ଭୁବନେଶ୍ଵର, ୧୨/୦୭ : ଧାର୍ମିକ ରହସ୍ୟରେ ଭରପୁର ଭାରତ। ଏହି ରହସ୍ୟ ମଧ୍ୟରୁ ଅନ୍ୟତମ ଶିବ ଶକ୍ତି ରେଖା। ଏହି ଅଦ୍ଭୁତ ରେଖା ଉତ୍ତରାଖଣ୍ଡର କେଦାରନାଥରୁ ଆରମ୍ଭ ହୋଇ ତାମିଲନାଡ଼ୁର ରାମେଶ୍ଵରରେ ସରିଛି। ୨ ହଜାର ୩୮୨ କିଲୋମିଟର ବିଶିଷ୍ଟ ଏହି ରେଖାରେ ଭାରତର ପ୍ରମୁଖ ୭ଟି ଶିବ ଲିଙ୍ଗ ରହିଛି। ଏହି ସବୁ ମନ୍ଦିର ପ୍ରାୟତଃ ୭୯ ଡିଗ୍ରୀ ଦେଶାନ୍ତରରେ ଅବସ୍ଥିତ। ଯାହାକି ଏକ ଅଦ୍ଭୁତ ସଂଯୋଗ ଏବଂ ରହସ୍ୟ ସୃଷ୍ଟି କରୁଛି। ଅଦ୍ଭୁତ ଶିବ ଶକ୍ତି ରେଖାରେ ପଞ୍ଚତତ୍ତ୍ଵ ଜଳ, ବାୟୁ, ଅଗ୍ନି, ପୃଥିବୀ ଏବଂ ଆକାଅକୁ ଦର୍ଶାଉଥିବା ୫ଟି ଶିବ ମନ୍ଦିର ଆସୁଛି। ଏହି ସଂଯୋଜନା ଆଧ୍ୟାତ୍ମିକତା ଦୃଷ୍ଟିରୁ ଖୁବ ମହତ୍ତ୍ଵପୂର୍ଣ୍ଣ।
କେଦାରନାଥ ଧାମ : ହିମାଳୟ କୋଳରେ ଅବସ୍ଥିତ କେଦାରନାଥ ମନ୍ଦିର ରୁଦ୍ରପ୍ରୟାଗ ଜିଲ୍ଲାରେ ଅବସ୍ଥିତ। ଏହା ଭଗବାନ ଶିବଙ୍କ ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ। ଏହାକୁ ଅର୍ଦ୍ଧେଜ୍ୟୋତିର୍ଲିଙ୍ଗ ମଧ୍ୟ କୁହାଯାଏ।
ଶ୍ରୀକାଲାହସ୍ତି ମନ୍ଦିର : ଆନ୍ଧ୍ର ପ୍ରଦେଶ ଚିତୁର ଜିଲ୍ଲାରେ ଅବସ୍ଥିତ ମନ୍ଦିର ବାୟୁ ତତ୍ତ୍ଵକୁ ପ୍ରତିନିଧିତ୍ଵ କରୁଛି। ଏହି ଲିଙ୍ଗକୁ ସ୍ଵୟମ୍ଵୁ ଏବଂ ଜୀବିତ ଲିଙ୍ଗ କୁହାଯାଏ। ଏହି ମନ୍ଦିର ତିରୁପତି ଠାରୁ କିଛି ଦୂରରେ ଅବସ୍ଥିତ।
ଏକାମ୍ଵେଶ୍ଵରନାଥ ମନ୍ଦିର : ଏହି ମନ୍ଦିର ପୃଥିବୀ ତତ୍ତ୍ଵକୁ ପ୍ରତିନିଧିତ୍ଵ କରେ। ଏହା କାଞ୍ଚିପୁରମର ପ୍ରମୁଖ ଶିବ ମଧ୍ୟରୁ ଅନ୍ୟତମ। କୁହାଯାଏ ମାତା ପାର୍ବତୀ ଏଠାରେ ମାଟିରେ ଶିବଲିଙ୍ଗ କରି ପୂଜା କରିଥିଲେ।
ଅରୁଣାଚଳେଶ୍ଵର ମନ୍ଦିର : ଏହି ମନ୍ଦିର ଅଗ୍ନି ତତ୍ତ୍ଵର ପ୍ରତୀକ। ଏହା ଅରୁଣାଚଳ ପର୍ବତର ତଟରେ ଅବସ୍ଥିତ। ଏଠାରେ ଦୀପମ୍ ପର୍ବ ଏବଂ କାର୍ତ୍ତିଗଇ ଦୀପୋତ୍ସବ ଖୁବ୍ ପ୍ରସିଦ୍ଧ।
ଜମ୍ଵୁକେଶ୍ଵର ମନ୍ଦିର : ଏହି ମନ୍ଦିର ଜଳ ତତ୍ତ୍ଵକୁ ପ୍ରତିଧିତ୍ଵ କରୁଛି। ଏହି ମନ୍ଦିର ପ୍ରାୟତଃ ୧୮୦୦ ବର୍ଷ ପୁରୁଣା। ଏଠାରେ ଏକ ଜଳସ୍ରୋତ ନିକଟରେ ଶିବଙ୍କ ପୂଜା କରାଯାଏ।
ଥିଲ୍ଲଇ ନଟରାଜ ମନ୍ଦିର : ଏହି ମନ୍ଦିର ଆକାଶ ତତ୍ତ୍ଵର ପ୍ରତୀକ। ଏଠାରେ ଭଗବାନ ଶିବ ନୃତ୍ୟ ମୁଦ୍ରାରେ ପୂଜା ପାଆନ୍ତି। ନୃତ୍ୟର ୧୦୮ ଭଙ୍ଗୀକୁ ଏଠାରେ ଦର୍ଶା ଯାଇଛି।
ରାମେଶ୍ଵର ମନ୍ଦିର : ଭଗବାନ ରାମଙ୍କ ସହ ଜଡ଼ିତ ରାମେଶ୍ଵର ମନ୍ଦିର। ଏହାକୁ ରାମଲିଙ୍ଗେଶ୍ଵର ମଧ୍ୟ କୁହାଯାଏ। ଏହା ଶିବ ଶକ୍ତି ରେଖାର ଅନ୍ତିମ ମନ୍ଦିର।
ଏହି ରେଖା ଭାରତର ଅନନ୍ୟ ସଂସ୍କୃତିକୁ ଦର୍ଶାଉଛି। ଏହା ଦର୍ଶାଉଛି ଯେ, ଭାରତରେ ଆଧ୍ୟାତ୍ମିକ ଉର୍ଜା ସହ ଭୂଗୋଳର ଗଭୀର ସମ୍ପର୍କ ରହିଛି।