ନୂଆଦିଲ୍ଲୀ ୨୫/୧୧: ସୋସିଆଲ ମିଡିଆ ପେଜ୍ରେ ଅନେକେ ‘ବ୍ଲୁ ସ୍କାଏ’ ଶବ୍ଦ ପପ୍-ଅପ୍ ହେଉଥିବା ଦେଖିଥିବେ । ଏହି ଶବ୍ଦ ଏବେ ବେଶ୍ ଚର୍ଚ୍ଚାରେ । କାରଣ ଏଲନ୍ ମସ୍କଙ୍କ ମାଲିକାନାରେ ଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ର ଏହା ଏକ ବିକଳ୍ପ ବୋଲି କୁହାଯାଉଛି । ବ୍ଲୁସ୍କାଏର କଲର୍ ଏବଂ ଲୋଗୋ ବି ଏକ୍ସ ସହ ବେଶ୍ ମିଶୁଛି । ବ୍ଲୁସ୍କାଏରେ ୟୁଜର୍ସଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ୁଛି । ଏବେ ଦିନକୁ ପ୍ରାୟ ୧୦ ଲକ୍ଷ ଲୋକ ଏଥିରେ ସାଇନ୍-ଅପ୍ କରୁଛନ୍ତି । ରିପୋର୍ଟ ଅନୁସାରେ ଅଦ୍ୟାବଧି ବ୍ଲୁସ୍କାଏରେ ବ୍ୟବହାରୀଙ୍କ ସଂଖ୍ୟା ୨ କୋଟି ଟପିଲାଣି ।
ବ୍ଲୁସ୍କାଏ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ । ଏହି ପେଜ୍ର ବାମ ପଟେ ଏକ ସର୍ଚ୍ଚ ବାର୍, ନୋଟିଫିକେସନ, ହୋମ୍ପେଜ୍ ଏବଂ ଅନ୍ୟ ବିକଳ୍ପ ରହିଛି । ଏହି ପ୍ଲାଟଫର୍ମରେ ଜଣେ ପୋଷ୍ଟ, କମେଣ୍ଟ ଏବଂ ପସନ୍ଦର ପୋଷ୍ଟକୁ ରିପୋଷ୍ଟ ସହ ଲାଇକ୍ ଆଦି କରିପାରିବେ । ସହଜ ଶବ୍ଦରେ କହିବାକୁ ଗଲେ ଏହା ‘ଏକ୍ସ’ ଭଳି ହିଁ ଦେଖାଯାଉଛି । ଏଥିରେ ୟୁଜର୍ସ ନିଜ ଡାଟା କମ୍ପାନୀ ତରଫରୁ ବ୍ୟବହାର ହେଉଥିବା ସର୍ଭରରୁ ଅନ୍ୟ ସର୍ଭରରେ ବି ହୋଷ୍ଟ କରିପାରିବେ । ଏହାର ଅର୍ଥ ୟୁଜର୍ସଙ୍କ ଆକାଉଣ୍ଟ ବ୍ଲୁସ୍କାଏ ନାମରେ ବନିଥିବା ଆକଉଣ୍ଟ ପର୍ଯ୍ୟନ୍ତ ସୀମିତ ନ ରହି ନିଜ ଅଲଗା ଅଲଗା ଆକାଉଣ୍ଟରୁ ବି ସାଇନ୍- ଅପ୍ କରିପାରିବେ । ବ୍ଲୁସ୍କାଏକୁ ଏକ୍ସ (ପୂର୍ବର ଟୁଇଟର) ର ସହପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି ହିଁ ବନାଇଛନ୍ତି । ସେ ପୂର୍ବରୁ ଥରେ କହିଥିଲେ ଯେ, ବ୍ଲୁସ୍କାଏକୁ ଟୁଇଟରର ଡିସେଣ୍ଟ୍ରାଲାଇଜ୍ଡ ଭର୍ସନ ବନାଇବାକୁ ଚାହାନ୍ତି । ଅର୍ଥାତ କେହି ଜଣେ ବ୍ୟକ୍ତି କିମ୍ବା ସଂସ୍ଥା ଏହାର ମାଲିକ ହେବେ ନାହିଁ । ଏବେ କିନ୍ତୁ ଜ୍ୟାକ୍ ଡୋର୍ସି ଏହାକୁ ବିକଶିତ କରିଥିବା ଟିମ୍ର ଅଂଶବିଶେଷ ନାହାନ୍ତି । ସେ ୨୦୨୪ ମେ’ରେ କମ୍ପାନୀ ବୋର୍ଡରୁ ବାହାରି ଯାଇଛନ୍ତି ।
ଗତ ସେପ୍ଟେମ୍ବରରେ ସେ ଏଥିରେ ବନାଇଥିବା ଆକାଉଣ୍ଟ ମଧ୍ୟ ଡିଲିଟ୍ କରିଦେଇଛନ୍ତି । ଏହାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜେ ଗ୍ରେବର ଏହାକୁ ଆମେରିକୀୟ ପବ୍ଲିକ୍ ବେନିଫିଟ୍ କମ୍ପାନୀ ଭାବେ ଚଲାଉଛନ୍ତି । ୨୦୧୯ରେ ବ୍ଲୁସ୍କାଏ ଅସ୍ତିତ୍ୱକୁ ଆସିଥିଲା । କିନ୍ତୁ ଏଥିରେ ଇନ୍ଭିଟେସନ ବା ଆମନ୍ତ୍ରଣ ଜରିଆରେ ହିଁ ଲୋକେ ସାଇନ୍-ଅପ୍ କରୁଥିଲେ । ଏହାର ଏହି ମଡେଲ ଫେବ୍ରୁଆରୀ ପର୍ଯ୍ୟନ୍ତ ଚାଲିଥିଲା । କିନ୍ତୁ ପରେ ଏହାକୁ ଆହୁରି ବିକଶିତ କରାଯାଇଥିଲା । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିଜୟ ପରେ ବ୍ଲୁସ୍କାଏ ୟୁଜର୍ସଙ୍କ ସଂଖ୍ୟା ଅଚାନକ ଭାବେ ବୃଦ୍ଧି ପାଇଛି । ନିର୍ବାଚନ ପ୍ରଚାରରେ ମସ୍କ ଏକ୍ସକୁ ଟ୍ରମ୍ପ୍ଙ୍କ ପାଇଁ ବ୍ୟବହାର କରିବାକୁ ନେଇ ବହୁ ଆମେରିକୀୟ ଏକ୍ସ ୟୁଜର ଅସନ୍ତୁଷ୍ଟ ଅଛନ୍ତି । ତେଣୁ ବହୁସଂଖ୍ୟାରେ ଆମେରିକୀୟ ଏକ୍ସ ବଦଳରେ ଏବେ ବ୍ଲୁସ୍କାଏକୁ ପସନ୍ଦ କରୁଛନ୍ତି ବୋଲି କୁହାଯାଉଛି ।