ଭୁବନେଶ୍ୱର,୧୭/୦୫: ଆସନ୍ତା ତିନି ମାସ ଭିତରେ ଦେଓମାଳି ଉପରୁ ହଟିବ ପରିବେଶ ପର୍ଯ୍ୟଟନ ସ୍ଥଳୀ । ବନବିଭାଗକୁ ଏମିତି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ନ୍ୟାସନାଲ୍ ଗ୍ରୀନ୍ ଟ୍ରିବୁନାଲ (ଏନ୍ଜିଟି) । ଆସନ୍ତା ତିନି ମାସରେ ଯଦି ବନ ବିଭାଗ କେନ୍ଦ୍ର ଜଙ୍ଗଲ ମନ୍ତ୍ରଣାଳୟ ପାଖରୁ ଫରେଷ୍ଟ କ୍ଲିୟରାନ୍ସ ନ ଆଣି ପାରନ୍ତି, ବେଆଇନ ଭାବେ ବିଭାଗ ତୋଳିଥିବା ସମସ୍ତ ପରିବେଶ ପର୍ଯ୍ୟଟନସ୍ଥଳୀ ଘରଗୁଡ଼ିକୁ ଭାଙ୍ଗି ଦିଆଯିବ। ବଦଳରେ ସେଠାରେ ଲାଗିବ ପାଇନ ଗଛ ।
ଗୋଟିଏ ପଟେ ସରକାର ଜଙ୍ଗଲ ଅଧିକାର ଆଇନ ବଳରେ ଦେଓମାଳି ଆଖପାଖ ଅଞ୍ଚଳର ଲୋକଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରୁଥିବା ବେଳେ ପରିବେଶ ପର୍ଯ୍ୟଟନସ୍ଥଳୀକୁ ଅଣଚିହ୍ନିତ ଅଞ୍ଚଳରେ କରାଯାଇଥିବା ଯୁକ୍ତି କରୁଛନ୍ତି । ଦେଓମାଳିକୁ ନେଇ ବନବିଭାଗର ଏଭଳି ଦୋମୁହାଁ ନୀତି ତାକୁ କାଠଗଡ଼ାରେ ଛିଡ଼ା କରାଇଛି । ଏପରିକି ବନବିଭାଗ ଖୋଲାଖୋଲି ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦, ଜଙ୍ଗଲ ଅଧିକାର ଆଇନ ୨୦୦୬କୁ ଖୋଲାଖୋଲି ଉଲ୍ଲଂଘନ କରୁଥିବାର ଅଭିଯୋଗ ହୋଇଛି ।
କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ବନାଞ୍ଚଳରେ ଅବସ୍ଥିତ ଏହି ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାର ଏକ ଅଂଶ । ଏଥିପାଇଁ ଦେଓମାଳି ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ୨୦୨୨ ମସିହାରେ ପରିବେଶ ପର୍ଯ୍ୟଟନସ୍ଥଳୀ ନିର୍ମାଣ କରିବାକୁ ଯୋଜନା କରାଯାଇଥିଲା । ଯୋଜନା ଅଧୀନରେ ବନ ବିଭାଗ ୫.୮୪କୋଟି ଟଙ୍କା ବ୍ୟୟରେ ସେଠାରେ ୧୦ଟି ପରିବେଶ ପର୍ଯ୍ୟଟନସ୍ଥଳୀ, ବଡ଼ ଡରମିଟରିଜ୍, ପାଦଚଲା ରାସ୍ତା, ଭ୍ୟୁ ପଏଣ୍ଟ ଆଦି ନିର୍ମାଣ କରାଯାଇଥିଲା । ଜଙ୍ଗଲ ସଂରକ୍ଷଣ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରି ଏହି ଅବୈଧ ନିର୍ମାଣ କରାଯାଇଥିବା ପରିବେଶବିତ୍ମାନେ ଦାବି କରିଥିଲେ । ପରେ ଘଟଣା ଏନ୍ଜିଟି ଯାଏ ଯାଇଥିଲା ।
