ଭୁବନେଶ୍ୱର ୧୨/୦୫: ବୈଶାଖ ପୂର୍ଣ୍ଣିମାରେ ପାଳନ ହୁଏ ଗୌତମ ବୁଦ୍ଧଙ୍କର ଜୟନ୍ତୀ ।  ଏଣୁ ବୈଶାଖ ପୂର୍ଣ୍ଣିମା ବୁଦ୍ଧ ପୂର୍ଣ୍ଣିମା ଭାବେ ଖ୍ୟାତ । ବୁଦ୍ଧଙ୍କର ଜନ୍ମ ତାରିଖ,ସ୍ଥାନ ନେଇ ଐତିହାସିକଙ୍କ ମଧ୍ୟରେ ମତାନ୍ତର ରହିଛି ।  ତେବେ ବୁଦ୍ଧ କେଉଁଠାରେ ଜନ୍ମ ହୋଇଥିଲେ, କେଉଁଠାରେ ତାଙ୍କର ଜ୍ଞାନୋଦୟ ହୋଇଥିଲା ଏବଂ ସେ କେଉଁଠାରେ ଦେହତ୍ୟାଗ  କରିଥିଲେ ତାହାଠାରୁ ଶତଗୁଣ ମହତ୍ତ୍ୱପୂର୍ଣ୍ଣ ସମାଜ ପ୍ରତି ତାଙ୍କର ଅବଦାନ-ତାଙ୍କ ପ୍ରଦର୍ଶିତ ମାର୍ଗ, କରୁଣା ଏବଂ ଅହିଂସାର ବାର୍ତ୍ତା । 

ବୌଦ୍ଧ ଧର୍ମରେ ପର୍ବପର୍ବାଣୀ ଏବଂ ଆଡ଼ମ୍ବର କମ୍‌ ଥିଲେ ହେଁ ଉପାସନା,ଆରାଧନା,ଧ୍ୟାନ ଓ ସାଧନା ଆଦି ପାଇଁ ପ୍ରତ୍ୟେକ ପୂର୍ଣ୍ଣିମା  ତିଥିକୁ ଗୁରୁତ୍ୱ ଦିଆଯାଇଛି । ବୌଦ୍ଧଧର୍ମାମବଲମ୍ବୀମାନଙ୍କ ପାଇଁ ବର୍ଷର  ୧୨ଟି ଯାକ ପୂର୍ଣ୍ଣିମା ପୁଣ୍ୟ ଦିବସ ଏବଂ ଏହି ଦିନ ସେମାନେ ପ୍ରାର୍ଥନା ତଥା ଧ୍ୟାନ ବ୍ୟତୀତ ସ୍ୱତନ୍ତ୍ର ଉପାସନା କରିଥାନ୍ତି । ବୈଶାଖ ପୂର୍ଣ୍ଣିମାରେ ବୁଦ୍ଧଦେବ ଜନ୍ମ ଗ୍ରହଣ କରିଥିଲେ, ପୁଣି ଏହି ଦିନ ତାଙ୍କର ଜ୍ଞାନୋଦୟ  (ବୁଦ୍ଧତ୍ୱ ପ୍ରାପ୍ତି) ହୋଇଥିଲା । ଏହି ବୈଶାଖ ପୂର୍ଣ୍ଣିମା ଦିନ ହିଁ ସେ ନିର୍ବାଣ (ମୋକ୍ଷ) ପ୍ରାପ୍ତ ହୋଇଥିଲେ । ବୌଦ୍ଧ ଧର୍ମର ପ୍ରମୁଖ ଅଙ୍ଗ  -ବୁଦ୍ଧତ୍ୱ ଏବଂ ନିର୍ବାଣ । ଏହାର ତାତ୍ତ୍ୱିକ ପ୍ରଭାବ ଆଜି ମଧ୍ୟ ପ୍ରତିଭାତ । 

