ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଓଡ଼ିଶାରେ ବନ୍ୟପ୍ରାଣୀଙ୍କ ସ୍ଥିତି...

Published By : Prameya | March 4, 2025 12:40 PM

ସମୃଦ୍ଧ ବିବିଧତା, ପ୍ରାକୃତିକ ସୌନ୍ଦର୍ଯ୍ୟ  ଏବଂ ବିଭିନ୍ନ ବନ୍ୟଜନ୍ତୁ ପରିପୂର୍ଣ୍ଣ ରାଜ୍ୟ  ଓଡ଼ିଶାରେ ବନ୍ୟପ୍ରାଣୀ ସଂଖ୍ୟା ଆନୁପାତିକ  ଭାବରେ ବୃଦ୍ଧି ନପାଇବା ଚିନ୍ତାର ବିଷୟ  ।  ଏତେ ଘଞ୍ଚ ଜଙ୍ଗଲରେ ମଧ୍ୟ ଅନ୍ୟ ରାଜ୍ୟ  ଭଳି ଖୋଲାଖୋଲି ଭାବରେ ବନ୍ୟଜନ୍ତୁ  ବିଚରଣ କରୁଥିବା ଦୃଶ୍ୟ ନଜରକୁ  ଆସୁନାହିଁ କାହିଁକି ତା’ର ତର୍ଜମା ଦରକାର ।

ବିଗତ ପନ୍ଦର ବର୍ଷ ଧରି ଓଡ଼ିଶା ସମେତ ଭାରତର  ବିଭିନ୍ନ ଜାତୀୟ ଉଦ୍ୟାନଗୁଡ଼ିକୁ ଅନେକବାର  ଭ୍ରମଣ ପରେ ସେଠାକାର ବନ୍ୟପ୍ରାଣୀଙ୍କ ସମ୍ବନ୍ଧରେ  ଅଧ୍ୟୟନ କରିବାର ସୁଯୋଗ ପାଇଛି । ନାମେରି ହେଉ  ବା କାଜିରଙ୍ଗା, ରଣଥମ୍ବର ହେଉ ବା ସରିସ୍କା, ଉତ୍ତର  ପ୍ରଦେଶର ଦୁଧୱା ହେଉ ବା ଉତ୍ତରାଖଣ୍ଡରେ କରବେଟ,  ମଧ୍ୟପ୍ରଦେଶର ବାନ୍ଧବଗଡ଼, କାହ୍ନା ହେଉ ବା ମହାରାଷ୍ଟ୍ରର  ଟଡୋବା-ଅନ୍ଧାରି ହେଉ ବା କର୍ଣ୍ଣାଟକର ବନ୍ଦିପୁର, କାବିନି  ଇତ୍ୟାଦିରେ ଅନେକ ପ୍ରକାର ବନ୍ୟପ୍ରାଣୀ ଯଥା- ହରିଣ,  ଶମ୍ବର, ବାରହା, ନୀଳଗାଈ, ମୟୂର ଆଦି ଅନ୍ୟାୟାସରେ  ଗାଁ ପାଖ ପଡ଼ିଆ ଓ ଖୋଲା ରାସ୍ତାର ଦୁଇପାଶ୍ୱର୍ରେ  ବୁଲୁଥିବାର ଦେଖାଯାଆନ୍ତି । ଓଡିଶାରୁ ଯାଉଥିବା  ଜନସାଧାରଣ ସେ ଦୃଶ୍ୟ ଦେଖିଲେ ଆଖିକୁ ବିଶ୍ୱାସ କରିବା  କଷ୍ଟ ହେବ । ଅନ୍ୟପକ୍ଷରେ ଆମ ଓଡ଼ିଶାରେ ଏତେ ସୁନ୍ଦର  ଜଙ୍ଗଲ ଥାଇ ବି ସେଭଳି କିଛି ମନୋରମ ଦୃଶ୍ୟ ନଜରକୁ  ଆସେନି । ତାର କାରଣ ଅନେକ । ସେଠାକାର ସାଧାରଣ  ଜନତାଙ୍କର ମାନସିକତା ହେଉ ବା ଜଙ୍ଗଲ ବିଭାଗର  ସଂରକ୍ଷଣ ଦିଗରେ ଆନ୍ତରିକତା ଏହାର  କାରଣ ହୋଇପାରେ । ସାଧାରଣ ଭାବରେ  ଦେଖାଯାଇଛି, ଯେହେତୁ ସେମାନେ ଜୀବନ  ଜୀବିକା ପାଇଁ ଜଙ୍ଗଲ ଉପରେ ନିର୍ଭରଶୀଳ  ତେଣୁ ଜଙ୍ଗଲ ଓ ଜଙ୍ଗଲର ଜୀବଜନ୍ତୁ ପ୍ରତି  ସେମାନଙ୍କର ସକାରାତ୍ମକ ମନୋବୃତ୍ତି ହିଁ  ସଂରକ୍ଷଣକୁ ପ୍ରୋତ୍ସାହନ ଦେଇଥାଏ । 

ବର୍ଷ ବର୍ଷ ଧରି ଓଡ଼ିଶା ଜଙ୍ଗଲରେ ବିଭିନ୍ନ ପ୍ରଜାତିର  ପକ୍ଷୀ ଡକ୍ୟୁମେଣ୍ଟେସନ୍‌ କରିବା ଅବସରରେ ଓଡ଼ିଶାର  ବିଭିନ୍ନ ଜଙ୍ଗଲ ବୁଲିଛି, କିନ୍ତୁ ଭିତରକନିକା ଓ କୁଲଢିଆ  ପରି ନିର୍ଦ୍ଦିଷ୍ଟ କେତୋଟି ଜଙ୍ଗଲ ଛାଡ଼ି ଅନ୍ୟ କେଉଁଠି  ଗୋଟିଏ ହେଲେ ବନ୍ୟଜନ୍ତୁ ନଜରକୁ ଆସିନଥିଲେ ।  କେନ୍ଦୁଝରରେ ଥରେ ଦେଖିଲୁ ଗୋଟିଏ ଛୋଟ ପିଲାଟିଏ  ଗୋଟିଏ ହାତରେ ବାଟୁଳି ଖଡା ଓ ଅନ୍ୟ ହାତରେ  ଗୋଟିଏ ବିରଳ ମୃତ ପକ୍ଷୀଟିଏ (ଇଣ୍ଡିଆନ ପିଟା)  ଧରି ଫେରୁଥିଲା, ପଚାରିଲାରୁ କହିଲା "ସବୁଦିନେ  ଆମେ ଏମିତି ମାରି ଖାଉଁ, କ’ଣ ହେଲା?' । ଆଜି ବି  ଭୁବନେଶ୍ୱର ଆଖପାଖ ଗାଁରେ ପ୍ରାୟ ପ୍ରତି ରବିବାର  ଦିନ ବାରହା, ହରିଣ ମାଂସ ମିଳୁଛି ଓ ପଢ଼ାଲେଖା  ଉଚ୍ଚ ଜାତିର ଲୋକେ ତାହା ଖାଉଛନ୍ତି । ଗାଁମାନଙ୍କରେ  ସାଇକେଲରେ ବୁଲି ବୁଲି ପୂର୍ବରୁ ଜନ୍ତୁ ମାଂସ ପାଇଁ  ଅର୍ଡର ନେଇ ପରଦିନ ଘରେ ପହଞ୍ଚାଇ ଦେଉଛନ୍ତି, ଏହି  ଘଟଣା ସବୁ କାହାକୁ ବି ଅଛପା ନାହିଁ । କେବଳ ଜଙ୍ଗଲ  ବିଭାଗ ଚାହିଁଲେ କ’ଣ ଏସବୁ ରୋକାଯାଇ ପାରିବ?  