ଏନ୍ଜିଟିରେ ପ୍ରକାଶ ପାଇଥିବା ରାୟ ଅନୁସାରେ, ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦ ଅନୁସାରେ ଉପଯୁକ୍ତ ମଞ୍ଜୁରୀ ବିନା ଦେଓମାଳିରେ ପରିବେଶ କୁଟୀର ନିର୍ମାଣ କରାଯାଇଛି । ବକ୍ସାଇଟ ସମୃଦ୍ଧ ଏହି ଶିଖରରୁ ବେଆଇନ୍ ଭାବେ ମାଟି ଖୋଳାଯାଇ ବୃକ୍ଷରୋପଣ ଓ ନିର୍ମାଣ କରାଯିବା ସେଠାକାର ଜୈବବିବିଧତାକୁ ନଷ୍ଟ କରୁଛି । ପୁଣି ସ୍ଥାନୀୟ ପାଇନ୍ ଗଛକୁ ସେଠାରେ ପ୍ରତିରୋପଣ କରିବାର ପ୍ରୟାସ କରାନଯାଇ ଆସାମରୁ ନୂଆ ପ୍ରଜାତିର ଏକ ହଜାର ପାଇନ୍ ଗଛ ଅଣାଯାଇ ରୋପଣ କରାଯାଇଛି । ପ୍ରକଳ୍ପରେ ସ୍ଥାନୀୟ ସମ୍ପ୍ରଦାୟଙ୍କୁ ସାମିଲ କରାଯାଇନାହିଁ କି ସେମାନଙ୍କର ପାରମ୍ପରିକ ଜ୍ଞାନର ବ୍ୟବହାର କରାଯାଇନାହିଁ । ଯାହାକି ପରିବେଶ ପର୍ଯ୍ୟଟନ ନିମନ୍ତେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ୨୦୧୮ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁଛି ।
ଏନ୍ଜିଟିଙ୍କ ପକ୍ଷରୁ ସ୍ପଷ୍ଟ କୁହାଯାଇଛି ଯେ ଜଙ୍ଗଲ ବିଭାଗ ପକ୍ଷରୁ ଦେଓମାଳିକୁ ସେମିଳିଗୁଡା ବନାଞ୍ଚଳ ଅଞ୍ଚଳରେ ଥିବା ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ଭାବେ ଦର୍ଶାଯାଇଥିବା ବେଳେ ପରିବେଶ ପର୍ଯ୍ୟଟନସ୍ଥଳୀଟି ଅଣସର୍ଭେ ଜଙ୍ଗଲ କିସମ ଅଞ୍ଚଳରେ ଥିବା କହିଛି । ପୁଣି ସରକାରୀ ତଥ୍ୟରେ ଏହି ଅଞ୍ଚଳକୁ ଫରେଷ୍ଟ ବ୍ଲକ୍ ବୋଲି ରେକର୍ଡଭୁକ୍ତ କରାଯାଇଛି । ତେଣୁ ଏନ୍ଜିଟି ବନବିଭାଗର ଅଣଚିହ୍ନିତ ଜଙ୍ଗଲ କଥାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ପୁଣି ଏନ୍ଜିଟି ଯୁକ୍ତି କରିଛନ୍ତି, ଜଙ୍ଗଲ ବ୍ଲକ କହି ଜଙ୍ଗଲ ବିଭାଗ ସେମିଳିଗୁଡ଼ା ଅଞ୍ଚଳରେ ଅନୁସୂଚିତ ଜନଜାତିର ଦାବିଦାରଙ୍କୁ ଜଙ୍ଗଲ ଅଧିକାର ଆଇନ ବଳରେ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିଥିବା ବେଳେ ଏହା କିପରି ଓ କେଉଁ ପରିସ୍ଥିତିରେ ଅଣଚିହ୍ନିତ ଜଙ୍ଗଲ କିସମ ହେଲା ତାହା ତଦନ୍ତ ସାପେକ୍ଷ । ଯଦି ବନ ବିଭାଗ କେନ୍ଦ୍ର ଜଙ୍ଗଲ ମନ୍ତ୍ରଣାଳୟ ପାଖରୁ ଫରେଷ୍ଟ କ୍ଲିୟରାନ୍ସ ଆଣି ଏହା ନିର୍ମାଣ କରିଛନ୍ତି, ତାହା ଆସନ୍ତା ତିନି ମାସ ଭିତରେ ଦାଖଲ କରନ୍ତୁ । ନଚେତ ଅବୈଧ ନିର୍ମାଣରେ କଟକଣା ଲଗାଯାଇ ତାହାକୁ ନଷ୍ଟ କରାଯିବ ବୋଲି ଏନ୍ଜିଟି କହିଛନ୍ତି ।