ଯେଉଁମାନେ ସ୍ରୋତର ପ୍ରତିକୂଳ ଦିଗରେ ସନ୍ତରଣ କରି କଷ୍ଟଲବ୍ଧ ସ୍ୱରାଜକୁ ସ୍ୱର୍ଗରାଜ୍ୟରେ ପରିଣତ କରିପାରିବେ । ହଜାର ହଜାର ଶହୀଦଙ୍କ ବଳିଦାନ ଓ ଲକ୍ଷ ଲକ୍ଷ ସତ୍ୟାଗ୍ରହୀଙ୍କ କାରା ଓ ନିର୍ଯାତନା ବରଣ ପୃଷ୍ଠଭୂମିରେ ଆମେ ଯେଉଁ ସ୍ୱରାଜ ପାଇଛୁ, ତାହାକୁ ସମୃଦ୍ଧ ଓ ସୁରକ୍ଷିତ କରି ରଖିବା ଲାଗି ଏହି ତିନି ମାଙ୍କଡ଼ଙ୍କ ଅମୃତ ତତ୍ତ୍ୱ ଆମ ସମସ୍ତଙ୍କୁ ଏବେବି ଡାକିଡାକି ଚେତାଇ ଦେଉଛି ।
ମହାତ୍ମା ଗାନ୍ଧୀଙ୍କ ତିନି ମାଙ୍କଡ଼ ଦେଶ ବିଦେଶରେ ବେଶ୍ ଚର୍ଚ୍ଚିତ । ଏମାନେ ସତସତିକା ମାଙ୍କଡ଼ ନୁହନ୍ତି, ତିନୋଟି ମାଙ୍କଡ଼ଙ୍କ ପ୍ରତିମୂର୍ତ୍ତି । ଏହା ଗାନ୍ଧୀଜୀଙ୍କ ଦ୍ୱାରା ନିର୍ମିତ ନୁହେଁ । ଜାପାନର ଦୁଇଜଣ ବୌଦ୍ଧ ସନ୍ନ୍ୟାସୀ ୱାର୍ଦ୍ଧାରେ ଗାନ୍ଧୀଙ୍କୁ ଭେଟି ଏହି ତିନୋଟି ମାଙ୍କଡ଼ ମୂର୍ତ୍ତି ଉପହାର ଦେଇଥିଲେ । ଏହି ତିନି ମାଙ୍କଡ଼ଙ୍କ ଭିତରୁ ଯେଉଁଟି ଦୁଇ ଆଖି ବନ୍ଦ କରି ବସିଛି ତାହାର ନାମ "ମିଜାରୁ' । ଖରାପ ଜିନିଷ ନଦେଖିବା ପାଇଁ ଏହି ମୂର୍ତ୍ତିଟି ସୂଚାଇଥାଏ । ଆଉ ଯେଉଁ ମାଙ୍କଡ଼ ମୂର୍ତ୍ତିଟି ଦୁଇ କାନକୁ ବନ୍ଦ କରି ବସିଛି ତାହାର ନାମ "କିକାଜାରୁ' । ଏହି ମୂର୍ତ୍ତିଟି ଖରାପ କଥା ନଶୁଣିବା ଲାଗି ଚେତାଇ ଦେଇଥାଏ । ତୃତୀୟ ମାଙ୍କଡ଼ ମୂର୍ତ୍ତିଟି ପାଟି ବନ୍ଦ କରି ବସିଛି । ତାହାର ନାମ "ଇୱାଜାରୁ' । ଖରାପ କଥା ନକହିବା ପାଇଁ ଏହି ମୂର୍ତ୍ତିଟି ସୂଚନା ଦିଏ । ଏ ତିନୋଟି ନାମ ହେଉଛି ଜାପାନୀ ଭାଷାର । ମହାତ୍ମା ଗାନ୍ଧୀଙ୍କ ଜନ୍ମର ବହୁ ଶହ ବର୍ଷ ପୂର୍ବରୁ ଜାପାନରେ ଏହି ତିନୋଟି ମୂର୍ତ୍ତି ବେଶ୍ ପରିଚିତ ଥିଲେ । ସତ୍ୟାଗ୍ରହୀ ଗାନ୍ଧୀଜୀଙ୍କ ବିଚାର ସହିତ ଏହି ମାଙ୍କଡ଼ ମୂର୍ତ୍ତି ତିନୋଟିର ସାମଞ୍ଜସ୍ୟ ଥିବାରୁ ବୌଦ୍ଧ ସନ୍ନ୍ୟାସୀ ନିଚିଦାସ୍ତୁ ଫୁଜି ତାଙ୍କୁ ୱାର୍ଦ୍ଧାରେ ଭେଟି ଏହି ମୂର୍ତ୍ତି ଉପହାର ଦେଇଥିଲେ । ସତ୍ୟ ଓ ଅହିଂସ ପଥର ପଥିକ ଗାନ୍ଧୀଜୀ ଶ୍ରଦ୍ଧା ଓ ସମ୍ମାନର ସହ ଏହି ତିନି ମାଙ୍କଡ଼ଙ୍କ ମୂର୍ତ୍ତି ଗ୍ରହଣ କରି ନିଜ ସହ ରଖିଲେ ।
ଏଠାରେ ଉଲ୍ଲେଖନୀୟ, ୧୯୩୦ ମାର୍ଚ୍ଚ ୧୨ ତାରିଖରେ ଲବଣ ସତ୍ୟାଗ୍ରହ ପାଇଁ ସାବରମତୀରୁ ଦାଣ୍ଡି ଅଭିଯାନ ଆରମ୍ଭ କରିବା ପୂର୍ବରୁ ଗାନ୍ଧୀଜୀ ଘୋଷଣା କରିଥିଲେ ଯେ ସ୍ୱରାଜ ନମିଳିବା ପର୍ଯ୍ୟନ୍ତ ସେ ଆଉ ସାବରମତୀ ଆଶ୍ରମକୁ ଫେରିବେ ନାହିଁ । ସତକୁ ସତ ବାପୁଜୀ ଆଉ କେବେ ପ୍ରସିଦ୍ଧ ସାବରମତୀ ଆଶ୍ରମକୁ ଫେରିନଥିଲେ । କାରାମୁକ୍ତ ହେବାପରେ ତାଙ୍କର କିଛି ନିର୍ଦ୍ଦିଷ୍ଟ ଠିକଣା ନଥିଲା । ଦେଶସାରା ସେ ଘୂରି ବୁଲୁଥିଲେ । ଏହି ଭିତ୍ତିଭୂମିରେ ତାଙ୍କର ଅନ୍ୟତମ ଅନୁଗାମୀ ଯମୁନାଲାଲ ବଜାଜ ୱାର୍ଦ୍ଧାରେ ଅବସ୍ଥାନ ପାଇଁ ଗାନ୍ଧୀଜୀଙ୍କୁ ଯେଉଁ ପ୍ରସ୍ତାବ ଦେଇଥିଲେ ତାହାକୁ ଗାନ୍ଧୀଜୀ ଗ୍ରହଣ କରିନେଇଥିଲେ । ପରବର୍ତ୍ତୀ ସମୟରେ ୧୯୩୬ ଏପ୍ରିଲ ୩୦ରେ ସେବାଗ୍ରାମ ଆଶ୍ରମ ନୂଆକରି ଗଢ଼ା ହେଲା ଓ ଗାନ୍ଧୀଜୀ ସେଠାକୁ ଆସିଲେ । ୱାର୍ଦ୍ଧା ଆଶ୍ରମରେ ରହଣିବେଳେ ଗାନ୍ଧୀଜୀ ଉପହାର ପାଇଥିବା ତିନି ମାଙ୍କଡ଼ଙ୍କ ମୂର୍ତ୍ତି ପରବର୍ତ୍ତୀ ସମୟରେ ସାରା ଦେଶରେ ଗଢ଼ିଉଠିଥିବା ସତ୍ୟାଗ୍ରହ ଆଶ୍ରମ ସମେତ ଅନେକ ଲୋକଙ୍କ ଘରେ ଦେଖିବାକୁ ମିଳିଲା । ଜାପାନରେ ଶହ ଶହ ବର୍ଷ ଧରି ଏହି ତିନି ମାଙ୍କଡ଼ ପ୍ରେରଣାର ଉତ୍ସ ହୋଇ ରହିଆସିଛନ୍ତି । କନ୍ଫୁସିୟସ୍ଙ୍କ ରଚନାବଳୀରେ ବି ଏହି