ଶ୍ରୀମଦ ଭଗବଦ୍‌ ଗୀତାରେ ଭଗବାନ୍‌ ଶ୍ରୀକୃଷ୍ଣ କହିଲେ ‘ଧର୍ମ  ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ..’ । ଅର୍ଥାତ୍‌ ଈଶ୍ୱରଙ୍କ ଶ୍ରେଷ୍ଠ  ସୃଷ୍ଟି ମାନବ ଯେବେ ଯେବେ ପ୍ରଥଭ୍ରଷ୍ଟ ହୋଇଛି ତାକୁ ଉଚିତ ମାର୍ଗଦର୍ଶନ  ଦେବାକୁ ପ୍ରଭୁ ଆସିଛନ୍ତି ବିଭିନ୍ନ ଅବତାର ରୂପରେ । ଏହି ନ୍ୟାୟରେ ଯେଉଁ  କାଳଖଣ୍ଡରେ ବୁଦ୍ଧଙ୍କର ଜନ୍ମ ସେହିସମୟରେ ଆମ ଦେଶ,ସମାଜ ଛୋଟବଡ଼  ଜନପଦରେ ବିଭାଜିତ ହେବା ପୂର୍ବକ ଯୁଦ୍ଧ,ହିଂସା,ଲୋଭରେ ଅତିଶୟ ବଶବର୍ତ୍ତୀ ହୋଇ ଅଧର୍ମକାର୍ଯ୍ୟରେ  ଲିପ୍ତ ରହିବା ସହ ମୂଳ ମାନବିକ ଧର୍ମରୁ ବିଚ୍ୟୁତ ହୋଇଥିଲା । ବୁଦ୍ଧ ଆସିଥିଲେ ସଂସାରକୁ ସତ୍ୟ,ଶାନ୍ତି  ତଥା ଅହିଂସାର ବାର୍ତ୍ତା ଦେବାକୁ । ପରବର୍ତ୍ତୀ ସମୟରେ ଅବଶ୍ୟ ବୁଦ୍ଧଙ୍କ ଦ୍ୱାରା ପ୍ରତିଷ୍ଠିତ ବୌଦ୍ଧ ଧର୍ମ ଅନେକ  ସାମ୍ରାଜ୍ୟର ରାଜଧର୍ମରେ ପରିଣତ ହୋଇଛି, ସନାତନ ହିନ୍ଦୁଙ୍କ ବିଶ୍ୱାସ ସହ ଏହାର ସଂଘାତ ଘଟିଛି ଏବଂ ପରେ  ଏହା ସହ କିପରି ସନ୍ଧି ସ୍ଥାପନ ହୋଇଛି ତାହା ଇତିହାସରେ ଲିପିବଦ୍ଧ ।  

ତେବେ ବୁଦ୍ଧଦେବଙ୍କ ମୂଳ ନୀତି ବୁଝାମଣା, ନୈତିକ ଆଚରଣ ଏବଂ  ସଚେତତନତା ମାଧ୍ୟମରେ ଦୁଃଖର ଅନ୍ତ କରିବା ଉପରେ ଆଧାରିତ । ଏଥିରେ ଚାରୋଟି ସତ୍ୟ, ମହାନ ଅଷ୍ଟପଥ ଏବଂ ପଞ୍ଚଉପଦେଶ ଅନ୍ତର୍ଭୁକ୍ତ । ତନ୍ମଧ୍ୟରୁ ଚାରୋଟି ମହାନ୍‌ ସତ୍ୟ: ଦୁଃଖର ପ୍ରକୃତି, ଏହାର କାରଣ,ଏହାକୁ  ସମାପ୍ତ କରିବାର ସମ୍ଭାବନା ଏବଂ ତାହା କାର୍ଯ୍ୟରେ ପରିଣତ କରିବାର ପଥ  ଉନ୍ମୋଚନ କରନ୍ତି । କ: ଦୁଃଖର ସତ୍ୟ- ଜୀବନ ସ୍ୱତଃ ଦୁଃଖ ଦ୍ୱାରା ବର୍ଣ୍ଣିତ, ଖ: ଦୁଃଖର କାରଣର ସତ୍ୟ- ଆସକ୍ତି,ଲାଳସା ଏବଂ ଅଜ୍ଞତା ଦ୍ୱାରା ଦୁଃଖର  ସୃଷ୍ଟି, ଗ: ଦୁଃଖ ନିବାରଣର ସତ୍ୟ- ଦୁଃଖର କାରଣଗୁଡ଼ିକୁ ଦୂର କରି ଦୁଃଖ  ଦୂର କରାଯାଇପାରିବ, ଘ: ଦୁଃଖ ନିବାରଣ ପଥର ସତ୍ୟ - ଏହା ହେଉଛି  ମହାନ ଅଷ୍ଟପଥ । ପୁନଶ୍ଚ ଏହି ଅଷ୍ଟପଥ ହେଲା- ସଠିକ୍‌ ବୁଝାମଣା, ସଠିକ୍‌  ଚିନ୍ତାଧାରା, ସଠିକ୍‌ କଥା, ସଠିକ୍‌ କାର୍ଯ୍ୟ, ସଠିକ୍‌ ଜୀବିକା, ସଠିକ୍‌ ପ୍ରୟାସ  ଏବଂ ସଠିକ୍‌ ମନନଶୀଳତା,ସଠିକ୍‌ ଏକାଗ୍ରତା । ବୁଦ୍ଧଙ୍କ ପ୍ରଦର୍ଶିତ ଏହି ମୂଳ  ଜ୍ଞାନ ସଂସାରର ସମସ୍ତ ଧର୍ମର ସାର । ଯେପରି ‘ସତ୍ୟମେବ ଜୟତେ’,  ‘ଅହିଂସା ପରମୋ ଧର୍ମ’, ‘ସକାଳ ଘଟେ ନାରାୟଣ’ ଆଦି ସନାତନ ଶିକ୍ଷା । 

ଗୀତଗୋବିନ୍ଦରେ ଜୟଦେବ ଯେଉଁ ବୁଦ୍ଧଙ୍କ କଥା କହିଛନ୍ତି ସେ ସେହି  ଶାନ୍ତି ଦୂତ ତଥା କରୁଣାବାତାର - ନିନ୍ଦସି ଯଜ୍ଞ ବିଧେରହହ ଶ୍ରୁତି-ଜାତମ୍‌/ ସଦୟ ହୃଦୟ ଦର୍ଶିତ ପଶୁଘାତମ୍‌/ କେଶବ ଧୃତ ବୁଦ୍ଧ ଶରୀର ଜୟ ଜଗଦୀଶ  ହରେ....।। ଅର୍ଥାତ୍‌ ହେ ଜଗଦୀଶ (ଜଗନ୍ନାଥ) ହେ ହରି! ହେ କେଶବ!  ତୁମେ ବୁଦ୍ଧ ଅବତାର ଧାରଣ କରି ବେଦରେ ଥିବା ଯଜ୍ଞରେ ପଶୁବଧ ସୂଚକ  ମନ୍ତ୍ରଗୁଡ଼ିକୁ ସଦୟ ହୃଦୟରେ ନିନ୍ଦା କରିଛ ଏବଂ ଶାନ୍ତିର ପଥ ପ୍ରଶସ୍ତ କରିଛ ।  ତୁମର ଏ ଅଦ୍ଭୁତ କଷ୍ଟଦାୟକ ତଥା କରୁଣାପୂର୍ଣ୍ଣ କାର୍ଯ୍ୟ ପାଇଁ ଭକ୍ତଜନ ତୁମ ବୁଦ୍ଧ ସ୍ୱରୂପର ଜୟଗାନ କରୁଛନ୍ତି ।  ଶାନ୍ତି, କରୁଣାର ଅବତାର ବୁଦ୍ଧଦେବଙ୍କୁ କୋଟି କୋଟି ପ୍ରଣାମ ।