ସାଧାରଣ ସଚେତନ ନାଗରିକ ବି ଏହି ଚୋରା ଚାଲାଣ  ଗ୍ୟାଙ୍ଗରେ ସମ୍ପୃକ୍ତ । ଅଧିକାଂଶ ଓଡ଼ିଆ ଲୋକ ରାକ୍ଷସ  ପରି ମାଂସାଶୀ, ତେଣୁ ବନ୍ୟପ୍ରାଣୀ ପ୍ରତି ସବୁ ସମୟରେ  ବିପଦ । ସମ୍ବାଦପତ୍ରରେ ଦେଖୁନାହାନ୍ତି ନିୟମିତ ଭାବରେ  ବାଘଛାଲ ଜବତ ହେଉଛି! କେଇଟା ଟଙ୍କା ପ୍ରଲୋଭନରେ  ବାଘ ପରି ଦୁର୍ଲଭ ଜନ୍ତୁକୁ ହତ୍ୟା କରାଯାଉଛି, କେବଳ  କ’ଣ ଏକଲା ଜଙ୍ଗଲ ବିଭାଗକୁ ଏଥିପାଇଁ ଦାୟୀ କରାଯାଇ  ପାରିବ? ସେମିତି ସାତକୋଶିଆ ଅଭୟାରଣ୍ୟକୁ ପ୍ରାୟ  ଦଶରୁ ଅଧିକ ଥର ଭ୍ରମଣ କରିବା ସମୟରେ ଥରେ  ମଧ୍ୟ କୌଣସି ବନ୍ୟଜନ୍ତୁ ମୋ ନଜରରେ ପଡ଼ିନାହାନ୍ତି,  ପ୍ରଶ୍ନ କରିବାରୁ ଜଣେ ଫରେଷ୍ଟବାବୁ ମତେ ଓଲଟା  ପ୍ରଶ୍ନ କରିଥିଲେ "ବନ୍ୟଜନ୍ତୁ କ’ଣ କେବେ ଦିନବେଳା  ଦେଖାଯାନ୍ତି କି?' ମୁଁ ଚୁପ୍‌ ହୋଇଯାଇଥିଲି । 

୨୦୧୭  ମସିହାରେ ଥରେ ଡେବ୍ରିଗଡ ଅଭୟାରଣ୍ୟ ଏବଂ ତାର  ଆଖପାଖ ଜଙ୍ଗଲ ତିନିଦିନ ଯାଏଁ ବୁଲାବୁଲି କରି ଅନେକ  ତଥ୍ୟ ସଂଗ୍ରହ କରିଥିଲି । ପ୍ରଥମେ ମୁର୍କୁଟି ଜଙ୍ଗଲ ଫାଟକ  ଦେଇ ଡୁଙ୍ଗ୍ରି ରାସ୍ତାରେ ଲାଖାପୁର ଆଡ଼କୁ ଯାତ୍ରା କରିଥିଲି ।  କିନ୍ତୁ ଆଶ୍ଚର୍ଯ୍ୟର କଥା, ରାସ୍ତାର ଉଭୟପାଶ୍ୱର୍ରେ ଥିବା  ଜଙ୍ଗଲକୁ ସମ୍ପୂର୍ଣ୍ଣ ନିଆଁରେ ପୋଡ଼ି ଦେଇଥିବାର ଦୃଶ୍ୟ  ଦେଖି ଚିନ୍ତିତ ହୋଇପଡ଼ିଥିଲି, ନିଆଁ ଜଳୁଥିବା ଜଙ୍ଗଲର  ଫଟୋ ମଧ୍ୟ ତୋଳିଥିଲି । ପୁଣି ଡେବ୍ରିଗଡ ଅଭୟାରଣ୍ୟର  ମଧ୍ୟଭାଗରେ ଅବସ୍ଥିତ "ଝଗଡ଼ା ବେହେରା' ନାମକ  ଏକ କୁଖ୍ୟାତ ଗ୍ରାମର କିଛି ଲୋକଙ୍କ ସାଙ୍ଗେ ମିଶି  ଅନେକ ତଥ୍ୟ ସଂଗ୍ରହ କରିଥିଲି । ପ୍ରାୟ ୧୧୦୦ ଘର  ସଂଖ୍ୟାବିଶିଷ୍ଟ ଗାଁଟି "ଚୋଉରାସୀମାଲ ବିଟ୍‌' ଠାରୁ  ମାତ୍ର ପାଞ୍ଚ କିଲୋମିଟର ଦୂରରେ ଏବଂ ହୀରାକୁଦ  ପାଶ୍ୱର୍ରୁ ମୁଖ୍ୟ ପ୍ରବେଶ ଦ୍ୱାରଠାରୁ ୨୫ କିଲୋମିଟର  ଦୂରରେ ଥିଲା ଏବଂ ସେମାନେ ପ୍ରାୟ ପ୍ରତିଦିନ ବିଭିନ୍ନ  ଉପାୟରେ ପଶୁ ଶିକାର କରିବାର କାହାଣୀ ଶୁଣି ଗୋଟିଏ  ନକାରାତ୍ମକ ଅନୁଭବ ନେଇ ଫେରିଥିଲି । ସେ ବିଷୟରେ  ମୋର ଗୋଟିଏ ଆଲେଖ୍ୟ "ଡେବ୍ରିଗଡ- ଏ ପୋଚରସ୍‌  ପାରାଡାଇସ୍‌' ପ୍ରକାଶ ପାଇଥିଲା । ତାର ଠିକ୍‌ କିଛିଦିନ  ପରେ ଚିତାବାଘ ଚମଡ଼ା ଏବଂ ଜୀବନ୍ତ ପାଙ୍ଗୋଲିନ୍‌  ସହିତ ଦୁଇଜଣ ଲୋକଙ୍କୁ ଗିରଫ କରାଯାଇଥିଲା, ପୁଣି  କିଛିଦିନ ପରେ ଗୋଟିଏ ଦୁର୍ଲଭ ମହାବଳ ବାଘ ପୋଚିଂର  ଏକ ସ୍ପଷ୍ଟ ମାମଲା ଲୋକଲୋଚନକୁ ଆସିଥିଲା, ଯାହାସବୁ  ମୋର ପ୍ରକାଶିତ ଆଲେଖ୍ୟର ମତାମତାକୁ ସମର୍ଥନ  ଯୋଗାଇଥିଲା। ଅବଶ୍ୟ ଇତିମଧ୍ୟରେ ସେ କୁଖ୍ୟାତ  ଗ୍ରାମଟିକୁ ସେଠାରୁ ସରକାର ସ୍ଥାନାନ୍ତରିତ କରିସାରିଛନ୍ତି । 

କିନ୍ତୁ ବର୍ତ୍ତମାନ ଦେବ୍ରିଗଡ ଅଭୟାରଣ୍ୟର ପରିସ୍ଥିତି  ଅଦ୍ଭୁତ ଭାବରେ ବଦଳିଯାଇଛି । ଜଙ୍ଗଲ ସୁରକ୍ଷାର  ଉତ୍ତରଦାୟିତ୍ୱ ବନ ବିଭାଗ ଉପରେ ନ୍ୟସ୍ତ । ଯେମିତି  ରାଜ୍ୟର ବନ୍ୟଜନ୍ତୁ ସଂଖ୍ୟା ବୃଦ୍ଧିର ଶ୍ରେୟ କେବଳ  ସେଠାକାର ବନ ବିଭାଗକୁ ଦିଆଯାଉଛି, ଠିକ୍‌ ସେହିପରି  ପଶୁସଂଖ୍ୟା କମିବାପାଇଁ ବନ ବିଭାଗ ହିଁ ଉତ୍ତରଦାୟୀ  ହେବା ଉଚିତ । ଏବେ ଓଡ଼ିଶା ପାଇଁ ଡେବ୍ରିଗଡର  ସୁଫଳ ସଂରକ୍ଷଣ ବ୍ୟବସ୍ଥା ଏକ ଉଦାହରଣ ସୃଷ୍ଟି  କରିପାରିଛି । ତୃଣଭୋଜୀ ପଶୁସଂଖ୍ୟା ବୃଦ୍ଧି ସହିତ  ପ୍ରତିଦିନ କଲରାପତ୍ରିଆ ବାଘର ଦୃଶ୍ୟ ପର୍ଯ୍ୟଟକମାନଙ୍କୁ  ମନ୍ତ୍ରମୁଗ୍‌ଧ କରୁଛି । ଏହାର ସୁଫଳ ପଛରେ ଅଛି  ଦାୟିତ୍ୱରେ ଥିବା ଅଧିକାରୀ ଓ ଫିଲ୍‌ଡରେ ରହି କାମ  କରୁଥିବା ତାଙ୍କ ଟିମ୍‌ର ଉତ୍ସର୍ଗୀକୃତ ପରିଶ୍ରମ । ସଂରକ୍ଷଣର ଯେକୌଣସି ସଫଳ କାହାଣୀ  ପଛରେ କେବଳ ବନ ବିଭାଗର ପରିଶ୍ରମ ନୁହେଁ,  ଜନସାଧରଣଙ୍କ ସହଯୋଗ ଏବଂ ସହାଭାଗୀତା ମଧ୍ୟ  ଅନେକ ମାତ୍ରାରେ ଆବଶ୍ୟକ ହୋଇଥାଏ । 

