ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ଆଗାମୀ ଆଇପିଏଲରେ ବଦଳାଇବେ ଦଳ । ଋଷଭ ପନ୍ତ ଏବଂ କୁଲଦୀପ ଯାଦବ ନିଜ ନିଜର ଦଳ ପରିବର୍ତ୍ତନ କରିବେ । ଏଭଳି ଏକ ରିପୋର୍ଟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ପନ୍ତ ଲକ୍ଷ୍ନୌ ଛାଡ଼ିବେ ଏବଂ ଦିଲ୍ଲୀ ଛାଡ଼ିବେ କୁଲଦୀପ । ଆଇପିଏଲରେ ସବୁଠୁ ମହଙ୍ଗା ଖେଳାଳି ହୋଇଥିବା ପନ୍ତ ଲକ୍ଷ୍ନୌ ଛାଡ଼ି ପୁଣି ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବେ । ଏହାସହ କୁଲଦୀପ ଦିଲ୍ଲୀରୁ ଆସି ଲକ୍ଷ୍ନୌ ଟିମରେ ସାମିଲ ହେବେ ।

୨୦୨୭ ସିଜିନରେ ଏହି ଦୁଇ ଖେଳାଳି ନିଜର ଦଳ ବଦଳାଇବେ ବୋଲି କୁହାଯାଉଛି । ୨୦୨୬ରେ ପନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ଏହାସହ ତାଙ୍କ ଅଧିନାୟକତ୍ବ ଦଳ ପଏଣ୍ଟ ଟେବୁଲର ତଳେ ରହିଥିଲା । ୨୭ କୋଟି ଟଙ୍କାରେ କିଣା ହୋଇଥିଲେ ସୁଦ୍ଧା ଦମଦାର ପ୍ରଦର୍ଶନ କରି ପାରିନଥିଲେ । ଯେତେବେଳେ ସେ ଲକ୍ଷ୍ନୌରେ ସାମିଲ ହୋଇଥିଲେ ମାଲିକ ସଞ୍ଜୀବ କହିଥିଲେ କି, ୧୦ ବର୍ଷରେ ଆମ ଦଳ ଅନେକ ଟ୍ରଫି ଜିତିବ । ମାତ୍ର ୨ ବର୍ଷ ମଧ୍ୟରେ ପନ୍ତ ଅଧିନାୟକ ପଦ ଛାଡ଼ିଥିବାବେଳେ ଏବେ ଦଳ ଛାଡ଼ିବେ ବୋଲି ଦାବି କରାଯାଉଛି ।

ଏହାସହ କୁଲଦୀପ ଯାଦବ ଚଳିତ ସିଜିନରେ ଖରାପ ପ୍ରଦର୍ଶନ କରିଥିଲେ । ସେ ୧୨ ମ୍ୟାଚରେ ମାତ୍ର ୧୦ ଓ୍ବିକେଟ ଅକ୍ତିଆର କରିଥିବାବେଳେ ଇକୋନୋମୀ ରେଟ ୧୦ରୁ ଅଧିକ ଥିଲା । କେକେଆରରୁ ଆସି ୨୦୨୨ ମସିହାରୁ ଦିଲ୍ଲୀ ପାଇଁ ଖେଳୁଛନ୍ତି କୁଲଦୀପ । ୧୩.୨୫ କୋଟି ଟଙ୍କାରେ କିଣା ହୋଇଥିବା କୁଲଦୀପ କିନ୍ତୁ କାହିଁକି ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ଏହା ଜଣାପଡ଼ିନାହିଁ । ସେପଟେ ଦିଲ୍ଲୀ କେ.ଏଲ ରାହୁଲଙ୍କୁ ଅଧିନାୟକ କରିବା ପାଇଁ ବିଚାର କରୁଛି ।

ଏହାସହ ପଢ଼ନ୍ତୁ: President Droupadi Murmu: ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