ଭୁବନେଶ୍ୱର,୦୭/୦୮(ସସ୍ମିତା ମଲ୍ଲ): ବୁଣାକାରଙ୍କ ଆତ୍ମା କାନ୍ଦୁଛି । ଶେଷ ନିଃଶ୍ୱାସ ଗଣୁଛି ହସ୍ତତନ୍ତ କଳା । କଞ୍ଚାମାଲ ଦର ହୁ ହୁ ବଢ଼ୁଛି । ସରକାରୀ ଯୋଜନା ତ କାରିଗରଙ୍କ ଠାରୁ ଯୋଜନ ଦୂରରେ । ଜିଆଇ ମାନ୍ୟତା ମିଳିଛି । ସରକାରୀ ସହଯୋଗ କିମ୍ବା ଆନ୍ତରିକତା ନାହିଁ । ଖୋର୍ଦ୍ଧା ଜିଲ୍ଲା ଧଳାପଥର ଗାଁରେ ନିଜ ବାପ ଅଜା ଅମଳର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ବେଶ୍ ଉଦ୍ୟମ କରୁଛନ୍ତି ହାତ ଗଣତି ବୁଣାକାର । ହେଲେ ସବୁଆଡ଼ୁ ପ୍ରତିବନ୍ଧକ । ବୁଦ୍ଧି ବାଟ ଦିଶୁନି ।
ଦିନ ଥିଲା ଧଳାପଥରର ହସ୍ତତନ୍ତ ଓ ପରଦା ରାଜ୍ୟ ବାହାରେ ବେଶ ନାଁ କରିଥିଲା । ଆଦର ଓ ଚାହିଦା ଥିଲା କାହିଁରେ କ’ଣ । ବିଡ଼ମ୍ବନା, ଏ ହସ୍ତତନ୍ତ ଆଜି ଓଡ଼ିଶାର ମାନଚିତ୍ରରୁ ହଜିବାକୁ ବସିଲାଣି । ହସ୍ତତନ୍ତର ପ୍ରଚାର ପ୍ରସାର ଲାଗି ସରକାର ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି । ହେଲେ ୨୦୧୨ରେ ଜିଆଇ ମାନ୍ୟତା ମିଳିଥିବା ଧଳାପଥର ଗ୍ରାମର ପରଦା ଓ କପଡ଼ା ଧୀରେ ଧୀରେ ହଜିବାକୁ ବସିଲାଣି । ଧଳାପଥର ଶାଢ଼ୀରେ ବଡ଼ ଆକର୍ଷଣ ତାଜମହଲ କାରୁକାର୍ଯ୍ୟ ଲୋପ ପାଇଯାଇଛି । ଏହି ଶାଢ଼ିର କପି ନଥିବାରୁ ଏହାକୁ ପୁନଃଉଦ୍ଧାର କରାଯାଇପାରୁନାହିଁ ।
ଧଳାପଥର ଶାଢ଼ି ଓ ପରଦା ହେଉଛି ସ୍ୱତନ୍ତ୍ର । ଖୋର୍ଦ୍ଧା ଜିଲ୍ଲାର ହାତଗଣତି ତିନିରୁ ଚାରିଜଣ ବୁଣାକାର ଏହାକୁ ବୁଣୁଛନ୍ତି । ସେମାନଙ୍କ ଭିତରୁ ବ୍ରଜବନ୍ଧୁ ରାଉତ (ପିତା) ଓ ସୁରେଶ କୁମାର ରାଉତ (ପୁତ୍ର) ଏହି ଜୀବିକାକୁ ବଞ୍ଚାଇ ରଖିବା ଲାଗି ଚେଷ୍ଟା ଜାରି ରଖିଛନ୍ତି । ଧଳାପଥର ଶାଢ଼ି କେବଳ ସୁରେଶ ବୁଣୁଛନ୍ତି । ୬ଷ୍ଠ ଶ୍ରେଣୀରୁ ବାପାଙ୍କ ଠାରୁ ଏହି କଳା ସେ ଶିଖି ୩୫ ବର୍ଷ ହେବ ବଞ୍ଚାଇ ରଖିଛନ୍ତି । ୨/୮୦ ଫାଇନ୍ ସୂତାରେ ଶାଢ଼ିଗୁଡ଼ିକ ବୁଣାଯାଉଛି । ଯାହାର ଦାମ୍ ୧୦ହଜାରରୁ ୧୫ହଜାର ରହିଛି । ଶାଢ଼ିରେ ନର୍ତ୍ତକୀ, ବାଘ, ନବଗୁଞ୍ଜର, କୋଣାର୍କ ଚକ, ଦୁଇ ମହିଳା ଅର୍ଘ୍ୟ ଦେଉଥିବାର ଚିତ୍ର, ପୁରୀ, ହଂସକଳସ, ଡିଜାଇନ ମନ୍ଦିର, ଅଶୋକ ସ୍ତମ୍ଭ, କୋଣାର୍କ, ଘୋଡ଼ା, ଗଜସିଂହ, ହଳଦୀ ବସନ୍ତ ବୁଣାଯାଉଛି । ଏହା ଭିତରୁ ଅନେକ ଡିଜାଇନ୍ ବି ବୁଣାଯାଉନାହିଁ । କାରଣ ଏହି ଡିଜାଇନ୍ ବହୁତ ସମୟ ଲାଗୁଛି ।
ବେଶ ଆକର୍ଷଣୀୟ ତାଜମହଲ ଶାଢ଼ିର ସାମ୍ପୁଲ ନଥିବାରୁ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଗଜସିଂହ, କୋଣାର୍କ ଘୋଡ଼ା, ସିନେରୀ, ଅଶୋକସ୍ତମ୍ଭ ମଧ୍ୟ ବନ୍ଦ ହୋଇଯାଇଛି । ଏଭଳି ଅନେକ ଡିଜାଇନ୍ କେହି ବୁଣିପାରୁନାହାନ୍ତି ବୋଲି ବନ୍ଦ ହୋଇଯାଇଛି । କୁସୁମୀ ଶାଢ଼ି, କଙ୍କଣପେଡ଼ି, ୯ହାତୀ ଶାଢ଼ିଗୁଡ଼ିକ ତିଆରି କରାଯାଉଥିଲା । କିନ୍ତୁ ଏହି ସବୁ ଶାଢ଼ିଗୁଡ଼ିକ ଏବେ ଆଉ ତିଆରି କରାଯାଉନାହିଁ । ଏହାର ମଜୁରି ଏତେ ଅଧିକ ଯେ ତାହା ବୁଣାହେଲେ ବିକ୍ରିବଟା କଷ୍ଟକର ହେବ । ଚଢ଼ା ଦାମରେ ବିକ୍ରି ହେବ ବୋଲି କି ଗ୍ୟାରେଣ୍ଟି ଅଛି ।
କଳାପଥର କପଡ଼ା ପ୍ରସ୍ତୁତ ଲାଗି କାରିଗର ଧଳା ରଙ୍ଗର ସୂତା ଦରକାର । ଏହାକୁ ପରବର୍ତ୍ତୀ ସମୟରେ ରଙ୍ଗ କରଯାଏ । କିଛି ସ୍ଥାନରେ ରଙ୍ଗୀନ ସୂତା ମିଳୁଛି । ଧଳା ରଙ୍ଗର ସୂତା କିଣି ଅନ୍ୟ ଗାଁକୁ ରଙ୍ଗ କରିବାକୁ ଦିଆଯାଉଛି । ସୂତା ସବୁ ବୟନିକା, ଖୋର୍ଦ୍ଧା ଟାଉନ୍, ଧଳାପଥରରୁ କିଣାଯାଉଛି । ସୁନାପଥର ଓ ମାଣିଆବନ୍ଧରେ ରଙ୍ଗ କରାଯାଉଛି । ପ୍ରାକୃତିକ ଉପାୟରେ ରଙ୍ଗ ହେଉଛି ।
