ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଚୁକ୍ତିରେ ସୀମିତ ମନସ୍ତତ୍ତ୍ୱବିତ୍‌ ହେବାର ଲକ୍ଷ୍ୟ

Published By : Rasmita Pradhan | October 10, 2024 10:52 AM

ଭୁବନେଶ୍ୱର, ୧୦/୧୦ : ଛାତ୍ରଛାତ୍ରୀମାନେ ମାନସିକ ସ୍ୱାସ୍ଥ୍ୟ ଉପରେ ଶିକ୍ଷା ଗ୍ରହଣ କରିବେ । ଡାକ୍ତରଙ୍କ ଭଳି ସେମାନେ ମଧ୍ୟ ମାନସିକ ରୋଗୀଙ୍କ ସହ ବାର୍ତ୍ତାଳପ କରି ମାନସିକ ସ୍ଥିତି ପରଖିବେ । କେବଳ ସେତିକି ନୁହେଁ, ହସ୍ପିଟାଲର ବିଶେଷଜ୍ଞମାନେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବେ । ଏଭଳି ଏକ ଲକ୍ଷ୍ୟ ରଖାଯାଇ ଗତ ୨୦୨୩ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟର ମନସ୍ତତ୍ୱ ବିଭାଗ ଓ କ୍ୟାପିଟାଲ ହସ୍ପିଟାଲସ୍ଥିତ ବିଭାଗ ପୋଷ୍ଟ ଗ୍ରାଜୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ଏଜୁକେସନ୍‌ ଆଣ୍ଡ୍‌ ରିସର୍ଚ୍ଚ (ପିଜିଆଇଏମ୍‌ଇଆର୍‌) ମଧ୍ୟରେ ଏକ ବୁଝାମଣାପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା । ଏହି ଚୁକ୍ତି ୩ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିଛି । ହେଲେ ଇତିମଧ୍ୟରେ ପ୍ରାୟ ୧ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ହେଁ ପିଲାଙ୍କ ମନସ୍ତତ୍ତ୍ୱବିତ୍‌ ହେବାର ଲକ୍ଷ୍ୟ ପୂରଣ ହୋଇନି । କେବଳ ଇଣ୍ଟର୍ଣ୍ଣସିପ୍‌ରେ ଏହା ସୀମିତ ରହିଛି । ନା କୌଣସି କ୍ଷେତ୍ର ପରିଦର୍ଶନ ହେଉଛି ନା ବିଶେଷଜ୍ଞଙ୍କ ଦ୍ୱାରା ଛାତ୍ରଛାତ୍ରୀମାନେ କୌଣସି ଶିକ୍ଷା ଗ୍ରହଣ କରିପାରୁଛନ୍ତି । ଫଳସ୍ୱରୂପ କେବଳ ଚୁକ୍ତିରେ ଏସବୁ ସୀମିତ ରହିଛି । 

