ଭୁବନେଶ୍ୱର,୨୩/୦୫: ଘରୋଇ ବସ୍ରେ ଯାତ୍ରା ପାଇଁ ସରକାର କିମି ପିଛା ଦର ଧାର୍ଯ୍ୟ କରିଛନ୍ତି । ହେଲେ ବସ୍ କଣ୍ଟକ୍ଟରମାନେ ଯାତ୍ରୀଙ୍କୁ ଶୋଷଣ କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ୧୬ ମାସ ଭିତରେ ସାରା ରାଜ୍ୟରେ ୨ଶହରୁ ଅଧିକ ଅଭିଯୋଗ ହୋଇଛି । ହେଲେ ପରିବହନ ବିଭାଗ ମାତ୍ର ଗୋଟିଏ ଅଭିଯୋଗରେ ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବସ୍ ମାଲିକଙ୍କୁ ଜରିମାନା କରିଥିବା ଜଣାପଡିଛି । ତା’ପୁଣି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ । ଯାହାକୁ ନେଇ ପରିବହନ ବିଭାଗର କାର୍ଯ୍ୟଦକ୍ଷତାକୁ ଉପରେ ପ୍ରଶ୍ନ ଉଠିଛି ।
ସରକାରଙ୍କ ନିୟମ କହୁଛି, ସାଧାରଣ ବସ୍ରେ ଯାତ୍ରା ପାଇଁ କିମି ପିଛା ଦର ୮୮ ପଇସା । ଦ୍ରୁତଗାମୀ ବସ୍ କିମି ପିଛା ୯୩ ପଇସା, ଡିଲକ୍ସ ବସ୍ କିମି ପିଛା ୧ ଟଙ୍କା ୨୭ ପଇସା, ଏସି ଡିଲକ୍ସ ଭଡା ୧ ଟଙ୍କା ୫୫ ପଇସା ଓ ସୁପର ପ୍ରିମିୟମ ବସ୍ ଭଡ଼ା ପ୍ରତି କିମି ପିଛା ୨ ଟଙ୍କା ୪୨ ରହିଛି । କିନ୍ତୁ ଏହି ନିୟମକୁ କେହି ମାନୁନାହାନ୍ତି । ଭୁବନେଶ୍ୱର ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ବାଲେଶ୍ୱର ଟାଉନ୍ର ଦୂରତା ୨୦୩ କିଲୋମିଟର । ଯଦି କୌଣସି ବ୍ୟକ୍ତି ଏସି ଡିଲକ୍ସ ବସ୍ରେ ଭୁବନେଶ୍ୱରରୁ ବାଲେଶ୍ୱର ଯାଉଛନ୍ତି ତାଙ୍କ ଠାରୁ କଣ୍ଟକ୍ଟର ୩୫୦ ଟଙ୍କା ନେଉଛନ୍ତି । ସରକାରୀ ଭଡ଼ା ୧ ଟଙ୍କା ୫୫ ପଇସା ହିସାବରେ ୨୦୩ କିମିକୁ ୩୧୪ ଟଙ୍କା ୬୫ ପଇସା ହେଉଛି । ବସ୍ କଣ୍ଡକ୍ଟର ୩୧୫ଟଙ୍କା ନେଇପାରିବ । ହେଲେ ସେମାନେ ଯାତ୍ରୀଙ୍କ ପିଛା ୩୦ ଟଙ୍କା ଲେଖାଏଁ ଅଧିକ ନେଉଛନ୍ତି ।
