ଯଦି କେହି ଜଣେ ପ୍ରଶ୍ନ କରେ “ତୁମେ  କାହାର ପୁଅ କି ଝିଅ’ ତେବେ ବୁଝିବାକୁ  ହେବ ଯେ ପ୍ରଶ୍ନକର୍ତ୍ତା ତୁମ ପରିଚୟ ନୁହେଁ,  ତୁମ ବଂଶ ପରିଚୟ ଖୋଜୁଛନ୍ତି । ବର୍ତ୍ତମାନ  ତୁମେ କେବଳ ତୁମ ପରିବାରର ଏକ  ସମସାମୟିକ ସଂସ୍କରଣ । ସେହିପରି ବ୍ୟକ୍ତିର  ପାରିପାଶ୍ୱର୍ିକ ଅବସ୍ଥା, ଓ ଜାତୀୟତାକୁ  ଆଧାର କରି ଅନେକ ପ୍ରଶ୍ନ କରାଯାଇଥାଏ।

ଏହି ଆଲେଖ୍ୟରେ ବ୍ୟକ୍ତ କରାଯାଇଥିବା ସମସ୍ୟାର  କେନ୍ଦ୍ରବିନ୍ଦୁରେ ଆମେ ସମସ୍ତେ ଆବହମାନ  କାଳରୁ ଅଭିନୟରତ । ଏକକ ଚରିତ୍ର ହୋଇଥିଲେ ମଧ୍ୟ  ଭିନ୍ନ ଭିନ୍ନ ଭୂମିକାରେ ଆମେ ଅବତୀର୍ଣ୍ଣ ହୋଇଥାଉ ।  ଅଭିନୟର କୁଶଳତା ଅଥବା କଳାନୈପୁଣ୍ୟ ପ୍ରଦର୍ଶନରେ  ଆମର ଦକ୍ଷତା ପ୍ରାସଙ୍ଗିକ ନୁହେଁ । ଆମ ଭିତରେ ଯେଉଁ  ଅରୂପ, ଅଦୃଶ୍ୟ "ସା'ଟି ଆପଣା ସତ୍ତାକୁ ଗୁପ୍ତ ରଖି  ନିଜସ୍ୱ ପରିଚୟକୁ ଅସ୍ୱୀକାର କରି ବାରମ୍ବାର ବିବିଧ ଚରିତ୍ରମାନଙ୍କର "କା' ପରିଗ୍ରହଣ କରୁଥାଏ ଏବଂ  କର୍ତ୍ତବ୍ୟ କର୍ମ ସମ୍ପାଦନ ନିମିତ୍ତ ସ୍ୱୟଂ ଗୋପ୍ୟ ରହିଥାଏ,  ସେହି ବିଚିତ୍ର, ଅଦେହୀ କିନ୍ତୁ ସଦା ସର୍ବଦେହୀ "ସା' ର  ପରିଚୟ ଅନୁସନ୍ଧାନ ଦ୍‌ାରା "ଆତ୍ମଜ୍ଞାନ' ଆହରଣ ଏହି  ଉପସ୍ଥାପନାର ଆଭିମୁଖ୍ୟ ।

"ଆତ୍ମଜ୍ଞାନ' ଶବ୍ଦଟି ଏକ ମାୟା ଦର୍ପଣ ଭଳି ।  ଏହା ଅସଂଖ୍ୟ ପ୍ରଚଳିତ ତଥା ଅବଲୁପ୍ତ ଅନେକ ଚିନ୍ତା,  ଚେତନା, ତତ୍ତ୍ୱ, ସୂତ୍ର ସହ ସଂଯୁକ୍ତ ସମ୍ଭାବନାରେ ସମୃଦ୍ଧ  ଏବଂ ବହୁସ୍ତରୀୟ, ସୂକ୍ଷ୍ମାତି ସୂକ୍ଷ୍ମ ଅର୍ଥ ବହନ କରୁଥିବା  ଏକ ନିର୍ମିତ ନିର୍ମାଣ । ମହାମୂର୍ଖ ଏହି ଶବ୍ଦର ସ୍ୱେଚ୍ଛାଚାରୀ ପ୍ରୟୋଗ କରେ, କାରଣ ତା'ର କିଛି