ଧଳାପଥର ପରଦା ମଧ୍ୟ କେବଳ ବ୍ରଜବନ୍ଧୁ ଓ ସୁରେଶ ବୁଣୁଛନ୍ତି । ଧଳାପଥର ୱିଭରସ୍ କୋପରେଟିଭ୍ ସୋସାଇଟି ପକ୍ଷରୁ ଏକ ମାସ ହେବ ପାଖାପାଖି ୨୦ଜଣଙ୍କୁ ଟ୍ରେନିଂ ଦିଆଯାଉଛି । ସେମାନେ ପୁନର୍ବାର ପରଦା ବୁଣିବା ଆରମ୍ଭ କରୁଛନ୍ତି । ବ୍ରଜବନ୍ଧୁ କହନ୍ତି, ୧୫ବର୍ଷ ହେଲାଣିଏହି ବୃତ୍ତିକୁ ଗାଁ ଲୋକ ଛାଡ଼ି ସାରିଲେଣି । ମୋତେ ଏବେ ୮୦ ବର୍ଷ, ମୋତେ ଯେତେବେଳେ ୧୨ବର୍ଷ ହୋଇଥିଲା ମୁଁ ମୋ କୌଳିକ ବୃତ୍ତିକୁ ଆପଣାଇଛି । ବାପା ରଘୁନାଥ ରାଉତ ପରଦା ବୁଣୁଥିଲେ ତାଙ୍କଠାରୁ ଶିଖି ବୁଣିବା ଆରମ୍ଭ କଲି । ସେ ସମୟରେ ୧୦ରୁ ୧୫ ଜଣ ବୁଣାକାର ପରଦା ବୁଣୁଥିଲେ । ବତ୍ତର୍ମାନ ଏହି ପରଦାର ଦାମ୍ ୨ହଜାର ଟଙ୍କା । ଘର ଆଗରେ ଏତେ ଦାମ୍ର ପରଦା କିଏ ଟାଣିବ?
ସରକାର ଯଦି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ସ୍କୁଲ କଲେଜମାନଙ୍କରେ ପରଦା ବ୍ୟବହାର କରନ୍ତେ ତାହାଲେ ଏହି ମରିଯାଉଥିବା କଳା ଆଉ ଥରେ ବଞ୍ଚି ଉଠିବ । ଏହି କାମ ଛାଡ଼ି ଅନ୍ୟ କାମ କଲେ ଭଲ ଟଙ୍କା ମିଳୁଛି ସେଥିପାଇଁ ନିଜ କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି । ସୁରେଶ କୁହନ୍ତି, ଏବେ କାରିଗରଙ୍କୁ ପ୍ରତିଦିନ ଟଙ୍କା ଦରକାର । ଗୋଟିଏ ଶାଢ଼ୀ ବୁଣିବାକୁ ୧୦ଦିନ ଲାଗୁଛି । ଦିନକୁ ମଜୁରି ୯୦୦ଟଙ୍କା । ଦୁଇ ବର୍ଷ ହେଲା ମୁଁ ଅର୍ଥ ଅଭାବରୁ ନିଜେ ବୁଣୁଛି ଆଉ କେଉଁ କାରିଗରଙ୍କୁ ରଖି କାମ କରାଇପାରୁନାହିଁ । ସୋସାଇଟି ବି ଭଲରେ ଚାଲିବା ସମ୍ଭବ ହେଉନାହିଁ । ଅଧିକ ଋଣ ମିଳୁନି । ସରକାରୀସ୍ତରରେ ଯୋଜନା ହେଉଛି । କିନ୍ତୁ ବ୍ୟାଙ୍କ ତରଫରୁ ସହଯୋଗ ମିଳୁନି ।
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର କହିଛନ୍ତି, ଧଳାପଥର ପରଦା ଓ ଫାବ୍ରିକ୍ ବୁଣିବାକୁ ଏବଂ ସଚେତନତା ଲାଗି ଖୁବ୍ ଶୀଘ୍ର ଯୋଜନା କରାଯିବ ।