ଭୁବନେଶ୍ୱର,୨୩/୦୫: ଘରୋଇ ବସ୍‌ରେ  ଯାତ୍ରା ପାଇଁ ସରକାର କିମି ପିଛା ଦର ଧାର୍ଯ୍ୟ କରିଛନ୍ତି ।  ହେଲେ ବସ୍‌ କଣ୍ଟକ୍ଟରମାନେ ଯାତ୍ରୀଙ୍କୁ ଶୋଷଣ କରି  କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ୧୬ ମାସ  ଭିତରେ ସାରା ରାଜ୍ୟରେ ୨ଶହରୁ ଅଧିକ ଅଭିଯୋଗ  ହୋଇଛି । ହେଲେ ପରିବହନ ବିଭାଗ ମାତ୍ର ଗୋଟିଏ  ଅଭିଯୋଗରେ ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବସ୍‌  ମାଲିକଙ୍କୁ ଜରିମାନା କରିଥିବା ଜଣାପଡିଛି । ତା’ପୁଣି  ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ । ଯାହାକୁ ନେଇ  ପରିବହନ ବିଭାଗର କାର୍ଯ୍ୟଦକ୍ଷତାକୁ ଉପରେ  ପ୍ରଶ୍ନ ଉଠିଛି ।  

ସରକାରଙ୍କ ନିୟମ କହୁଛି, ସାଧାରଣ ବସ୍‌ରେ  ଯାତ୍ରା ପାଇଁ କିମି ପିଛା ଦର ୮୮ ପଇସା । ଦ୍ରୁତଗାମୀ  ବସ୍‌ କିମି ପିଛା ୯୩ ପଇସା, ଡିଲକ୍ସ ବସ୍‌ କିମି  ପିଛା ୧ ଟଙ୍କା ୨୭ ପଇସା, ଏସି ଡିଲକ୍ସ ଭଡା ୧  ଟଙ୍କା ୫୫ ପଇସା ଓ ସୁପର ପ୍ରିମିୟମ ବସ୍‌ ଭଡ଼ା  ପ୍ରତି କିମି ପିଛା ୨ ଟଙ୍କା ୪୨ ରହିଛି । କିନ୍ତୁ ଏହି  ନିୟମକୁ କେହି ମାନୁନାହାନ୍ତି । ଭୁବନେଶ୍ୱର ବରମୁଣ୍ଡା  ବସ୍‌ଷ୍ଟାଣ୍ଡରୁ ବାଲେଶ୍ୱର ଟାଉନ୍‌ର ଦୂରତା ୨୦୩  କିଲୋମିଟର । ଯଦି କୌଣସି ବ୍ୟକ୍ତି ଏସି ଡିଲକ୍ସ  ବସ୍‌ରେ ଭୁବନେଶ୍ୱରରୁ ବାଲେଶ୍ୱର ଯାଉଛନ୍ତି ତାଙ୍କ  ଠାରୁ କଣ୍ଟକ୍ଟର ୩୫୦ ଟଙ୍କା ନେଉଛନ୍ତି । ସରକାରୀ  ଭଡ଼ା ୧ ଟଙ୍କା ୫୫ ପଇସା ହିସାବରେ ୨୦୩ କିମିକୁ  ୩୧୪ ଟଙ୍କା ୬୫ ପଇସା ହେଉଛି । ବସ୍‌ କଣ୍ଡକ୍ଟର  ୩୧୫ଟଙ୍କା ନେଇପାରିବ । ହେଲେ ସେମାନେ ଯାତ୍ରୀଙ୍କ  ପିଛା ୩୦ ଟଙ୍କା ଲେଖାଏଁ ଅଧିକ ନେଉଛନ୍ତି ।  

