ପ୍ରମୂଖ ଖବର
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ପୁଲିସ ଶାସନକୁ ଅଡ଼ୁଆ ୬୪୯ ଭଡ଼ା ସ୍କର୍ପିଓ ! ୨୦୦୦ କିମି ପରେ ଆଉ ଗଡ଼ିବନି, ଭାଇରାଲ୍ ଅଡିଓକୁ ନେଇ ହଇଚଇ

Published By : Prameya | July 26, 2025 12:54 PM

ଜଗତସିଂହପୁର,୨୬/୦୭(ସିଦ୍ଧାର୍ଥ ଦାସ):  ପୁଲିସର ଶୃଙ୍ଖଳିତ ଶାସନ ବ୍ୟବସ୍ଥା ଭିତରେ ଅବ୍ୟବସ୍ଥା ଧଶେଇ ପଶିଛି । ତୃତୀୟ ପକ୍ଷର ହୁକୁମ ଜାରିକୁ ନେଇ କୌତୂହଳ ପ୍ରକାଶ ପାଇଛି । ଏଭଳି ଅଘୋଷିତ ଫତୁଆ ଭବିଷ୍ୟତରେ ଥାନାଗୁଡ଼ିକରେ ଅଚଳାବସ୍ଥାକୁ ଟାଣି ଆଣିବାର ଯଥେଷ୍ଟ ସମ୍ଭାବନା ମଧ୍ୟ । ଥାନାଧିକାରୀମାନେ ମଧ୍ୟ ସାଧାରଣ ଜନତାଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ଶୂନ୍ୟକୁ ହାତ ଟେକି ଦେବାକୁ ଚିନ୍ତା କରିବେ । ଯାହାକି ଏବେ ଭାଇରାଲ୍‌ ହୋଇଥିବା ଏକ ଅଡିଓ ବାରି ହୋଇଯାଇଛି ।  

ଖାସ୍‌ କରି ବର୍ତ୍ତମାନ ରାଜ୍ୟର ଅନେକ ଥାନାରେ ଚାରିଚକିଆ ଗାଡ଼ି ସଙ୍କଟ ଦେଖାଦେଇଛି । ନୂଆ ସ୍କର୍ପିଓ ପ୍ରଦାନ ପରେ ଗୋଟିଏ କରି ପୁରୁଣା ଚଳନକ୍ଷମ ଗାଡ଼ିକୁ ଅଧିକାଂଶ ଥାନାରୁ ହଟାଇ ନିଆଯାଇଛି । ଏଣେ ଯୋଗାଣ ହୋଇଥିବା ନୂତନ ସ୍କର୍ପିଓ  ରାସ୍ତାରେ ଗଡ଼ିବା ନେଇ ଯେଉଁ ନୀତି ନିୟମ ରଖାଯାଇଛି ତାହାହିଁ ଥାନାଧିକାରୀଙ୍କ ମୁଣ୍ଡରେ ଚଡ଼କ ପକାଇଛି । ଆଉ ଭାଇରାଲ୍‌ ଅଡିଓ  ଅଧିକାଂଶ ପୁଲିସ ବାବୁଙ୍କ ମୁଣ୍ଡ ବିନ୍ଧାକୁ ବଢାଇ ଦେଇଛି । ଉକ୍ତ ଅଡିଓର ପ୍ରାରମ୍ଭରୁ କେହି ଜଣେ ଜୟ ଜଗନ୍ନାଥ ଉଚ୍ଚାରଣ ସହ କଟକ-ଭୁବନେଶ୍ୱର ପୁଲିସ କମିଶନରେଟ୍‌ର ଗାଡ଼ି  ଚାଳକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତତ୍‌ସହିତ ଚାଳକଙ୍କ ପାଖରେ ଅତିଶୀଘ୍ର ବେତନ ପହଞ୍ଚିବ ବୋଲି ଜଣାଇଛନ୍ତି । ଏତଦ୍‌ଭିନ୍ନ ୨୦୦୦ କିମି  ପରେ ଆଉ ଗାଡ଼ି ଗଡ଼ିବନି ବୋଲି ନିର୍ଦ୍ଦେଶ  ଦିଆଯାଉଛି । ଯଦି କୌଣସି ଚାଳକ ଏହାକୁ  ଉଲ୍ଲଂଘନ କରନ୍ତି ତା’ହେଲେ ସେମାନଙ୍କ ଦରମାରୁ ଏହାକୁ ଭରଣା କରାଯିବ । ଅର୍ଥାତ ଥାନାଧିକାରୀଙ୍କ କଥାରେ ଯଦି କୌଣସି ଚାଳକ  ୨୦୦୦(ମାସକୁ ୨୦୦ ଲିଟର ତେଲ) କିମିକୁ ଅତିକ୍ରମ କରି ଗାଡ଼ି ଚଳାଇବେ ତା’ହେଲେ ପ୍ରତି କିମି ପିଛା ୧୫ ଟଙ୍କା ସେମାନଙ୍କ ଦରମାରୁ  କଟାଯିବ । ଯଦି କୌଣସି ଥାନାଧିକାରୀ ଏକ୍ଷେତ୍ରରେ ଚାପ ପକାଉଛନ୍ତି ତା’ହେଲେ  ସେମାନଙ୍କୁ ପ୍ରଥମେ ବୁଝାନ୍ତୁ ଏବଂ ଅଧିକ କିମି ଗାଡ଼ି ଯଦି ଗଡ଼ିବ ସେ ସଂକ୍ରାନ୍ତରେ ଡିସିପି, କମିଶନର, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ  କିମ୍ବା ଗୃହ ବିଭାଗକୁ ଜଣାନ୍ତୁ ବୋଲି ପରାମର୍ଶ  ଦିଆଯାଇଛି । ଏବିଷୟରେ ଜଣାଇବାରେ  କିଛି ଅସୁବିଧା ନାହିଁ । ତା’ଛଡ଼ା ୨୦୦୦  କିମି ଗଡ଼ିବା ପରେ ଗାଡ଼ିକୁ ରଖିଦେବେ ।  ଡ୍ୟୁଟି କିନ୍ତୁ ପ୍ରତିଦିନ ହେବ । ଚାଳକମାନେ  ଥାନାକୁ ଯାଇ ଗାଡ଼ିକୁ ଧୋଇବେ, ପୋଛିବେ, ଝାଡ଼ିବେ । କାର୍ଯ୍ୟରେ ଖିଲାଫ ହେବ ନାହିଁ ।  ଘରକୁ ମଧ୍ୟ ମନଇଚ୍ଛା ଯାଇପାରିବେ ନାହିଁ ବୋଲି ଚାଳକଙ୍କ ଉଦ୍ଦେଶ୍ୟରେ ଉକ୍ତ  ଅଡିଓ ବାର୍ତ୍ତା ଜରିଆରେ ସ୍ପଷ୍ଟ କରାଯାଇଛି ।  