ମାଙ୍କଡ଼ଙ୍କ ଅମୃତ ତତ୍ତ୍ୱର ସୂଚନା ଦେଖିବାକୁ ମିଳେ । ତାଓଇଜିମ୍ ଓ ଜାପାନୀଙ୍କ ସିନୋଟୋଜିମରେ ମଧ୍ୟ ଏମାନଙ୍କ ତତ୍ତ୍ୱ ସମ୍ପର୍କରେ ସୂଚନା ରହିଛି । ଜାପାନରେ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ମାଙ୍କଡ଼ଙ୍କୁ ନେଇ ଏହି ତିନି ମୂର୍ତ୍ତିଙ୍କ ପରିକଳ୍ପନା କରାଯାଇଥିବାରୁ ଏହାର ମୂଳ ହିଁ ଜାପାନର ବୋଲି କୁହାଯାଏ । ତେବେ ଏହି ତିନି ମାଙ୍କଡ଼ ଗାନ୍ଧୀଙ୍କ ବ୍ରାଣ୍ଡିଂରେ ସମଗ୍ର ବିଶ୍ୱରେ ବେଶ୍ ପ୍ରସିଦ୍ଧି ଲାଭ କରିଛନ୍ତି । ମାର୍ଟିନ୍ ଲୁଥର କିଙ୍ଗ୍ ହେଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାରେ ଜନ୍ମିତ ଜଣେ ସଚ୍ଚା ଗାନ୍ଧୀ ମଣିଷ । ସତ୍ୟ ଓ ଅହିଂସା ମାର୍ଗରେ ସେ ଥିଲେ ସମର୍ପିତ ସତ୍ୟାଗ୍ରହୀ ।
ମାର୍ଟିନ ଲୁଥର କିଙ୍ଗ୍ ଲେଖିଛନ୍ତି ଯେ ଜାପାନରେ ଏହି ତିନି ମାଙ୍କଡ଼ଙ୍କର ଉତ୍ପତ୍ତି ହୋଇଥିଲେ ମଧ୍ୟ ସେମାନେ ଗାନ୍ଧୀଜୀଙ୍କ ସଂସ୍ପର୍ଶରେ ଆସିବା ପରେ ସାରା ବିଶ୍ୱରେ ବେଶ୍ ପରିଚିତ ଓ ଆଦୃତ ହୋଇଥିଲେ । ଅତି ସରଳ ଭାବରେ ଖରାପ କଥା ଦେଖିବନାହିଁ, ଶୁଣିବନାହିଁ ଓ କହିବନାହିଁ ବୋଲି ଏହି ତିନି ମାଙ୍କଡ଼ ଯେଉଁ ବାଣୀ ଦେଉଛନ୍ତି ତାହା ସହଜରେ ମଣିଷର ମନ ଓ ହୃଦୟରେ ଛାପିହୋଇ ରହିଯାଉଛି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତି ପରିବାରରେ ଏହି ତିନି ମାଙ୍କଡ଼ଙ୍କ ପ୍ରତିଚ୍ଛବି ବା ପ୍ରତିମୂର୍ତ୍ତି ରଖି ଛୋଟବେଳୁ ପିଲାଙ୍କୁ ଯଦି ଏମାନଙ୍କ ବାଣୀ ସହ ଅଭ୍ୟସ୍ତ କରାଯିବ, ତେବେ ବିଶ୍ୱରୁ ଯୁଦ୍ଧ ଭୟ ଦୂର ହେବା ସହ ବହୁ ସମସ୍ୟାର ସରଳ ସମାଧାନ ହୋଇପାରିବ ବୋଲି ମାର୍ଟିନ ଲୁଥର