ଭୁବନେଶ୍ୱର,୦୯/୦୬(ରାମଜୀବନ ଗୋଚ୍ଛାୟତ):  ଓଡ଼ିଶାରେ ନିର୍ମାଣ ଚାଲିଛି ଦେଶର ଦ୍ୱିତୀୟ ଦୀର୍ଘତମ ରେଳ ବ୍ରିଜ୍‌ (ଭାୟାଡକ୍ଟ) । ୪.୭୭  କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ରେଳ ବ୍ରିଜ୍‌ ନୟାଗଡ଼ ଜିଲ୍ଲାର ଜାମୁସାହିରୁ ଗୁରାହ ମଧ୍ୟରେ  ନିର୍ମାଣ ହେଉଛି । ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ  ଏହି ବ୍ରିଜ୍‌ ବେଶ ଗୁରୁତ୍ୱ ବହନ କରୁଛି । ତେଣୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହାର କାମ ଯୁଦ୍ଧକାଳୀନ  ଭିତ୍ତିରେ କରାଯାଉଛି । ବର୍ତ୍ତମାନ ଏହି ବ୍ରିଜ୍‌ ମାଟିରୁ ୮୦ ଫୁଟ୍‌ ଉପରେ ନିର୍ମାଣ କରାଯାଉଛି ବୋଲି ଦାୟିତ୍ୱରେ ଥିବା ରେଳ ଅଧିକାରୀ ରାଜେଶ ଦାଶ ସୂଚନା ଦେଇଛନ୍ତି । ଆସାମ ବଗିବିଲ୍‌ରେ ବ୍ରହ୍ମପୁତ୍ର ନଦୀ ଉପରେ ଦେଶର ଦୀର୍ଘତମ ରେଳବ୍ରିଜ୍‌ (୪.୯୪ କିଲୋମିଟର) ରହିଛି ।  

ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ନୟାଗଡ଼  ଜିଲ୍ଲାରେ ବୃତ୍ତଙ୍ଗ ନଦୀରେ ବୃହତ୍‌ ଜଳଭଣ୍ଡାର  ନିର୍ମାଣ ହେବ । ବିଶାଳ ବୁଡ଼ି ଅଞ୍ଚଳକୁ ଲକ୍ଷ୍ୟ କରି ଏହି ବ୍ରିଜ୍‌ ନିର୍ମାଣ କରାଯାଉଛି । ଏହି ବ୍ରିଜ୍‌ ନିର୍ମାଣ ହେବା ପରେ ପ୍ରକୃତିର ସୁନ୍ଦର ଦୃଶ୍ୟକୁ ଉପଭୋଗ  କରିବାକୁ ଏହି ଲାଇନରେ ଭିଷ୍ଟାଡୋମ୍‌ ଟ୍ରେନ୍‌ ଚଳାଇବାକୁ ଯୋଜନା କରାଯାଉଛି । ଯାତ୍ରୀମାନେ  ଭିଷ୍ଟାଡୋମ୍‌ ଟ୍ରେନରେ ବସି ନଦୀ, ଜଙ୍ଗଲ ଓ  ପାହାଡ଼ର ସୁନ୍ଦର ଦୃଶ୍ୟ ଉପଭୋଗ କରିପାରିବେ । 

