ଭୁବନେଶ୍ୱର, ୦୨/ ୧୦: ଠିକ୍‌ ୧୯୯୯ ରାସ୍ତାରେ ୨୦୨୪ର ପାଣିପାଗ ।  ସେ ବର୍ଷ ଏପ୍ରିଲରେ ଭୀଷଣ ଗ୍ରୀଷ୍ମ  ଲହରି ଅନୁଭୂତ ହୋଇଥିଲା । ଏ ବର୍ଷ ବି ସ୍ଥିତି ସେମିତି ଥିଲା । ଖାଲି ସେତିକି  ନୁହେଁ, ୧୯୯୭ ଓ ୧୯୯୮ରେ ଶକ୍ତିଶାଳୀ  ଏଲ୍‌-ନିନୋ ପ୍ରଭାବ ପରେ ୧୯୯୯ରେ  ଆସିଥିଲା ଲା-ନିନା । ଏଥର ବି ଏଲ୍‌- ନିନୋ ପରେ ଲା-ନିନା ଆଗମନର  ସମ୍ଭାବନା ରହିଛି । ଯଦି ଲା-ନିନା ଆସିଲା,  ବଢ଼ିଯାଇପାରେ ବାତ୍ୟା ସମ୍ଭାବନା । ଭାରତୀୟ ପାଣିପାଗ ବିଭାଗ   (ଆଇଏମ୍‌ଡି) ପକ୍ଷରୁ ଆଜି ଜାରି   ହୋଇଥିବା ପୂର୍ବାନୁମାନ ଅନୁସାରେ   ଅକ୍ଟୋବରରେ ଗରମ ଅଧିକ ହେବ,  ବର୍ଷା ବି । ଦିନ ତାପମାତ୍ରା ରାଜ୍ୟରେ ଅଧିକ  ରହିବ, ରାତିରେ ବି ସ୍ୱାଭାବିକଠାରୁ ଢେର  ଅଧିକ ହେବ ଗରମ । ଅକ୍ଟୋବରରୁ  ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା  ସ୍ୱାଭାବିକଠାରୁ ଅଧିକ ରହିପାରେ । 

ଅକ୍ଟୋବରର ତାପମାତ୍ରା ଅଧିକ  ରହିବା ବାତ୍ୟା ପାଇଁ ଅନୁକୂଳ  ବାତାବରଣ ଆଣିପାରେ । ବିଶେଷଜ୍ଞଙ୍କ କହିବାନୁସାରେ ବାୟୁମଣ୍ଡଳରେ  ଅତ୍ୟଧିକ ଗରମ ଓ ଗୁଳୁଗୁଳି  ରହୁଥିବାବେଳେ ସମୁଦ୍ର ଜଳପତ୍ତନ  ତାପମାତ୍ରା ଅଧିକ ରହୁଛି । ଅକ୍ଟୋବରକୁ  ନେଇ ପାଣିପାଗ ବିଭାଗର ପୂର୍ବାନୁମାନ  ହେଲା- ଏ ମାସରେ ବର୍ଷା ଅଧିକ ହେବ,   କିନ୍ତୁ ତାପମାତ୍ରା ବି ସ୍ୱାଭାବିକଠାରୁ ଅଧିକ  ରହିବ । ଏସବୁ ଦିଗକୁ ଗମ୍ଭୀରତା ସହ  ବିଶ୍ଳେଷଣ କରୁଛନ୍ତି ପାଣିପାଗ ବୈଜ୍ଞାନିକ ।  ମନରେ ଆଶଙ୍କା ଉଙ୍କି ମାରୁଛି- ୧୯୯୯ ଭଳି କିଛି ହେବ କି? ଅକ୍ଟୋବର  କିମ୍ବା ନଭେମ୍ବର ମାଡ଼ ହେବ କି ବାତ୍ୟା?   ସ୍ପଷ୍ଟ ଭାବେ ଏବେଠାରୁଆକଳନ କରିବା ସମ୍ଭବପର ନୁହେଁ । କିନ୍ତୁ, ପାଣିପାଗର  ପାରିପାଶ୍ୱିର୍କ ସ୍ଥିତି ଯାହା ରହିଛି, ତାହା ବାତ୍ୟା ସୃଷ୍ଟି ହେବା  ପାଇଁ ଅନୁକୂଳ ବାତାବରଣ । ଅକ୍ଟୋବର ଆସିଲା । ବାତ୍ୟା ଆସିବ କି?  ପ୍ରତିବର୍ଷ ଅକ୍ଟୋବର ଆସିଲେ ଓଡ଼ିଶା ଭଳି  ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟକୁ ଏହି ଭୟ ଘାରିଥାଏ ।   ବିଶେଷଜ୍ଞଙ୍କ କହିବାନୁସାରେ ଏ ବର୍ଷ ବାତ୍ୟା ହେବ କି  ନାହିଁ, ତାହା ଏବେଠାରୁ କହି ହେବନି । ମାତ୍ର ୧୯୯୯  ଭଳି ସ୍ଥିତି ଏ ବର୍ଷ ଅନୁଭୂତ ହେଉଛି । ୧୯୯୯ରେ  ଏପ୍ରିଲରେ ରେକର୍ଡ ଭାଙ୍ଗିଲା ଭଳି ତାତି, ଅଗଷ୍ଟରେ   ନିଅଣ୍ଟିଆ ବର୍ଷା ଥିବାବେଳେ ସେପ୍ଟେମ୍ବରରେ ଅଧିକ  ବର୍ଷା ହୋଇଥିଲା । ଏ ବର୍ଷ ସ୍ଥିତି ପ୍ରାୟ ସେଇଆ ।  ୧୯୯୯ ଭଳି ଏ ବର୍ଷ ବି ଲା-ନିନା ଆସିପାରେ ।  ଯଦି ଏହା ଅକ୍ଟୋବରରେ ଆସିଲା, ତେବେ ବାତ୍ୟା  ସମ୍ଭାବନା ଅଧିକ । କାରଣ ଲା-ନିନା ହେଲେ  ଦକ୍ଷିଣ ଚୀନ ସାଗରରେ ତାପମାତ୍ରା ଅଧିକ ରହିବ ।  ଫଳରେ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ହେବ ।  ସେଠାରେ ସୃଷ୍ଟି ହେଉଥିବା ବାତ୍ୟାର ଅବଶିଷ୍ଟାଂଶ  ବଙ୍ଗୋପସାଗର ମୁହାଁ ହୋଇ ବଳ ବଢ଼ାଇ ପୁଣି  ବାତ୍ୟା ରୂପ ନେବାର ସମ୍ଭାବନା ରହୁଛି । 

କୃଷି ପାଣିପାଗ ବୈଜ୍ଞାନିକ ପ୍ରଫେସର  ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ବାତ୍ୟା  ନେଇ ଏବେଠାରୁ କିଛି ଆକଳନ କରି ହେବନି ।  ମାତ୍ର ପାରିପାଶ୍ୱିର୍କ ସ୍ଥିତି ଏଭଳି ସମ୍ଭାବନା ନେଇ   ସଙ୍କେତ ଦେଖାଉଛି । ଚଳିତ ବର୍ଷ ଅକ୍ଟୋବର,  ନଭେମ୍ବର, ଡିସେମ୍ବର, ଜାନୁଆରୀରେ ତାପମାତ୍ରା  ସ୍ୱାଭାବିକଠାରୁ ଅଧିକ ରହିବ । ଅକ୍ଟୋବର ମାସରେ ବର୍ଷା ବି ସ୍ୱାଭାବିକଠାରୁ ଅଧିକ ରହିବ, ତାପମାତ୍ରା ବି ।  ବାତ୍ୟା ହେବ କି ନାହିଁ, ଏବେଠାରୁ ଆକଳନ କରି ହେବନି । ମାତ୍ର ବାତ୍ୟା ଦାନା ବାନ୍ଧିବା ପାଇଁ ଯେଉଁଭଳି  ପାଣିପାଗ ଆବଶ୍ୟକ, ସେଭଳି ବାତାବରଣ  ରହିଛି । ସମୁଦ୍ର ଜଳପତ୍ତନ ତାପମାତ୍ରା ୨୬.୫ ଡିଗ୍ରୀ  ସେଲସିୟସ୍‌ ଟପିଲେ ଲଘୁଚାପ ଦାନା ବାନ୍ଧିପାରେ । ବର୍ତ୍ତମାନ ସମୁଦ୍ର ଜଳପତ୍ତନ ତାପମାତ୍ରା ୨୯/୩୦  ଡିଗ୍ରୀ ପାଖାପାଖି ରହୁଛି । ତାପମାତ୍ରା ସହ ଆର୍ଦ୍ରତା ବି  ଅଧିକ ଅଛି । ଯଦି ଏ ବର୍ଷ ବାତ୍ୟା ସୃଷ୍ଟି ହୁଏ, ତା’ର ପ୍ରଭାବ ବ୍ୟାପକ ରହିବା ସହ ଏହା ଶୀଘ୍ର ଘନୀଭୂତ  ହେବା ସମ୍ଭାବନା ଅଛି ।  ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ  ଚନ୍ଦ୍ର ସାହୁ କହିଛନ୍ତି, ଅକ୍ଟୋବରରେ ତାପମାତ୍ରା ୩୭  ଡିଗ୍ରୀ ସେଲସିୟସ୍‌ ଛୁଇଁଲାଣି । ଏହା ସ୍ୱାଭାବିକ ନୁହେଁ ।  ଅର୍ଥାତ୍‌ ଅସ୍ୱାଭାବିକ ଗରମ ସ୍ଥିତି ରହିଛି । ସମୁଦ୍ର  ତାପମାତ୍ରା ୩୦ ଡିଗ୍ରୀ ପାଖାପାଖି ରହୁଛି । ଏଭଳି  ପାଗ ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ହେବା ସହ ଏକ  ସଙ୍କେତ ଦେଇଥାଏ । ମାତ୍ର ବାତ୍ୟା ହେବ ବୋଲି  ଏବେଠାରୁ କହି ହେବନି ।