ସତ୍ୟଯୁଗରୁ ପାଳିତ ହୋଇଆସୁଛି ଅକ୍ଷୟ ତୃତୀୟା । ଏହି ଦିନରେ ପ୍ରକୃତିର ପଞ୍ଚତତ୍ତ୍ୱ (ବାସ୍ତୁଶକ୍ତି) ସର୍ବାଧିକ ବଳବାନ୍ ଥାଆନ୍ତି । ପୃଥ୍ୱୀତତ୍ତ୍ୱ : ସୂର୍ଯ୍ୟଙ୍କ ନିକଟତମ ଅବସ୍ଥିତି ଯୋଗୁଁ ଭୂଗର୍ଭ ଥାଏ ଉତ୍ତପ୍ତ । ମୃତ୍ତିକାର ଉର୍ବରତା ସର୍ବୋତ୍କୃଷ୍ଟ ଥାଏ । ଅଗ୍ନିତତ୍ତ୍ୱ: ସକଳ ଶକ୍ତିର ଆଧାର ସୂର୍ଯ୍ୟ ଏହି ବୈଶାଖ ମାସରେ ମେଷ ରାଶିରେ ତୂଙ୍ଗୀ ହୋଇଥିବାରୁ ଅଗ୍ନିତତ୍ତ୍ୱ ମଧ୍ୟ ଥାଏ ପ୍ରଖର । ଜଳତତ୍ତ୍ୱ: ଅକ୍ଷୟ ତୃତୀୟା ତିଥିରେ ମନକାରକ ଜଳତତ୍ତ୍ୱର ଆଧାର ଚନ୍ଦ୍ର ବଳବାନ୍ ଥାଆନ୍ତି । ଏଣୁ ଭୂଗର୍ଭରେ ଜଳ ପ୍ରବାହ ପ୍ରଖର ତଥା ଉର୍ଜାଯୁକ୍ତ ଥାଏ । ବାୟୁତତ୍ତ୍ୱ: ପୃଥିବୀର ବାୟୁମଣ୍ଡଳ ଏହି ସମୟରେ ଚଞ୍ଚଳ, ଉତ୍ତପ୍ତ ଏବଂ ଉର୍ଜାଯୁକ୍ତ ଥାଏ । କାଳବୈଶାଖୀ ସୃଷ୍ଟି କରି ପୃଥିବୀକୁ ଶାନ୍ତ, ଶୀତଳ କରିଥାଏ । ଆକାଶତତ୍ତ୍ୱ: ଗ୍ରହ ଜଗତର ରାଜା ସୂର୍ଯ୍ୟ ତୁଙ୍ଗୀ ହୋଇଥିବାରୁ ଅନ୍ୟ ଗ୍ରହମାନଙ୍କର ନକରାତ୍ମକ ପ୍ରଭାବ ପ୍ରଶମିତ ହୋଇଥାଏ । ଅର୍ଥାତ୍ ଆକାଶ ତତ୍ତ୍ୱର ପ୍ରଭାବ ମଧ୍ୟ ବଳବାନ୍ ଥାଏ । ପଞ୍ଚତତ୍ତ୍ୱର କାର୍ଯ୍ୟକାରୀ ଶକ୍ତି ପ୍ରଖର ଥିବାରୁ ସମସ୍ତ ପ୍ରକାର ଶୁଭକର୍ମ ଏହି ଦିନରୁ ଆରମ୍ଭ ହେବାର ପରମ୍ପରା କେଉଁ କାଳରୁ ରହିଆସିଛି ।