କିଙ୍ଗ୍ଙ୍କ ବକ୍ତବ୍ୟ ଏବେ ବି ବେଶ୍ ପ୍ରସାଙ୍ଗିକ । "ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ, ଅସଂଗ୍ରହ/ ଶରୀର ଶ୍ରମ, ଅସ୍ୱାଦ, ସର୍ବତ୍ର ଭୟ ବର୍ଜନ/ ସର୍ବଧର୍ମ ସମାନତ୍ୱ, ସ୍ୱଦେଶୀ, ସ୍ପର୍ଶ ଭାବନା/ ବିନମ୍ର ବ୍ରତନିଷ୍ଠାସେ ୟେ ଏକାଦଶ ସେବ୍ୟ ହେଁ' । ଏହି ଏକାଦଶ ବ୍ରତର ସଫଳ ସାଧକ ଗାନ୍ଧୀଜୀ ତାଙ୍କ ଆଶ୍ରମ ଭଜନର ସର୍ବଧର୍ମ ପ୍ରାର୍ଥନାରେ ସ୍ଥାନ ଦେଇଥିଲେ ଏକ ଜାପାନୀ ବୌଦ୍ଧ ମନ୍ତ୍ର "ନମ୍ୟୋ ହୋ ରେଙ୍ଗେ କ୍ୟୋ' । ଏହାର ଅର୍ଥ ହେଉଛିସତ୍ୟ ଧର୍ମର ପ୍ରବର୍ତ୍ତକ ବୁଦ୍ଧଙ୍କୁ ମୁଁ ପ୍ରଣାମ କରୁଛି । ତାଙ୍କ ସହ ପ୍ରାୟ ୪ବର୍ଷ ଧରି ଆଶ୍ରମରେ ରହିଥିବା ଜଣେ ଜାପାନୀ ବୌଦ୍ଧ ଭିକ୍ଷୁଙ୍କଠାରୁ ଏହା ପ୍ରାପ୍ତ ହୋଇଥିଲା ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ବୌଦ୍ଧ ଭିକ୍ଷୁଙ୍କୁ ସେବାଗ୍ରାମ ଆଶ୍ରମରୁ ବ୍ରିଟିଶ ପୋଲିସ ଗିରଫ କରି ନେବାବେଳେ ସେ ଶାନ୍ତ ମନରେ ଶାନ୍ତିର ଭଜନ ବୋଲି ବୋଲି ଯାଉଥିଲେ । ଅପରିଗ୍ରହୀ ଓ ମିତବ୍ୟୟୀ ଗାନ୍ଧୀଙ୍କର ବ୍ୟକ୍ତିଗତ ଧନ ସମ୍ପତ୍ତି କହିଲେ ବୁଝାଏ କିଛି ଖଦିବସ୍ତ୍ର, ଅରଟ, ଚଷମା, ହଳେ ଚପଲ, ଗୋଟିଏ ପକେଟ୍ ଘଣ୍ଟା, ଖଣ୍ଡେ ବାଡ଼ି, ଜେଲରୁ ପାଇଥିବା ଥାଳି, ଗିଲାସ, ଗିନା ଓ ଚାମଚ ଆଦି । ଏହାଛଡ଼ା ଗାନ୍ଧୀଜୀଙ୍କର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ଥିଲା ଏହି ତିନି ଦିବ୍ୟ ମାଙ୍କଡ଼ଙ୍କ ମୂର୍ତ୍ତି । ମିଜାରୁ, କିକାଜାରୁ ଓ ଇୱାଜାରୁ ଭଳି ଜାପାନୀ ନାଁରେ ନଡାକି ଭାରତୀୟମାନେ ଏମାନଙ୍କୁ ଗାନ୍ଧୀଜୀଙ୍କ ତିନି ମାଙ୍କଡ଼ ବୋଲି କହି ଆସୁଛନ୍ତି । ସତ୍ୟାଗ୍ରହ ସଂଗ୍ରାମରେ ଗାନ୍ଧୀଜୀଙ୍କର ସହ ଆଉ ପଲେ ମାଙ୍କଡ଼ ଥିଲେ । ଏମାନଙ୍କୁ କୁହାଯାଉଥିଲା ବାନର ସେନା । ୧୯୨୦ ଦଶକରେ ଅସହଯୋଗ ଆନ୍ଦୋଳନ ବେଳେ ସେ ଦେଶର ସ୍ୱରାଜ ପ୍ରାପ୍ତି ପାଇଁ ମାତୃଜାତିର ଆଶୀର୍ବାଦ ଭିକ୍ଷା କରି ଯେଉଁ ନିବେଦନ କଲେ ତାହାର ପ୍ରତିକ୍ରିୟା ସ୍ୱରୂପ ସେତେବେଳର ରକ୍ଷଣଶୀଳ ସମାଜ ବ୍ୟବସ୍ଥାର ବନ୍ଧନ ଛିଣ୍ଡାଇ ବହୁ ମହିଳା ମୁକ୍ତି ସଂଗ୍ରାମରେ ସାମିଲ ହେବା ଫଳରେ ଏହି ଆନ୍ଦୋଳନର ଗତି ବଢ଼ିଥିଲା । ଏହା ପରେ ପରେ କୌଣସି ପ୍ରାପ୍ତିର ପ୍ରତ୍ୟାଶା ନକରି ଛୋଟ ଛୋଟ ପିଲାମାନେ ସ୍ୱରାଜ ସଂଗ୍ରାମର ଯଜ୍ଞବେଦୀରେ ନିଜକୁ ଆହୂତି ଦେବାପାଇଁ ଆଗେଇ ଆସିଲେ । ୧୫ ବର୍ଷରୁ କମ୍ ବୟସ୍କ ଏହି ସଂଗ୍ରାମୀମାନଙ୍କୁ କୁହାଗଲା ବାନର ସେନା । ଏମାନଙ୍କ ଭିତରୁ କିଏ ବିଦେଶୀ ଲୁଗା ପୋଡ଼ିଲା ତ ଆଉ କିଏ ମଦ ଦୋକାନ ଆଗରେ ପିକେଟିଂ କରି ମାଡ଼ ଖାଇଲା ।
ଅସହଯୋଗ ଆନ୍ଦୋଳନ ଠାରୁ ଭାରତ ଛାଡ଼ ଆନ୍ଦୋଳନ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ବହୁ ଛାତ୍ରଛାତ୍ରୀ ସ୍କୁଲ କଲେଜ୍ ଛାଡ଼ି ଦେଶମୁକ୍ତି ଯଜ୍ଞରେ ସାମିଲ ହୋଇଥିଲେ । ଏମାନଙ୍କ ଉପରେ ନିର୍ଦ୍ଦୟ ବ୍ରିଟିଶ ପୋଲିସ ଲାଠି ମାଡ଼ କରୁଥିଲା । ଏମିତିକି ବଣ ଜଙ୍ଗଲରେ ନେଇ ଛାଡ଼ିଦେଇ ଆସୁଥିଲେ । ବେତମାଡ଼ ଖାଇବାବେଳେ ଏହି ବାନର ସେନାମାନେ ସାହସର ସହ ଗାଉଥିଲେ "ମାର ଯେତେ ବେତ ମାରିବ/ ମରଣକୁ ଆମେ ବରଣ କରିଛୁ ତମେ କି ଆମକୁ ପାରିବ?' କଟକରେ ବାନର ସେନାର ଯେଉଁମାନଙ୍କ ଦେହ ବେତମାଡ଼ରେ ଫାଟିଯାଉଥିଲା ସେମାନଙ୍କ ସେବା କରୁଥିଲେ ମା' ରମାଦେବୀ, ମାଳତୀ ଚୌଧୁରୀଙ୍କ ଭଳି