ଏହି ହିସାବରେ ଭୁବନେଶ୍ୱରରୁ ବାଲେଶ୍ୱର  ଗୋଟିଏ ବସ୍‌ ଥରକେ ୫୦ ବସ୍‌ ଯାତ୍ରୀଙ୍କୁ ନେଇ ଯାଏ  ତା’ହେଲେ ୩୦ ଟଙ୍କା ହିସାବରେ ୧୫ ଶହ ଟଙ୍କା  ଶୋଷଣ କରୁଛି । ଦିନକୁ ୧୫ ଶହ ଟଙ୍କା ହେଲେ ମାସକୁ  ୪୫ ହଜାର ଆଉ ବର୍ଷକୁ ୫ ଲକ୍ଷ ୪୦ ହଜାର । ଗୋଟିଏ  ବସ୍‌ ଯଦି ୫ ଲକ୍ଷ ୪୦ ହଜାର ଟଙ୍କା ଯାତ୍ରୀମାନଙ୍କ  ଠାରୁ ଲୁଟେ ତା’ହେଲେ ଭୁବନେଶ୍ୱରରୁ ବାଲେଶ୍ୱର  ଦିନକୁ ୧୦ରୁ ୧୫ରୁ ବସ୍‌ ଯାଉଛି । ଏଥିରୁ କେତେ  କୋଟି ଟଙ୍କା ଏମାନେ ଲୁଟୁଥିବେ ତାହା ଅନୁମେୟ । 

ଭୁବନେଶ୍ୱରରୁ ବାଲୁ ଗାଁ (ବାଇପାସ୍‌) ଦୂରତା  ୯୦ କିଲୋମିଟର । ସାଧାରଣ ଘରୋଇ ବସ୍‌  ଗୁଡ଼ିକ ଯାତ୍ରୀଙ୍କ ଠାରୁ ୧୦୦ରୁ୧୨୦ ଟଙ୍କା ନେଉଥିବା  ବେଳେ ଏସି ଡିଲକ୍ସ ୧୫୦ ଟଙ୍କା ଭଡ଼ା ନେଉଛନ୍ତି । ସରକାରୀ ଦର କିମି ପିଛା ୮୮ ପଇସା । ସେହି  ହିସାବରେ ୮୦ ଟଙ୍କା ହେଉଛି । ଡିଲକ୍ସର ବସ୍‌ ଭଡ଼ା  ୧୧୫ ଟଙ୍କା ହେଉଛି । ହେଲେ ସେମାନେ ମନଇଚ୍ଛା  ଲୁଟୁଛନ୍ତି । ଭୁବନେଶ୍ୱର ବରମୁଣ୍ଡା ବସ୍‌ ଷ୍ଟାଣ୍ଡରୁ କଟକ  ନେତାଜୀ ବସ୍‌ ଷ୍ଟାଣ୍ଡ ଦୂରତା ୩୧ କିଲୋମିଟର । ୩୧  କିଲୋମିଟରକୁ ସରକାରୀ ଦର ହିସାବରେ ୨୭.୨୮  ଟଙ୍କା ହେଉଛି । ହେଲେ ବସ କଣ୍ଡକ୍ଟର ୫୦ ଟଙ୍କା  ନେଉଛନ୍ତି । ଯଦି କୌଣସି ଯାତ୍ରୀ ପ୍ରତିବାଦ କରୁଛି  ତା’ହେଲେ ବସ୍‌ କଣ୍ଟକ୍ଟର ଗାଳିମନ୍ଦ କରିବା ସହ  ଅଧାବାଟରୁ ଓହ୍ଲାଇ ଦେବାକୁ ଧମକ ଦେଉଛନ୍ତି ।  

ଗତମାସରେ ଏମିତି ଏକ ଘଟଣା ଦେଖିବାକୁ  ମିଳିଥିଲା ଭୁବନେଶ୍ୱରରେ । କେନ୍ଦ୍ରାପଡ଼ା ଗୋପାଳପୁର  ଅଞ୍ଚଳର ବ୍ୟବସାୟୀ ପ୍ରସନ୍ନଜିତ୍‌ ସାହୁ କଟକ ଲିଙ୍କ୍‌  ରୋଡ୍‌ରୁ ବସ୍‌ରେ(ଓଡି୦୨ଏଇ୮୯୦୬) ବସି  ସିଆରପି ଛକରେ ଓହ୍ଲାଇଲେ । ୨୮ କିଲୋମିଟର  ହିସାବରେ ତାଙ୍କର ୨୪ ଟଙ୍କା ୬୪ ପଇସା  ହେଉଥିଲା । କଣ୍ଟକ୍ଟର ତାଙ୍କୁ ୪୦ ଟଙ୍କା ମାଗିଥିଲେ ।  ଶ୍ରୀ ସାହୁ ଏତେ ଟଙ୍କା ଦେବାକୁ ମନା କଲେ ମଧ୍ୟ  ସ୍ଥିତି ଏମିତି ହୋଇଥିଲା ଯେ, ପ୍ରସନ୍ନଙ୍କ ଠାରୁ  ଜବରଦସ୍ତ ୩୦ ଟଙ୍କା ନେଇଥିଲେ । ଏନେଇ ଶ୍ରୀ  ସାହୁ ଭୁବନେଶ୍ୱର ଆରଟିଓଙ୍କୁ ଜଣାଇଥିଲେ । ହେଲେ  ସେ ନ ଶୁଣିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ  କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଉକ୍ତ ବସ୍‌  ମାଲିକଙ୍କୁ ଗତ ୧୯ ତାରିଖ ଦିନ ୧୦ ହଜାର ଟଙ୍କା  ଜରିମାନା କରିଛନ୍ତି ଭୁବନେଶ୍ୱର ଆରଟିଓ-୧ ।  

