ପ୍ରମୁଖ ଖବର
  • ରାଜ୍ୟରେ ଆସନ୍ତା ୧୫ ଯାଏ ଉପକୂଳରେ ବର୍ଷା ସମ୍ଭାବନା, ୧୬ରୁ ପୁଣି ଫେରିବ ଗ୍ରୀଷ୍ମପ୍ରବାହ
  • ||

ଭାରତ ମାତାଙ୍କ ସେବାରେ ଆଇଆଇଟିଆନ୍ସ

ଭୁବନେଶ୍ୱର ୨୭/୪ : ନନ୍ଦନ ନିଲେକାନୀ, କୋଟା ହରିନାରାୟଣ, ନାରାୟଣ ମୂର୍ତି, ଦାମୋଦର ଆଚାର୍ଯ୍ୟ, ବି.କେ.ସିଙ୍ଗଲ, ରବି ବସ୍ତିଆ, ୱାଇ.ସି. ଦେବେଶ୍ୱର, ଗୋପାଳ ଚନ୍ଦ୍ର ମିତ୍ର, ମନୋହର ପାରିକର, କ୍ୟାପ୍ଟେନ୍‌ ଏନ୍‌.ଏସ୍‌.ମୋହନରାମ । ଏମାନେ ସମସ୍ତେ ୨୦୦୦ ମସିହା ପୂର୍ବରୁ ଭାରତରେ ଥିବା ଆଇଆଇଟିରୁ  ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ଏବଂ ଭାରତରେ ଇଞ୍ଜିନିୟରିଂ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି । ଭାରତରେ ଉଚ୍ଚଶିକ୍ଷାର ପବିତ୍ର ମନ୍ଦିର ଆଇଆଇଟିର ଦ୍ୱାର ଦେଇ ହଜାର ହଜାର ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇ ବିଶ୍ୱର ବିଭିନ୍ନ ସ୍ଥାନରେ ସୁନାମ ଅର୍ଜନ କରିଛନ୍ତି । କିନ୍ତୁ ଉପରୋକ୍ତ ତାଲିକାରେ ଯେଉଁମାନଙ୍କ ନାମ ରହିଛି, ସେମାନେ ବିଦେଶରେ ଥିବା ଲୋଭନୀୟ ନିଯୁକ୍ତିକୁ ଅଣଦେଖା କରି ନିଜ ମାତୃଭୂମିର ସେବା କରିବାକୁ  ପସନ୍ଦ କରିଛନ୍ତି । 

‘ୱାନ ହଣ୍ଡ୍ରେଡ ଗ୍ରେଟ ଆଇଆଇଟିଆନ୍ସ’ ଏଭଳି ଶହେ ଜଣ ବିଶିଷ୍ଟ ଇଞ୍ଜିନିୟର ଓ ଟେକ୍ନୋକ୍ରାଟ ମାନଙ୍କୁ ନେଇ ଚାରିଶହ ଚାରି  ପୃଷ୍ଠାର ସଙ୍କଳିତ ଏକ ଉପାଦେୟ ପୁସ୍ତକ । ଏହି ପୁସ୍ତକରେ ଭାରତର ବିକାଶକୁ ସୁନିଶ୍ଚିତ କରିବା ପାଇଁ   ବିଦେଶରେ ମୋଟା ଅଙ୍କର ଦରମା ତଥା ଅନ୍ୟାନ୍ୟ ସୁଖ ସୁବିଧାର ମୋହରେ ନ ପଡି ଭାରତରେ ରହି ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ପ୍ରଦାନ କରିଥିବା ଏହି ସମସ୍ତ ମହାନ ବ୍ୟକ୍ତିଙ୍କୁ ତାଲିକା ଭୁକ୍ତ କରାଯାଇଛି । ଏହି ପୁସ୍ତକର ସମ୍ପାଦନା କରିଛନ୍ତି କମାଣ୍ଡର ଭି.କେ.ଜେଟଲୀ । 

