ନୂଆଦିଲ୍ଲୀ: ବଶର ଅଲ ଅସଦଙ୍କ ଶାସନ ଆଉ ନାହିଁ, ପଳାଅ ଏଠୁ। କିନ୍ତୁ ଜିବୁ କୋଉଠିକୁ? କୋଉଠିକି ବି...! କିନ୍ତୁ କୋଉଠିକୁ...?
ଯେତେବେଳେ ସିରିଆର ବିଦ୍ରୋହୀ ଗୋଷ୍ଠୀ ହିଜବ ତହରିର ଅଲ-ଶାମରର ସୈନିକମାନେ ସେଦନାୟା କାରାଗାରରେ ବନ୍ଦୀ ଥିବା ମହିଳାମାନଙ୍କୁ ମୁକ୍ତ କରିଥିଲେ, ସେତେବେଳେ ଜଣେ ମହିଳା ସେମାନଙ୍କୁ ଏପରି ପ୍ରଶ୍ନ ପଚାରିଥିଲେ। ଦୀର୍ଘ ଦିନ ଧରି କାରାଗାରରେ ଥିବା ଏହି ମହିଳା ମୁକ୍ତ ହେବା ପରେ କେଉଁଠିକୁ ଯିବେ ତାହା ମଧ୍ୟ ଜାଣି ପାରି ନଥିଲେ। ସେ ପଚାରିଥିଲେ ମୁଁ କୁଆଡେ ଯାଇପାରିବି? ବଶର ଅଲ-ଅସଦଙ୍କ ସୈନିକମାନେ ମତେ ଧରି ପୁଣି ଜେଲରେ ପୁରେଇଦେବେ...!
ଯେତେବେଳେ ବିଦ୍ରୋହୀ ଗୋଷ୍ଠୀ ସିରିଆର ରାଜଧାନୀ ଡମାସ୍କସ୍ କୁ କାବୁ କରିଥିଲା, ସେତେବେଳେ ହଜାର ହଜାର ଲୋକଙ୍କୁ ସେଦନାୟା କାରାଗାରରୁ ମୁକ୍ତ କରାଯାଇଥିଲା। ସେମାନଙ୍କ ମଧ୍ୟରେ କିଛି ଲୋକ ଏମିତି ଥିଲେ ଯେଉଁମାନେ ସେମାନଙ୍କ ଜୀବନର ଅଧାରୁ ଅଧିକ ସମୟ ଏହି କାଳକୋଠରିରେ କାଟିଥିଲେ| ଆଶ୍ଚର୍ଯ୍ୟର କଥା ହେଉଛି କିଛି ଲୋକ ଏମିତି ବି ଥିଲେ ଯେଉଁମାନେ ଏଠାରେ ଜନ୍ମ ହୋଇଥିଲେ ଏବଂ ହେତୁ ପାଇବାର ଅନେକ ଦିନ ପରେ ସେମାନେ ସ୍ୱାଧିନତା କଣ ଜାଣିବାକୁ ପାଇଲେ| ଅସାଦଙ୍କ ଏହି କାରାଗାର ବିଷୟରେ ସର୍ବସାଧାରଣରେ ବହୁ କମ ସୂଚନା ଉପଲବ୍ଧ ଅଛି। କିନ୍ତୁ ଯେଉଁ ସୂଚନା ନିକଟରେ ଲୋକମାନଙ୍କୁ ମିଳିଛି ତାହା ଅତ୍ୟନ୍ତ ଭୟାନକ।
ସିରିଆର ରାଜଧାନୀ ଡମାସ୍କସ୍ ଠୁ ସେଦନାୟା ଜେଲର ଦୁରତା ପ୍ରାୟ ୩୦ କିଲୋମିଟର। ବଶର ଅଲ-ଅସଦଙ୍କ ପିତା ହାଫିଜ୍ ଅଲ-ଅସଦ ସିରିଆର ଜମିଦାର ମାନଙ୍କଠୁ ଏହି ଜାଗା ଜବର ଦଖଲ କରି ୧୯୮୬ ମସିହାରେ ସେଦନାୟା ଜେଲ ବନେଇଥିଲେ। ହାଫିଜ୍ ଏହି ଜେଲ ନିଜ ବିରୋଧି ମାନଙ୍କ ପାଇଁ ବନେଇଥିଲେ। ୧୯୮୭ ମସିହାରେ ଏହି ଜେଲରେ ପ୍ରଥମେ କଏଦୀ ରହିବା ଆରମ୍ଭ କରିଥିଲେ।