କରୋନା ପରେ ପରେ ମାନସିକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ବଢ଼ିଚାଲିଥିଲା । ବିଶେଷକରି କର୍ମକ୍ଷେତ୍ରରେ କାର୍ଯ୍ୟରତ କର୍ମଜୀବୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାନସିକ ସ୍ଥିତି ବିଗିଡ଼ିଥିଲା । ତେଣୁ ଏସବୁକୁ କିଭଳି ନିୟନ୍ତ୍ରଣ କରାଯିବ ସେଥିପାଇଁ ଉଭୟ ବିଶ୍ୱବିଦ୍ୟାଳୟ ଓ କ୍ୟାପିଟାଲ ହସ୍ପିଟାଲ ଚିନ୍ତା କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାର ସଚେତନତା ହୋଇପାରିଲେ ଏହି ଶିକ୍ଷା ତୃଣମୂଳରେ ପ୍ରସାରିତ ହେବ ବୋଲି ଲକ୍ଷ୍ୟ ରଖାଯାଇଥିଲା । ତେଣୁ ଏହି ଚୁକ୍ତି ହୋଇଥିଲା । ଏଥିରେ ଆନ୍ତଃଶୃଙ୍ଖଳା ଗବେଷଣା ଓ ମାନସିକ ଚିକିତ୍ସା କ୍ଷେତ୍ରରେ ଉଭୟ ଅନୁଷ୍ଠାନ କାର୍ଯ୍ୟ କରିବେ ବୋଲି କୁହାଯାଇଥିଲା । ସ୍ୱଳ୍ପକାଳୀନ ଶିକ୍ଷଣ ଅଭିଜ୍ଞତା, ଜନସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ପ୍ରାସଙ୍ଗିକ ଆନ୍ତଃଶୃଙ୍ଖଳା କ୍ଷେତ୍ର ଯଥା ସକାରାତ୍ମକ ମନୋବିଜ୍ଞାନ, ମାନସିକ ସ୍ୱାସ୍ଥ୍ୟ ଚାପ ପରିଚାଳନା, କର୍ମଶାଳା ମାଧ୍ୟମରେ ମନୋବୈଜ୍ଞାନିକ ପରାମର୍ଶ ପ୍ରଦାନ କରାଯାଇପାରିବ । ହେଲେ ପରେ ପରେ ପିଜିଆଇଏମଇଆରର ତତ୍କାଳୀନ ନିର୍ଦ୍ଦେଶିକାଙ୍କ ଅବସର ଓ ଅନ୍ୟାନ୍ୟ କର୍ମଚାପ ହେତୁ ଏହି ପାଠ୍ୟକ୍ରମ ଆଖିଦୃଶିଆ ଭାବେ ଆଗେଇପାରିନି ବୋଲି ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱବିତ୍‌ ବିଭାଗ ପକ୍ଷରୁ କୁହାଯାଇଛି । 

ସେହିପରି ମନସ୍ତତ୍ତ୍ୱ ବିଭାଗରେ ୧୧ଜଣଙ୍କ ବଦଳରେ ଏବେ ମାତ୍ର ୪ଜଣ ଅଧ୍ୟାପକ ରହିଛନ୍ତି । ତେଣୁ ମାନବସମ୍ବଳ ଅଭାବ ଏହାର ଅନ୍ୟ ଏକ କାରଣ ଅଟେ । ତଥାପି ଛାତ୍ରଛାତ୍ରୀମାନେ ଇଣ୍ଟର୍ଣ୍ଣସିପ୍‌ କରୁଛନ୍ତି ବୋଲି ବିଭାଗୀୟ ମୁଖ୍ୟ ପ୍ରଫେସର ଭାସ୍ୱତୀ ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି, ଏହି ଯୋଜନା ବନ୍ଦ ହୋଇନି । ସମୟ ଅଭାବରୁ ଏହା ଆଗେଇପାରିନି । ଆଗକୁ ଆମେ ଷ୍ଟ୍ରେସ୍‌ ମ୍ୟାନେଜମେଣ୍ଟ ସେମିନାର ଉପରେ ଧ୍ୟାନ ଦେବୁ । କ୍ୟାପିଟାଲ ହସ୍ପିଟାଲ ସାଇକୋଲୋଜି ବିଭାଗରେ ଚିକିତ୍ସାରତ ରୋଗୀଙ୍କୁ ଆମ ଛାତ୍ରଛାତ୍ରୀମାନେ ଭେଟିବେ ଓ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଓ ଏହାର ନିରାକରଣ ଉପରେ ବୁଝାଇବେ । ଏଥିସହ ହସ୍ପିଟାଲର ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଗାଇଡ୍‌ କରିବେ । ପ୍ରକାଶ ଥାଉକି, ଉତ୍କଳ ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱବିତ୍‌ ବିଭାଗରେ ଏବେ ୪୮ଟି ସିଟ୍‌ ରହିଛି । ଚଳିତବର୍ଷ ସମସ୍ତ ସିଟ୍‌ ପୂରଣ ହୋଇଛି । ହେଲେ ଅଧ୍ୟାପକ ପଦବି ଖାଲି ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.