ଭୁବନେଶ୍ୱର,୦୫/୦୪: ଅପରାଧ ଘଟାଇ ଯଦି କୌଣସି  କିନ୍ନର ଗିରଫ ହେଉଛନ୍ତି ତା’ହେଲେ ତାଙ୍କୁ ରଖିବାକୁ ଜେଲ୍‌ରେ ଜାଗା  ନାହିଁ । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ରାଜ୍ୟରେ ଥିବା ୮୭ଟି  ଜେଲ୍‌ରୁ ୮୪ଟିରେ କିନ୍ନର ରହିବାର କୌଣସି କ୍ଷମତା ନଥିବା ରିପୋର୍ଟ କହୁଛି। ସେମାନଙ୍କୁ ରଖିବାକୁ ଜେଲ୍‌ କର୍ତ୍ତୃପକ୍ଷ ନାକେଦମ୍‌ ହେଉଛନ୍ତି ।  

ସରକାରୀ ତଥ୍ୟ କହୁଛି, ରାଜ୍ୟର  ୯୧ଟି ଜେଲ୍‌ ମଧ୍ୟରୁ ଏବେ ୮୭ଟି  କାର୍ଯ୍ୟକ୍ଷମ । ଏ ସବୁ ଜେଲ୍‌ରେ ୨୪  ହଜାର ୧୯୬ ଜଣ କଏଦୀ ରହିବାର  କ୍ଷମତା ରହିଛି । ୨୨ ହଜାର ୨୨୯ ଜଣ  ପୁରୁଷ, ୧୯୩୭ ମହିଳା ଓ ୩୦ ଜଣ  କିନ୍ନର ଉକ୍ତ ଜେଲ୍‌ରେ ରହିପାରିବେ । ରାଉରକେଲା ସ୍ପେଶାଲ୍‌ ଜେଲ୍‌ରେ ୧୦  ଜଣ, ଚୌଦ୍ୱାର ମଣ୍ଡଳ ଜେଲ୍‌ରେ  ୧୦ ଓ ବ୍ରହ୍ମପୁର ମଣ୍ଡଳ ଜେଲ୍‌ରେ  ୧୦ ଜଣ କିନ୍ନର ରହିବାର ବ୍ୟବସ୍ଥା  ରହିଛି । ସେମାନଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ  ଓ ପାଇଖାନାର ବ୍ୟବସ୍ଥା ହୋଇଛି । 

୩ଟି ଜେଲ୍‌ରେ ମାର୍ଚ୍ଚ ଶେଷ ସୁଦ୍ଧା ୨ ଜଣ କିନ୍ନର ଅଛନ୍ତି । ବାକି କୌଣସି  ଜେଲ୍‌ରେ କିନ୍ନରଙ୍କ ପାଇଁ କୌଣସି ସ୍ୱତନ୍ତ୍ର ୱାର୍ଡ କିମ୍ବା ପାଇଖାନା ନାହିଁ ।  ଏବେ ବିଭିନ୍ନ ଜେଲ୍‌ରେ ୧୧ ଜଣ କିନ୍ନର ବନ୍ଦୀ ଅଛନ୍ତି । ଝାରପଡ଼ା ଜେଲ୍‌ରେ ୩  ଜଣ, ଭବାନୀପାଟଣା ଜିଲ୍ଲା ଜେଲ୍‌ ଓ ବଲାଙ୍ଗିର ଜେଲ୍‌ରେ ଜଣେ ଲେଖାଏ  ବିଚାରାଧୀନ କିନ୍ନର ଅଛନ୍ତି । ସେମାନେ ପୁରୁଷଙ୍କ ପାଇଖାନା ବ୍ୟବହାର  କରୁଛନ୍ତି । ବଡ଼ କଥା ହେଲା ସେମାନେ ଯେତେବେଳେ ଜେଲ୍‌କୁ ଯାଉଛନ୍ତି ତାଙ୍କୁ ଯାଞ୍ଚ କରିବା କାଠିକର ପାଠ ହେଉଛି ।  

ଏବେ କିଛି ଜେଲ୍‌ରେ କ୍ଷମତା  ଠାରୁ ଅଧିକ କଏଦୀ ରହୁଛନ୍ତି ।  ସବୁଠାରୁ ଆଗରେ ରହିଛି ଝାରପଡ଼ା  ଜେଲ୍‌ । ଏଠାରେ ୯୯୧ ଜଣ କଏଦୀ ରହିବାର କ୍ଷମତା ରହିଛି । ୯୫୩  ଜଣ ପୁରୁଷ, ୩୮ ଜଣ ମହିଳା  ରହିବାର ବ୍ୟବସ୍ଥା ଥିବାବେଳେ  କିନ୍ନରଙ୍କ ପାଇଁ କୌଣସି ଜାଗା ନାହିଁ । ବର୍ତ୍ତମାନ ଏଠାରେ କ୍ଷମତା ଠାରୁ  ଅଧିକ କଏଦୀ ଅଛନ୍ତି । ୯୬୯ ଜଣ  ପୁରୁଷ, ୪୦ ଜଣ ମହିଳା ଓ ୩ ଜଣ  କିନ୍ନରଙ୍କୁ ମିଶାଇ ମୋଟ ୧୦୧୧ ଜଣ  କଏଦୀ ରହୁଛନ୍ତି । ସେହିପରି ଭଦ୍ରକ  ଜେଲ୍‌ରେ ୨୦୩ ଜଣ କଏଦୀ ରହିବାର  ବ୍ୟବସ୍ଥା ଥିଲାବେଳେ ରହୁଛନ୍ତି ୨୫୬  ଜଣ। ବଲାଙ୍ଗିର ଜିଲ୍ଳା ଜେଲ୍‌ରେ  ୩୯୨ ଜଣ କଏଦୀ ରହିପାରିବେ ।  ହେଲେ ଏବେ ୪୭୭ ଜଣ ରହୁଛନ୍ତି । 

ଏ ସମ୍ପର୍କରେ ଜେଲ୍‌ ଡିଆଇଜି  କହିଛନ୍ତି, ଯେଉଁଠାରେ ନୂଆ ଜେଲ୍‌  ତିଆରି ଚାଲିଛି ସେଠାରେ ମହିଳା,  ପୁରୁଷଙ୍କ ସହ କିନ୍ନରମାନଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ହେଉଛି । ସେମାନଙ୍କ  ପାଇଁ ଅଲଗା ପାଇଖାନା ବ୍ୟବସ୍ଥା  ମଧ୍ୟ ହେଉଛି । ପ୍ରଥମ ପର୍ଯ୍ୟାୟରେ  ପ୍ରମୁଖ ଜେଲ୍‌ରେ କିନ୍ନରମାନଙ୍କ  ପାଇଁ ସବୁ ବ୍ୟବସ୍ଥା କରିବା ଲାଗି  ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।  ଏହା ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହେବ ।