ନୂଆଦିଲ୍ଲୀ,୨୬/୦୭: ଗୁଗୁଲ୍‌ର ମୂଳ କମ୍ପାନି ଆଲ୍‌ଫାବେଟ୍‌ର ଆର୍ଥିକ ପ୍ରଦର୍ଶନ ଅତ୍ୟନ୍ତ ଭଲ ରହିଛି । ଉକ୍ତ କାରଣରୁ ୨୦୨୩ ଆରମ୍ଭରୁ  ହିଁ କମ୍ପାନିର ସେୟାର ମୂଲ୍ୟରେ ଜବର୍‌ଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି । ଫଳରେ କମ୍ପାନିର ବଜାର ମୂଲ୍ୟରେ ୧ ଟ୍ରିଲିୟନ ଡଲାରରୁ ଅଧିକ ବୃଦ୍ଧି ଘଟିଛି । ନିବେଶକଙ୍କୁ ମିଳିଛି ୧୨୦% ରିଟର୍ଣ୍ଣ ।  

ବ୍ଲୁମ୍‌ବର୍ଗ ଅନୁସାରେ,ଆଲ୍‌ଫାବେଟ୍‌ର ସେୟାର ରେକର୍ଡ ଉଚ୍ଚ ସ୍ତରରେ ପହଞ୍ଚିଛି । ଏହି ପ୍ରଦର୍ଶନ ଦ୍ୱାରା କମ୍ପାନିର ସିଇଓ ସୁନ୍ଦର ପିଚାଇଙ୍କ ନେଟ୍‌  ସମ୍ପତ୍ତିରେ ବଡ଼ ଧରଣର ବୃଦ୍ଧି ଘଟିଛି ଏବଂ ପିଚାଇ ଏବେ ବିଲିୟନେୟାର କ୍ଲବ୍‌ରେ ସାମିଲ ହୋଇଛନ୍ତି । ୫୩ ବର୍ଷୀୟ ପିଚାଇଙ୍କ ନେଟ୍‌ ସମ୍ପତ୍ତି ଏବେ ୧.୧  ବିଲିୟନ ଡଲାର ରହିଛି । ଫୋର୍ବସର ରିୟଲ୍‌ଟାଇମ୍‌  ବିଲିୟନେୟାର ତାଲିକାରେ ତାଙ୍କ ନେଟ୍‌ ସମ୍ପତ୍ତି ୧.୨ ବିଲିୟନ ଡଲାର ଥିବା ଦେଖିବାକୁ ମିଳିଛି । 

ଟେକ୍ନୋଲୋଜି ଶିଳ୍ପରେ ଏହା କମ୍‌ ଦେଖିବାକୁ ମିଳେ,  ଯେତେବେଳେ କୌଣସି ଅଣ-ପ୍ରତିଷ୍ଠାତା ସିଇଓ  ଏପରି ଭାବେ ଧନୀ ପାଲଟିଛନ୍ତି । ଅଧିକାଂଶ ଶୀର୍ଷ  ଅଧିକାରୀ କମ୍ପାନିରେ ଭାଗିଦାରୀ ଆଧାରରେ ଧନୀ  ହୋଇଛନ୍ତି । ନ୍ୟୁୟର୍କରେ ଗୁରୁବାର ବଜାର ଖୋଲିବା  ପରେ ଆଲ୍‌ଫାବେଟ୍‌ର ସେୟାର ୪.୧% ପର୍ଯ୍ୟନ୍ତ  ବଢ଼ିଯାଇଥିଲା । ଦୁଇ ମାସରେ ଏହା ସବୁଠାରୁ  ଅଧିକ ଇଣ୍ଟ୍ରାଡେ ବୃଦ୍ଧି । ଆଲ୍‌ଫାବେଟ୍‌ ଭଲ ଲାଭ  ହାସଲ କରିଛି । କମ୍ପାନି ପ୍ରକାଶ କରିଛି ଯେ, ଏହା  ଆଶାଠାରୁ ଭଲ ଲାଭ ହାସଲ କରିଛି । କମ୍ପାନିର  କହିବାନୁସାରେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୋଗୁ  ପ୍ରତ୍ୟେକ ବ୍ୟବସାୟରେ ଲାଭ ହେଉଛି ।  

ପ୍ରକାଶଯୋଗ୍ୟ, ୧୯୭୨ ଜୁଲାଇ ୧୨ରେ ଚେନ୍ନାଇରେ  ଜନ୍ମଗ୍ରହଣ କରିଥିଲେ ସୁନ୍ଦର ପିଚାଇ । ତାଙ୍କ  ବାପା ବ୍ରିଟିଶ କମ୍ପାନି ଜିଇସିରେ ଇଞ୍ଜିନିୟର  ଥିଲେ । ପରିବାର ଦୁଇ ରୁମ୍‌ବିଶିଷ୍ଟ ଏକ ଘରେ  ରହୁଥିଲେ । ଘରେ ନା ଥିଲା ଟିଭି, ନା କାର । କିନ୍ତୁ  ଏ ଅଭାବ ପିଚାଇଙ୍କ ପାଇଁ ପ୍ରେରଣା ପାଲଟିଥିଲା  ଏବଂ ସେ ମାତ୍ର ୧୭ ବର୍ଷ ବୟସରେ  ଆଇଆଇଟିର ପ୍ରବେଶିକା ପରୀକ୍ଷା ପାସ୍‌  କରି ଖଡ଼ଗପୁରରେ ନାମ ଲେଖାଇଥିଲେ ।  ଇଞ୍ଜିନିୟରିଂ ପାଠପଢ଼ାବେଳେ ସେ  ଟପ୍ପର ରହି ଆସୁଥିଲେ । ଏହା ପରେ  ଛାତ୍ରବୃତ୍ତି ନେଇ ପରବର୍ତ୍ତୀ ପାଠପଢ଼ା ପାଇଁ ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ  ଚାଲିଯାଇଥିଲେ ।

ପିଚାଇ ଏକ ଇଣ୍ଟର୍‌ଭ୍ୟୁରେ  କହିଥିଲେ ଯେ, ପାଠପଢ଼ା ପାଇଁ ଯେତେବେଳେ ସେ  ଆମେରିକା ଯିବା ପାଇଁ ନିଷ୍ପତ୍ତି ନେଇଥିଲେ, ତାଙ୍କ  ବାପା ନିଜର ବର୍ଷକର ଦରମା ଦେଇ ବିମାନ  ଟିକଟ କିଣିଥିଲେ । ଆମେରିକାରେ  ରହିବା ସମୟରେ ତାଙ୍କୁ  ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା।