ପ୍ରମୂଖ ଖବର

ଯୋଜନାରେ ରହିଗଲା କିଚେନ୍‌ ଗାର୍ଡେନ୍‌, ପିଲାଙ୍କୁ ମିଳୁଥିଲା ସୁଷମ ଓ ପୁଷ୍ଟିକର ଖାଦ୍ୟ..

ଭୁବନେଶ୍ୱର,୧୧/୦୫: ଛାତ୍ରଛାତ୍ରୀଙ୍କୁ ସୁଷମ ଓ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଆରମ୍ଭ ହେଲା କିଚେନ୍‌ ଗାର୍ଡେନ୍‌ର ପରିକଳ୍ପନା । ଲକ୍ଷ୍ୟ ଥିଲା, ସ୍କୁଲ କ୍ୟାମ୍ପସ୍‌ରେ ପନିପରିବା ଚାଷ ହେବ । ଏଥିରୁ ବାହାରୁଥିବା ପରିବାକୁ ମଧ୍ୟାହ୍ନ ଭୋଜନରେ ବ୍ୟବହାର କରାଯିବ । ଯାହା ଫଳରେ ପିଲାମାନେ ତଟକା ପନିପରିବା ଖାଇବେ । ଆଉ ଗଛର ମୂଲ୍ୟ ମଧ୍ୟ ବୁଝିବେ । ଏଥିପାଇଁ ସ୍କୁଲକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଆର୍ଥିକ ସହାୟତା ମଧ୍ୟ ଦିଆଗଲା । କିଛି ସ୍କୁଲ ମଧ୍ୟ ଉତ୍ସାହର ଗଛ ଲଗାଇଲେ, ପାଣି ଦେଲେ ଏଥିରୁ ଫଳୁଥିବା ପରିବାକୁ ତୋଳି ମଧ୍ୟାହ୍ନ ଭୋଜନରେ ବ୍ୟବହାର କଲେ । ଇଏ କିଛି ମାସ ଚାଲିବା ପରେ ଏବେ ଏହି କିଚେନ୍‌ ଗାର୍ଡେନ୍‌ର ଚିହ୍ନବର୍ଣ୍ଣ ନାହିଁ । 

୨୦୨୧-୨୨ ଶିକ୍ଷାବର୍ଷରୁ କିଚେନ୍‌ ଗାର୍ଡେନ୍‌ ଯୋଜନାର ପରିକଳ୍ପନା କରାଗଲା । ଏ ବାବଦକୁ ୨୧ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରାଯାଇଥିଲା । ସ୍କୁଲ ପାଚେରୀ, ଜଳସେଚନ ବ୍ୟବସ୍ଥା ଓ କିଚେନ୍‌ ଗାର୍ଡେନ୍‌ ପାଇଁ ଉପଯୁକ୍ତ ଭିତ୍ତିଭୂମି ଥିବା ସ୍କୁଲମାନଙ୍କୁ ଏଥିରେ ସାମିଲ୍‌ କରାଯାଇଥିଲା । ରାଜ୍ୟର ୪୩ ହଜାର ପ୍ରାଥମିକ ସ୍କୁଲକୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଇଥିଲା । ଯୋଜନା ଅନୁଯାୟୀ, ସ୍କୁଲ କର୍ତ୍ତୃପକ୍ଷ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରିବେ । କିଚେନ୍‌ ଗାର୍ଡେନ୍‌ରେ ଅମୃତ ଭଣ୍ଡା, କଦଳୀ, ଲଙ୍କା, ଶାଗ, ବାଇଗଣ, କଖାରୁ, ବିଲାତି ଆଦି ଗଛ ଲଗାଇବାକୁ କୁହାଯାଇଥିଲା । ଅଧିକ ସ୍ଥାନ ଥିଲେ ଏଠାରେ ପଣସ ଗଛ ଲଗାଇବାକୁ ମଧ୍ୟ କୁହାଯାଇଥିଲା । ଏସବୁ ଚାଷ ଜୈବିକ ଉପାୟରେ କରିବାକୁ କୁହାଯାଇଥିଲା । ଯାହା ଫଳରେ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ମିଳିବ । ଏପରି ବି କୁହାଯାଇଥିଲା, ଯଦି ଏହି ପନିପରିବା ମଧ୍ୟାହ୍ନ ଭୋଜନରେ ବ୍ୟବହାର ପରେ ବଳକା ରୁହେ ତେବେ ଏହାକୁ ବିକ୍ରି କରି ମଧ୍ୟାହ୍ନ ଭୋଜନ ଖର୍ଚ୍ଚରେ ବିନିଯୋଗ କରାଯିବ ।

ଏହି ଯୋଜନା କାର୍ଯ୍ୟକାରୀ ସମୟରେ ଶିକ୍ଷକଙ୍କଠୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ସ୍କୁଲ ବଗିଚାରେ ବିଭିନ୍ନ ପ୍ରକାରର ପରିବା ଫଳିଲା । ଡାଲମାରେ ଭରପୁର ପରିବା ମଧ୍ୟ ରହିଲା । ଏପରିକି ମଝିରେ ମଝିରେ ଶାଗ ଭଜା ମଧ୍ୟ ଖାଉଥିଲେ । ଏହି କିଚେନ୍‌ ଗାର୍ଡେନ୍‌କୁ ପିଲାମାନେ ଉତ୍ସାହର ସହ ପାଣି ଦେବା ସହ ସପ୍ତାହର ଗୋଟିଏ ଦିନ ଏହାର ଯତ୍ନ ନେଉଥିଲେ । ଏହି ଯୋଜନା କାର୍ଯ୍ୟକାରୀ ଗୋଟିଏ ବର୍ଷ ବେଶ୍‌ ଭଲ ଭାବେ କରାଗଲା । ହେଲେ ଏବେ ଏହାର ପତ୍ତା ମିଳୁନି । ଜଣେ ଶିକ୍ଷକ କହିଛନ୍ତି, ବିଭାଗ ପକ୍ଷରୁ ଏନେଇ ଆଉ ଅନୁଦାନ ଆସୁନାହିଁ । ଗଣଶିକ୍ଷା ବିଭାଗ ଯଦି ଆର୍ଥିକ ସହାୟତା ଯୋଗାଇବ ତେବେ ଏହି ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.