ଦେଶର ସ୍ୱାଧୀନତା ପୂର୍ବରୁ  ଆଇଆଇଟିର ପରିକଳ୍ପନା କରାଯାଇଥିଲା ଏବଂ ନଳିନୀ ରଂଜନ ସରକାର କମିଟିର ସୁପାରିସ୍‌  ଆଧାରରେ ଏହାର ବ୍ଳୁ ପ୍ରିଂଟ ପ୍ରସ୍ତୁତ କରାଯାଇଥିଲା । ପଶ୍ଚିମବଙ୍ଗର ଦୂରଦ୍ରଷ୍ଟା  ମୁଖ୍ୟମନ୍ତ୍ରୀ ଡକ୍ଟର ବିଧାନ ଚନ୍ଦ୍ର୍ର ରାୟ ଖଡଗପୁର ଠାରେ ଭାରତର ପ୍ରଥମ ଆଇଆଇଟି ପ୍ରତିଷ୍ଠା ପାଇଁ ଜମି ଯୋଗାଇ ଦେଇଥିଲେ ଏବଂ ପରବର୍ତୀ ସମୟରେ ୧୯୫୧ ଅଗଷ୍ଟ ୧୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦ୍ୱାରା ଏହାର ଉଦ୍‌ଘାଟନ ହୋଇଥିଲା ।

ଭାରତୀୟ ସଂସଦ ୧୯୫୬ ମସିହା ସେପ୍ଟେମ୍ବର ୧୫ ତାରିଖରେ ଆଇଆଇଟି (ଖଡଗପୁର) ଆଇନ ପାରିତ କରି ଏହାକୁ ଜାତୀୟ ଗୁରୁତ୍ୱ ବହନ କରୁଥିବା ଏକ ଅନୁଷ୍ଠାନ ଭାବେ ଘୋଷଣା କରିଥିଲେ । ‘ଆଇଆଇଟି ର ଯାତ୍ରା’ ସ୍ୱାଧୀନ ଭାରତର ଇତିହାସରେ ଏକ ବିରଳ ସଫଳତାର କାହାଣୀ ।

ଭାରତରେ ବର୍ତମାନ ୨୩ଟି ଆଇଆଇଟି ରହିଛି ଯାହା ଏହି ସମସ୍ତ ଶିକ୍ଷାନୁଷ୍ଠାନକୁ ବିଶ୍ୱସ୍ତରୀୟ ବ୍ରାଣ୍ଡରେ ପରିଣତ କରିଛି । ‘ୱାନ ହଣ୍ଡ୍ରେଡ ଗ୍ରେଟ ଆଇଆଇଟିଆନ୍ସ’ ପୁସ୍ତକରେ ସେହି ସ୍ନାତକ ମାନଙ୍କୁ ଗୁରୁତ୍ୱ ଦିଆଯାଇଛି, ଯେଉଁମାନେ ବିକଶିତ ବିଶ୍ୱର ଗ୍ଳାମରରେ ଆକୃଷ୍ଟ ହେବାକୁ ମନା କରିଦେଇଥିଲେ । ଏହି ପୁସ୍ତକରେ ‘ଆଇଆଇଟିରୁ ଉତୀର୍ଣ୍ଣ ଶହେ ଜଣ ମହାନ ବ୍ୟକ୍ତିଙ୍କ ସଫଳତାର କାହାଣୀ ବର୍ଣ୍ଣିତ । ସେମାନେ ପ୍ରଯୁକ୍ତି ବିଦ୍ୟା, ଗବେଷଣା ଓ ବିକାଶ, ଶାସନ, ଶିକ୍ଷା, ପ୍ରତିରକ୍ଷା, ସାମାଜିକ ଓ ଆଧ୍ୟାତ୍ମିକ କ୍ଷେତ୍ର, କଳା ଓ ସଂସ୍କୃତି ତଥା କର୍ପୋରେଟ  ଜଗତରେ ଉଲ୍ଲେଖନୀୟ ଯୋଗଦାନ କରିଛନ୍ତି ।

ଆସନ୍ତା ଏପ୍ରିଲ ୨୯ ତାରିଖରେ ଓଡିଶାର ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କ ଉପସ୍ଥିତିରେ ସୋଆ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବାକୁ ଥିବା ‘ୟୁଥ୍‌ ଫର୍‌ ନେସନ୍‌ (ୱାଇ୪ଏନ୍‌) ର ଓଡିଶା ଚାପ୍ଟରର ଉଦ୍‌ଘାଟନୀ ଉତ୍ସବରେ ଏହି ପୁସ୍ତକ ଉନ୍ମୋଚିତ ହେବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.