ଗତ ୪ ମାସ ଭିତରେ ୨ଶହରୁ ଅଧିକ  ଅଭିଯୋଗ ହୋଇଛି । ପରିବହନ ବିଭାଗ ମାତ୍ର  ୧ଟିରେ ଫାଇନ୍‌ କରିଥିବା ଜଣାପଡିଛି । ସରକାରଙ୍କ  ଦ୍ୱାରା ଧାର୍ଯ୍ୟ ଦର ଅନୁସାରେ ବସ୍‌ ମାଲିକ ଯାତ୍ରୀ  ପରିବହନ କରୁ ନାହାନ୍ତି । ବସ୍‌ ମାଲିକ ସଂଘ ତିଆରି  କରିଥିବା ନିୟମ ରାଜ୍ୟରେ ଚାଲିଛି । ଯଦି ସରକାର  ଏକାଧିକ ବସ୍‌କୁ ଫାଇନ୍‌ କରୁଛନ୍ତି । ମାଲିକ ସଂଘ  ଆନ୍ଦୋଳନ ଧମକ ଦେଉଛି । ଫଳରେ ବିଭାଗ  ଫାଇନ୍‌ କରିବାକୁ କୁନ୍ଥକୁନ୍ଥ ହେଉଛି । ପ୍ରତି ବସ୍‌  ଯାତ୍ରୀଙ୍କ ଠାରୁ ୨୦ରୁ ୩୦ ଟଙ୍କା ନେଇ କେତେ ଟଙ୍କା  ଲୁଟୁଛନ୍ତି ତାହା ହିସାବ କରିବା କାଠିକର ପାଠ ହେବ । 

ପରିବହନ କମିଶନର ଅମିତାଭ ଠାକୁର କହିଛନ୍ତି,  ଯାତ୍ରୀମାନଙ୍କ ଠାରୁ କିଲୋମିଟର ପିଛା କେତେ ଟଙ୍କା  ନିଆଯିବ ତାହା ସରକାର ଧାର୍ଯ୍ୟ କରିଛନ୍ତି । ଘରୋଇ  ବସ୍‌ ସହ ଆଲୋଚନା ପରେ ଏହି ମୂଲ୍ୟ ନିର୍ଦ୍ଧାରଣ  ହୋଇଛି । ଯଦି କୌଣସି ବସ୍‌ ଯାତ୍ରୀଙ୍କ ଠାରୁ ଅଧିକ  ଟଙ୍କା ନେଉଛି ସେ ନେଇ ଅଭିଯୋଗ ହେଲା ପରେ  ଆମେ ଫାଇନ୍‌ କରୁଛୁ । କଟକ-ଭୁବନେଶ୍ୱର  ଭଡ଼ା ନନ୍‌ ଏସି ବସ୍‌ ଭଡା ୨୫ରୁ୩୦ ଟଙ୍କା । ଯଦି  କୌଣସି ବସ୍‌ ଅଧିକ ଟଙ୍କା ନେଉଛି ତା’ହେଲେ  ଯାତ୍ରୀମାନେ ତାଙ୍କ ବିରୋଧରେ ଅଭିଯୋଗ କରିବାର  ଆବଶ୍ୟକ ରହିଛି ବୋଲ ଶ୍ରୀ ଠାକୁର କହିଛନ୍ତି ।