ଅର୍ଥ ବୁଝିବାର  ନିଷ୍ଠା ନଥାଏ । କିନ୍ତୁ ସଜ୍ଜନ, ଜ୍ଞାନୀ, ସାଧୁମାନେ ଏହି  ଶବ୍ଦ ବ୍ୟାଖ୍ୟା କରିବାରେ ବହୁ ସମୟ, ଶ୍ରମ ଓ ସାଧନା  ବିନିଯୋଗ କରିଥାନ୍ତି । ସେମାନଙ୍କର ଉଦ୍ଦେଶ୍ୟ ସର୍ବଦା  ମହତ, ସମାଜର ହିତ, ଜନତାର କଲ୍ୟାଣ । ସମସ୍ୟା ସୃଷ୍ଟି ହୁଏ ତୁମ ଆମ ଭଳି ସାଧାରଣ ମଣିଷମାନଙ୍କ  ଲାଗି । ଆମେ ମୂର୍ଖକୁ ଡରିଥାଉ, ତାକୁ ଦୂରୁ ଜୁହାର ।  ପଣ୍ଡିତମାନେ ଶବ୍ଦର ଅର୍ଥକୁ ଅବାଧ୍ୟତାର ଢାଲ ପିନ୍ଧାଇ  ଆମକୁ ଚମତ୍କୃତ କରିବା ପରିବର୍ତ୍ତେ ଏପରି ଭୀତତ୍ରସ୍ତ  କରିଦିଅନ୍ତି ଯେ ଆମେ ସେ ଦିଗରେ ଆଗ୍ରହ ପ୍ରକାଶ କରିବାକୁ ଡରିଯାଉ ।

ଆମ "ସା' ସମ୍ବନ୍ଧରେ ପ୍ରଚଳିତ ମୁଖ୍ୟତଃ ଦୁଇଟି  ସଂଜ୍ଞା ସାର୍ବଜନୀନ ସ୍ୱୀକୃତି ଲାଭ କରିଛି । ପ୍ରଥମଟି ହେଲା  "ଅମୃତସ୍ୟ ପୁତ୍ର' ଅର୍ଥାତ ସାମଗ୍ରିକ ଭାବରେ ଏହା  ଦେବତ୍ୱ/ ସମସ୍ତ ଦେବସୁଲଭ ସତ୍‌ ଗୁଣର ଅଧିକାରୀ ।  ମନୁଷ୍ୟ ଶରୀରରେ ଦେବତା/ ଦେବତ୍ୱର ଅନିନ୍ଦ୍ୟ  ଅବସ୍ଥାନ । ଏହା ଏକ ସମ୍ପୂର୍ଣ୍ଣ ସକାରାତ୍ମକ ଅନନ୍ୟ  ଦୃଷ୍ଟିଭଙ୍ଗୀ । ଦ୍ୱିତୀୟଟି ହେଲା ଆମ "ସା', ଈଶ୍ୱରଙ୍କର  ଏକ ସଂକ୍ଷିପ୍ତ ସଂସ୍କରଣ । କିନ୍ତୁ ଜନ୍ମକାଳରୁ କୌଣସି  ମୌଳିକ ପାପର ବୋଝ ବୋହି ସେ ଧରାପୃଷ୍ଠକୁ  ଆସିଛି ଏବଂ ଜୀବନ ବଞ୍ଚିବାର ଅର୍ଥ ହେଲା ପାପମୁକ୍ତ  ହେବା ଲାଗି ସର୍ବଦା ସକାରାତ୍ମକ ସତ୍କର୍ମ ସମ୍ପାଦନ ।  ଏହା ସମନ୍ୱିତ ପ୍ରାୟଶ୍ଚିତ ପ୍ରକରଣର ଭଗ୍ନାଂଶ ମାତ୍ର ।  ଏହି ମତବାଦରେ ସ୍ୱର୍ଗୀୟ ଅନୁଚିନ୍ତା ସହ ଜଡ଼ିତ ଏକ  ନକାରାତ୍ମକ ଦୃଷ୍ଟିକୋଣ ଲକ୍ଷ୍ୟ କରିହୁଏ । ଏହିଠାରୁ  ହିଁ ଆତ୍ମଜ୍ଞାନ ପ୍ରାପ୍ତି ପଥରେ ପଥିକଟିକୁ ପାଦ ଥାପିବାର  ପ୍ରଥମ ସୋପାନ ଆତ୍ମପରିଚୟ ସ୍ଥିର କରିବାର ବୃହତ  ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ପ୍ରକୃତରେ ମୁଁ  କିଏ? ଏହି ପ୍ରଶ୍ନର ଉତ୍ତର ଖୋଜିବା ବଦଳରେ ସେ  ଅସୁମାରୀ "କା' ପରିଗ୍ରହଣ କରିଚାଲେ ଜନ୍ମରୁ ମୃତ୍ୟୁ  ପର୍ଯ୍ୟନ୍ତ । ଏହି ବହୁବିଧ "କା'ଗୁଡିକ ମଧ୍ୟରୁ କେତେକ  ବାହ୍ୟ ଅନୁପ୍ରବେଶ, କିନ୍ତୁ ଅଧିକାଂଶ ବ୍ୟକ୍ତିର ନିଜସ୍ୱ  ଚୟନ । ସମୟ ପ୍ରବାହ ସହ ସତତ ପରିବର୍ତ୍ତନଶୀଳ, ପରିଚୟର ରଙ୍ଗୀନ ଖୋଳପାମାନଙ୍କର ପରସ୍ତ ବଢ଼ିଚାଲେ ଓ ଆତ୍ମଜ୍ଞାନ ଆହରଣ/ଅନୁଚିନ୍ତନ ଅବହେଳାର ଦାୟରେ  ପଡ଼ି ମରି ହଜିଯାଏ । ମାନବ ସ୍ୱରୂପର ଅଭ୍ୟନ୍ତରରେ  ଲୁକ୍କାୟିତ ସୁପ୍ତ ଦେବତ୍ୱ ଜାଗ୍ରତ ହୋଇ କେତେବେଳେ,  କାହାଲାଗି, କିପରି ଓ କେଉଁ ସମୟରେ କେତେ  କାମରେ ଲାଗେ ଏବଂ କାହାର ଜାଗତିକ ପାର୍ଥିବ ଜୀବନ କେଉଁ ସ୍ୱର୍ଗୀୟ ସ୍ପର୍ଶରେ ଆଲୋକିତ ହୁଏ, ସେକଥା  କେହି କହିପାରିବେ ନାହିଁ ।

ଉତ୍ତରାଧିକାର ସୂତ୍ରରେ ପ୍ରାପ୍ତ ହୋଇଥିବା କେଉଁ  ପାପର କେତେ ଶତାଂଶ ପ୍ରାୟଶ୍ଚିତ ହୁଏ କାହାକୁ  ଜଣାନଥାଏ । ଆପଣାର ଛାଲଗୁଡ଼ିକୁ ଆତ୍ମରକ୍ଷାର ଢାଲ  କରି ଆପଣାକୁ ଛପାଇ ରଖିବାର ପ୍ରଚଣ୍ଡ ପ୍ରଚେଷ୍ଟାରେ  ଈଶ୍ୱରଦତ୍ତ ଚାରି ଦିନର ଜୀବନ ବୁଦବୁଦ ଭଳି ନିମିଷକେ  ନିଶ୍ଚିହ୍ନ ହୋଇଯାଏ । ଜନ୍ମମୁହୂର୍ତ୍ତରୁ ପାରିବାରିକ ପରିଚୟ  ଆରମ୍ଭ ହୋଇଯାଏ "ତୁମେ ଅମୁକଙ୍କ ପୁଅ କି ଝିଅ,  କାହାର ନାତି, ନାତୁଣୀ, ପୁତୁରା, ଝିଆରୀ, ଭଣଜା,  ଭାଣିଜୀ' ଇତ୍ୟାଦି । ପରିବର୍ଦ୍ଧିତ କ୍ଷେତ୍ରରେ ଜଣେ ସ୍ୱାମୀ,  ସ୍ତ୍ରୀ, ବାପ, ମାଆ, କକେଇ ଖୁଡ଼ୀ, ମଉସା, ମାଉସୀ,  ପିଉସା, ପିଉସୀ, ମାମୁ, ମାଈଁ, ଶଶୁର, ଶାଶୂ' ଇତ୍ୟାଦି  ଭୂମିକାରେ ଉପନୀତ ହେବା ଅବଶ୍ୟମ୍ଭାବୀ । କ୍ରମେ  ସମାଜ, ଧର୍ମ, ପ୍ରାନ୍ତ, ଭାଷା, ପ୍ରଦେଶ, ଦେଶ– ଭିନ୍ନ ଭିନ୍ନ  ମୂଲ୍ୟର ପରିଚୟପତ୍ର ପ୍ରଦାନ କରନ୍ତି । ତୁମେ ଅମୁକ  ଧର୍ମଧାରୀ, ସମୂକ ଦେଶର ମୂଳ ବାସିନ୍ଦା ଇତ୍ୟାଦି । ଏ  ସମସ୍ତ ବାହ୍ୟ ପ୍ରକରଣ, ଏକପ୍ରକାର ଜୋର ଜବରଦସ୍ତ  ଦାୟିତ୍ୱର ବୋଝ, ଯାହା ସର୍ବଥା ବ୍ୟକ୍ତିକୁ ବହନ କରିବାକୁ  ହୁଏ । ଏହି ବାହ୍ୟ ପରିଚୟପତ୍ରମାନଙ୍କୁ ଜଣେ ଇଚ୍ଛା କଲେ  ବହୁଧା ପରିତ୍ୟାଗ ମଧ୍ୟ କରିପାରେ । ତାହାଦ୍ୱାରା କାହାରି  କୌଣସି କ୍ଷତି ହୋଇନଥାଏ । ସମସ୍ୟାର ମୂଳ ହେଉଛି,  ଯେଉଁ ରଙ୍ଗୀନ ଚିତ୍ରପଟ ସୁଦୃଶ୍ୟ ଆସ୍ତରଣଗୁଡ଼ିକ ବ୍ୟକ୍ତି  ନିଜ ଇଚ୍ଛାରେ, ନିଜ ଲାଗି ଆଗ୍ରହର ସହ ମୂଲ୍ୟ ପ୍ରଦାନ  କରି କଠିନ ଶ୍ରମ ସାଧନ ମାଧ୍ୟମରେ ସଂଗ୍ରହ କରିଥାଏ  ଏବଂ ସେଗୁଡ଼ିକ ହିଁ ତା'ର ପରିପୂର୍ଣ୍ଣ ସାର୍ବଜନୀନ  ପରିଚୟପତ୍ର ବୋଲି ଉଚ୍ଚସ୍ୱରରେ କୁହାଟ ମାରେ ।  

ଏପରି କ୍ଷେତ୍ରରେ ବ୍ୟକ୍ତି ଆପଣାର ନୈତିକ/ମୌଳିକ/ ସ୍ୱର୍ଗୀୟ ଗୁରୁଦାୟିତ୍ୱ ଭୁଲି ଏକପ୍ରକାର ଅସମ୍ପୂର୍ଣ୍ଣ ବୌଦ୍ଧିକ  ଦୁର୍ବଳତାରେ ବ୍ୟାଧିଗ୍ରସ୍ତ ହୋଇଯାଏ । ଯଦି କେହି ଜଣେ  ପ୍ରଶ୍ନ କରେ "ତୁମେ କାହାର ପୁଅ କି ଝିଅ' ତେବେ  ବୁଝିବାକୁ ହେବ ଯେ ପ୍ରଶ୍ନକର୍ତ୍ତା ତୁମ ପରିଚୟ ନୁହେଁ,  ତୁମ ବଂଶ ପରିଚୟ ଖୋଜୁଛନ୍ତି । ବର୍ତ୍ତମାନ ତୁମେ  କେବଳ ତୁମ ପରିବାରର ଏକ ସମସାମୟିକ ସଂସ୍କରଣ ।  