ଅଗ୍ରଗଣ୍ୟାମାନେ । ମନମୋହନ ଚୌଧୁରୀ, ଅନ୍ନପୂର୍ଣ୍ଣା, କରୁଣା, ଉତ୍ତରା, ବୈକୁଣ୍ଠନାଥ ମହାନ୍ତି, ପୁରୁଷୋତ୍ତମ ସିଂହ, ବିନୋଦ କାନୁନ୍ଗୋଙ୍କ ଭଳି ବାନର ସେନାମାନେ ଯେଭଳି କାମ କରିଯାଇଛନ୍ତି ତାହା ଇତିହାସର ରୋମାଞ୍ଚକର ଅଧ୍ୟାୟ । କେବଳ ସ୍ୱାଧୀନତା ସଂଗ୍ରାମ ନୁହେଁ, ରଚନାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମ ସ୍ୱରାଜ ଆଣିବା ପାଇଁ ବି ଏହି ବାନର ସେନା ସଂକଳ୍ପବଦ୍ଧ ହୋଇ କାମ କରୁଥିଲା । ଗଡ଼ଜାତ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଗଢ଼ାଯାଇଥିବା ମରଣ ସେନାରେ ଅନେକ ଛୋଟ ପିଲା ସାମିଲ ଥିଲେ । ଢେଙ୍କାନାଳ ଗଡ଼ଜାତର ନୀଳକଣ୍ଠପୁର ନଦୀଘାଟ ଓ ଭୁବନ ଗାଁରେ ପୁଲିସ ଗୁଳିରେ ଶହୀଦ ହୋଇଥିବା ୬ଜଣଙ୍କ ଭିତରେ ଥିବା ୧୨ବର୍ଷର ଶିଶୁ ବାଜି ରାଉତଙ୍କୁ ସୁଯୋଗ ମିଳିଥିଲା ଦେଶର ସର୍ବକନିଷ୍ଠ ଶହୀଦର ମାନ୍ୟତା ହାସଲ କରିବାକୁ । ସ୍ୱାଧୀନତାର ୭୫ବର୍ଷ ଠାରୁ ୧୦୦ବର୍ଷ ପର୍ଯ୍ୟନ୍ତ କାଳଖଣ୍ଡକୁ ଅମୃତ ବେଳା ବୋଲି କୁହାଯାଉଛି ।
ତେବେ ସତ୍ୟ, ଅହିଂସ, ସେବା, ସ୍ନେହ, ପ୍ରେମ, ତ୍ୟାଗ, ଭାଇଚାରା, ସମର୍ପଣ ଆଦିର ସଦ୍ଭାବନା ପରିବର୍ତ୍ତେ ହିଂସା, ମିଥ୍ୟା, ଘୃଣା, ଦ୍ୱେଷ, ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି, ଶୋଷଣ, ଲୁଣ୍ଠନ, ଅପରାଧ ଆଦି ବଢ଼ି ଚାଲୁଥିବାରୁ ଆମ କଷ୍ଟଲବ୍ଧ ସ୍ୱାଧୀନତା ଉପରେ କଳା ବାଦଲ ଘୋଟୁଥିବା ବେଳେ ସମଗ୍ର ବିଶ୍ୱ ବି ଯୁଦ୍ଧ ଭୟରେ ଆତଙ୍କିତ । ଏହି ପୃଷ୍ଠଭୂମିରେ ବିଷ ବଳୟରୁ ମୁକ୍ତି ସହିତ ପୁଣି ଅମୃତମୟ ବାତାବରଣ ସୃଷ୍ଟି ଲାଗି ଲୋଡ଼ା ପଡୁଛନ୍ତି ଗାନ୍ଧୀଜୀଙ୍କ ତିନି ମାଙ୍କଡ଼ ସମେତ ସମର୍ପିତ ବାନର ସେନାମାନଙ୍କର । ଗାନ୍ଧୀଜୀଙ୍କ ଜୀବନ ଥିଲା ସତ୍ୟର ନିରନ୍ତର ପ୍ରୟୋଗଶାଳା । ଏହି ପ୍ରୟୋଗଶାଳାରେ ସେ ନୂଆ ନୂଆ ତତ୍ତ୍ୱମାନ ପାଉଥିଲେ ଏବଂ ତାହାକୁ ମଣିଷ ସମାଜର କଲ୍ୟାଣ ପାଇଁ ପ୍ରୟୋଗ କରୁଥିଲେ । ଏଥିପାଇଁ ତାଙ୍କ ବିଚାର ବି ବଦଳୁଥିଲା । ପ୍ରଥମେ ସେ କହୁଥିଲେ, ଈଶ୍ୱର ହିଁ ସତ୍ୟ । ପରବର୍ତ୍ତୀ ସମୟରେ ସେ ଏହା ବଦଳାଇ କହିଲେ, ସତ୍ୟ ହିଁ ଈଶ୍ୱର । ଏବେ ଯେଭଳି ଖରାପ ଚିନ୍ତା ଓ ଖରାପ କାମ ବଢ଼ୁଛି ସେ ପରିପ୍ରେକ୍ଷୀରେ ଖରାପ ଚିନ୍ତା କରିବ ନାହିଁ ଓ ଖରାପ କାମ କରିବ ନାହିଁ ଅଧିକ ପ୍ରାସଙ୍ଗିକ । ତେଣୁ ଏହି ତିନି ମାଙ୍କଡ଼ଙ୍କ ସହିତ ଆଉ ଦୁଇ ମାଙ୍କଡ଼ଙ୍କର ଆବଶ୍ୟକତା ପଡୁଛି । କେବଳ ୩ ବା ୫ଟି ମାଙ୍କଡ଼ଙ୍କ ଛବି ଅଥବା ପ୍ରତିମୂର୍ତ୍ତି ରଖିଦେଲେ କିମ୍ବା ତାହା ଉପରେ ଭାଷଣବାଜି କଲେ କିଛି ଲାଭ ହେବନାହିଁ । ଏହି ମାଙ୍କଡ଼ଗୁଡ଼ିକ ଯେଉଁସବୁ ତତ୍ତ୍ୱକୁ ସୂଚାଉଛନ୍ତି ତାହାକୁ ବ୍ୟକ୍ତି ଓ ରାଷ୍ଟ୍ର ଜୀବନରେ ପ୍ରୟୋଗ କରାଯାଇପାରିଲେ ଅମୃତ ବର୍ଷା ହେବ ହିଁ ହେବ । ତେବେ ଏଥିଲାଗି ଆବଶ୍ୟକ ପଡୁଛି କିଛି ସଂକଳ୍ପବଦ୍ଧ ସାଧକଙ୍କର, ଯେଉଁମାନେ ସ୍ରୋତର ପ୍ରତିକୂଳ ଦିଗରେ ସନ୍ତରଣ କରି କଷ୍ଟଲବ୍ଧ ସ୍ୱରାଜକୁ ସ୍ୱର୍ଗରାଜ୍ୟରେ ପରିଣତ କରିପାରିବେ । ହଜାର ହଜାର ଶହୀଦଙ୍କ ବଳିଦାନ ଓ ଲକ୍ଷ ଲକ୍ଷ ସତ୍ୟାଗ୍ରହୀଙ୍କ କାରା ଓ ନିର୍ଯାତନା ବରଣ ପୃଷ୍ଠଭୂମିରେ ଆମେ ଯେଉଁ ସ୍ୱରାଜ ପାଇଛୁ, ତାହାକୁ ସମୃଦ୍ଧ ଓ ସୁରକ୍ଷିତ କରି ରଖିବା ଲାଗି ଏହି ତିନି ମାଙ୍କଡ଼ଙ୍କ ଅମୃତ ତତ୍ତ୍ୱ ଆମ ସମସ୍ତଙ୍କୁ ଏବେବି ଡାକିଡାକି ଚେତାଇ ଦେଉଛି ।