ପ୍ରମୂଖ ଖବର

ଅଧିକ ପରିମାଣର ମାଛ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ...

Published By : Harapriya Sethi | April 28, 2025 2:34 PM

ମାଛକୁ ଏକ ଉତ୍କୃଷ୍ଟ ସୁପରଫୁଡ୍ ଭାବରେ ବିବେଚନା କରାଯାଏ କାରଣ ଏଥିରେ ଓମେଗା-୩ ଫ୍ୟାଟି ଏସିଡ୍, ପ୍ରୋଟିନ୍, ଭିଟାମିନ୍ ଡି ଏବଂ ଅନେକ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଭରପୁର ହୋଇ ରହିଥାଏ। କିନ୍ତୁ ଏହାକୁ ଅଧିକ ସେବନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଯଦି ଆପଣ ଅତ୍ୟଧିକ ମାଛ ଖାଆନ୍ତି, ତେବେ ଏହାର କିଛି ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ। ଆସନ୍ତୁ ଜାଣିବା କାହିଁକି ଅଧିକ ମାଛ ଖାଇବା କ୍ଷତିକାରକ?

ଶରୀରରେ ବଢିଯାଏ ମର୍କ୍ୟୁରି (ପାରଦ)-

ଟୁନା, ସୋର୍ଡଫିସ୍ ଏବଂ ସାର୍କ ଭଳି ବଡ଼ ସମୁଦ୍ର ମାଛରେ ମର୍କ୍ୟୁରି ବା ପାରଦର ପରିମାଣ ଅଧିକ ରହିଥାଏ। ସେଗୁଡ଼ିକୁ ଖାଇବା ଦ୍ୱାରା ଶରୀରରେ ଅତ୍ୟଧିକ ପାରଦ ଜମା ହୋଇପାରେ । ଏହା ପିଲାମାନଙ୍କ ମଧ୍ୟରେ ସ୍ନାୟୁ ସମସ୍ୟା, ସ୍ମୃତି ଶକ୍ତି ହ୍ରାସ ପାଇବା, ମୁଣ୍ଡବିନ୍ଧା, ଅବସାଦ ଏବଂ ଶାରିରୀକ ବୃଦ୍ଧି ବନ୍ଦ କରିପାରେ। ଏହା ଗର୍ଭବତୀ ମହିଳାମାନଙ୍କ ପାଇଁ ବିଶେଷ ଭାବରେ ବିପଜ୍ଜନକ ହୋଇପାରେ । କାରଣ ଏହା ଭ୍ରୁଣର ମସ୍ତିଷ୍କ ବିକାଶକୁ ପ୍ରଭାବିତ କରିପାରେ।

ଖାଦ୍ୟ ବିଷାକ୍ତ ହେବାର ଆଶଙ୍କା-

ନଷ୍ଟ କିମ୍ବା ଦୂଷିତ ମାଛ ଖାଇବା ଦ୍ୱାରା ପେଟରେ ଜୀବାଣୁ ସଂକ୍ରମଣ ହୋଇପାରେ। ଏହା ପେଟ ଯନ୍ତ୍ରଣା, ବାନ୍ତି, ଝାଡ଼ା ଏବଂ ଜ୍ୱର ଭଳି ଲକ୍ଷଣ ସୃଷ୍ଟି କରିପାରେ। କଞ୍ଚା କିମ୍ବା କମ୍ ରନ୍ଧା ମାଛ ଖାଉଥିବା ଲୋକଙ୍କଠାରେ ଏହି ବିପଦ ଅଧିକ ରହିଥାଏ।

ଆଲର୍ଜି ସମସ୍ୟା-

କିଛି ଲୋକଙ୍କୁ ମାଛର ପ୍ରୋଟିନ ପ୍ରତି ଆଲର୍ଜି ହୋଇପାରେ। ଅତ୍ୟଧିକ ସେବନ ଦ୍ୱାରା ସ୍କିନ୍‌ ଆଲର୍ଜି, କୁଣ୍ଡାଇ ହେବା, ଫୁଲିବା, ଶ୍ୱାସକ୍ରିୟା ସମସ୍ୟା ଭଳି ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ଯାହା କେତେକ ସମୟରେ ଘାତକ ମଧ୍ୟ ହୋଇପାରେ।

ଓମେଗା ୩ ବଢିବା-

ମାଛରେ ମିଳୁଥିବା ଓମେଗା-୩ ଫ୍ୟାଟି ଏସିଡ୍ ହୃତପିଣ୍ଡର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ । କିନ୍ତୁ ଏହାର ଅତ୍ୟଧିକ ପରିମାଣ ରକ୍ତକୁ ପତଳା କରିପାରେ। ଏହା କଟା କିମ୍ବା ଆଘାତ ହେଲେ ରକ୍ତସ୍ରାବ ହେବାର ସମ୍ଭାବନାକୁ ବୃଦ୍ଧି କରେ ଏବଂ ସୁସ୍ଥ ହେବା ପାଇଁ ସମୟ ଲାଗେ।

ଓଜନ ବୃଦ୍ଧିର ଆଶଙ୍କା-

ଯଦି ଆପଣ ଅତ୍ୟଧିକ ଭଜା ମାଛ କିମ୍ବା ବଟର ଫିସ୍ କରି, ଡିପ୍ ଫ୍ରାଏଡ୍ ମାଛ ଭଳି ଭାରୀ ମାଛ ଖାଦ୍ୟ ଖାଆନ୍ତି, ତେବେ ଏହା ଶରୀରରେ ଅତିରିକ୍ତ କ୍ୟାଲୋରୀ ଏବଂ ଚର୍ବି ଜମା କରିଥାଏ। ଏହି କାରଣରୁ ଶରୀରର ଓଜନ ବୃଦ୍ଧି ପାଇପାରେ। ଏହା ସହିତ ଏହା କୋଲେଷ୍ଟ୍ରଲ୍ ସ୍ତର ମଧ୍ୟ ବୃଦ୍ଧି କରିପାରେ। 

ସୁରକ୍ଷିତ ରହିବା ପାଇଁ ଟିପ୍ସ-

ସପ୍ତାହରେ ୨ କିମ୍ୱା ୩ ଥରରୁ ଅଧିକ ମାଛ ଖାଆନ୍ତୁ ନାହିଁ। ସାଲମନ, ସାର୍ଡିନ୍, ଇଲିଶା ଇତ୍ୟାଦି ଛୋଟ ଏବଂ କମ୍ ମର୍କ୍ୟୁରି ବା ପାରଦ ବିଶିଷ୍ଟ ମାଛ ଖାଆନ୍ତୁ। ମାଛକୁ ସବୁବେଳେ ଭଲ ଭାବରେ ରାନ୍ଧିବା ପରେ ଖାଆନ୍ତୁ । ଯାହା ଦ୍ଵାରା ସେଥିରେ ଥିବା ଜୀବାଣୁ ନଷ୍ଟ ହୋଇପାରିବ। ଗର୍ଭବତୀ ମହିଳାମାନେ ସର୍ବଦା ଏକ ସୀମିତ ପରିମାଣରେ ମାଛ ଖାଇବା ଉଚିତ୍‌।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.