ସେହିପରି ବ୍ୟକ୍ତିର ପାରିପାଶ୍ୱର୍ିକ ଅବସ୍ଥା, ପରିସ୍ଥିତି,  ବସବାସ କରୁଥିବା ଭୂଖଣ୍ଡ ଓ ଜାତୀୟତାକୁ ଆଧାର କରି  ଅନେକ ପ୍ରଶ୍ନ କରାଯାଇଥାଏ । "କେମିତି ଅଛ, କେଉଁଠୁ  ଆସିଲ, କେଉଁ ଦେଶର' ଇତ୍ୟାଦି । ଏ ସମସ୍ତ ଆନୁଷ୍ଠାନିକ  ରୀତିରେ ବ୍ୟବହାର କରାଯାଉଥିବା କୁଶଳ ସମ୍ଭାଷଣ  ମାତ୍ର । ଏପରି ସୌଜନ୍ୟମୂଳକ, ବାର୍ତ୍ତା-ଆଳାପ/ଉତ୍ତର  ପ୍ରତ୍ୟୁତ୍ତର ଦ୍ୱାରା ବ୍ୟକ୍ତିର ଆତ୍ମପରିଚୟ ଅନୁସନ୍ଧାନ/ପ୍ରାପ୍ତ  କରାଯାଇନଥାଏ । କିନ୍ତୁ ଯଦି ପ୍ରଶ୍ନ କରାଯାଏ "ତୁମେ କିଏ',  ତେବେ ଠିକ୍‌ ଉତ୍ତର ପ୍ରଦାନ କରିବା ବ୍ୟକ୍ତି ପକ୍ଷରେ ଏକ  ବିଡ଼ମ୍ବିତ ଉଦ୍ୟମ ହୋଇପାରେ । ସେ କେବଳ ଆପଣାର  ମୁଖା, ଛାଲ/ଖୋଳପାର ଢାଲ ପ୍ରଦର୍ଶନ କରିବାକୁ ସମର୍ଥ  ହେବ । "ମୁଁ ଜଣେ ବିଦ୍ୟାବନ୍ତ, ଅ'ଠାରୁ ମ', ଯ, ହ, କ୍ଷ'  ପର୍ଯ୍ୟନ୍ତ ସବୁ ଉପାଧିରେ ବିଭୂଷିତ, ସର୍ବସାଧାରଣରେ  ମହିମାମଣ୍ଡିତ । (ଏହା ତୁମର ଅଧ୍ୟୟନ/ଅଧ୍ୟବସାୟର  ଫଳ, ଏହା ତୁମେ ନୁହଁ ।) "ମୁଁ ଜଣେ ମହାମାନ୍ୟ, ମୁଁ  ଜଣେ ହାକିମ, ଡାକ୍ତର, ଓକିଲ, ଅଫିସର, ପ୍ରଫେସର,  ଅନୁଷ୍ଠାନ, ପ୍ରଦେଶ, ଦେଶ ପ୍ରଭୃତିର ମୁଖ୍ୟ’ ଇତ୍ୟାଦି ।  (ଏହା ତୁମର ବୃତ୍ତି, ତୁମେ ନୁହଁ ।) ‘ମୁଁ ମନ୍ତ୍ରୀ, ଦେଶ  ସେବକ, ବ୍ୟବସାୟୀ, ଶିଳ୍ପପତି, ଧନ କୁବେର’ । (ଏହା  ତୁମର ପେସା ଓ ନିଶା । ଜୀବନ ବଞ୍ଚିବାର ଅବଲମ୍ବନ ।  

ତୁମେ ଅର୍ଜନ କରିଥିବା ପାର୍ଥିବ ଧନ ସମ୍ପତ୍ତି ତୁମର  ସାଂସାରିକ ଦକ୍ଷତା ତଥା ଦୁନିଆଦାରୀରେ ସଫଳତା ବୟାନ  କରିପାରେ, କିନ୍ତୁ ଏହାର ସମଷ୍ଟି ଅବା ପରିମାଣ ତୁମର  ପ୍ରକୃତ ସଂଜ୍ଞାର ସୂଚକାଙ୍କ ନୁହେଁ । ଏସବୁର ସମାହାର  କେବେହେଲେ "ତୁମେ' ନୁହଁ) । ମୁଁ କାରିଗର, ଚୋର,  ଯାଦୁକର, ପୁରୋହିତ, ଘାତକ, ମଡାଚଣ୍ଡିଆ ଇତ୍ୟାଦି ।  (ଏହା ତୁମର କୌଳିକ କର୍ମ ସୂଚାଇଦିଏ, କିନ୍ତୁ ଏହା  ମଧ୍ୟ "ତୁମେ' ନୁହଁ ।) ଲକ୍ଷ୍ୟ କରିବାର ବିଷୟ ଯେ, ଏହି  ସମସ୍ତ ଉତ୍ତରରେ ଆମର "ସା' ଗୋପ୍ୟ ରହିଯାଉଛି ଏବଂ  ଆମ ସମ୍ମୁଖରେ କେବଳ ବିଭିନ୍ନ "କା'ଗୁଡ଼ିକ ପଟୁଆର  ସଜାଡ଼ିବାରେ ପଟୁତା ପ୍ରଦର୍ଶନ କରିଚାଲିଛନ୍ତି । କୌଣସି  "ଈଶ୍ୱରୀୟ ବିଭା' ଏହି "କା'ମାନଙ୍କ ଶୋଭାଯାତ୍ରାରେ  ଦୃଷ୍ଟିଗୋଚର ହେଉନାହିଁ । ଯେକୌଣସି ମନନଶୀଳ ବ୍ୟକ୍ତି  ସହଜରେ ବୁଝିପାରିବେ ଯେ ଆମେ ନିଜକୁ ଆଚ୍ଛାଦିତ  କରିଥିବା ପରସ୍ତ ପରସ୍ତ ଖୋଳପାର ଆସ୍ତରଣ ଆମ  ଚତୁଃପାଶ୍ୱର୍ରେ ଆତ୍ମପ୍ରବଞ୍ଚନାର ଏପରି ଘନ କୁହେଳି ସୃଷ୍ଟି  କରୁଛି, ଯେଉଁଥିରେ ଆମର ମୌଳିକ ପରିଚୟ ଚିରକାଳ  ନିମିତ୍ତ ଅବଲୁପ୍ତ ହୋଇଯାଉଛି । "ପଣେ କାହାଣୀ'ର  ଚିତ୍ରିତ ଅନ୍ଧକାର ଭିତରେ ବିଚରା ଅସଲ "ମଣିଷ ଜଣକ'  ଚିରକାଳ ନିମିତ୍ତ ହଜିଯାଉଛି ଅଥବା ଅଲୋଡ଼ା ପାଲଟି  ଯାଉଛି । ଆମେ ଜନ୍ମ ଓ ଜୀବନର ଆଭିମୁଖ୍ୟ ବିସ୍ମୃତ ହୋଇ  ସଂସାରରୂପୀ ମାୟା ନଗରୀର ଉଦ୍‌ଭ୍ରାନ୍ତ ପାନ୍ଥ ପାଲଟି  ଯାଉଛୁ । "ଆତ୍ମପରିଚୟ' ପାସୋରିଗଲେ "ଆତ୍ମଜ୍ଞାନ'  ପ୍ରାପ୍ତ ହେବା ମରୁକ୍ଷେତ୍ରରେ ପୁଣ୍ୟତୋୟା ତଟିନୀର  ନିରର୍ଥକ ଅନୁସନ୍ଧାନ ସଦୃଶ ହେବ ସିନା, ଦିଗହରା  ପଥିକର ତୃଷା ମେଣ୍ଟିବ ନାହିଁ । ଏହା ମଣିଷ ପ୍ରଜାତି ନିମିତ୍ତ  ଅସ୍ତିତ୍ୱବାଦ ସହ ଗଭୀର ଭାବରେ ଅନୁବନ୍ଧିତ ସମସ୍ୟା ।  ଜୀବନ ପ୍ରତି ସନ୍ଦେହ, ନିଜକୁ ତଥା ସାମୂହିକ ଭାବରେ  ମଣିଷ ପ୍ରତି ଅବିଶ୍ୱାସ ମିଶ୍ରିତ ବ୍ୟଙ୍ଗାତ୍ମକ ଦୃଷ୍ଟିଭଙ୍ଗୀ  ଇତ୍ୟାଦି ଏହାର ଲକ୍ଷଣ । ଏହି ସମସ୍ୟାର ଏକ ବଳିଷ୍ଠ  ନାଟ୍ୟ ଉପସ୍ଥାପନା ସେକ୍ସପିଅରଙ୍କ ପ୍ରସିଦ୍ଧ ବିୟୋଗାତ୍ମକ  ନାଟକ "କିଙ୍ଗ ଲିଅର'ରେ ଦେଖିବାକୁ ମିଳେ । 