ରାଜ୍ୟ ସରକାର ବୃତ୍ତଙ୍ଗ ନଦୀ ଜଳ ସଂରକ୍ଷଣ କରିବାକୁ ଏକ ଡ୍ୟାମ ନିର୍ମାଣ କରୁଛନ୍ତି । ଏହି ଡ୍ୟାମ  ନିର୍ମାଣ ହେଲେ ୨୩ ହଜାର ହେକ୍ଟରରୁ ଅଧିକ ଜମି ଜଳସେଚନ କରାଯିବ । ଏହି ପ୍ରକଳ୍ପ ପାଇଁ ୪୯ ଗାଁ ସ୍ଥାନାନ୍ତର ହୋଇଛି । ୧୯୯୦ ମସିହାରୁ ଏହି ପ୍ରକଳ୍ପ  ହେବାକୁ ଯୋଜନା ହୋଇଥିଲେ ବି ଜଙ୍ଗଲ ଜମି ଅନୁମତି ମିଳୁନଥିବାରୁ କାମରେ ବିଳମ୍ବ ହୋଇଛି । ୨ ବର୍ଷ ହେବ ଏହି ପ୍ରକଳ୍ପ କାମ ଆଗେଇବା ପାଇଁ ଅନୁମତି ମିଳିଛି । ପ୍ରକଳ୍ପ ଯୋଗୁଁ ବିସ୍ତୀର୍ଣ୍ଣ ଅଞ୍ଚଳ ବୁଡ଼ିବ । ଯାହାକୁ ଲକ୍ଷ୍ୟ କରି ରାଜ୍ୟ ଜଳସମ୍ପଦବିଭାଗ ଓ ରେଳ ବିଭାଗର ଅଧିକାରୀମାନେ ବାରମ୍ବାର ଯାଞ୍ଚ କରିବା ସହିତ ଆଲୋଚନା କରି  ଜାମୁସାହିରୁ ଗୁରାହ ମଧ୍ୟରେ ରେଳ ବ୍ରିଜ୍‌ ନିର୍ମାଣ  କରିବାକୁ ଯୋଜନା କରାଯାଇଛି । ନଚେତ୍‌ ଆଗାମୀ  ଦିନରେ ରେଳ ଲାଇନ୍‌ ବୁଡ଼ିବାର ଆଶଙ୍କା ରହିଛି । ଏହା ବ୍ୟତୀତ ଗୋଟିଏ ଉଚ୍ଚ ଅଞ୍ଚଳରୁ ଅନ୍ୟ ଏକ  ଉଚ୍ଚ ଅଞ୍ଚଳ ମଧ୍ୟରେ ରେଳ ଲାଇନ୍‌ ସଂଯୋଗ କରିବା  ବେଳେ ମାଟି ପୋତି ବ୍ରିଜ ତିଆରି କରିବାରେ ଅଧିକ  ଖର୍ଚ୍ଚ ହୁଏ । ଏତେ ମାଟି ମିଳିବା ମଧ୍ୟ କଷ୍ଟକର  ବ୍ୟାପାର । ତେଣୁ ରେଳ ମନ୍ତ୍ରଣାଳୟ ଏଭଳି ସମସ୍ୟା  ଥିବା ଅଞ୍ଚଳରେ ରେଳ ବ୍ରିଜ୍‌ କରିବାକୁ ଯୋଜନା  କରିଛି । ଏହି ବ୍ରିଜ୍‌ ନିର୍ମାଣ ପାଇଁ ୧୮୨ଟି ସ୍ପାନ୍‌ ରହିଥିବାବେଳେ ଏଥିରେ ୧୮୨ଟି ଗାଡର୍‌ ଲାଗିଛି । 

ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗ  ସଚିବ ଅନୁ ଗର୍ଗ ବାରମ୍ବାର ଏହି ଅଞ୍ଚଳ ଗସ୍ତ  କରି ବୃତ୍ତଙ୍ଗ ପ୍ରକଳ୍ପ କାମର ସମୀକ୍ଷା କରୁଛନ୍ତି । ରେଳ ବିଭାଗର ଅଧିକାରୀମାନଙ୍କୁ ମଧ୍ୟ ବ୍ରିଜ୍‌  ନିର୍ମାଣ ସହିତ ଏହି ଲାଇନ୍‌ରେ ଭିଷ୍ଟାଡୋମ୍‌ ଟ୍ରେନ୍‌  ଚଳାଇବାକୁ ପ୍ରସ୍ତାବ ଦେଇଛନ୍ତି । ରେଳ ବିଭାଗର  ଅଧିକାରୀ ଏହି ରେଳ ଲାଇନ କାମ ସରିବା  ପରେ ମନ୍ତ୍ରଣାଳୟ ନିକଟରେ ଭିଷ୍ଟାଡୋମ୍‌ ଟ୍ରେନ୍‌  ଚଳାଇବାକୁ ପ୍ରସ୍ତାବ ରଖିବେ ବୋଲି କହିଛନ୍ତି । ଏହି ଭିଷ୍ଟାଡୋମ୍‌ ଟ୍ରେନ୍‌ ଏକ ବିଳାସପୂର୍ଣ୍ଣ ଟ୍ରେନ୍‌ । ସେଥିରେ ଯାତ୍ରୀମାନେ ଯିବା ବେଳେ ବାହାରର  ମନୋରମ ଦୃଶ୍ୟକୁ ଉପଭୋଗ କରିଥାନ୍ତି । ଏହି  ଟ୍ରେନରେ ବଡ଼ ବଡ଼ କାଚ ଲାଗିଥାଏ । ଫଳରେ  ଯାତ୍ରୀଙ୍କୁ ବାହାରର ଦୃଶ୍ୟ ଦେଖିବାରେ କୌଣସି  ସମସ୍ୟା ହୁଏନି । ଏହି ଟ୍ରେନରେ ଚାରିପାଖେ  ବୁଲି ପାରୁଥିବା ଆରାମଦାୟକ ସିଟ୍‌ ଥାଏ ।  ଫଳରେ ଯାତ୍ରୀ ସଂଖ୍ୟା ବୃଦ୍ଧି ହେବା ସହିତ  ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିଥାଏ । ତେଣୁ  ଉଭୟ ରାଜ୍ୟ ସରକାର ଓ ରେଳ ମନ୍ତ୍ରଣାଳୟ  ଆଗାମୀ ଦିନରେ ଏହି ଅଞ୍ଚଳରେ ଭିଷ୍ଟାଡୋମ୍‌  ଟ୍ରେନ୍‌ ଚଳାଇବା ନେଇ ସମ୍ଭାବନା ରହିଛି ।