ଭୁବନେଶ୍ୱର,୦୭/୦୮(ସସ୍ମିତା ମଲ୍ଲ): ବୁଣାକାରଙ୍କ ଆତ୍ମା କାନ୍ଦୁଛି । ଶେଷ ନିଃଶ୍ୱାସ ଗଣୁଛି ହସ୍ତତନ୍ତ କଳା । କଞ୍ଚାମାଲ ଦର ହୁ ହୁ ବଢ଼ୁଛି । ସରକାରୀ  ଯୋଜନା ତ କାରିଗରଙ୍କ ଠାରୁ ଯୋଜନ ଦୂରରେ । ଜିଆଇ ମାନ୍ୟତା ମିଳିଛି । ସରକାରୀ ସହଯୋଗ କିମ୍ବା ଆନ୍ତରିକତା ନାହିଁ । ଖୋର୍ଦ୍ଧା ଜିଲ୍ଲା ଧଳାପଥର ଗାଁରେ ନିଜ ବାପ ଅଜା ଅମଳର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ବେଶ୍‌ ଉଦ୍ୟମ  କରୁଛନ୍ତି ହାତ ଗଣତି ବୁଣାକାର । ହେଲେ ସବୁଆଡ଼ୁ ପ୍ରତିବନ୍ଧକ । ବୁଦ୍ଧି ବାଟ ଦିଶୁନି ।  

ଦିନ ଥିଲା ଧଳାପଥରର ହସ୍ତତନ୍ତ ଓ ପରଦା  ରାଜ୍ୟ ବାହାରେ ବେଶ ନାଁ କରିଥିଲା । ଆଦର  ଓ ଚାହିଦା ଥିଲା କାହିଁରେ କ’ଣ । ବିଡ଼ମ୍ବନା, ଏ ହସ୍ତତନ୍ତ ଆଜି ଓଡ଼ିଶାର ମାନଚିତ୍ରରୁ ହଜିବାକୁ  ବସିଲାଣି । ହସ୍ତତନ୍ତର ପ୍ରଚାର ପ୍ରସାର ଲାଗି  ସରକାର ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି । ହେଲେ ୨୦୧୨ରେ ଜିଆଇ ମାନ୍ୟତା ମିଳିଥିବା  ଧଳାପଥର ଗ୍ରାମର ପରଦା ଓ କପଡ଼ା ଧୀରେ  ଧୀରେ ହଜିବାକୁ ବସିଲାଣି । ଧଳାପଥର ଶାଢ଼ୀରେ ବଡ଼ ଆକର୍ଷଣ ତାଜମହଲ କାରୁକାର୍ଯ୍ୟ  ଲୋପ ପାଇଯାଇଛି । ଏହି ଶାଢ଼ିର କପି ନଥିବାରୁ  ଏହାକୁ ପୁନଃଉଦ୍ଧାର କରାଯାଇପାରୁନାହିଁ । 

