ନୂଆଦିଲ୍ଲୀ,୨୧/୦୫: ସୁପ୍ରିମକୋର୍ଟରେ ବୁଧବାର ୱାକଫ ସଂଶୋଧନ ଆଇନ ବିରୁଦ୍ଧରେ ଦାୟର ଆବେଦନ ଉପରେ ଶୁଣାଣି ସମୟରେ, କେନ୍ଦ୍ର କହିଛି ଯେ କୌଣସି ଆବେଦନକାରୀ ବ୍ୟକ୍ତିଗତ ଭାବରେ ଆଇନ ଦ୍ୱାରା ପ୍ରଭାବିତ ନୁହଁନ୍ତି। କେବଳ କିଛି ଲୋକ ଏକ ଆବେଦନ ଦାଖଲ କରି ସମଗ୍ର ମୁସଲିମ ସମ୍ପ୍ରଦାୟର ପ୍ରତିନିଧି ହୋଇପାରିବେ ନାହିଁ। ଆବେଦନକାରୀ କେବେ କହିପାରିବେ ନାହିଁ ଯେ, ଯେଉଁ ବିଷୟ ବା ସମସ୍ୟା ଗୁଡ଼ିକରେ ଆବେଦନ କରାଯାଇଛି ବା ଆଲୋଚନା ଚାଲିଛି, ସମଗ୍ର ମୁସଲିମ ସମ୍ପ୍ରଦାୟ ମଧ୍ୟ ସମାନ ସମସ୍ୟା ବିଷୟରେ ଭାବୁଛନ୍ତି।
କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ହାଜର ହୋଇଥିଲେ। ସେ କହିଥିଲେ ଯେ ସଂସଦ ସତର୍କତାର ସହ ବିଚାର କରିବା ପରେ ଆଇନ ତିଆରି କରିଛି ଏବଂ ଆଇନ ତିଆରି କରିବା ପୂର୍ବରୁ ଲକ୍ଷ ଲକ୍ଷ ଲୋକଙ୍କ ପରାମର୍ଶ ନିଆଯାଇଥିଲା। ଏସଜି ମେହେଟ୍ଟା କହିଛନ୍ତି ଯେ କିଛି ଲୋକ ନିଜକୁ ସମଗ୍ର ମୁସଲିମ ସମ୍ପ୍ରଦାୟର ପ୍ରତିନିଧି ବୋଲି କହିପାରିବେ ନାହିଁ ଏବଂ ୧୯୨୩ ମସିହାରୁ ୱାକଫ ଆଇନରେ ଏକ ତ୍ରୁଟି ଚାଲିଆସିଥିଲା, ଯାହାକୁ ସଂଶୋଧନ କରାଯାଇଛି।
ମଙ୍ଗଳବାର ଦିନ ମଧ୍ୟ ଏହି ମାମଲାର ଶୁଣାଣି ହୋଇଥିଲା, ଯେଉଁଥିରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବ୍ବଲ, ଅଭିଷେକ ମନୁ ସିଂଘଭି ଏବଂ ରାଜୀବ ଧାୱନ ଯୁକ୍ତି ବାଢ଼ିଥିଲେ। ଆଜି, ଏସଜି ତୁଷାର ମେହେଟା କେନ୍ଦ୍ର ପକ୍ଷରୁ ଉପସ୍ଥାପନ କରି କହିଥିଲେ ଯେ ୧୯୨୩ ରୁ ୧୯୯୫ ପର୍ଯ୍ୟନ୍ତ କେବଳ ମୁସଲମାନମାନେ ୱାକଫ କରିପାରିବେ ବୋଲି ବ୍ୟବସ୍ଥା ଥିଲା, କିନ୍ତୁ ୨୦୧୩ ମସିହାରେ ନିର୍ବାଚନ ପୂର୍ବରୁ ଏକ ଆଇନ ପ୍ରଣୟନ କରାଯାଇଥିଲା ଯେ ଯେକୌଣସି ବ୍ୟକ୍ତି ୱାକଫ କରିପାରିବେ। ସେ କହିଛନ୍ତି ଯେ ସରକାର ଏଥିରେ ସଂଶୋଧନ କରିଛନ୍ତି ଏବଂ ୱାକଫ ପାଇବା ପାଇଁ ଅତି କମରେ ପାଞ୍ଚ ବର୍ଷ ପାଇଁ ଇସଲାମ ଧର୍ମ ପାଳନ କରିବାକୁ ଏକ ସର୍ତ୍ତ ରଖାଯାଇଛି।
ଏସଜି ତୁଷାର ମେହେଟା କହିଛନ୍ତି, 'ଯଦି କେହି କୌଣସି ସ୍ଥାନ ବ୍ୟବହାର କରୁଛନ୍ତି, ତେବେ ତାଙ୍କ ପାଖରେ ସେହି ସ୍ଥାନର କାଗଜପତ୍ର ନାହିଁ ଏବଂ ସେ ଦାବି କରନ୍ତି ଯେ ଏହା ବ୍ୟବହାରକାରୀଙ୍କ ଦ୍ୱାରା ପଞ୍ଜିକୃତ ନ ଥିବା ୱାକଫ ଅଟେ।' ଯଦି ସରକାରୀ ରେକର୍ଡ ଅନୁଯାୟୀ ସମ୍ପତ୍ତିଟି ସରକାରୀ ସମ୍ପତ୍ତି, ତେବେ ଏହାର ତଦନ୍ତ କରାଯିବ କି ନାହିଁ? ଗତକାଲି ଶୁଣାଣିରେ ଆବେଦନକାରୀମାନେ ସମ୍ପତ୍ତିର ପଞ୍ଜୀକରଣ ଉପରେ ଆପତ୍ତି ଉଠାଇ କହିଥିଲେ ଯେ ୧୦୦-୨୦୦ ବର୍ଷ ପୁରୁଣା ୱାକଫ କାଗଜପତ୍ର କେଉଁଠାରୁ ଆସିବ? ତେବେ ତମାମ ପ୍ରସଙ୍ଗକୁ ନେଇ ବର୍ତ୍ତମାନ ସୁଦ୍ଧା ମଧ୍ୟ ଆବେଦନକାରୀ, କେନ୍ଦ୍ର ଏବଂ ସୁପ୍ରିମକୋର୍ଟଙ୍କ ମଧ୍ୟରେ ଆଲୋଚନା ଚାଲିଛି।