ନୂଆଦିଲ୍ଲୀ,୦୬/୦୪: ୱାକଫ ସଂଶୋଧନ ବିଲ୍ ଆଇନର ରୂପ ନେଇଛି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ସହମତି ପ୍ରକାଶ କରିଛନ୍ତି। ବର୍ତ୍ତମାନ ପ୍ରଥମ ନଜରରେ ଏହି ଆଇନର ବାଟରେ କୌଣସି ପ୍ରତିବନ୍ଧକ ଥିବା ପରି ମନେ ହେଉନାହିଁ। ଉଭୟ ଗୃହରେ ଏତେ ଘଣ୍ଟା ବିତର୍କ ଚାଲିଲା। ତେବେ ଏହା ନିଜ ପାଇଁ ଆଉ ଏକ ବଡ଼ ବିଜୟ ବୋଲି ଦେଖି ସରକାର ବହୁତ ଉତ୍ସାହିତ ଅଛନ୍ତି। କିନ୍ତୁ ତଥାପି ଗୋଟିଏ ଦିଗ ବାକି ଅଛି ଯାହାକୁ ବୁଝିବା ଆବଶ୍ୟକ। ଏହି ୱାକଫ ଆଇନ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ବା ଆବେଦନ ଦାଖଲ କରାଯାଇଛି। ଏହି ଆଇନକୁ ଚ୍ୟାଲେଞ୍ଜ କରିବା ପାଇଁ କଂଗ୍ରେସ, ଆମ୍ ଆଦମୀ ପାର୍ଟି (ଆପ୍) ଏବଂ ଏଆଇଏମ୍ଆଇଏମ୍ ପଦକ୍ଷେପ ନେଇଛନ୍ତି।
ଏବେ ପ୍ରଶ୍ନ ଉଠୁଛି ସୁପ୍ରିମକୋର୍ଟ ୱାକଫ ଆଇନକୁ ରଦ୍ଦ କରିପାରିବେ କି? ଏପରିକି ସୁପ୍ରିମକୋର୍ଟଙ୍କର ଏପରି କ୍ଷମତା ଅଛି କି? ଲୋକସଭା ଓ ରାଜ୍ୟସଭାରେ ଏକ ବିଲ୍ ପାରିତ ହେବା ପରେ ଏବଂ ନିଜେ ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦନ ହେବା ପରେ ମଧ୍ୟ ସୁପ୍ରିମକୋର୍ଟ ଏହାକୁ ଖାରଜ କରି ପାରିବେ କି? ସରଳ ଶବ୍ଦରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଆସନ୍ତୁ ବୁଝିବା...
ଓ୍ବାକଫ ଆଇନକୁ ରଦ୍ଦ କରିପାରିବେ କି ସୁପ୍ରିମକୋର୍ଟ?
ଏହି ପ୍ରଶ୍ନର ଉତ୍ତର ବହୁତ ସରଳ। ଅବଶ୍ୟ ସୁପ୍ରିମକୋର୍ଟ ୱାକଫ ଆଇନକୁ ବାତିଲ କରିପାରିବେ। ସୁପ୍ରିମକୋର୍ଟଙ୍କର ଏହି କ୍ଷମତା ଅଛି। କିନ୍ତୁ ଏହା ପୂର୍ବରୁ ବୁଝିବାର କଥା ହେଉଛି ଯେ, ଏପରି ପରିସ୍ଥିତି ସେତେବେଳେ ସମ୍ଭବ, ଯେତେବେଳେ ଏହା ପ୍ରମାଣିତ ହୋଇଯିବ ଯେ, ସମ୍ବିଧାନକୁ ଚ୍ୟାଲେଞ୍ଜ କରାଯାଇଛି, ଅର୍ଥାତ୍ ଭାରତର ସମ୍ବିଧାନର କିଛି ଆଇନକୁ କୌଣସି ନୂଆ ଆଇନ ଦ୍ବାରା ଚ୍ୟାଲେଞ୍ଜ କରାଯାଉଛି ତେବେ ଏହାକୁ ସୁପ୍ରିମକୋର୍ଟଙ୍କ ପକ୍ଷେ ବାତିଲ କରିବା ସମ୍ଭବ ହେବ। ଯଦି ଏହା ପ୍ରମାଣିତ ହେଉଛି ଯେ ଏହି ଆଇନ ହେତୁ ସମ୍ବିଧାନର ମୌଳିକ ସଂରଚନାକୁ ଚ୍ୟାଲେଞ୍ଜ କରାଯାଉଛି, ତେବେ ସୁପ୍ରିମକୋର୍ଟ ନିଶ୍ଚିତ ଭାବରେ ଏଥିରେ ହସ୍ତକ୍ଷେପ କରିବେ ଏବଂ ଆଇନକୁ ବାତିଲ କରିପାରିବେ।
ଓ୍ବାକଫ ସମ୍ପର୍କିତ ଖବର ପଢ଼ନ୍ତୁ: ୱାକଫ୍ ସଂଶୋଧନକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ଆଇନରେ ପରିଣତ ହେଲା ବିଲ୍
କ'ଣ ଓ୍ବାକଫ ଆଇନ ସମ୍ବିଧାନକୁ ଚ୍ୟାଲେଞ୍ଜ କରୁଛି?
