ନୂଆଦିଲ୍ଲୀ,୧୧/୦୭: ଇରାନ୍-ଇସ୍ରାଏଲ ମଧ୍ୟରେ ୧୨ ଦିନ ଧରି ଚାଲିଥିବା ଯୁଦ୍ଧରେ ଜୁନ୍ ୨୨ରେ ଆମେରିକା ଡେଇଁ ଥିଲା । 'ଅପରେସନ୍ ମିଡନାଇଟ୍ ହାମର୍' ଅଧୀନରେ ଆମେରିକା ଇରାନ୍‌ର ୩ଟି ପ୍ରମୁଖ ପରମାଣୁ ସ୍ଥାନ - ଇସ୍ଫାହାନ୍, ଫୋର୍ଡୋ ଏବଂ ନାତାଞ୍ଜ ଉପରେ ବୋମା ପକାଇଥିଲା । ଟ୍ରମ୍ପ୍ ଏବଂ ତାଙ୍କ ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ୍ ଦାବି କରିଥିଲେ ଯେ, ଏହି ସ୍ଥାନଗୁଡ଼ିକ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । କିନ୍ତୁ ଏବେ ଇସ୍ରାଏଲ ଏବଂ ଆମେରିକୀୟ ଏଜେନ୍ସିଗୁଡ଼ିକର ସଦ୍ୟତମ ସୂଚନାରୁ ଏହା କ୍ଷତି ହୋଇଛି, କିନ୍ତୁ ସମ୍ପୂର୍ଣ୍ଣ ଧ୍ୱଂସ ହୋଇନାହିଁ ।

ରିପୋର୍ଟରେ ଦାବି କରାଯାଇଛି ଯେ, ଇରାନର ଗୁରୁତ୍ୱପୂର୍ଣ୍ଣ ପରମାଣୁ ସ୍ଥାନଗୁଡ଼ିକ ମଧ୍ୟରୁ ଇସ୍ଫାହାନ୍‌ରେ ଏବେ ବି ୟୁରାନିୟମ ଅଛି । ଯଦି ଇରାନ୍‌ ଏହାକୁ ପୁଣି ଥରେ ବାହାର କରିବାକୁ ଚେଷ୍ଟା କରେ, ତେବେ ଇସ୍ରାଏଲ ଏଠାରେ ପ୍ରଥମ ଆକ୍ରମଣ କରିବ । ଅର୍ଥାତ୍ ଏହା ଉପରେ ଆକ୍ରମଣ ନେଇ ପରବର୍ତ୍ତୀ ଲକ୍ଷ୍ୟ ସ୍ଥିର କରାଯାଇଛି ଏବଂ ପ୍ଲାନ ମଧ୍ୟ ପ୍ରସ୍ତୁତ କରାଯାଇଛି ।

ଏଥର ଇସ୍ଫାହାନ ପ୍ରଥମ ଟାର୍ଗେଟ କାହିଁକି ?

ଇସ୍ରାଏଲ ଗୁଇନ୍ଦା ସୂତ୍ରରୁ ଜଣାପଡିଛି ଯେ, ଇସ୍ଫାହାନ୍ ପରମାଣୁ ସାଇଟ୍‌ରେ ୟୁରାନିୟମ ଏବେ ବି ଅକ୍ଷୁର୍ଣ୍ଣ ଅଛି । ଯଦିଓ ଏହା ଏକ କଷ୍ଟକର କାର୍ଯ୍ୟ ହେବ ୟୁରାନିୟମ ସମ୍ଭବତଃ ଏବେ ବି ପୁନରୁଦ୍ଧାର କରାଯାଇପାରିବ । ଇସ୍ରାଏଲ ସନ୍ଦେହ କରୁଛି ଯେ, ଇରାନ୍‌ ସେହି ଷ୍ଟକ୍ ପୁଣି ବାହାର କରି ତା'ର ପରମାଣୁ କାର୍ଯ୍ୟକ୍ରମ ପୁଣି ଆରମ୍ଭ କରିପାରିବ । ଏହି କାରଣରୁ ଏଥର ଇସ୍ଫାହନ ଇସ୍ରାଏଲର ପ୍ରଥମ ଟାର୍ଗେଟ ହେବ ।

ଜୁନ୍‌ ୨୨ରେ କଣ ହୋଇଥିଲା ? 

