ନୂଆଦିଲ୍ଲୀ,୧୯/୦୬; ମହିଳା ଟି-ଟ୍ୱେଣ୍ଟି କ୍ରିକେଟ ଇତିହାସରେ ପ୍ରଥମ ଖେଳାଳି ଭାବେ ଭାରତର ସ୍ମୃତି ମନ୍ଧାନା ରେକର୍ଡ ସୃଷ୍ଟି କରିଛନ୍ତି । ଟି-ଟ୍ୱେଣ୍ଟିରେ ସର୍ବାଧିକ ଚୌକା ମାରି ମାଇଲଷ୍ଟୋନ୍ ସ୍ଥାପନ କରିଛନ୍ତି । ପାକିସ୍ତାନର ବାବର ଆଜମକୁ ପଛରେ ପକାଇଛନ୍ତି । ୬୦୦ ଚୌକା ମାରିବାରେ ବିଶ୍ୱରେକର୍ଡ କରିଛନ୍ତି କ୍ୱିଇନ୍ ଅଫ୍ କ୍ରିକେଟ୍ ସ୍ମୃତି ମନ୍ଧାନା । ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପରେ ନେଦରଲ୍ୟାଣ୍ଡସ ବିପକ୍ଷ ମ୍ୟାଚରେ ଏହି ସଫଳତା ହାସଲ କରିଛନ୍ତି ସ୍ମୃତି । ଏହି ମ୍ୟାଚରେ ଭାରତ ୯୫ ରନରେ ନେଦରଲ୍ୟାଣ୍ଡସକୁ ହରାଇଥିଲେ । ସ୍ମୃତି ୪୭ ବଲରେ ୭୪ ରନ କରିଥିଲେ । ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।
ଟି-ଟ୍ୱେଣ୍ଟିରେ ୬୦୦ ଚୌକା ମାରିଥିବା ପ୍ରଥମ ବ୍ୟାଟର ହୋଇଛନ୍ତି ମହିଳା କ୍ରିକେଟ ଟିମ୍ ଭାଇସ୍ କ୍ୟାପ୍ଟେନ୍ ସ୍ମୃତି । ଏହା ସହିତ ବିଶ୍ୱକପରେ ଷଷ୍ଠ ଅର୍ଦ୍ଧଶତକ ହାସଲ କରିଛନ୍ତି । ମିଥାଲି ରାଜ ଏବଂ ହରମନପ୍ରୀତଙ୍କୁ ପଛରେ ପକାଇଛନ୍ତି । ନେଦରଲ୍ୟାଣ୍ଡସ ବିପକ୍ଷରେ ଅର୍ଦ୍ଧଶତକୀୟ ପାଳିରେ ସେ ୧୧ ଚୌକା ଓ ଗୋଟିଏ ଛକା ମାରିଥିଲେ । ଫଳରେ ଟି-ଟ୍ୱେଣ୍ଟିରେ ୧୬୮ଟି ମ୍ୟାଚରୁ ମନ୍ଧାନାଙ୍କ ଚୌକା ସଂଖ୍ୟା ୬୦୪ରେ ପହଞ୍ଚିଛି । ନ୍ୟୁଜିଲାଣ୍ଡର ଭେଟେରାଲ ସୁଜି ବେଟ୍ସ ୫୨୧ ଚୌକା ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ବଡ଼ କଥା ହେଉଛି ପୁରୁଷ କ୍ରିକେଟରେ କୌଣସି ପ୍ଲେୟାର ମଧ୍ୟ ଟି-ଟ୍ୱେଣ୍ଟି ଫର୍ମାଟରେ ଆଜି ପର୍ଯ୍ୟନ୍ତ ୫୦୦ ଚୌକା ମାରି ନାହାନ୍ତି । ୪୭୭ ଚୌକା ସହ ପାକିସ୍ତାନର ବାବର ଆଜମ ଶୀର୍ଷରେ ରହିଛନ୍ତି । ଆୟର୍ଲାଣ୍ଡର ପଲ ଷ୍ଟର୍ଲିଂ (୪୪୯), ଭାରତର ରୋହିତ ଶର୍ମା (୩୮୩ ) ଏହି ତାଲିକାରେ ପଛକୁ ପଛ ରହିଛନ୍ତି ।
କ୍ୟୁଇନ୍ ଅଫ୍ କ୍ରିକେଟ୍ ସ୍ମୃତି ମନ୍ଧାନାଙ୍କ କ୍ୟାରିୟର ବାବଦରେ କହିବାକୁ ଗଲେ, ୮ଟି ଟେଷ୍ଟ ମ୍ୟାଚ ଖେଳି ୧୪ଟି ଇନିଂସରେ ୬୩୫ ରନ୍ କରିଛନ୍ତି । ୧୨୦ଟି ଦିନିକିଆରେ ୫,୪୧୧ ରନ୍, ୧୬୮ଟି ଟି-ଟ୍ୱେଣ୍ଟିରେ ୪,୪୭୫ରନ୍ କରିଛନ୍ତି । ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତ ସଂଘର୍ଷ କରୁଥିବା ବେଳେ ଲଢିଥିଲେ ସ୍ମୃତି । ୫ମ ଟି-ଟ୍ୱେଣ୍ଟି ବିଶ୍ୱକପ ଅର୍ଦ୍ଧଶତକ ହାସଲ କରିଥିଲେ । ଟପ୍ କ୍ଲାସ୍ ବ୍ୟାଟିଂ କରି ଭାରତର ସଙ୍କଟମୋଚକ ସାଜିଥିଲେ । ନେଦରଲ୍ୟାଣ୍ଡସ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ବି ସ୍ମୃତି ଧମାକା ଦେଖିବାକୁ ମିଳିଥିଲା । ୭୪ରନ୍ର ଧମାକାଦାର ଇନିଂସ ଖେଳିଥିଲେ ।
ଏହା ବି ପଢନ୍ତୁ...Shreyanka Patil: ଟିମ୍ ଇଣ୍ଡିଆକୁ ଶକ୍ତ ଝଟ୍କା; ବିଶ୍ୱକପରୁ ବାଦ୍ ପଡିଲେ ଶ୍ରେୟଙ୍କା, ଜାଣନ୍ତୁ କିଏ ବଦଳ ପ୍ଲେୟାର ?