ଭୁବନେଶ୍ୱର,୧୦/୪: ଓଡ଼ିଶାରେ ଖୋଲିବ ଅତ୍ୟାଧୁନିକ କେନ୍ଦ୍ରୀୟ ହୋମିଓପାଥିକ ଗବେଷଣା ପ୍ରତିଷ୍ଠାନ (ସିସିଆରଏଚ୍) । ଏଥିପାଇଁ ରାଜଧାନୀ ଉପକଣ୍ଠ ଜାମୁଝରିରେ ଜମି ଯୋଗାଇଛନ୍ତି ରାଜ୍ୟ ସରକାର । ମାପଚୁପ ସରି ପାଚେରି ବୁଲା କାମ ସରିଛି । ଖୁବଶୀଘ୍ର କୋଠା ତିଆରି କାମ ହେବ ବୋଲି ଜଣାପଡ଼ିଛି ।

ପୂର୍ବରୁ ହୋମିଓପାଥିକ ଗବେଷଣା ପ୍ରତିଷ୍ଠାନର ଏକ ଆଞ୍ଚଳିକ ଶାଖା ପୁରୀରେ କାର୍ଯ୍ୟକ୍ଷମ ହୋଇଆସୁଥିଲା । ଏବେ ଭୁବନେଶ୍ୱରରେ ଥିବା ଡା. ଅଭିନ୍ନଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ହସ୍ପିଟାଲରେ କେନ୍ଦ୍ରୀୟ ହୋମିଓପାଥି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଔଷଧ ପ୍ରମାଣନ ୟୁନିଟ୍ କାମ କରୁଛି । ହେଲେ ଏହାକୁ ଉନ୍ନତ ଓ ବ୍ୟାପକ କରିବା ପାଇଁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଓ ରାଜ୍ୟ ସରକାର ଯୋଜନା କରିଥିଲେ ।

୨୦୨୩ରେ ତତ୍କାଳୀନ ସରକାର ଏନେଇ ଜାମୁଝରିରେ ୫ ଏକର ଜମି ଯୋଗାଇଦେଇଥିଲେ । ଏହି କେନ୍ଦ୍ର ଖୋଲିଲେ ସେଠାରେ ହୋମିଓପାଥିର ବୈଜ୍ଞାନିକ ପ୍ରାମାଣିକତା, ଅନୁସନ୍ଧାନ ଏବଂ ଆଧୁନିକ ଚିକିତ୍ସା ପଦ୍ଧତିରେ ଏହି ପ୍ରାଚୀନ ଔଷଧର ପ୍ରୟୋଗ ନେଇ ବ୍ୟାପକ ଗବେଷଣା ହେବ । ସେହିପରି ହୋମିଓପାଥି ଚିକିତ୍ସା ନିମନ୍ତେ ପ୍ରମାଣଭିତ୍ତିକ ଚିକିତ୍ସା ପଦ୍ଧତି ସୃଷ୍ଟି, ଆର୍ଥରାଇଟ୍ସ, ସ୍ପୋଣ୍ଡିଲୋସିସ, ସିକିଲସେଲ ଆନିମିଆ ଭଳି ବିଭିନ୍ନ ରୋଗ ନିରାକରଣ କ୍ଷେତ୍ରରେ ଏହାର ପ୍ରୟୋଗଭିତ୍ତିକ କାର୍ଯ୍ୟଧାରା ସମ୍ପର୍କରେ ମଧ୍ୟ ଗବେଷଣା ହୋଇପାରିବ । ହୋମିଓପାଥି ପଢ଼ୁଥିବା ଛାତ୍ରଛାତ୍ରୀମାନେ ଉନ୍ନତ ଗବେଷଣା ପାଇଁ ଏକ ଭିତ୍ତିଭୂମି ପାଇବେ । ଏସବୁକୁ ଲକ୍ଷ୍ୟ ରଖି ହୋମିଓପାଥିକ ଗବେଷଣା ପ୍ରତିଷ୍ଠାନ ଖୋଲିବା ପାଇଁ ସରକାର ଅଣ୍ଟା ଭିଡ଼ିଥିଲେ । ହେଲେ ଦୀର୍ଘ ତିନିବର୍ଷ ବିତିଗଲାଣି । ପ୍ରତିଷ୍ଠାନର ଅଗ୍ରଗତି ପାଇଁ ବିଭାଗ ସ୍ତରରେ ପ୍ରକ୍ରିୟା ଚାଲିଆସୁଛି । ଆଗକୁ ଏହାର କାମ ଚାଲିବ ବୋଲି ଆୟୁଷ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ:-  ଦଣ୍ଡନାଚ ଦେଖି ଫେରିବା ବେଳେ ବାଟରେ ଛକି ବସିଥିଲା ମୃତ୍ୟୁ, ମା'-ଝିଅଙ୍କୁ ଦଳିଦେଲା ଦନ୍ତା

ଏକ୍ସରେ, ଅଲଟ୍ରାସାଉଣ୍ଡକୁ ଅପେକ୍ଷା କରିଛନ୍ତି ରୋଗୀ

ହୋମିଓପାଥିକ ହସ୍ପିଟାଲରେ ନିଦାନ (ପାଥୋଲୋଜି) ଖୋଲିଲା । ଏବେ ସେଠାରେ ୧୭ଟି ପରୀକ୍ଷା ସେବା ମିଳୁଛି । ସେଥିମଧ୍ୟରେ ମୁଖ୍ୟ ହେଉଛି ରକ୍ତ ପରୀକ୍ଷା । ଯେଉଁ କାରଣରୁ ପ୍ରତିଦିନ ଶହଶହ ରୋଗୀ ହୋମିଓପାଥିକ ହସ୍ପିଟାଲକୁ ଆସୁଛନ୍ତି । ହେଲେ ଏ ଯାଏ ଏକ୍ସରେ, ଅଲଟ୍ରାସାଉଣ୍ଡ୍ ସେବା ମିଳିପାରିନି । ଫଳରେ ରୋଗୀମାନେ ଘରୋଇ କ୍ଲିନିକ୍‌କୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ବର୍ତ୍ତମାନ ରାଜ୍ୟରେ ୪ଟି ହୋମିଓପାଥିକ ମେଡିକାଲ କଲେଜ ହସ୍ପିଟାଲରେ ନିଦାନ ସେବା ଉପଲବ୍ଧ । ୨୦୨୫ ଅଗଷ୍ଟରେ ସରକାର ଏନେଇ ଘୋଷଣା କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ୪୦ ପ୍ରକାରର ପାଥୋଲୋଜି ସେବା ମିଳିବ ବୋଲି କୁହାଯାଇଥିଲା, ହେଲେ ୧୭ପ୍ରକାର ମିଳୁଛି । ମୁଖ୍ୟତଃ ଏକ୍ସରେ, ଅଲଟ୍ରାସାଉଣ୍ଡ ପାଇଁ ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ହୋଇପାରିନି । ଖୁବଶୀଘ୍ର ମେସିନ୍ ଆସିବା ସହ ଏହି ସେବା ମିଳିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କାମ ଚାଲିଛି

ରାଜ୍ୟର ସର୍ବପୁରାତନ ହୋମିଓପାଥିକ ସ୍ୱାସ୍ଥ୍ୟାନୁଷ୍ଠାନ ଡା. ଅଭିନ୍ନଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ହସ୍ପିଟାଲରେ ଆରମ୍ଭ ହେବ ହୋମିଓପାଥି ଗବେଷଣା ଓ ବିଶ୍ଳେଷଣ ବିଭାଗ । ଗତବର୍ଷ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିବା ବେଳେ ଏଦିଗରେ ପ୍ରକ୍ରିୟା ଚାଲିଥିବା ଜଣାପଡ଼ିଛି । ଏହି ବିଭାଗ ହେଲେ ବିଦ୍ୟାର୍ଥୀମାନେ ହୋମିଓପାଥି ଉପରେ ଗବେଷଣା କରିବେ । ଆହୁରି ଖୁସିର କଥା, ଏହି ମେଡିକାଲ କଲେଜ ହସ୍ପିଟାଲଟି ଖୁବଶୀଘ୍ର ୧୦୦ ଶଯ୍ୟା ବିଶିଷ୍ଟ ବି ହେବାକୁ ଯାଉଛି । ଏଥିପାଇଁ ଅଧିକ ଘର କାମ ବି ଚାଲିଛି । ବର୍ତ୍ତମାନ ହସ୍ପିଟାଲରେ ୫୦ଟି ଶଯ୍ୟା ରହିଛି । ଯେଉଁଥିରେ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ୨୫ ଲେଖାଏଁ ଶଯ୍ୟା ସଂରକ୍ଷିତ । ଆହୁରି ୫୦ଟି ଶଯ୍ୟା ବଢାଇବାକୁ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ହସ୍ପିଟାଲର ବରିଷ୍ଠ ଚିକିତ୍ସକ ଡା. ପ୍ରତାପ ଚନ୍ଦ୍ର ଦାସ କହିଛନ୍ତି