ସମ୍ବଲପୁର,୦୧/୦୩: ଆଜିଠୁୁ ଖୋଲିବ ନୂଆ ରାସନ  କାର୍ଡ ପାଇଁ ପୋର୍ଟାଲ । ବାଦ୍‌ ପଡ଼ିଥିବା ଓ  ଜମାରୁ ନ ଥିବା ହିତାଧିକାରୀ ରାସନକାର୍ଡ  ନିମନ୍ତେ ଆବେଦନ କରିପାରିବେ । ଅଦ୍ୟାବଧି  ୪ ଲକ୍ଷ ମୃତକଙ୍କ ନାମରେ ଥିବା ରାସନକାର୍ଡ  କଟି ସାରିଲାଣି । ଆଗକୁ ସର୍ଭେ ହେବ । ସବୁ  ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯିବ ।  ଶୂନ୍ୟ ଆୟକର ଦେଉଥିବା ବ୍ୟକ୍ତିଙ୍କ  ରାସନକାର୍ଡ ସର୍ଭେ ହେବ । ଯେଉଁମାନେ  ପ୍ରକୃତରେ ଗରିବ³ ସେମାନଙ୍କ କାର୍ଡ କଟିବ  ନାହିଁ । ସମ୍ବଲପୁରରେ ଶୁକ୍ରବାର ଅନୁଷ୍ଠିତ  ବିଭାଗୀୟ ସମୀକ୍ଷା ବୈଠକରେ ଯୋଗଦେଇ  ଏଭଳି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ  ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।  

ରାଜ୍ୟରେ ୯୨% ଇ-କେୱାଇସି ଶେଷ  ହୋଇଛି । ଏବେ ନୂଆ ରାସନ କାର୍ଡ ଦିଆଯିବା  ପ୍ରକ୍ରିୟା ଆରମ୍ଭ ହେବ । ସର୍ଭେ କରିବା ପରେ ନୂଆ କାର୍ଡ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ  କହିଛନ୍ତି । ଏହି ଅବସରରେ ମନ୍ତ୍ରୀ ବଡ଼  ଘୋଷଣା କରିଛନ୍ତି । ଖରିଫ୍‌ ଭଳି ରବି ଋତୁରେ  ମଧ୍ୟ ଚାଷୀଙ୍କୁ ଅତିରିକ୍ତ ବୋନସ୍‌ ପ୍ରଦାନ  କରାଯିବ । କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କା  ହିସାବରେ ଧାନ କ୍ରୟ କରାଯିବ । ଏହାଦ୍ୱାରା  ପଶ୍ଚିମ ଓଡ଼ିଶାର ଚାଷୀ ବିଶେଷ ଉପକୃତ  ହେବେ । ଜଳସେଚିତ ଅଞ୍ଚଳରେ ରବି  ଋତୁରେ ଧାନ ଚାଷ କରୁଥିବା ଚାଷୀ ଏହାର  ଫାଇଦା ପାଇବେ।   

ସମ୍ବଲପୁରରେ ଧାନକିଣା ସମ୍ପର୍କରେ  ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ,  ଜିଲ୍ଲାରେ ବିନା କଟ୍‌ନୀଛଟ୍‌ନୀରେ ଧାନ  କିଣାଯାଇଛି । କଟ୍‌ନୀଛଟନୀ କରୁଥିବା ମିଲ୍‌କୁ  ସିଲ୍‌ କରାଯାଇଛି । ଅନେକ ଅଧିକାରୀଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।  ଚାଷୀଙ୍କଠାରୁ ଧାନ କିଣାଯିବାର ୪୮ ଘଣ୍ଟା  ମଧ୍ୟରେ ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟ  ସରକାରଙ୍କ ଧାନସଂଗ୍ରହ ଉଦ୍ଦେଶ୍ୟ ସାକାର  ହୋଇଛି । ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ  ବୋନ୍ଦର କହିଛନ୍ତି, ଜିଲ୍ଲାରେ ୩୨ ଲକ୍ଷ  କ୍ୱିଣ୍ଟାଲ ଧାନ କିଣାଯାଇଛି । ଏହା ବାବଦକୁ  ୯୭୬ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ  ଯାଇଛି । ମନ୍ତ୍ରୀ ସବିଶେଷ ଆଲୋଚନା କରି  ଚାଷୀଙ୍କ କଥା ବୁଝିଥିଲେ । ସ୍ଥାନୀୟ ବିଧାୟକ  ଜୟନାରାୟଣ ମିଶ୍ର, ସାଂସଦଙ୍କ ପ୍ରତିନିଧି ତଥା  ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ,  ଜିଲ୍ଲାପାଳ, ଯୋଗାଣ ବିଭାଗୀ ଅଧିକାରୀ  ମନ୍ତ୍ରୀଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ।