୁଁ ଥିବା ଓ ନଥିବା ଭିତରେ କିଛି ଫରକ ନାହିଁ । ସେଇ ଘର ଭିତରେ ମୋର ବହି, ଖାତା, କଲମ ସବୁକିଛି ରହିଛି ସଜଡ଼ା-ଅସଜଡ଼ା ହୋଇ । ସମୟର ଧୂଳି ଲାଗିଲେ ବି ସେ ଧୂଳିକୁ ପୋଛି ଦେଇ ନିଜର ହସ୍ତାକ୍ଷର ରଖିବା ପାଇଁ "ଓଶୋ'ମାନେ ଆସିବେ । ମୋ ବାପାଙ୍କ ହାତଲେଖା ଚିଠି, ଗପ-ଗୀତର ପାଣ୍ଡୁଲିପି ଦେଖି, ପଢ଼ି ମୁଁ ଆସିଥିଲି "ଅକ୍ଷର'ର ଅକ୍ଷୟ ଜଗତ ଭିତରକୁ । ମୁଁ ଆଣିଥିବା ଓ ଲେଖିଥିବା ବହି, ପତ୍ର-ପତ୍ରିକାର ଅକ୍ଷର ଭିତରେ ମୋ ପୁଅ ନିଜକୁ ଆବିଷ୍କାର କରିଥିଲା । ଏବେ ତା' ପୁଅ ଆସୁଛି । ଏମିତି ନାତି, ଅଣନାତି, ପଣନାତିମାନେ ଆସିବେ । ହାତରେ ହୁଏତ ସେମାନଙ୍କର କମ୍ପ୍ୟୁଟର କୀ-ବୋର୍ଡ ଥିବ । ଥିବ ମୋବାଇଲର ବିଶ୍ୱବିସ୍ତାରିତ ପାଠ୍ୟ, ଅପାଠ୍ୟ ଏବଂ ଅଦ୍ଭୁତ ଦୃଶ୍ୟ ଓ ଘଟଣାର ଚିତ୍ରାବଳୀ । ତଥାପି ତା'ରି ଭିତରେ ଧୂଳି-ଧୂସରିତ, ବହିଭର୍ତ୍ତି, ଉପେକ୍ଷିତ ପାଠାଗାରମାନେ ଅବଶ୍ୟ ରହିଥିବେ, ଆମର ଉତ୍ତରଦାୟାଦଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ । 

ଅଭିବ୍ୟକ୍ତି ପାଇଁ ହାତରେ ଥିବା କୁହୁକ ମନ୍ତ୍ର ଦିନେ ଅକାମି, ଅଚଳ ହୋଇଯାଇପାରେ । ମାତ୍ର ଗ୍ରନ୍ଥ ସଂରକ୍ଷିତ ଜୀବନର ମନ୍ତ୍ର କେବେ ନିଜର ଶକ୍ତି ହରେଇବ ନାହିଁ । ଅକ୍ଷର ଲିଭିବ ନାହିଁ । ବଜାରରୁ ଖାତା, କଲମମାନେ ଅଦୃଶ୍ୟ ହେବେନାହିଁ । ବରଂ ସେକାଳର ଲେଖନୀ, ପର କଲମ ଓ ଝରା କଲମମାନେ ନୂଆ ନୂଆ ରୂପ ରଙ୍ଗରେ ହାତକୁ ଆସିବେ । ହାତରୁ ହୃଦୟକୁ ଭେଦି, ହୃଦୟରୁ ପୁଣି ଫୁଲଝରି ଭଳି ଝରି ପଡ଼ିବେ ସାଦା କାଗଜ ଉପରେ । ଭାଷା ମରିଯିବ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଉଛି, ତାହା ଅମୂଳକ ପ୍ରମାଣିତ ହେବ । ଏ, ବି, ସି, ଡି ସାଙ୍ଗକୁ ଅ, ଆ, ଇ ମାନେ ଅବଶ୍ୟ ରହିବେ । କଅଁଳ ସ୍ୱରରେ ଉଚ୍ଚାରିତ ଆପଲ୍‌, ବାନାନା ସାଙ୍ଗକୁ ଆତ, କମଳା ବି ତୁଣ୍ଡରେ ଫଳିବେ । ମମୀ, ଡାଡିମାନଙ୍କ ଚେହେରା ସାଙ୍ଗକୁ ବାପାଙ୍କ ଛତା, ବୋଉର ପଣତକାନି ଅବଶ୍ୟ ରହିଥିବ "ଆସନ୍ତାକାଲି'ର ମୁଣ୍ଡ ଉପରେ । ଓଶୋ ଆସୁଛନ୍ତି । ଜଣେ ନୁହେଁ, ଗଣି ହେବନାହିଁ ସେମାନଙ୍କୁ ସଂଖ୍ୟାରେ । ଧାଡ଼ି ବାନ୍ଧି ଆସୁଛନ୍ତି, ଧାଡ଼ି ଭାଙ୍ଗି ଆସୁଛନ୍ତି । ମହାଜନମାନଙ୍କ ଚଲାବାଟରୁ ଓହରି ଆସୁଛନ୍ତି ଅମଡ଼ାବାଟରେ । କାହାରି ଠାରୁ ଧାରକରା ଅନୁଭବ, ଅଭିଜ୍ଞତା ନେଇ ନୁହେଁ, ନିଜ ନିଜ ଭାବ-ଅନୁଭବକୁ ପାଥେୟ କରି ସେମାନେ ବାଟଚଲା ଆରମ୍ଭ କରିଛନ୍ତି । ସେମାନଙ୍କ ବାଟ ଓଗାଳି ଠିଆ ହୋଇଯାଆନ୍ତୁ ନାହିଁ ଜ୍ଞାନୀ, ଗୁଣୀଜନମାନେ । ଛାଡ଼ିଦିଅନ୍ତୁ ଯିବାକୁ ସେମାନଙ୍କୁ ନିଜ ବାଟରେ । ଗଲାବେଳେ ସେମାନେ ହୁଏତ ପଡ଼ି ଯାଇପାରନ୍ତି । ପଡ଼ିଲେ ଉଠିବେ ଅବଶ୍ୟ ନିଜର ବୁଦ୍ଧି ବଳରେ । ଉଠିବେ । ପଡ଼ିବେ । ଉଠା- ପକାର ଜୀବନକୁ ନିଜ ଅନୁଭବରେ ତଉଲି ଜୀବନର ପଥ ପ୍ରସ୍ତୁତ କରିବେ । 

ପଥ-ଅପଥର ସଂଜ୍ଞା ନିରୂପଣ କରି ଆମେ ସେମାନଙ୍କୁ ପଥଭ୍ରଷ୍ଟ କରିବା ନାହିଁ । ସେମାନଙ୍କ ମନ-ମସ୍ତିଷ୍କରେ ରୋପି ଦେବାନାହିଁ ଚିରାଚରିତ ଆଚାରବିଚାରର ବୀଜ । ନିରବରେ କେବଳ ଠିଆ ହୋଇ ଦେଖିବା ଏବଂ ଉପଭୋଗ କରିବା ମୁକ୍ତ ବିହଙ୍ଗ ଭଳି ସେମାନଙ୍କ ଊଦ୍ଧ୍ୱର୍ ଉଡ଼ାଣର ଦୃଶ୍ୟ । ମୂଳରୁ ଆରମ୍ଭ କରିଥିଲି ଯେଉ "ଓଶୋ'ଙ୍କ କଥା, ସେ "ଓଶୋ' କେବଳ ମୋର ନାତି ନୁହେଁ, ସେ ଆମ ସମସ୍ତଙ୍କର । ଆମ ସମୟର ପ୍ରତିନିଧି । ଆଗାମୀର ପ୍ରତୀକ । ଜୀବନର ସନ୍ତକ । ମହାନ ଦାର୍ଶନିକ ଖଲିଲ ଜିବ୍ରାନ୍‌ଙ୍କର ଉକ୍ତିଟି ସ୍ମରଣକୁ ଆସୁଛି । ସେ କହିଥିଲେ- Your children are not your children. They are the sons and daughters of life’s longing for itself. You may give them your love, but not your thought.. କହିବାର କଥା, ଆମ ପିଲାମାନଙ୍କୁ ଆମେ ଭଲପାଇବା ଦେବା, ସେଇ ଭାବରେ ସେମାନଙ୍କୁ ଆପଣେଇ ନେବା । ମାତ୍ର ଆମର ଭାବନାରେ ଆବଦ୍ଧ କରିବା ନାହିଁ । ଆମ ବିଚାର ଆମ ପାଖରେ ରହୁ । ସେମାନେ ନିଜର ବିଚାର ଓ ବ୍ୟକ୍ତିତ୍ୱରେ ବିକଶିତ ହୁଅନ୍ତୁ । ପୁନରାବୃତ୍ତି କରୁଛି "ଓଶୋ' କେବଳ ଏକ ନାମ ନୁହେଁ, ଏକ ଦୃଷ୍ଟିକୋଣ । ଏକ ଜୀବନ-ଦର୍ଶନ । ବ୍ୟକ୍ତିଦୃଷ୍ଟିକୁ ବିଶ୍ୱଦୃଷ୍ଟିରେ ସମାହିତ କରି, ନିଜକୁ ମୁକ୍ତ ରଖି ବିସ୍ତାରିତ ହୋଇଯିବାରେ "ଓଶୋ' ପରିଚୟ । ମୁଁ ଦେଖିପାରୁଛି ସେ ପରିଚୟ କ୍ରମଶଃ ଉଜ୍ୱଳରୁ ଉଜ୍ୱଳତର ହୋଇଆସୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.