ନୂଆଦିଲ୍ଲୀ,୦୬/୦୪: ଜାନୁଆରୀ ୨୦୨୪ ରେ ମୋଦୀ ସରକାର ଏକ ବଡ଼ ଘୋଷଣା କରିଥିଲେ ଯେ ଡିସେମ୍ବର ୨୦୨୫ ରେ ସପ୍ତମ ବେତନ ଆୟୋଗର କାର୍ଯ୍ୟ ଶେଷ ହେବା ପରେ ଏକ ନୂଆ ଅର୍ଥାତ୍ ଅଷ୍ଟମ ବେତନ ଆୟୋଗ ଗଠନ ହେବ। ଯେତେବେଳେ ଏହି କଥା ସାମ୍ନାକୁ ଆସିଲା, ସାରା ଦେଶରେ କୋଟି କୋଟି କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମଧ୍ୟରେ ଏକ ପ୍ରଶ୍ନ ଉଠିଥିଲା ଯେ ଏଥର ଦରମା କେତେ ବୃଦ୍ଧି ପାଇବ? ବର୍ତ୍ତମାନ ସୁଦ୍ଧା ସରକାର ଅଷ୍ଟମ ବେତନ ଆୟୋଗର ଚେୟାରମ୍ୟାନ୍ ତଥା ଅନ୍ୟ ସଦସ୍ୟଙ୍କ ନାଁ ଘୋଷଣା କରିନାହାଁନ୍ତି, କିନ୍ତୁ ଆଲୋଚନା ଜୋରସୋରରେ ଚାଲିଛି। ଏଥି ସହିତ, ଫିଟମେଣ୍ଟ ଫ୍ୟାକ୍ଟର୍ କ’ଣ ହେବ ଏବଂ ବେସିକ୍‌ ପେ' ରେ ଡିଏ (ମହଙ୍ଗା ଭତ୍ତା) ଏକତ୍ରିକରଣ ହେବ କି ନାହିଁ ସେ ବିଷୟରେ ଆଲୋଚନା ହେଉଛି।

କେମିତି ଲାଗୁ ହେବ ଫିଟମେଣ୍ଟ ଫ୍ୟାକ୍ଟର:

ଏବେ ଏହି ଫିଟମେଣ୍ଟ ଫ୍ୟାକ୍ଟର୍ କ’ଣ ସେ ବିଷୟରେ ଆଲୋଚନା କରିବା। କହିରଖୁଛୁ କି, ଏହା ଏକ ପ୍ରକାର ଗୁଣନ ବା ମଲ୍ଟିପ୍ଳାୟର ଅଟେ, ଯାହା ମାଧ୍ୟମରେ ପୁରୁଣା ବେସିକ ସାଲାରି ବା ମୌଳିକ ବେତନକୁ ଗୁଣନ କରାଯାଇ ନୂଆ ଦରମା ସ୍ଥିର ହୁଏ। ଡିଏ ଅର୍ଥାତ୍ ପ୍ରିୟତା ଭତ୍ତା ଏବଂ ସାମ୍ପ୍ରତିକ ଅର୍ଥନୈତିକ ଅବସ୍ଥାକୁ ଧ୍ୟାନରେ ରଖି ଏହି ଫ୍ୟାକ୍ଟର ସ୍ଥିର କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ସମସ୍ତ କର୍ମଚାରୀ ସମାନ ଏବଂ ନ୍ୟାୟସଂଗତ ବର୍ଦ୍ଧିତ ଦରମା ପାଇବେ। ଗତ କିଛି ବେତନ ଆୟୋଗ ବିଷୟରେ କହିବାକୁ ଗଲେ ସମାନ ଧାରା ଦେଖାଯାଇଛି ଯେ ବେତନ ବୃଦ୍ଧି କରିବା ପୂର୍ବରୁ ପ୍ରିୟତା ଭତ୍ତା ଅର୍ଥାତ୍ ଡିଏ, ମୌଳିକ ବେତନ ଅର୍ଥାତ୍‌ ବେସିକ୍‌ ପେ'ରେ ମିଶ୍ରିତ ହୋଇଛି ଏବଂ ଏହା ପରେ ଫିଟମେଣ୍ଟ ଫ୍ୟାକ୍ଟର୍ ସେହି ସମୁଦାୟ ମିଶ୍ରଣ ଉପରେ ପ୍ରୟୋଗ କରାଯାଇଛି।

ଉଦାହରଣରୁ ଆସନ୍ତୁ ବୁଝିବା:

ଉଦାହରଣ ସ୍ବରୁପ, ଯେତେବେଳେ ୭ମ ବେତନ ଆୟୋଗ ୨୦୧୬ରେ ଲାଗୁ ହୋଇଥିଲା, ସେତେବେଳେ କର୍ମଚାରୀ ମାନଙ୍କୁ ୧୨୫ ପ୍ରତିଶତ ଡିଏ ମିଳିଥିଲା। ଆୟୋଗ ୨.୫୭ ର ଫିଟମେଣ୍ଟ ଫ୍ୟାକ୍ଟର ପରାମର୍ଶ ଦେଇ‌ଥିଲେ। ଅର୍ଥାତ୍‌ ଯଦି କୌଣସି କର୍ମଚାରୀଙ୍କର ବେସିକ ସାଲାରି ୧୦,୦୦୦ ଥିଲା, ସେଥିରେ   ୧୨୫ ପ୍ରତିଶତ ଡିଏ ଅର୍ଥାତ୍‌ ୧୨,୫୦୦ ଯୋଡ଼ି ମୋଟ ୨୨,୫୦୦ ହେଉଥିଲା। ଏଥିରେ ୧୪.୨୨ ପ୍ରତିଶତ ପ୍ରକୃତ ଦରମା ବୃଦ୍ଧି କରି ନୂଆ ଦରମା ୨୫,୫୦୦ ନିର୍ଣ୍ଣୟ କରାଯାଇଥିଲା। ଅର୍ଥାତ୍‌ ଫିଟମେଣ୍ଟ ଫ୍ୟାକ୍ଟର = ୨୫,୭୦୦/ ୧୦,୦୦୦ = ୨.୫୭ ହେଲା। 

ପୂର୍ବ ବେତନ ଆୟୋଗରେ ଠିକ ଏହିପରି ବ୍ୟବସ୍ଥା ଦେଖିବାକୁ ମିଳିଥିଲା। ୫ମ ବେତନ ଆୟୋଗ ୧୯୯୬ ସମୟରେ ଡିଏ ୭୪ ପ୍ରତିଶତ ଥିଲା ଏବଂ ଫିଟମେଣ୍ଟ ଫ୍ୟାକ୍ଟର ୧.୮୬ ରଖାଯାଇଥିଲା। ୬ଷ୍ଠ ବେତନ ଆୟୋଜ ୨୦୦୬ରେ ଡିଏ ପାଖାପାଖି ୧୧୫ ପ୍ରତିଶତ ଥିଲା ଏବଂ ଫିଟମେଣ୍ଟ ବେନିଫିଟ ୧.୮୬x ରଖାଯାଇଥିଲା, ଏଥିରେ ଗ୍ରେଡ୍‌ ପେ' ର ବ୍ୟବସ୍ଥା ସାମିଲ କରାଯାଇଥିଲା। ସେହିପରି ୭ମ ବେତନ ଆୟୋଗ ୨୦୧୬ ରେ ଡିଏ ୧୨୫ ପ୍ରତିଶତ ଥିଲା ଏବଂ ଫିଟମେଣ୍ଟ ଫ୍ୟାକ୍ଟର ୨.୫୭ ନିର୍ଣ୍ଣୟ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ଆଗକୁ ଦରବୃଦ୍ଧି ଆଶଙ୍କା: ସାମଗ୍ରୀ ଠୁଳ କଲେଣି ଆମେରିକୀୟ; ଲାପ୍‌ଟପ୍‌, ସ୍ମାର୍ଟଫୋନ୍‌ ଷ୍ଟୋର୍‌ରେ ପ୍ରବଳ ଭିଡ଼