ଧଳାପଥର ଶାଢ଼ି ଓ ପରଦା ହେଉଛି ସ୍ୱତନ୍ତ୍ର ।  ଖୋର୍ଦ୍ଧା ଜିଲ୍ଲାର ହାତଗଣତି ତିନିରୁ ଚାରିଜଣ  ବୁଣାକାର ଏହାକୁ ବୁଣୁଛନ୍ତି । ସେମାନଙ୍କ ଭିତରୁ  ବ୍ରଜବନ୍ଧୁ ରାଉତ (ପିତା) ଓ ସୁରେଶ କୁମାର  ରାଉତ (ପୁତ୍ର) ଏହି ଜୀବିକାକୁ ବଞ୍ଚାଇ ରଖିବା  ଲାଗି ଚେଷ୍ଟା ଜାରି ରଖିଛନ୍ତି । ଧଳାପଥର ଶାଢ଼ି  କେବଳ ସୁରେଶ ବୁଣୁଛନ୍ତି । ୬ଷ୍ଠ ଶ୍ରେଣୀରୁ  ବାପାଙ୍କ ଠାରୁ ଏହି କଳା ସେ ଶିଖି ୩୫ ବର୍ଷ  ହେବ ବଞ୍ଚାଇ ରଖିଛନ୍ତି । ୨/୮୦ ଫାଇନ୍‌  ସୂତାରେ ଶାଢ଼ିଗୁଡ଼ିକ ବୁଣାଯାଉଛି । ଯାହାର ଦାମ୍‌  ୧୦ହଜାରରୁ ୧୫ହଜାର ରହିଛି । ଶାଢ଼ିରେ ନର୍ତ୍ତକୀ,  ବାଘ, ନବଗୁଞ୍ଜର, କୋଣାର୍କ ଚକ, ଦୁଇ ମହିଳା  ଅର୍ଘ୍ୟ ଦେଉଥିବାର ଚିତ୍ର, ପୁରୀ, ହଂସକଳସ,  ଡିଜାଇନ ମନ୍ଦିର, ଅଶୋକ ସ୍ତମ୍ଭ, କୋଣାର୍କ,  ଘୋଡ଼ା, ଗଜସିଂହ, ହଳଦୀ ବସନ୍ତ ବୁଣାଯାଉଛି ।  ଏହା ଭିତରୁ ଅନେକ ଡିଜାଇନ୍‌ ବି ବୁଣାଯାଉନାହିଁ ।  କାରଣ ଏହି ଡିଜାଇନ୍‌ ବହୁତ ସମୟ ଲାଗୁଛି । 

ବେଶ ଆକର୍ଷଣୀୟ ତାଜମହଲ ଶାଢ଼ିର  ସାମ୍ପୁଲ ନଥିବାରୁ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।  ଗଜସିଂହ, କୋଣାର୍କ ଘୋଡ଼ା, ସିନେରୀ,  ଅଶୋକସ୍ତମ୍ଭ ମଧ୍ୟ ବନ୍ଦ ହୋଇଯାଇଛି । ଏଭଳି  ଅନେକ ଡିଜାଇନ୍‌ କେହି ବୁଣିପାରୁନାହାନ୍ତି ବୋଲି  ବନ୍ଦ ହୋଇଯାଇଛି । କୁସୁମୀ ଶାଢ଼ି, କଙ୍କଣପେଡ଼ି,  ୯ହାତୀ ଶାଢ଼ିଗୁଡ଼ିକ ତିଆରି କରାଯାଉଥିଲା ।  କିନ୍ତୁ ଏହି ସବୁ ଶାଢ଼ିଗୁଡ଼ିକ ଏବେ ଆଉ ତିଆରି  କରାଯାଉନାହିଁ । ଏହାର ମଜୁରି ଏତେ ଅଧିକ ଯେ  ତାହା ବୁଣାହେଲେ ବିକ୍ରିବଟା କଷ୍ଟକର ହେବ । ଚଢ଼ା  ଦାମରେ ବିକ୍ରି ହେବ ବୋଲି କି ଗ୍ୟାରେଣ୍ଟି ଅଛି ।  

କଳାପଥର କପଡ଼ା ପ୍ରସ୍ତୁତ ଲାଗି କାରିଗର  ଧଳା ରଙ୍ଗର ସୂତା ଦରକାର । ଏହାକୁ ପରବର୍ତ୍ତୀ  ସମୟରେ ରଙ୍ଗ କରଯାଏ । କିଛି ସ୍ଥାନରେ ରଙ୍ଗୀନ ସୂତା ମିଳୁଛି । ଧଳା ରଙ୍ଗର  ସୂତା କିଣି ଅନ୍ୟ ଗାଁକୁ ରଙ୍ଗ  କରିବାକୁ ଦିଆଯାଉଛି । ସୂତା  ସବୁ ବୟନିକା, ଖୋର୍ଦ୍ଧା ଟାଉନ୍‌, ଧଳାପଥରରୁ କିଣାଯାଉଛି ।  ସୁନାପଥର ଓ ମାଣିଆବନ୍ଧରେ  ରଙ୍ଗ କରାଯାଉଛି । ପ୍ରାକୃତିକ  ଉପାୟରେ ରଙ୍ଗ ହେଉଛି ।  