ନିଜର  ରାଜ୍ୟ, ରାଜକୀୟ ସମ୍ଭାର ତଥା ଆନୁଷଙ୍ଗିକ ଉପଚାର  ହରାଇ, ବାସଶୂନ୍ୟ, ଆଶ୍ରୟ ବିହୀନ ଅଶୀତିପର ବୃଦ୍ଧ  ରାଜା ଲିଅର, ଝଡ଼ ତୋଫାନରେ ପ୍ରକମ୍ପିତ ଜନଶୂନ୍ୟ  ପ୍ରାନ୍ତରରେ ଦିଗହରା ହୋଇ ଘୂରିବୁଲିବା କାଳରେ,  ଜନ୍ମରୁ ଏପର୍ଯ୍ୟନ୍ତ ନିଜକୁ ଆବୃତ୍ତ କରି ରଖିଥିବା କ୍ଷମତା- ଦକ୍ଷତାର ପରିଚାୟକ,"କୃତ୍ରିମତାର ଆବରଣ' ରାଜକୀୟ  ବସନ ଭୂଷଣରୁ ଆପଣାକୁ ସମ୍ପୂର୍ଣ୍ଣ ବିବସ୍ତ୍ର କରି ଯେଉଁ  ପ୍ରଶ୍ନଟି ଉତ୍‌ଥାପନ କରନ୍ତି ("ମଣିଷ' କହିଲେ କାହାକୁ  ବୁଝାଏ? ସେ କ'ଣ କେବଳ ଏକ ଆସ୍ଥା ଓ ଆଶ୍ରୟ  ବିବର୍ଜିତ ଏକ ଦ୍ୱିପଦ ପ୍ରାଣୀ³ ଆଉ କିଛି ଅଧିକ ନୁହେଁ?')  ଲିଅରଙ୍କର ନିଜପ୍ରତି ଉଦ୍ଦିଷ୍ଟ ଏହି ଦାର୍ଶନିକ ଅନୁସନ୍ଧିତ୍ସା  ନିଜକୁ ଖୋଜି ପାଇବାକୁ ସୁପ୍ତ ଚେତନାର ଉନ୍ମେଷ ବୋଲି  ଗ୍ରହଣ କରାଯାଇପାରେ । ସେ ନିଜର ସମସ୍ତ "କା'ମାନଙ୍କୁ  ପରିତ୍ୟାଗ କରିଛନ୍ତି, ସେଗୁଡ଼ିକ ଯେ ଛଳନାତ୍ମକ,  ଆତ୍ମପ୍ରବଞ୍ଚନାର ସମନ୍ୱିତ ଆଧାର, ଏହି ନିଷ୍କର୍ଷରେ  ଉପନୀତ ହୋଇଛନ୍ତି । ପ୍ରତ୍ୟେକ ବ୍ୟକ୍ତି କ୍ଷେତ୍ରରେ ଏହି  ପ୍ରଶ୍ନର ପରିକଳ୍ପନା ଓ ପ୍ରୟୋଗ ନିଜର "ସା' ପୁନରୁଦ୍ଧାର  ନିମିତ୍ତ ପ୍ରତିବଦ୍ଧତା ପ୍ରମାଣିତ କରେ ଏବଂ ତାଙ୍କର  "ଆତ୍ମଜ୍ଞାନ' ପ୍ରାପ୍ତି ପଥରେ ପ୍ରଥମ ପଦପାତର ସୂଚକାଙ୍କ  ଅଙ୍କନ କରିଥାଏ । ଏହି ପଦଯାତ୍ରାର ଅନ୍ତିମ ଚରଣ ହିଁ  ‘ଉତ୍ତରଣ', ଯାହାର ଅନ୍ୟ ନାମ "ମୋକ୍ଷ' ।