ନୂଆଦିଲ୍ଲୀ ୨୪/୦୩: ସାରା ବିଶ୍ୱରେ ପ୍ରତିବର୍ଷ ମାର୍ଚ୍ଚ ୨୪ରେ ବିଶ୍ୱ ଟିବି ବା ଯକ୍ଷ୍ମା ଦିବସ ପାଳନ କରାଯାଏ । ଲୋକଙ୍କ ମଧ୍ୟରେ ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଦିବସ ପାଳନର ଉଦ୍ଦେଶ୍ୟ । ଟ୍ୟୁବରକ୍ୟୁଲୋସିସ୍ ବା ଟିବି ଏକ ସଂକ୍ରାମକ ରୋଗ । ଏହା ବାୟୁ ମାଧ୍ୟମରେ ଜଣଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ । ମାଇକୋବ୍ୟାକ୍ଟେରିୟମ ଟ୍ୟୁବରକ୍ୟୁଲୋସିସ୍ ଜୀବାଣୁ କାରଣରୁ ଟିବି ହୋଇଥାଏ । ସମୟ ପୂର୍ବରୁ ଟିବି ଚିହ୍ନଟ ହୋଇପାରିଲେ ଏହାର ନିରାକରଣ ସମ୍ଭବ । ଭାରତରେ ପ୍ରତିବର୍ଷ ଟିବିର ଲକ୍ଷାଧିକ ରୋଗୀ ଚିହ୍ନଟ ହୋଇଥାନ୍ତି । ଟିବି ବିଶେଷକରି ଫୁସ୍ଫୁସ୍କୁ ସଂକ୍ରମଣ କରିଥାଏ । କିନ୍ତୁ ଏହା ଅନ୍ୟ ଅଙ୍ଗକୁ ବି ପ୍ରଭାବିତ କରିପାରେ । ୩ ସପ୍ତାହ କିମ୍ବା ଅଧିକ ସମୟ ଧରି ଲଗାତର କାଶ, ଛାତିରେ ଯନ୍ତ୍ରଣା, କଫରେ ରକ୍ତ, ଥକ୍କାପଣ, ଓଜନ ହ୍ରାସ, ଭୋକ ନ ଲାଗିବା, ଥଣ୍ଡା ଜ୍ୱର, ରାତିରେ ଝାଳ ବାହାରିବା ଆଦି ଏହାର ସାଧାରଣ ଲକ୍ଷଣ ।
ଆମେରିକାର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ଅନୁସାରେ ୧୮୮୨ ମାର୍ଚ୍ଚ ୨୪ରେ ଡାକ୍ତର ରବର୍ଟ କୋଚ୍ ଟିବି ରୋଗ ପାଇଁ ଦାୟୀ ମାଇକୋବ୍ୟାକ୍ଟେରିୟମ୍ ଟ୍ୟୁବରକ୍ୟୁଲୋସିସ୍ ବ୍ୟାକ୍ଟେରିଆ ଖୋଜି ପାଇଥିଲେ । ଏହା ପରେ ତାଙ୍କୁ ୧୯୦୫ ମସିହାରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଡା. କୋଚ୍ଙ୍କ ଆବିଷ୍କାର ଅନୁସାରେ ପ୍ରତିବର୍ଷ ମାର୍ଚ୍ଚ ୨୪ରେ ବିଶ୍ୱ ଟିବି ଦିବସ ପାଳନ ଲାଗି ଘୋଷଣା କରାଯାଇଥିଲା । ତେବେ ପ୍ରତିବର୍ଷ ବିଶ୍ୱ ଯକ୍ଷ୍ମା ଦିବସ ଏକ ନିର୍ଦ୍ଦିଷ୍ଟ ଥିମ୍ ସହିତ ପାଳନ କରାଯାଏ। ଚଳିତ ବର୍ଷର ଥିମ୍ "ହଁ! ଆମେ ଟିବି ଶେଷ କରିପାରିବା!" ଉପରେ ଆଧାରିତ। ଯାହାର ଅର୍ଥ ହେଉଛି ଏକତ୍ର ଆମେ ଏହି ରୋଗକୁ ଦୂର କରିପାରିବା।