୩.୦ ପ୍ରତିଶତ ରଖାଯାଉ ଫିଟମେଣ୍ଟ ଫ୍ୟାକ୍ଟର:

ଏଥିରୁ ସ୍ପଷ୍ଟ ହେଉଛି ଯେ, ପ୍ରତ୍ୟେକ ଥର ପେ କମିଶନ ବେସିକ ପେ' ରେ ଡିଏକୁ ମିଶାଇ ଏକ ସମ୍ପୂର୍ଣ୍ଣ ବେତନ ଆଧାର ପ୍ରସ୍ତୁତ କରନ୍ତି ଏବଂ ତା’ପରେ ଏଥିରେ ଏକ ପ୍ରତିଶତ ବୃଦ୍ଧି କରି ନୂତନ ବେତନ ସ୍ଥିର ହୁଏ। ଏହି ଧାରାକୁ ଦେଖିଲେ ଆଶା କରାଯାଏ ଯେ ଅଷ୍ଟମ ପେ କମିଶନ ମଧ୍ୟ ସମାନ ସୂତ୍ରରେ ଆଗକୁ ବଢ଼ିବେ। ବର୍ତ୍ତମାନ, ଏହା ମଧ୍ୟ ଆଲୋଚନା ହେଉଛି ଯେ ଜୁଲାଇ-ଡିସେମ୍ବର ୨୦୨୫ ପାଇଁ ଡିଏ ରେ ବହୁତ କମ୍ ବୃଦ୍ଧି ହୋଇପାରେ, କାରଣ ସମ୍ପ୍ରତି ମୁଦ୍ରାସ୍ଫୀତିରେ ସ୍ଥିରତା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ କର୍ମଚାରୀ ସଂଗଠନ ଆଶା କରୁଛନ୍ତି ଯେ ଏଥର ଫିଟମେଣ୍ଟ ଫ୍ୟାକ୍ଟରକୁ ଅତି କମରେ ୩.୦ କିମ୍ବା ଅଧିକ ରଖାଯିବା ଉଚିତ ଯାହା ଦ୍ବାରା ସେମାନେ ପ୍ରକୃତ ବେତନ ବୃଦ୍ଧିର ଲାଭ ପାଇପାରିବେ।

୮ମ ବେତନ ଆୟୋଗରୁ ଆଶା: 

ମୋଟ ଉପରେ, ଅଷ୍ଟମ ବେତନ ଆୟୋଗ କୋଟି କୋଟି କର୍ମଚାରୀଙ୍କ ପାଇଁ ବହୁତ ଆଶା ଆଣିଛି। ଯଦି ସରକାର ଅତୀତର ପରମ୍ପରାଗୁଡ଼ିକର ପୁନରାବୃତ୍ତି କରନ୍ତି ଏବଂ ଡିଏ କୁ ବେସିକ ପେ' ସହିତ ମିଶ୍ରଣ କରି ଉପଯୁକ୍ତ ଫିଟମେଣ୍ଟ ଫ୍ୟାକ୍ଟର୍ ପ୍ରୟୋଗ କରନ୍ତି, ତେବେ ଏହା ବେତନରେ ଏକ ବଡ଼ ଏବଂ ସକରାତ୍ମକ ପରିବର୍ତ୍ତନ ଆଣିପାରେ। ବର୍ତ୍ତମାନ ଦେଖିବାକୁ ବାକି ରହିଲା କର୍ମଚାରୀଙ୍କ ଆଶା ଅନୁଯାୟୀ ସରକାର କି ପଦକ୍ଷେପ ଗ୍ରହଣ କରିବେ।

You can also read: ଟ୍ରମ୍ପଙ୍କ ଟାରିଫ୍‌ ଧୋଇନେଲା ସମ୍ପତ୍ତି: ଶୀର୍ଷ ଅରବପତି ହରାଇଲେ ୨୦୮ ବିଲିୟନ ଡଲାର, ସର୍ବାଧିକ ହରାଇଲେ ମାର୍କ