'ଅପରେସନ୍ ମିଡନାଇଟ୍ ହାମରରେ' ଆମେରିକା ଇରାନ୍‌ର ୩ଟି ଗୁରୁତ୍ୱପୂର୍ଣ୍ଣ ପରମାଣୁ ଆଡ୍ଡା ଉପରେ ଆକ୍ରମଣ କରିଥିଲା। ନାତାଞ୍ଜ, ଇସ୍ଫାହାନ ଏବଂ ଫୋର୍ଡୋ ବଙ୍କର ବଷ୍ଟର ବୋମାମାଡ଼ କରିଥିଲା । ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ କି ଉକ୍ତ ପରମାଣୁ ଆଡ୍ଡା କେତେ କ୍ଷତିଗ୍ରସ୍ତ ହୋଇଛି ।

ଇରାନ୍‌ ରାଷ୍ଟ୍ରପତିଙ୍କ ପ୍ରତିକ୍ରିୟା ଏବଂ ଆଇଏଇଏକୁ ନିମନ୍ତ୍ରଣ

ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆମେରିକୀୟ ସାମ୍ବାଦିକ ଟକର କାର୍ଲସନଙ୍କୁ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଆକ୍ରମଣ ଯୋଗୁଁ ବହୁତ କ୍ଷତି ହୋଇଛି।  ଇରାନୀ ଅଧିକାରୀମାନେ ଏ ପର୍ଯ୍ୟନ୍ତ ଏହି ସ୍ଥାନଗୁଡ଼ିକରେ ପହଞ୍ଚିବାର ସୁଯୋଗ ପାଇନାହାଁନ୍ତି । ଇରାନ ଏବଂ ଅର୍ଥାତ୍ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା ସହିତ ପୁଣି ଥରେ ସହଯୋଗ କରିବାକୁ ପ୍ରସ୍ତୁତ ।

ହମଲା ନା ଆଲୋଚନା ? ଇସ୍ରାଏଲ କେଉଁ ରାସ୍ତା ଆପଣେଇବ ?

ବର୍ତ୍ତମାନ, ଇସ୍ରାଏଲ ଦୁଇଟି ମୋର୍ଚ୍ଚାରେ କାମ କରୁଛି । ଗୋଟିଏ ପଟେ, ସାମରିକ ବିକଳ୍ପଗୁଡ଼ିକୁ ଗମ୍ଭୀରତାର ସହିତ ବିଚାର କରାଯାଉଛି, ଅନ୍ୟପଟେ  କୂଟନୀତି ମଧ୍ୟ ଚାଲିଛି। କିନ୍ତୁ ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଯଦି ଇରାନ ୟୁରାନିୟମ ପୁନରୁଦ୍ଧାର ପାଇଁ କୌଣସି ପ୍ରୟାସ କରେ, ତେବେ ଇସ୍ରାଏଲର ପରବର୍ତ୍ତୀ ଆକ୍ରମଣ ନିଶ୍ଚିତ ଏବଂ ପ୍ରଥମ ଆକ୍ରମଣ ଇସ୍ଫାହାନ ଉପରେ ହେବ । ଆଗାମୀ କିଛି ସପ୍ତାହ ମଧ୍ୟରେ ଏହା ସ୍ପଷ୍ଟ ହୋଇଯିବ ଯେ, ଆଲୋଚନାର ରାସ୍ତା ଆପଣେଇବ ନା ପଶ୍ଚିମ ଏସିଆ ଆଉ ଏକ ସଂଘର୍ଷ ଆଡ଼କୁ ଗତି କରିବ ।