ସେହି ସମୟରେ ହାଫିଜ୍ ନିଜ କୁଖ୍ୟାତପଣ ପାଇଁ ସାରା ମଧ୍ୟପ୍ରାଚ୍ୟରେ ବହୁ ଜଣାଶୁଣା ନେତା ଥିଲେ। ଜେନୋସାଇଡରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ହାଫିଜ୍ ନିଜ ବିରୋଧି ମାନଙ୍କୁ ଶାସ୍ତି ଦେବା ପାଇଁ ଫ୍ରାନ୍ସର ପୂର୍ବତନ ରାଜାମାନଙ୍କଠୁ ପ୍ରେରଣା ନେଇଥିଲେ। ଏହା ସହ ସେ ଆଡଲଫ ହିଟଲରଙ୍କ ଜଣେ ପରାମର୍ଶଦାତାଙ୍କୁ ଜେଲର ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରିଥିଲେ।
ସେଦନାୟା ଜେଲର ରକ୍ଷଣାବେକ୍ଷଣା ଦାୟିତ୍ତ୍ୱ ସିରିଆର ସାମରିକ ବିଭାଗ ଓ ସାମରିକ ଇଣ୍ଟେଲିଜେନ୍ସର ହାତରେ ରହିଥିଲା। ଏହି ଜେଲ ୧.୪ ସ୍କୋୟାର କିଲୋମିଟର ଅଞ୍ଚଳରେ ନିର୍ମିତ ହୋଇଥିବା ବେଳେ ଏହାକୁ ପ୍ରମୁଖ ଭାବେ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ମାନବାଧିକାର ସମୂହ ମାନଙ୍କ ଅନୁସାରେ ଗୋଟିଏ ଭାଗରେ ବିଦ୍ରୋହି ସାମରିକ ଅଫିସର ମାନଙ୍କୁ ରଖାଯାଉଥିଲା। ଜେଲର ଅନ୍ୟ ଭାଗକୁ ରେଡ ବିଲ୍ଡି କୁହାଯିବା ସହ ଏଥିରେ ବିରୋଧି ମାନଙ୍କୁ ରଖାଯାଉଥିଲା।
ବଶରଙ୍କ ସମୟରେ କିପରି ଚାଲୁଥିଲା ସେଦନାୟା ଜେଲ?
୨୦୧୧ ମସିହାରେ ସିରିଆରେ ଗୃହଯୁଦ୍ଧ୍ୟ ଆରମ୍ଭ ହେବା ପରେ ଅସଦ ହଜାର ହଜାର ଲୋକଙ୍କୁ ଏହି ଜେଲରେ ବନ୍ଦି କରିଥିଲେ। ଆମନେଷ୍ଟି ଇଣ୍ଟରନେସନାଲର ଏକ ରିପୋର୍ଟ ମୁତାବକ, ୨୦୧୧ ମସିହାରେ ଅସଦ ଏହି ଜେଲକୁ ସମ୍ପୂର୍ଣ୍ଣ ଖାଲି କରିଦେଇଥିଲେ। ଯେଉଁମାନେ ତାଙ୍କ ବିରୋଧରେ ପ୍ରଦର୍ଶନ କରୁଥିଲେ ସେମାନଙ୍କୁ ଧରିଆଣି ସେ ଏହି ଜେଲରେ ରଖୁଥିଲେ।
ଆମେରିକାର ଏକ ଆକଳନ ଅନୁସାରେ ସିରିଆର ଏହି ଜେଲରୁ ଏକ ଲକ୍ଷରୁ ଅଧିକ ଲୋକ ଗାଏବ ହୋଇସାରିଛନ୍ତି। ମାନବଧିକାର ସଂଗଠନ ଅନୁସାରେ ୨୦୧୧ରୁ ୨୦୧୮ ମଧ୍ୟରେ ପ୍ରାୟ ୩୦,୦୦୦ରୁ ଅଧିକ ଲୋକଙ୍କୁ ଏହି ଜେଲରେ ଫାଶି ଦିଆଯାଇଛି।
ନିର୍ଯାତନାର ଉଦାହରଣ “ରେଡ ବିଲ୍ଡିଂ”....!