ଗଞ୍ଜାମ  ଜିଲ୍ଲାର ‘ଭେଟନଇ', "ବାଲିପଦର' ଓ "ବୁଗୁଡା'  ଅଞ୍ଚଳରେ ବିରଳ "କୃଷ୍ଣସାରମୃଗ' ସଂରକ୍ଷଣ କାହାଣୀ  ସାରା ଓଡ଼ିଶା ପାଇଁ ଏକ ଜ୍ୱଳନ୍ତ ଉଦାହରଣ । ସେଠାରେ  ଏହି କୃଷ୍ଣସାରମୃଗ ଗୁଡ଼ିକ ଅଧିକ ସଂଖ୍ୟାରେ ବିଲବାଡ଼ି  ଓ ଖୋଲା ପଡ଼ିଆରେ ମୁକ୍ତଭାବରେ ବିଚରଣ କରୁଥିବାର  ଦେଖିବାକୁ ମିଳିଥାଏ । ସ୍ଥାନୀୟ ଲୋକମାନେ ଏହି  କୃଷ୍ଣସାର ମୃଗକୁ ଶୁଭଙ୍କରୀ ଏବଂ ପବିତ୍ରତାର ପ୍ରତୀକ  ଭାବରେ ବିବେଚନା କରନ୍ତି । ରାଜସ୍ଥାନର ବିଷ୍ଣୋଇ  ଜନଜାତି ସମ୍ପ୍ରଦାୟ ପରି, ଗଞ୍ଜାମ ଜିଲ୍ଲାର ଲୋକମାନେ  ଏହି କୃଷ୍ଣସାର ମୃଗକୁ ସୁରକ୍ଷା ଦେଇଆସୁଛନ୍ତି । କାରଣ  ଏହା ଦେଖିବା ସେମାନଙ୍କ ପାଇଁ ସମୃଦ୍ଧିର ବାର୍ତ୍ତା ବୋଲି  ସେମାନେ ବିବେଚନା କରନ୍ତି । ସ୍ଥାନୀୟ ଲୋକମାନଙ୍କ  ବିନା ସହଭାଗିତାରେ କୌଣସି ସଂରକ୍ଷଣ କାର୍ଯ୍ୟ ସମ୍ଭବ  ହୋଇନପାରେ । 

ଘୁମୁସର ଅଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳର  ଗ୍ରାମବାସୀ ଜାତି ଓ ପୃଷ୍ଠଭୂମି ନିର୍ବିଶେଷରେ ଏହି ପଶୁକୁ  ଆଜିଯାଏଁ ସୁରକ୍ଷା ଦେଇଆସୁଛନ୍ତି । କୌଣସି ନିର୍ଦ୍ଦିଷ୍ଟ  ଜନଜାତି କିମ୍ବା ସରକାରଙ୍କ ଯୋଗଦାନ ଅପେକ୍ଷା ସ୍ଥାନୀୟ  ବାସିନ୍ଦାଙ୍କ ନେତୃତ୍ୱାଧୀନ ସଂରକ୍ଷଣ ହେତୁ ଗଞ୍ଜାମ ଜିଲ୍ଲାର ଏହି ସଂରକ୍ଷଣ ମଡେଲ ଅତୁଳନୀୟ କହିଲେ ଅତ୍ୟୁକ୍ତି  ହେବନାହିଁ । ପ୍ରାୟ ଗ୍ରାମରେ ଗ୍ରାମବାସୀଙ୍କ ଦ୍ୱାରା "କୃଷ୍ଣସାର  ମୃଗ ସୁରକ୍ଷା କମିଟି' ଗଠନ କରାଯାଇ ଏହି ପଶୁମାନଙ୍କୁ  ସୁରକ୍ଷା ଦେବା କାର୍ଯ୍ୟ ଚାଲିଛି । ଏହି ଦିଗରେ ସରକାରଙ୍କ  ଅବଦାନ ବହୁତ ନଗଣ୍ୟ, କିନ୍ତୁ ଗ୍ରାମବାସୀଙ୍କ ସିଧାସଳଖ  ଭାଗୀଦାରୀ ଯୋଗୁଁ ପଶୁମାନେ ଯଥେଷ୍ଟ ସୁରକ୍ଷିତ ଏବଂ  ମୁକ୍ତଭାବରେ ବିଚରଣ କରୁଥାନ୍ତି । ଏହାଦ୍ୱାରା ଗଞ୍ଜାମ ଜିଲ୍ଲାରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ସନ୍ତୋଷଜନକ  ଭାବରେ ବୃଦ୍ଧି ପାଇବାରେ ଲାଗିଛି ।  

ବିଶ୍ୱର ସର୍ବାଧିକ ସଂଖ୍ୟାରେ ଅଲିଭ୍‌ ରିଡଲେ କଇଁଛ  ଓଡ଼ିଶା ଉପକୂଳରେ ଅଣ୍ଡା ଦେବାପାଇଁ ଆସିଥାନ୍ତି ।  ଗହୀରମଥା ଅଭୟାରଣ୍ୟ ବ୍ୟତୀତ ଋଷିକୁଲ୍ୟା ନଦୀ  ମୁହାଣରେ ମଧ୍ୟ ହଜାର ହଜାର ସଂଖ୍ୟାରେ ପ୍ରାୟ  ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଅଣ୍ଡା ଦେବା ପ୍ରକ୍ରିୟା ଚାଲିଥାଏ । ଅଣ୍ଡାଦେବା ଦିନଠାରୁ ଛୁଆ ଫୁଟିବା ଯାଏଁ ସେମାନଙ୍କ  ସୁରକ୍ଷା ଦିଗରେ ଆଖପାଖ ଗ୍ରାମର ଜନସାଧାରଣ ଏବଂ  ସ୍ୱେଚ୍ଛାସେବୀମାନେ ବନ ବିଭାଗ ସହିତ ମିଶି ଅହରହ  ସଜାଗ ରହିଥାନ୍ତି । 

ସେହିପରି ହଜାର ହଜାର ସଂଖ୍ୟାରେ  ଶହେରୁ ଅଧିକ ପ୍ରଜାତିର ବିଦେଶୀ ପକ୍ଷୀ ମଙ୍ଗଲାଯୋଡି  ଆର୍ଦ୍ରଭୂମିକୁ ପ୍ରତି ଶୀତ ଋତୁରେ ଆସିଥାନ୍ତି। ବହୁତ  ପୂର୍ବରୁ ସେଠାକାର ଗ୍ରାମବାସୀ ଖୋଲାଖୋଲି ଭାବରେ  ପକ୍ଷୀ ଶିକାର କରିଆସୁଥିଲେ । କିନ୍ତୁ ସମୟକ୍ରମେ  ଶିକାରୀମାନେ ସେମାନଙ୍କ ମଧ୍ୟରେ "ମହାବୀର ପକ୍ଷୀ  ସୁରକ୍ଷା ସମିତି' ଗଠନ କରି "ପକ୍ଷୀରକ୍ଷକ' ଭାବେ ନିଜକୁ  ପରିବର୍ତ୍ତନ କରି ପକ୍ଷୀମାନଙ୍କୁ ସୁରକ୍ଷା ଦେଇଆସୁଛନ୍ତି  ଏବଂ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କ  ଗାଇଡ୍‌ ଭାବରେ କାମ କରି ସ୍ଥାୟୀଭାବରେ ଜୀବିକା  ନିର୍ବାହ କରିପାରୁଛନ୍ତି । 