ବର୍ତ୍ତମାନ ବିରୋଧୀଙ୍କ ସମ୍ମୁଖରେ ସବୁଠାରୁ ବଡ଼ ଆହ୍ବାନ ହେଉଛି ୱାକଫ ଆକ୍ଟ ସମ୍ବିଧାନକୁ ଚ୍ୟାଲେଞ୍ଜ କରୁଛି ବୋଲି କିପରି ପ୍ରମାଣ କରାଯିବ? କହିରଖୁଛୁ ଯେ, ବିରୋଧୀଙ୍କ ଆବେଦନର ଆଧାର ହେଉଛି ସମ୍ବିଧାନର ଧାରା ୩୨। ଏହାର କାରଣ ହେଉଛି ଧାରା ୩୨ କହୁଛି ଯେ, ଯଦି କୌଣସି ନାଗରିକଙ୍କ ମୌଳିକ ଅଧିକାର ଉଲ୍ଲଂଘନ ହୁଏ, ତେବେ ସେ ପରିସ୍ଥିତିରେ ସେ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇ ସେଠାରୁ ଆଶ୍ବସ୍ତି ପାଇପାରିବେ। ଧାରା ୩୨ ନିଜେ ସୁପ୍ରିମକୋର୍ଟଙ୍କୁ କ୍ଷମତା ଦେଇଛି ଯେ, ସେ କାହାର ମୌଳିକ ଅଧିକାରର ସୁରକ୍ଷା ପାଇଁ ନିର୍ଦ୍ଦେଶ ଜାରି କରିପାରିବେ।
ଏବେ ଆସନ୍ତୁ ୱାକଫ୍ ଆଇନ ସମ୍ବନ୍ଧରେ ବିରୋଧୀଙ୍କ ଯୁକ୍ତି ବୁଝିବା। ବିରୋଧୀଙ୍କ ପ୍ରଥମ ଯୁକ୍ତି ହେଉଛି ଏହି ନିୟମ ମୁସଲମାନ ଲୋକଙ୍କ ଧାର୍ମିକ ସ୍ୱାଧୀନତାକୁ ଉଲ୍ଲଂଘନ କରୁଛି। ଏପରିକି କୁହାଯାଇଛି ଯେ ବୋର୍ଡରେ ଅଣ ମୁସଲମାନମାନଙ୍କର ପ୍ରବେଶ ମଧ୍ୟ ସେମାନଙ୍କର ଅଧିକାର ଛଡ଼ାଇ ନେବ। ବର୍ତ୍ତମାନ ଯଦି ସୁପ୍ରିମକୋର୍ଟ ଏଥିରେ ରାଜି ହୁଅନ୍ତି ତେବେ ସରକାରଙ୍କ ସମସ୍ୟା ବଢ଼ିବ। ବିରୋଧୀଙ୍କ ଦ୍ୱିତୀୟ ଯୁକ୍ତି ହେଉଛି ଯେ ଉପଭୋକ୍ତା ଧାରା ଅନୁଯାୟୀ ସରକାର ୱାକଫକୁ ରଦ୍ଦ କରି ଦେଇଛନ୍ତି। ଏପରି ପରିସ୍ଥିତିରେ, ଯଦି କୌଣସି ୱାକଫ୍ ଜମିର ଆବଶ୍ୟକୀୟ ଦଲିଲ ଉପସ୍ଥିତ ନଥାଏ, ଯଦି ଏହା ପଞ୍ଚିକୃତ ହୋଇନାହିଁ, ତେବେ ସେହି ପରିସ୍ଥିତିରେ ୱାକଫ୍ର ଏହି ସମ୍ପତ୍ତି ଊପରେ ଅଧିକାର ରହିବ ନାହିଁ। ବିରୋଧୀ ମଧ୍ୟ ଏହି ଧାରାକୁ ବିରୋଧର ଆଧାର କରୁଛନ୍ତି।
ପୂର୍ବରୁ ସୁପ୍ରିମକୋର୍ଟଙ୍କ ଦ୍ୱାରା କୌଣସି ଆଇନକୁ ଚ୍ୟାଲେଞ୍ଜ କରାଯାଇଛି କି?
ଅବଶ୍ୟ ପୂର୍ବରୁ ସୁପ୍ରିମକୋର୍ଟରେ ଅନେକ ଆଇନକୁ ଚ୍ୟାଲେଞ୍ଜ କରାଯାଇଥିଲା। CA-NRC ହେଉ କିମ୍ବା ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ରଦ୍ଦ ହେଉ, ଏହି ସମସ୍ତ ଆଇନ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏହାର ସମାନ ଆଧାର ହେଉଛି ଯେ, ଏସବୁ ଆଇନ ଦ୍ବାରା ସମ୍ବିଧାନକୁ ଚ୍ୟାଲେଞ୍ଜ କରାଯାଉଛି। ଏଥିମଧ୍ୟରୁ କିଛି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ବର୍ତ୍ତମାନ ୱାକଫ୍ ନିୟମ ମଧ୍ୟ ଏହି କ୍ରମରେ ଯୋଡ଼ି ହୋଇଛି । ୱାକଫ୍ ସମ୍ବନ୍ଧୀୟ ଅଧିକ ଖବର ପାଇଁ ପ୍ରମେୟ ଡଟ୍ କମ୍ ସହିତ ଯୋଡ଼ି ରୁହନ୍ତୁ।
You can aslo read: ୮ମ ବେତନ ଆୟୋଗରେ ଆବଶ୍ୟକତା ଠାରୁ ବଢ଼ିପାରେ ଫିଟମେଣ୍ଟ ପ୍ୟାକ୍ଟର ! ଡିଏ ଯୋଗୁ ବଡ଼ ନିଷ୍ପତ୍ତି ନେଇପାରନ୍ତି ମୋଦୀ ସରକାର