ଜେଲରୁ ଖସି ପଳେଇ ଆସିଥିବା କଏଦୀ ମାନଙ୍କ ସହ ଯୋଗାଯୋଗ କରି ଆମନେଷ୍ଟି ଇଣ୍ଟରନେସନାଲ ୨୦୧୭ରେ ଏକ ରିପୋର୍ଟ ପ୍ରକାଶିତ କରିଥିଲା। ସେଠାରେ କଏଦୀ ମାନଙ୍କୁ ଅଧିକାରି ମାନେ ଭୋକିଲା ରଖିବା ସହ ମାରପିଟ କରୁଥିଲେ। ତା ସହ ମହିଳା କଏଦୀ ମାନଙ୍କୁ ଅଧିକାରି ମାନେ ବାରମ୍ବାର ଦୁଷ୍କର୍ମ କରୁଥିଲେ ବୋଲି ସେମାନେ ପ୍ରକାଶ କରିଥିଲେ। ଏହି ରିପୋର୍ଟରେ ଜଣେ ପୂର୍ବତନ ସୁରକ୍ଷା ଅଧିକାରି ନିଜ ନାମ ଗୋପନ ରଖି କହିଥିଲେ ଜେଲର ତଳେ ଥିବା ବେସମେଣ୍ଟରେ ପ୍ରତିଦିନ କାହାକୁ ନା କାହାକୁ ଫାଶି ଦିଆଯାଇଥାଏ। ବେଳେବେଳେ ଏହି ସଂଖ୍ୟା ୧୦୦ ପାର କରିଯାଏ ବୋଲି ସେ କହିଥିଲେ।
ରବିବାର ଦିନ ବିଦ୍ରୋହି ମାନେ ଏହି ଜେଲ ଭାଙ୍ଗିବା ପରେ ଏମିତି ଅନେକ ଲୋକ ଏଠାରୁ ବାହାରିଥିଲେ ଯେଉଁମାନଙ୍କୁ ନିଜ ନାଁ ମଧ୍ୟ ଜଣା ନଥିଲା। ଅନେକ ବର୍ଷ, ଧରି ଜେଲରେ ବନ୍ଦ ରହିଥିବା ମହିଳା କଏଦୀ ମାନଙ୍କର ପାଖରେ ଛୋଟଛୁଆ ରହିଥିଲେ। ଯାହା ସେମାନଙ୍କ ସହ ଦୁର୍ଷର୍ମ ହୋଇଛି ବୋଲି ଦର୍ଶାଉଛି। ବିଦ୍ରୋହି ମାନଙ୍କର ନେତା ଅବୁ ମହମ୍ମଦ ଅଲ-ଜୁନାନି ଏହି ହତ୍ୟା ଓ ଦୁଷ୍କର୍ମ ପଛରେ ଥିବା ଅଧିକାରି ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା କରିଛନ୍ତି। କିନ୍ତୁ ସେଦନାୟା ଜେଲର ଅନେକ କଳା କାହାଣୀର ଗୁମର ଖୋଲିବା ବାକି ରହିଛି।