ସୀତାପୁର, ୧୧/୦୫ : ଉତ୍ତରପ୍ରଦେଶ ସୀତାପୁରରେ ବିଭତ୍ସ ହତ୍ୟାକାଣ୍ଡ। ଗୋଟିଏ ପରିବାରର ୬ ସଦସ୍ୟଙ୍କ ମୃତ୍ୟୁ। ନିଜ ଜନ୍ମକଲା ମାଆ, ସ୍ତ୍ରୀ ଓ ୩ ଛୁଆଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ଅଭିଯୁକ୍ତ। ଏହି ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ମଥୁରା ଥାନା ପହ୍ଲାପୁର ଗ୍ରାମର ଅନୁରାଗ ସିଂହ ଶୁକ୍ରବାର ରାତି ପ୍ରାୟ ଅଢେଇରୁ ୩ଟା ବେଳେ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଅନୁରାଗ ପ୍ରଥମେ ତାଙ୍କ ମା ସାବିତ୍ରୀ ଦେବୀ (୬୨ ବର୍ଷ)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହାପରେ ପତ୍ନୀ ପ୍ରିୟଙ୍କା ସିଂହ (୪୦ ବର୍ଷ)ଙ୍କୁ ହାତୁଡ଼ିରେ ଛେଚି ହତ୍ୟା କରିଛନ୍ତି। ଏହାପରେ ଝିଅ ଅଶ୍ଵି (୧୨ ବର୍ଷ), ପୁଅ ଆଦ୍ଵିକ ଏବଂ ଆରନା (୪ ବର୍ଷ)ଙ୍କୁ ଛାତ ଉପରୁ ଠେଲି ଦେଇଛନ୍ତି। ଶେଷରେ ନିଜେ ଆତ୍ମହତ୍ୟା କରିଛନ୍ତି। ସକାଳେ ଗ୍ରାମବାସୀ ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସକୁ ଖବର ଦେଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ଏହି ହତ୍ୟା ଏବଂ ଆତ୍ମହତ୍ୟା ପଛର କାରଣ ଜଣାପଡ଼ି ନାହିଁ। ଅନୁରାଗ ମାନସିକ ବିକାରଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।