ଲକ୍ଷ୍ନୌ : କୁହାଯାଏ ଦୃଢ ଇଚ୍ଛା ଶକ୍ତି ଓ ନିଷ୍ଠା ବଳରେ ଅସମ୍ଭବକୁ ସମ୍ଭବ କରି ହୁଏ। ଏହି କଥାକୁ ସତ ପ୍ରମାଣିତ କରିଛନ୍ତି , ଉତ୍ତରପ୍ରଦେଶର ଜଣେ ୧୫ ବର୍ଷିୟ ପିଲା। ଲକ୍ଷ୍ନୌ ଠାରୁ ୩୦ କିଲୋମିଟର ଦୂର ବାରବାଙ୍କିର ଏକ ଗାଁର ରାମକେବଳ ନାମକ ଏହି ଛାତ୍ର , ପାଳିଛନ୍ତି ଖୁସିର ଉତ୍ସବ। ପୂରା ଗାଁରେ ଭରି ଯାଇଛି ଆନନ୍ଦର ଲହରୀ। ସେ ସ୍ୱାଧୀନତା ପରେ ନିଜ ଗାଁରେ ୧୦ମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଥମ ପିଲା ହୋଇ ପାରିଛନ୍ତି।
ରାମକେବଳ ନିଜାମପୁର ଗାଁରେ ରୁହନ୍ତି। ଗାଁର ଜନସଂଖ୍ୟା ପ୍ରାୟ ୩୦୦ ଅଛି । ସେ ଚାରି ଭାଇ-ଭଉଣୀଙ୍କ ମଧ୍ୟରେ ସବୁଠୁ ବଡ଼ । ରାମକେବଳ ନିଜର ପରିବାରର ଭରଣ ପୋଷଣ କରିବା ପାଇଁ ଦିନରେ ଛୋଟ ମୋଟ କାମ କରନ୍ତି ଏବଂ ପରୀକ୍ଷାର ପ୍ରସ୍ତୁତି ପାଇଁ ସାରା ରାତି ବସି ପାଠ ପଢନ୍ତି। ରାମକେବଳଙ୍କ କହିବାନୁସାରେ , ସେ ବାହାଘର ଶୋଭାଯାତ୍ରାରେ ଲାଇଟ୍ ବୋହିବାର କାମ କରନ୍ତି ଏବଂ ପ୍ରତିଦିନ ୨୫୦ରୁ ୩୦୦ଟଙ୍କା ଆୟ କରନ୍ତି। ବାରବାଙ୍କିର ଜିଲ୍ଲାଧିକାରୀ ଶଶାଙ୍କ ତ୍ରିପାଠୀ ରବିବାର ରାମକେବଳ ଓ ତାଙ୍କର ମାତା-ପିତାଙ୍କୁ ତାଙ୍କର ଉପଲବ୍ଧି ପାଇଁ ସମ୍ମାନିତ କରିଛନ୍ତି।
ଡିଏମ୍ କହିଛନ୍ତି , ଆମେ ଏମିତି ସବୁ ଅଞ୍ଚଳ ବିଷୟରେ ଜାଣିବାକୁ ଚେଷ୍ଟା କରୁଛୁ , ଯେଉଁଠି ପରିବାରର ପିଲା ୧୦ମ ଓ ୧୨ମ ଶ୍ରେଣୀ ଯାଏ ମୌଳିକ ଶିକ୍ଷା ପାଇବାକୁ ସଂଘର୍ଷ କରୁଛନ୍ତି। ଏହି ସ୍ୱତନ୍ତ୍ର ମାମଲାରେ, ସ୍କୁଲର ଜିଲ୍ଲା ନିରୀକ୍ଷକ ଓପି ତ୍ରିପାଠୀ ପିଲାଙ୍କର ଦେଖାଶୁଣା କରୁଥିଲେ ଏବଂ ସେମାନେ ନିୟମିତ ସ୍କୁଲ ଯାଉଛନ୍ତି ନା ନାହିଁ ଏହି କଥା ସ୍ପଷ୍ଟ କରୁଥିଲେ । ରାମକେବଳଙ୍କ ମାଆ ଏକ ସ୍କୁଲରେ ରୋଷେଇ କରନ୍ତି ଏବଂ ତାଙ୍କର ବାପା ପରିବାରର ଭରଣପୋଷଣ ପାଇଁ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି। ସେ କହିଛନ୍ତି, ମୁଁ ବାହାଘର ଶୋଭାଯାତ୍ରାରେ ଲାଇଟ୍ ନେଇ ଯାଉଥିଲି ଏବଂ ଏଥିପାଇଁ ପ୍ରତିଦିନ ୨୫୦ରୁ ୩୦୦ ଟଙ୍କା ଆୟ କରୁ ଥିଲି।
ନିଜାମପୁର ନିକଟରେ ଅହମଦପୁରରେ ସରକାରୀ ଇଣ୍ଟର କଲେଜ୍ରେ ପଢୁଥିବା ରାମକେବଳ କହିଛନ୍ତି, ରାତିରେ ବିଳମ୍ୱରେ ଫେରିବା ସତ୍ତ୍ୱେ, ମୁଁ ଘରେ ସୋଲାର ଲ୍ୟାମ୍ପ ତଳେ ଅତି କମ୍ରେ ଦୁଇ ଘଣ୍ଟା ପଢୁଥିଲି। ଗାଁର କିଛି ଲୋକ ମୋତେ ଥଟ୍ଟା ପରିହାସ କରୁଥିଲେ ଏବଂ କହୁଥିଲେ ମୁଁ କେବେ ହାଇସ୍କୁଲ ପାସ୍ କରି ପାରିବି ନାହିଁ। କିନ୍ତୁ ମୋତେ ସର୍ବଦା ଲାଗୁଥିଲା ଯେ, ମୁଁ ତାଙ୍କ କଥାକୁ ଭୁଲ୍ ପ୍ରମାଣିତ କରିଦେବି।
ପରିବାରରେ ଖୁବ୍ ଅଭାବ ଅନଟନ ଲାଗି ରହିଥିଲା । ଆଉ ଏହାରି ଭିତରେ ରାମକେବଳଙ୍କର ଆଉ ତିନି ଜଣ ଭାଇ ଭଉଣୀଙ୍କର ପାଠପଢା ବି ଚାଲି ଥିଲା। ଜଣେ ନବମ ଶ୍ରେଣୀ , ଆଉ ଜଣେ ୫ମ ଓ ସବୁଠୁ ସାନ ପ୍ରଥମ ଶ୍ରେଣୀରେ ପଢେ। ତାଙ୍କର ମାଆ ପୁଷ୍ପା ଦେବୀଙ୍କ କହିବାନୁସାରେ ,ଆମ ପାଖରେ ଓଳିଏ ଖାଇବାକୁ ବି ଖୁବ୍ ସଂଘର୍ଷ କରିବାକୁ ପଡ଼ୁଛି। କିନ୍ତୁ ଆମେ ଭାଙ୍ଗି ପଡ଼ି ନାହୁଁ । ପିଲାଙ୍କୁ ପାଠ ପଢାଇବାକୁ କେବେ ବିରତ ହୋଇନୁ। ଆମେ ଆମର ପିଲାଙ୍କ ପାଇଁ ଏମିତି ଜୀବନ କେବେ ଚାହୁଁ ନାହୁଁ । ଆମର ବିଶ୍ୱାସ ଯେ କେବଳ ଶିକ୍ଷା ହିଁ ସବୁ ପରିବର୍ତ୍ତନ ଆଣିବ।
ଡିଆଇଓଏସ ଓପି ତ୍ରିପାଠୀ ରାମକେବଳଙ୍କ ଦୃଢ ସଂକଳ୍ପର ପ୍ରଶଂସା କରି କହିଛନ୍ତି , ସେ ନିଜ ଗାଁରୁ ବୋର୍ଡ ପରୀକ୍ଷାରେ ବସିଥିବା ଏତମାତ୍ର ହିଁ ଛାତ୍ର ଥିଲେ। ଆମେ ତାଙ୍କର ମାତା ପିଲାଙ୍କୁ ତାଙ୍କୁ ସ୍କୁଲ୍ ପଠାଇବାକୁ ଉତ୍ସାହିତ କରିଥିଲୁ। ତାଙ୍କର ସାପ୍ତାହିକ ଓ ମାସିକ ପରୀକ୍ଷା କରୁଥିଲୁ ଏବଂ ପରୀକ୍ଷା ଗୁଡ଼ିକରେ ତାଙ୍କର ଭଲ ପ୍ରଦର୍ଶନକୁ ତାଙ୍କର ମାତା ପିତାଙ୍କୁ ଦେଖାଉ ଥିଲୁ। ଏହି ସବୁ ପରୀକ୍ଷା କେବଳ ତାଙ୍କର ଆତ୍ମବିଶ୍ୱାସକୁ ବଢାଇ ଥିଲା । ରାମକେବଳ ଖୁବ୍ ଉତ୍ସାହିତ ହୋଇଥିଲେ। ଆଉ ପରୀକ୍ଷା ପ୍ରସ୍ତୁତି ଖୁବ୍ ଜୋରସୋରରେ କରିଥିଲେ।
ଓପି ତ୍ରିପାଠୀ ଆହୁରି କହିଛନ୍ତି , ନିଜାମପୁର ଗାଁରେ ୨-୩ କି.ମିର ପରିସରରେ ଅନେକ ସରକାରୀ ସ୍କୁଲ ଅଛି। ମୁଁ ତାଙ୍କ ଭବିଷ୍ୟତର ଶିକ୍ଷାର ସମର୍ଥନ କରିବାର ପୂରା ଦାୟିତ୍ୱ ନେଉଛି, ଯାହାକି ସେ ନିଜ ସ୍ୱପ୍ନକୁ ସାକାର କରି ପାରିବେ। ସେ ସେହି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଦର୍ଶ ପାଲଟିଛନ୍ତି , ଯିଏ ଶିକ୍ଷା ବିଷୟରେ ନିରାଶ ଅନୁଭବ କରୁଛନ୍ତି। ଆଉ ଅଭାବ ଅନଟନ ଭିତରେ ଥାଇ ଭବିଷ୍ୟତର ସ୍ୱପ୍ନ ଦେଖିବା ଭୁଲି ଯାଇଛନ୍ତି।