ଏହି ହିସାବରେ ଭୁବନେଶ୍ୱରରୁ ବାଲେଶ୍ୱର ଗୋଟିଏ ବସ୍ ଥରକେ ୫୦ ବସ୍ ଯାତ୍ରୀଙ୍କୁ ନେଇ ଯାଏ ତା’ହେଲେ ୩୦ ଟଙ୍କା ହିସାବରେ ୧୫ ଶହ ଟଙ୍କା ଶୋଷଣ କରୁଛି । ଦିନକୁ ୧୫ ଶହ ଟଙ୍କା ହେଲେ ମାସକୁ ୪୫ ହଜାର ଆଉ ବର୍ଷକୁ ୫ ଲକ୍ଷ ୪୦ ହଜାର । ଗୋଟିଏ ବସ୍ ଯଦି ୫ ଲକ୍ଷ ୪୦ ହଜାର ଟଙ୍କା ଯାତ୍ରୀମାନଙ୍କ ଠାରୁ ଲୁଟେ ତା’ହେଲେ ଭୁବନେଶ୍ୱରରୁ ବାଲେଶ୍ୱର ଦିନକୁ ୧୦ରୁ ୧୫ରୁ ବସ୍ ଯାଉଛି । ଏଥିରୁ କେତେ କୋଟି ଟଙ୍କା ଏମାନେ ଲୁଟୁଥିବେ ତାହା ଅନୁମେୟ ।
ଭୁବନେଶ୍ୱରରୁ ବାଲୁ ଗାଁ (ବାଇପାସ୍) ଦୂରତା ୯୦ କିଲୋମିଟର । ସାଧାରଣ ଘରୋଇ ବସ୍ ଗୁଡ଼ିକ ଯାତ୍ରୀଙ୍କ ଠାରୁ ୧୦୦ରୁ୧୨୦ ଟଙ୍କା ନେଉଥିବା ବେଳେ ଏସି ଡିଲକ୍ସ ୧୫୦ ଟଙ୍କା ଭଡ଼ା ନେଉଛନ୍ତି । ସରକାରୀ ଦର କିମି ପିଛା ୮୮ ପଇସା । ସେହି ହିସାବରେ ୮୦ ଟଙ୍କା ହେଉଛି । ଡିଲକ୍ସର ବସ୍ ଭଡ଼ା ୧୧୫ ଟଙ୍କା ହେଉଛି । ହେଲେ ସେମାନେ ମନଇଚ୍ଛା ଲୁଟୁଛନ୍ତି । ଭୁବନେଶ୍ୱର ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ କଟକ ନେତାଜୀ ବସ୍ ଷ୍ଟାଣ୍ଡ ଦୂରତା ୩୧ କିଲୋମିଟର । ୩୧ କିଲୋମିଟରକୁ ସରକାରୀ ଦର ହିସାବରେ ୨୭.୨୮ ଟଙ୍କା ହେଉଛି । ହେଲେ ବସ କଣ୍ଡକ୍ଟର ୫୦ ଟଙ୍କା ନେଉଛନ୍ତି । ଯଦି କୌଣସି ଯାତ୍ରୀ ପ୍ରତିବାଦ କରୁଛି ତା’ହେଲେ ବସ୍ କଣ୍ଟକ୍ଟର ଗାଳିମନ୍ଦ କରିବା ସହ ଅଧାବାଟରୁ ଓହ୍ଲାଇ ଦେବାକୁ ଧମକ ଦେଉଛନ୍ତି ।
ଗତମାସରେ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଭୁବନେଶ୍ୱରରେ । କେନ୍ଦ୍ରାପଡ଼ା ଗୋପାଳପୁର ଅଞ୍ଚଳର ବ୍ୟବସାୟୀ ପ୍ରସନ୍ନଜିତ୍ ସାହୁ କଟକ ଲିଙ୍କ୍ ରୋଡ୍ରୁ ବସ୍ରେ(ଓଡି୦୨ଏଇ୮୯୦୬) ବସି ସିଆରପି ଛକରେ ଓହ୍ଲାଇଲେ । ୨୮ କିଲୋମିଟର ହିସାବରେ ତାଙ୍କର ୨୪ ଟଙ୍କା ୬୪ ପଇସା ହେଉଥିଲା । କଣ୍ଟକ୍ଟର ତାଙ୍କୁ ୪୦ ଟଙ୍କା ମାଗିଥିଲେ । ଶ୍ରୀ ସାହୁ ଏତେ ଟଙ୍କା ଦେବାକୁ ମନା କଲେ ମଧ୍ୟ ସ୍ଥିତି ଏମିତି ହୋଇଥିଲା ଯେ, ପ୍ରସନ୍ନଙ୍କ ଠାରୁ ଜବରଦସ୍ତ ୩୦ ଟଙ୍କା ନେଇଥିଲେ । ଏନେଇ ଶ୍ରୀ ସାହୁ ଭୁବନେଶ୍ୱର ଆରଟିଓଙ୍କୁ ଜଣାଇଥିଲେ । ହେଲେ ସେ ନ ଶୁଣିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଉକ୍ତ ବସ୍ ମାଲିକଙ୍କୁ ଗତ ୧୯ ତାରିଖ ଦିନ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି ଭୁବନେଶ୍ୱର ଆରଟିଓ-୧ ।
ଗତ ୪ ମାସ ଭିତରେ ୨ଶହରୁ ଅଧିକ ଅଭିଯୋଗ ହୋଇଛି । ପରିବହନ ବିଭାଗ ମାତ୍ର ୧ଟିରେ ଫାଇନ୍ କରିଥିବା ଜଣାପଡିଛି । ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦର ଅନୁସାରେ ବସ୍ ମାଲିକ ଯାତ୍ରୀ ପରିବହନ କରୁ ନାହାନ୍ତି । ବସ୍ ମାଲିକ ସଂଘ ତିଆରି କରିଥିବା ନିୟମ ରାଜ୍ୟରେ ଚାଲିଛି । ଯଦି ସରକାର ଏକାଧିକ ବସ୍କୁ ଫାଇନ୍ କରୁଛନ୍ତି । ମାଲିକ ସଂଘ ଆନ୍ଦୋଳନ ଧମକ ଦେଉଛି । ଫଳରେ ବିଭାଗ ଫାଇନ୍ କରିବାକୁ କୁନ୍ଥକୁନ୍ଥ ହେଉଛି । ପ୍ରତି ବସ୍ ଯାତ୍ରୀଙ୍କ ଠାରୁ ୨୦ରୁ ୩୦ ଟଙ୍କା ନେଇ କେତେ ଟଙ୍କା ଲୁଟୁଛନ୍ତି ତାହା ହିସାବ କରିବା କାଠିକର ପାଠ ହେବ ।
ପରିବହନ କମିଶନର ଅମିତାଭ ଠାକୁର କହିଛନ୍ତି, ଯାତ୍ରୀମାନଙ୍କ ଠାରୁ କିଲୋମିଟର ପିଛା କେତେ ଟଙ୍କା ନିଆଯିବ ତାହା ସରକାର ଧାର୍ଯ୍ୟ କରିଛନ୍ତି । ଘରୋଇ ବସ୍ ସହ ଆଲୋଚନା ପରେ ଏହି ମୂଲ୍ୟ ନିର୍ଦ୍ଧାରଣ ହୋଇଛି । ଯଦି କୌଣସି ବସ୍ ଯାତ୍ରୀଙ୍କ ଠାରୁ ଅଧିକ ଟଙ୍କା ନେଉଛି ସେ ନେଇ ଅଭିଯୋଗ ହେଲା ପରେ ଆମେ ଫାଇନ୍ କରୁଛୁ । କଟକ-ଭୁବନେଶ୍ୱର ଭଡ଼ା ନନ୍ ଏସି ବସ୍ ଭଡା ୨୫ରୁ୩୦ ଟଙ୍କା । ଯଦି କୌଣସି ବସ୍ ଅଧିକ ଟଙ୍କା ନେଉଛି ତା’ହେଲେ ଯାତ୍ରୀମାନେ ତାଙ୍କ ବିରୋଧରେ ଅଭିଯୋଗ କରିବାର ଆବଶ୍ୟକ ରହିଛି ବୋଲ ଶ୍ରୀ ଠାକୁର କହିଛନ୍ତି ।