ଧଳାପଥର ପରଦା ମଧ୍ୟ କେବଳ  ବ୍ରଜବନ୍ଧୁ ଓ ସୁରେଶ ବୁଣୁଛନ୍ତି । ଧଳାପଥର  ୱିଭରସ୍‌ କୋପରେଟିଭ୍‌ ସୋସାଇଟି ପକ୍ଷରୁ  ଏକ ମାସ ହେବ ପାଖାପାଖି ୨୦ଜଣଙ୍କୁ ଟ୍ରେନିଂ  ଦିଆଯାଉଛି । ସେମାନେ ପୁନର୍ବାର ପରଦା  ବୁଣିବା ଆରମ୍ଭ କରୁଛନ୍ତି । ବ୍ରଜବନ୍ଧୁ କହନ୍ତି,  ୧୫ବର୍ଷ ହେଲାଣିଏହି ବୃତ୍ତିକୁ ଗାଁ ଲୋକ ଛାଡ଼ି  ସାରିଲେଣି । ମୋତେ ଏବେ ୮୦ ବର୍ଷ, ମୋତେ  ଯେତେବେଳେ ୧୨ବର୍ଷ ହୋଇଥିଲା ମୁଁ ମୋ  କୌଳିକ ବୃତ୍ତିକୁ ଆପଣାଇଛି । ବାପା ରଘୁନାଥ  ରାଉତ ପରଦା ବୁଣୁଥିଲେ ତାଙ୍କଠାରୁ ଶିଖି ବୁଣିବା  ଆରମ୍ଭ କଲି । ସେ ସମୟରେ ୧୦ରୁ ୧୫ ଜଣ  ବୁଣାକାର ପରଦା ବୁଣୁଥିଲେ । ବତ୍ତର୍ମାନ ଏହି  ପରଦାର ଦାମ୍‌ ୨ହଜାର ଟଙ୍କା । ଘର ଆଗରେ  ଏତେ ଦାମ୍‌ର ପରଦା କିଏ ଟାଣିବ? 

ସରକାର  ଯଦି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ସ୍କୁଲ  କଲେଜମାନଙ୍କରେ ପରଦା ବ୍ୟବହାର କରନ୍ତେ  ତାହାଲେ ଏହି ମରିଯାଉଥିବା କଳା ଆଉ  ଥରେ ବଞ୍ଚି ଉଠିବ । ଏହି କାମ ଛାଡ଼ି  ଅନ୍ୟ କାମ କଲେ ଭଲ ଟଙ୍କା  ମିଳୁଛି ସେଥିପାଇଁ ନିଜ କୌଳିକ  ବୃତ୍ତିରୁ ମୁହଁ ଫେରାଉଛନ୍ତି ।  ସୁରେଶ କୁହନ୍ତି, ଏବେ  କାରିଗରଙ୍କୁ ପ୍ରତିଦିନ ଟଙ୍କା  ଦରକାର । ଗୋଟିଏ ଶାଢ଼ୀ ବୁଣିବାକୁ  ୧୦ଦିନ ଲାଗୁଛି । ଦିନକୁ ମଜୁରି ୯୦୦ଟଙ୍କା । ଦୁଇ ବର୍ଷ ହେଲା ମୁଁ ଅର୍ଥ ଅଭାବରୁ ନିଜେ  ବୁଣୁଛି ଆଉ କେଉଁ କାରିଗରଙ୍କୁ ରଖି କାମ  କରାଇପାରୁନାହିଁ । ସୋସାଇଟି ବି ଭଲରେ ଚାଲିବା ସମ୍ଭବ ହେଉନାହିଁ । ଅଧିକ ଋଣ  ମିଳୁନି । ସରକାରୀସ୍ତରରେ ଯୋଜନା ହେଉଛି ।  କିନ୍ତୁ ବ୍ୟାଙ୍କ ତରଫରୁ ସହଯୋଗ ମିଳୁନି । 

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର  କମିଶନର ତଥା ଶାସନ ସଚିବ ଗୁହା ପୁନମ  ତାପସ କୁମାର କହିଛନ୍ତି, ଧଳାପଥର ପରଦା  ଓ ଫାବ୍ରିକ୍‌ ବୁଣିବାକୁ ଏବଂ ସଚେତନତା  ଲାଗି ଖୁବ୍‌ ଶୀଘ୍ର ଯୋଜନା କରାଯିବ ।