ସିଧାସଳଖ କହିବାକୁ ଗଲେ ଉକ୍ତ  ଗାଡ଼ିଟି ୨୦୦୦ କିମି ପର୍ଯ୍ୟନ୍ତ ଥାନାଧିକାରୀଙ୍କ  ନିୟନ୍ତ୍ରଣରେ ରହିବ । ତା’ପରେ ଚାଳକ ମାନେ ବସିକି ପୋଷା ହେବେ । ଏଣେ  ଭଡ଼ାସୂତ୍ରରେ ଥିବା ଉକ୍ତ ଗାଡ଼ି ଏବଂ ବାହାର  ଚାଳକଙ୍କୁ ବିଶ୍ୱାସକୁ ନେଇ ଥାନାଧିକାରୀ  କିମ୍ବା ଥାନାର ଅନ୍ୟ ଅଫିସରମାନେ ଗୁପ୍ତ  ଚଢ଼ଉ କରିବା ନେଇ ପ୍ରଶ୍ନ ଉଠିବା ମଧ୍ୟ  ଆରମ୍ଭ ହୋଇଛି । ଅପରପକ୍ଷେ ଦେଖିଲେ  ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୨୦୨୪  ମସିହା ଡିସେମ୍ବର ୨୧ ତାରିଖ ଚିଠି ସଂଖ୍ୟା  ୪୮୧୫୦ରେ ପ୍ରତି ଥାନାକୁ ଅତିରିକ୍ତ ଚାରି  ଚକିଆ ଗାଡ଼ି ଭାବେ ସ୍କର୍ପିଓ ଯୋଗାଣ ହେବ  ବୋଲି ସ୍ପଷ୍ଟ କରାଯାଇଥିଲା । ମୋଟ ଉପରେ  ୬୪୯ ସ୍କର୍ପିଓ ଭଡ଼ା ସୂତ୍ରରେ ଥାନାମାନଙ୍କୁ  ପଠାଯିବାର ବ୍ୟବସ୍ଥା ହୋଇଥିବା ଉକ୍ତ ଚିଠିରେ  ଉଲ୍ଲେଖ ରହିଛି । ବର୍ତ୍ତମାନ ସମୟରେ ରାଜ୍ୟର  ପ୍ରାୟ ସମସ୍ତ ଥାନାରେ ସ୍କର୍ପିଓ ପହଞ୍ଚିଯାଇଛି ।  ଆଶ୍ଚର୍ଯ୍ୟ, ଅତିରିକ୍ତ ଭାବେ ସ୍କର୍ପିଓ ଯୋଗାଣ  ପରେ ଅନେକ ଥାନାରେ ଚାଲୁଥିବା ଗୋଟିଏ  କରି ପୁରୁଣା ଚାରି ଚକିଆ ଯାନକୁ ପୁଲିସ  ପ୍ରଶାସନ ପକ୍ଷରୁ ଅପସାରିତ କରି ନିଆଯାଇଛି ।   

ବର୍ତ୍ତମାନ ସମୟରେ ପୁଲିସ ଉପରେ କାର୍ଯ୍ୟଚାପ ଲଦି ହୋଇଯାଇଛି । ଧାରଣା, ସଭା ଆଦିରେ ମୁତୟନକୁ ଛାଡ଼ି ପୁଲିସ ଏବେ  ପ୍ରାୟତଃ ଜମି ମାପଚୁପରେ ଛିଡ଼ା ହେଲେଣି । ଏଣେ କିନ୍ତୁ ନୂତନ ସ୍କର୍ପିଓ କେବଳ ୨୦୦୦ କିମି  ପର୍ଯ୍ୟନ୍ତ ଦୌଡ଼ିବ । ଏମିତି ହିସାବ ରଖି ପୁଲିସ ଚାଲିପାରିବ କି? ଅନୁରୂପ ଭାବେ ରାଜ୍ୟର  ଅନେକ ଥାନାରେ ବାର୍ଷିକ ପଞ୍ଜିକୃତ ମାମଲା  ସଂଖ୍ୟା ହଜାରେ ଉପରକୁ ଟପି ଯାଉଛି । ଏସବୁ ଥାନା ଅଧୀନରେ ଫାଣ୍ଡି ରହୁଛି । ଏବେଯାଏ ୧୦ଟି  ପଞ୍ଚାୟତ ପରିକ୍ରମା କରୁଥିବା ଫାଣ୍ଡିକୁ ମଧ୍ୟ  ଚାରିଚକିଆ ଗାଡ଼ି ଉପଳବ୍ଧ କରାଯାଇ ନାହିଁ ।  ଆହୁରି ବିସ୍ମୟ, ଯେଉଁ ଥାନା ପରିସୀମାରେ  ଦୁଇଟି କିମ୍ବା ତଦୁଦ୍ଧ୍ୱର୍ ପଞ୍ଚାୟତ ରହିଛି ସେଠି  ବି ୨୦୦୦ କିମି ଧରି ସ୍କର୍ପିଓ ଧାଇଁବ ଏବଂ  ଯେଉଁ ଥାନା ଇଲାକାରେ ୩୦ଟି ପଞ୍ଚାୟତ  ରହୁଛି ସେଠି ବି ଏହି ନିୟମ ରଖାଯାଇଛି ।  ତେବେ ମୁଖ୍ୟ ଥାନା ଗୁଡ଼ିକରେ ସ୍କର୍ପିଓ ଗାଡ଼ିର  ଦୌଡ଼ିବା ଉପରେ କଟକଣା ଆଗାମୀ ଦିନରେ  ପୁଲିସ ଶାସନକୁ ପଙ୍ଗୁ କରିଦେବାର ସନ୍ଦେହ । 

ତେବେ କମିଶନରେଟ ପୁଲିସର ଜଣେ  ବରିଷ୍ଠ ଅଧିକାରୀ କହିଛନ୍ତି, ନୂଆ ସ୍କର୍ପିଓ  ସହିତ ପୂର୍ବରୁ ପୁରୁଣା ଗାଡ଼ି ମଧ୍ୟ ବ୍ୟବହାର  ପାଇଁ ରଖାଯାଇଛି ।ଯଦି ଗ୍ରାମାଞ୍ଚଳ ଥାନାରୁ ପୁରୁଣା ଗାଡ଼ି କଢ଼ାଯାଇଥିବା ତେବେ ତାହା  ଭୁଲ୍‌ ନିଷ୍ପତ୍ତି । ପୂର୍ବରୁ ଥାନା ଗାଡ଼ିକୁ ମାସିକ  ୨୫୦ ଲିଟର ତେଲ ମିଳୁଥିଲା । ଆବଶ୍ୟକ  ପଡ଼ିଲେ ଅଧିକ ତେଲ ମିଳୁଥିଲା । ୨୫୦  ଲିଟରରେ ପ୍ରତି ଥାନା ଗାଡ଼ି ୩୨୫୦ କି.ମି.  ଦୌଡ଼ୁଥିଲା। ବର୍ତ୍ତମାନ କେସସଂଖ୍ୟା ଯେତିକି  ସ୍କର୍ପିଓ ପାଇଁ ଅଧିକ ତେଲ ଆବଶ୍ୟକ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.