ନୂଆଦିଲ୍ଲୀ,୨୫/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ  ବୈଠକରେ ଇନ୍‌ ସ୍ପେଶ ଅଧିନରେ ମହାକାଶ କ୍ଷେତ୍ର ପାଇଁ କେନ୍ଦ୍ର ସରକାର  ୧ ହଜାର କୋଟି ଟଙ୍କାର ଭେଞ୍ଚର  କ୍ୟାପିଟାଲ ପାଣ୍ଠି ପ୍ରତିଷ୍ଠାକୁ ମଞ୍ଜୁରି  ମିଳିଛି । ପ୍ରସ୍ତାବିତ ପାଣ୍ଠି କାର୍ଯ୍ୟକାରୀ  ହେବା ପରଠାରୁ ପାଞ୍ଚ ବର୍ଷ ମଧ୍ୟରେ  ଏହାକୁ ବିନିଯୋଗ କରିବା ଲକ୍ଷ୍ୟ  ରଖାଯାଇଛି । ପ୍ରତିବର୍ଷ ହାରାହାରି ୧୫୦- ୨୫୦ କୋଟି ଟଙ୍କା ବିନିଯୋଗ କରାଯିବ ।  

କମ୍ପାନିର ସ୍ଥିତି ଏହାର ଅଭିବୃଦ୍ଧି  ପଥ ଏବଂ ଜାତୀୟ ମହାକାଶ ସାମର୍ଥ୍ୟ  ଉପରେ ସମ୍ଭାବ୍ୟ ପ୍ରଭାବ ଉପରେ  ନିର୍ଭର କରି ୧୦ରୁ ୬୦ କୋଟି ଟଙ୍କାର  ପୁଞ୍ଜି ନିବେଶ ସୂଚକ ସୀମା ଧାର୍ଯ୍ୟ  କରାଯାଇଛି । ଏହା ଦ୍ୱାରା ଭାରତୀୟ  କମ୍ପାନିଗୁଡିକୁ ପ୍ରତିଦ୍ୱନ୍ଦ୍ୱୀ କରିବା ଉପରେ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଆସନ୍ତା ୧୦  ବର୍ଷରେ ଭାରତୀୟ ମହାକାଶ ବ୍ୟବସ୍ଥାକୁ  ପାଞ୍ଚ ଗୁଣା ସମ୍ପ୍ରସାରଣ କରିବା ଲକ୍ଷ୍ୟ  ରଖାଯାଇଛି। ନୂଆ କର୍ଯ୍ୟକ୍ରମ ଦ୍ୱାରା  ସରକାର ୪୦ ଷ୍ଟାର୍ଟଅପ୍‌କୁ ସହାୟତା  କରିବା ଲକ୍ଷ୍ୟ ରଖିଛନ୍ତି ।  

ଏହି କାର୍ଯ୍ୟକ୍ରମ ଜରିଆରେ ନୂତନ  ଉଦ୍ଭାବନ ଓ ଆର୍ଥିକ ଅଭିବୃଦ୍ଧିକୁ  ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ  ପଦକ୍ଷେପ ଆସିଛି । ଜାତୀୟ ପ୍ରାଥମିକତା  ଭାବେ ମହାକାଶ କ୍ଷେତ୍ରକୁ ଆଗେଇ  ନେବା ଲାଗି ରଣନୀତିକ ଭାବେ ଏହା  ଡିଜାଇନ କରାଯାଇଛି । କମ୍ପାନି ଗୁଡିକ  ମଧ୍ୟରେ ପୁଞ୍ଜି ପ୍ରବାହ, ଭାରତୀୟ  କମ୍ପାନିକୁ ଦେଶ ମଧ୍ୟରେ କାମ କରିବାକୁ  ଉତ୍ସାହିତ କରିବା, ମହାକାଶ ଅର୍ଥ  ବ୍ୟବସ୍ଥାକୁ ଆଗେଇ ନେବା, ମହାକାଶ  ପ୍ରଯୁକ୍ତି ବିକାଶ ତ୍ୱରାନ୍ୱିତ କରିବା,  ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ପ୍ରୋତ୍ସାହନ,  ଆତ୍ମନିର୍ଭର ଭାରତକୁ ସମର୍ଥନ ଏବଂ  ଉଦ୍ଭାବନ ପରିବେଶକୁ ସୃଷ୍ଟି ଉପରେ  ଫୋକସ କରାଯିବ । ସେହିଭଳି ଆର୍ଥିକ  ଅଭିବୃଦ୍ଧି ଓ ନିଯୁକ୍ତି ସୁଯୋଗ ଏବଂ ଦୀର୍ଘ  ସ୍ଥାୟୀତ୍ୱକୁ ସୁନିଶ୍ଚିତ କରିବା ଦିଗରେ ମଧ୍ୟ  କାର୍ଯ୍ୟକ୍ରମ ଆସିବ । ଏଭଳି ପଦକ୍ଷେପ  ଘରୋଇ ନିବେଶକଙ୍କ ଆତ୍ମବିଶ୍ୱାସ ଦୃଢ଼  କରିବ ।

ମହାକାଶ ଶିଳ୍ପର ଅଭିବୃଦ୍ଧିକୁ  ତ୍ୱରାନ୍ୱିତ କରିବା, ପ୍ରଯୁକ୍ତିରେ ଉନ୍ନତି,  ଘରୋଇ କ୍ଷେତ୍ରର ସହଭାଗିତାରେ  ନେତୃତ୍ୱକୁ ଦୃଢ଼ କରିବା ଭଳି ଦିଗ ଗୁଡିକ ମଧ୍ୟ ପ୍ରାଥମିକତାରେ ରହିଛି । ମହାକାଶ କ୍ଷେତ୍ର ସଂସ୍କାର ୨୦୨୦ର  ଅଂଶ ଭାବେ ଘରୋଇ କ୍ଷେତ୍ରକୁ  ପ୍ରୋତ୍ସାହିତ କରିବାକୁ ସରକାର ଇନ୍‌  ସ୍ପେଶ ସ୍ଥାପନ କରିଥିଲେ । ଏବେ  ଦେଶର ମହାକାଶ ଅର୍ଥ ବ୍ୟବସ୍ଥା ୮.୪  ବିଲିୟନ ଡଲାର ରହିଛି । ୨୦୩୩  ବେଳକୁ ଏହାକୁ ୪୪ ବିଲିୟନ ଡଲାର  ସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ରହିଛି ।  ଦେଶର ମହାକାଶ କ୍ଷେତ୍ରରେ ଏବେ  ୨୫୦ ଷ୍ଟାର୍ଟଅପ୍‌ କାର୍ଯ୍ୟକରୁଛନ୍ତି।