ଓଡ଼ିଶାର ୬୧,୨୦୪.୧୭ ବର୍ଗ କିଲୋମିଟର ହେଉଛି  କେବଳ ଜଙ୍ଗଲ କ୍ଷେତ୍ର । ଏଥିରେ ସଂରକ୍ଷିତ ଜଙ୍ଗଲ,  ସୁରକ୍ଷିତ ଜଙ୍ଗଲ ଏବଂ ଅଣସଂଗଠିତ ଜଙ୍ଗଲ ଅନ୍ତର୍ଭୁକ୍ତ ।  ରାଜ୍ୟର ଛଅଟି ଆର୍ଦ୍ରଭୂମି ମଧ୍ୟ ରାମସର ସାଇଟ୍‌ର  ମାନ୍ୟତା ପାଇଛି ଯଥା- ଅଂଶୁପା ମଧୁର ଜଳ ହ୍ରଦ, ଭିତରକନିକା ମାଙ୍ଗ୍ରୋଭସ୍‌, ଚିଲିକା ହ୍ରଦ, ହୀରାକୁଦ  ଜଳଭଣ୍ଡାର, ସାତକୋଶିଆ ଗର୍ଜ ଓ ଟାମ୍ପାରା ହ୍ରଦ ।  ରାଜ୍ୟରେ ୪୭୯ ପ୍ରଜାତିର ପକ୍ଷୀ, ୮୬ ପ୍ରଜାତିର ପ୍ରାଣୀ,  ୧୯ ପ୍ରଜାତିର ଆମ୍ଫିବିୟାନ ଏବଂ ୧୧୦ ପ୍ରଜାତିର ସରୀସୃପ,  ଅଲିଭ୍‌ ରିଡଲେ କଇଁଛ ଏବଂ ଇରୱାଡି ଡଲଫିନ୍‌ ପାଇଁ  ମଧ୍ୟ ଓଡ଼ିଶା ରାଜ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବାସସ୍ଥାନ । ପୂର୍ବ  ଭାରତର ଏଭଳି ଏକ ସମୃଦ୍ଧ ବିବିଧତା, ପ୍ରାକୃତିକ  ସୌନ୍ଦର୍ଯ୍ୟ ଏବଂ ବିଭିନ୍ନ ବନ୍ୟଜନ୍ତୁ ପରିପୂର୍ଣ୍ଣ ରାଜ୍ୟ  ଓଡ଼ିଶାରେ ବନ୍ୟପ୍ରାଣୀ ସଂଖ୍ୟା ଆନୁପାତିକ ଭାବରେ ବୃଦ୍ଧି  ନପାଇବା ଏକ ଚିନ୍ତାର ବିଷୟ ନିଶ୍ଚୟ । 

ଏତେ ବଡ଼ ବଡ଼  ଘଞ୍ଚ ଜଙ୍ଗଲରେ ମଧ୍ୟ ଅନ୍ୟ ରାଜ୍ୟ ଭଳି ଖୋଲାଖୋଲି  ଭାବରେ ବନ୍ୟଜନ୍ତୁ ବିଚରଣ କରୁଥିବା ଦୃଶ୍ୟ ନଜରକୁ  ଆସୁନାହିଁ କାହିଁକି ତା’ର ତର୍ଜମା ଦରକାର । ସବୁ ବର୍ଷ  ପରି କେବଳ "ବିଶ୍ୱ ବନ୍ୟପ୍ରାଣୀ ଦିବସ' ଧୂମଧାମରେ  ପାଳନ କଲେ କିଛି ଲାଭ ହେଉନି, ଏଥିପାଇଁ ଜଙ୍ଗଲ ଓ  ବନ୍ୟପ୍ରାଣୀ ସଂରକ୍ଷଣ କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କୁ ଜଡ଼ିତ  କରି ଆମେ ଫଳାଫଳ ହାସଲ କରିପାରିବା ବୋଲି ଆଶା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.