ବିଜ୍ଞାନ ଦୃଷ୍ଟିରୁ ନିଉଟନ୍ଙ୍କ ତୃତୀୟ ନିୟମ ଅନୁଯାୟୀ ପ୍ରତ୍ୟେକ କ୍ରିୟାର ସମାନ ତଥା ବିପରୀତ ପ୍ରତିକ୍ରିୟା ରହିଥିବାରୁ ଏହି ସମୟରେ ଆରମ୍ଭ ଯାବତୀୟ କର୍ମ ସଫଳ ହେବାର ସମ୍ଭାବନା ବଢ଼ିଯାଇଥାଏ । କ’ଣ କରାଯାଏ,କାହିଁକି - ସବୁବର୍ଗ,ଧର୍ମର ମଣିଷ ପାଇଁ ମର୍ଯ୍ୟାଦା,ସୌଭାଗ୍ୟ, ସମୃଦ୍ଧିର ପ୍ରତୀକ ହେଉଛି ‘ସୁନା’ । କ୍ଷୟହୀନ ଦିବସରେ ସୁନା ଦ୍ରବ୍ୟ ଆଣିବା ଦ୍ୱାରା ସୌଭାଗ୍ୟ ଶକ୍ତିକୁ ଘରକୁ ଆହ୍ୱାନ କରାଯାଇଥାଏ । ସୁନା ବ୍ୟତୀତ ହୀରା, ଧାତୁଦ୍ରବ୍ୟ, ରତ୍ନପଥର,କୃଷି ଯନ୍ତ୍ରପାତି,ଦେବଦେବୀଙ୍କ ଯନ୍ତ୍ର ଇତ୍ୟାଦି ଘରକୁ ଅଣାଯାଇପାରେ । ଏସବୁ ଜରିଆରେ ପ୍ରକୃତିର ଅନୁକୂଳ ଉର୍ଜା ସ୍ରୋତ ସହ ସଂଯୋଗ ହୋଇପାରେ । ପୃଥିବୀର ଘୂର୍ଣ୍ଣାୟମାନ ଶକ୍ତି ବଳରେ ତାହା ନିରନ୍ତର ଯୁକ୍ତାତ୍ମକ ଫଳ ଦେଇଥାଏ । ଏସବୁ ବ୍ୟତୀତ ଅକ୍ଷୟ ତୃତୀୟା ଦିନ ଶୁଭଫଳ ପ୍ରାପ୍ତି ଲାଗି ଅନ୍ୟ କେତେଗୁଡ଼ିଏ ପଦକ୍ଷେପ ନେଇପାରନ୍ତି । ଯେପରି ଅଧିକ ଜଳଭାଗ ଥିବା ଫଳ ଖାଇବେ, ପ୍ରାତଃକାଳରେ ସୂର୍ଯ୍ୟଙ୍କୁ ପ୍ରଣାମ କରିବେ । ଐଶାନ୍ୟ କୋଣରେ ଶ୍ରୀଗଣେଶଙ୍କ ପୂଜା, କ୍ଷମତା ଅନୁସାରେ ଦାନ, ନୈରତ କୋଣରେ ଦମ୍ପତିଙ୍କ ଫଟୋ ଟାଙ୍ଗିବା, ସୂର୍ଯ୍ୟ ନାରାୟଣ ବ୍ରତ ରଖିବା, ଲକ୍ଷ୍ମୀଙ୍କ ନିକଟରେ ନୀଳପଦ୍ମ ଅର୍ପଣ କଲେ ଶୁଭଫଳ ପ୍ରାପ୍ତ ହେବେ । ଅର୍ଥ ପ୍ରାପ୍ତ ଲାଗି ଅକ୍ଷୟ ତୃତୀୟା ଦିନ ଘରର ୨୭୦ଡିଗ୍ରୀ କୋଣରେ ଲକ୍ଷ୍ମୀନାରାୟଣଙ୍କ ପୂଜା କଲେ ନିଶ୍ଚୟ ଲକ୍ଷ୍ୟ ହାସଲ କରିପାରିବେ । ନିଷେଧ କର୍ମ - ଅକ୍ଷୟ ତୃତୀୟାରେ କଂସା ଓ ପିତ୍ତଳ ବାସନରେ ଖାଇବେ ନାହିଁ ।