ନୂଆଦିଲ୍ଲୀ, ୧୧।୭: ଜାତିସଂଘ ସଂଗଠନ UNAIDSର ବଡ଼ ଚେତାବନୀ । ଆମେରିକା ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ପରେ ବ୍ୟାପିପାରେ ଏଡସ୍ । ଆଗାମୀ ୪ ବର୍ଷ ମଧ୍ୟରେ ଏଡ୍ସରେ ୪୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ । କେବଳ ଏତିକି ନୁହେଁ, ୬୦ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଦେଖାଦେଇପାରେ । HIV ବିରୁଦ୍ଧରେ ବିଶ୍ୱର ସର୍ବବୃହତ୍ ବୈଦେଶିକ ସହାୟତା କାର୍ଯ୍ୟକ୍ରମ ବନ୍ଦ ହେବା ପରେ ଏଭଳି ଆଶଙ୍କା ଉପୁଜିଛି ।
ନୂଆ ଔଷଧ ଯୋଗୁଁ ଏଡସ୍ ବିରୁଦ୍ଧରେ ବିଶ୍ୱର ଲଢ଼େଇ ବିଜୟର ନିକଟତର ହେଉଥିବା ପରି ମନେ ହେଉଥିଲା । କିନ୍ତୁ ଆମେରିକାର ହଠାତ୍ ଏଭଳି ନିଷ୍ପତ୍ତି ସବୁ ଆଶାକୁ ଧୂଳିସାତ୍ କରିଦେଇଛି । ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ, HIV କାର୍ଯ୍ୟକ୍ରମ ପାଇଁ ଦିଆଯାଉଥିବା ଆନ୍ତର୍ଜାତୀୟ ସହାୟତାକୁ ଆମେରିକା ବନ୍ଦ କରିଦେଇଛି । ଜାତିସଂଘ ସଂଗଠନ UNAIDS ଚେତାବନୀ ଦେଇଛି ଯେ, ଯଦି ଆମେରିକାର ଏହି ପାଣ୍ଠିକୁ କ୍ଷତିପୂରଣ ନ ଦିଆଯାଏ, ତେବେ ୨୦୨୯ ସୁଦ୍ଧା ଅର୍ଥାତ୍ ଆଗାମୀ ୪ ବର୍ଷ ମଧ୍ୟରେ ୪୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ । କେବଳ ଏତିକି ନୁହେଁ, ୬୦ ଲକ୍ଷରୁ ଅଧିକ ସଂକ୍ରମଣର ନୂଆ ମାମଲା ମଧ୍ୟ ରିପୋର୍ଟ ହୋଇପାରେ । ତେବେ ଆମେରିକାର ଏହି HIV କାର୍ଯ୍ୟକ୍ରମ କ’ଣ ? HIV ବା AIDS ବିରୁଦ୍ଧରେ ଲଢ଼ିବାରେ ଏହାର କ’ଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ? ଆସନ୍ତୁ ଜାଣିବା ।
୨୦୦୩ ମସିହାରେ, ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଜର୍ଜ ବୁଶ ଆରମ୍ଭ କରିଥିଲେ PEPFAR କାର୍ଯ୍ୟକ୍ରମ (ଏଡ୍ସ ରିଲିଫ୍ ପାଇଁ ରାଷ୍ଟ୍ରପତିଙ୍କ ଜରୁରୀକାଳୀନ ଯୋଜନା) । ଏହା HIV ବିରୁଦ୍ଧରେ ବିଶ୍ୱର ସର୍ବବୃହତ୍ ବୈଦେଶିକ ସହାୟତା କାର୍ଯ୍ୟକ୍ରମ ଥିଲା । ଏହା ଏପର୍ଯ୍ୟନ୍ତ ୮ କୋଟିରୁ ଅଧିକ ଲୋକଙ୍କୁ ପରୀକ୍ଷା କରିସାରିଛି ଏବଂ ୨ କୋଟିରୁ ଅଧିକ ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇଛି । କେବଳ ନାଇଜେରିଆ ବିଷୟରେ କହିବାକୁ ଗଲେ, ସେଠାରେ HIV ଔଷଧ ପାଇଁ ବଜେଟ୍ ର ୯୯.୯% PEPFAR ମାଧ୍ୟମରେ ପୂରଣ କରାଯାଉଥିଲା । କିନ୍ତୁ ଜାନୁଆରୀ ୨୦୨୫ରେ, ଆମେରିକା ହଠାତ୍ ବିଦେଶୀ ସହାୟତା ବନ୍ଦ କରିଦେଲା । UNAIDS ରିପୋର୍ଟରେ କୁହାଯାଇଛି ଯେ, ଆମେରିକାର ଏହି ନିଷ୍ପତ୍ତି ଯୋଗୁଁ ଅନେକ ଦେଶରେ HIV ବିରୋଧରେ ଚାଲିଥିବା କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି । ପରୀକ୍ଷାର ଗତି ମନ୍ଥର ହୋଇଯାଇଛି । ସଚେତନତା ଅଭିଯାନକୁ ସ୍ଥଗିତ ରଖାଯାଇଛି ଏବଂ ଅନେକ ସମ୍ପ୍ରଦାୟ-ଭିତ୍ତିକ ସଂଗଠନକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ଏହି ପାଣ୍ଠି ବନ୍ଦ ହୋଇଯାଇଥିବାରୁ, ହସ୍ପିଟାଲ ଏବଂ ସରକାରୀ ସଂସ୍ଥାଗୁଡ଼ିକ ପାଖରେ ରୋଗୀଙ୍କ ତଥ୍ୟ ନାହିଁ କିମ୍ବା ଭବିଷ୍ୟତ ରଣନୀତି ପ୍ରସ୍ତୁତ କରିବାର କୌଣସି ଉପାୟ ନାହିଁ ।
ଏହି ସମୟରେ, ଏକ ନୂଆ HIV ଆଣ୍ଟି ଔଷଧ ୟେଜଟୁଗୋ ଆଶା ସୃଷ୍ଟି କରିଛି । କାରଣ ଏହାକୁ ପ୍ରତି ୬ ମାସରେ ଥରେ ଗ୍ରହଣ କଲେ, ସଂକ୍ରମଣ ରୋକିବାରେ ୧୦୦% ପ୍ରଭାବଶାଳୀ ପ୍ରମାଣିତ ହୋଇଛି । ଆମେରିକାର FDA ମଧ୍ୟ ଏହାକୁ ଅନୁମୋଦନ ଦେଇଛି ଏବଂ ଦକ୍ଷିଣ ଆଫ୍ରିକା ଏହାକୁ କାର୍ଯ୍ୟକାରୀ କରିବାକୁ ଯୋଜନା କରିଛି । କିନ୍ତୁ, ସମସ୍ୟା ହେଉଛି ଏହି ଔଷଧ ତିଆରି କରୁଥିବା କମ୍ପାନୀ ଗିଲିୟାଡ୍ ଏହାକୁ ଗରିବ ଦେଶମାନଙ୍କୁ ଶସ୍ତା ମୂଲ୍ୟରେ ଯୋଗାଇବା ବିଷୟରେ କଥା ହୋଇଛି, କିନ୍ତୁ ଲାଟିନ୍ ଆମେରିକା ଭଳି ମଧ୍ୟମ ଆୟକାରୀ ଦେଶଗୁଡ଼ିକୁ ଏହି ତାଲିକାରୁ ବାଦ୍ ଦେଇଛି । ଏହାର ଅର୍ଥ ଯେଉଁଠାରେ HIVର ବିପଦ ବୃଦ୍ଧି ପାଉଛି ଏହି ଔଷଧ ସେହି ସ୍ଥାନଗୁଡ଼ିକରେ ପହଞ୍ଚିପାରିବ ନାହିଁ ।