ଭୁବନେଶ୍ଵର, ୧୯/୦୬ : ଆ... କହି ଡାକିଦେଲେ ପାଖକୁ ଚାଲିଆସୁଛି ଟଏଲେଟ୍। ଏବେ ଯେଉଁଠି ଚାହିଁବେ ସେଇଠି ଶୌଚାଳୟ ବ୍ୟବହାର କରିପାରିବେ। ଚୀନ୍‌ର ଏକ କମ୍ପାନି ଏଭଳି ରୋବୋଟିକ୍‌ ଶୌଚାଳୟ ନିର୍ମାଣ କରିଛି। ଏଣିକି ଲୋକ ଟଏଲେଟ୍ ପାଖକୁ ନୁହେଁ ଟଏଲେଟ୍ ଲୋକଙ୍କ ପାଖକୁ ଆସିବ। ୟୁଜର୍‌ ଏହାକୁ କଣ୍ଠସ୍ୱର କିମ୍ବା ରିମୋଟ୍‌ କଣ୍ଟ୍ରୋଲ ଜରିଆରେ ପାଖକୁ ଡାକିପାରିବେ। ଏହା ଘର ଭିତରେ ନିଜେ ଚାଲି ଚାଲି ପାଖରେ ପହଞ୍ଚିଯିବ । ବୟସ୍କ ଓ ଦିବ୍ୟାଙ୍ଗଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ଏହାକୁ ନିର୍ମାଣ କରାଯାଇଛି ।

ଯଦି କୌଣସି ରୋଗୀ ବିଛଣାରେ ପଡିଛନ୍ତି ତାହେଲେ ଏହା ବେଡ୍ ପାଖକୁ ଚାଲିଯିବ। ଏଥିରେ ଲିଡାର, ଲେଜର୍‌ ଓ ଅଲ୍‌ଟ୍ରାସୋନିକ୍‌ ସେନ୍ସର ଲାଗିଛି । ଏହା ଜରିଆରେ ରୋବୋ କାନ୍ଥ, ଆସବାବପତ୍ର ଓ ସିଡ଼ିକୁ ଚିହ୍ନିପାରିବ । ବ୍ୟବହାର ପରେ ଏହା ଚାର୍ଜିଂ ଷ୍ଟେସନ୍‌କୁ ଫେରିଯିବ । ଏଥିରେ ସ୍ୱୟଂଚାଳିତ ବର୍ଜ୍ୟ ପରିଚାଳନା ପ୍ରଣାଳୀ ରହିଛି । ଏଥିରେ ଗରମ ପାଣିରେ ଧୋଇବା ଓ ଶୁଖାଇବା ସୁବିଧା ରହିଛି । ଦୁର୍ଗନ୍ଧ ଦୂର କରିବା ଓ ସଫେଇ ପାଇଁ ଫିଲ୍ଟର ବି ଲାଗିଛି । ନିକଟରେ ସଂଘାଈରେ ଆୟୋଜିତ ଏକ ପ୍ରଦର୍ଶନୀରେ ଏହାକୁ ପ୍ରଦର୍ଶନ କରାଯାଇଥିଲା । ଏହି ରୋବୋଟିକ୍‌ ଶୌଚାଳୟର ମୂଲ୍ୟ ୪ ହଜାର ଡଲାର ଅର୍ଥାତ୍‌ ହାରାହାରି ୩.୭ ଲକ୍ଷ ଟଙ୍କା ।

ଆହୁରି ପଢନ୍ତୁ- Robot Police: ରୋବୋ ପୁଲିସର ଚାକିରି ଗଲା, ବର୍ଷକ ଭିତରେ ଧରିପାରିଲାନି ଜଣେ ବି ଅପରାଧୀ

ମଣିଷ ଶରୀରରେ ସଫଳ ହେଲା AI ଭ୍ୟାକ୍ସିନ୍ ,ଟିକା ନେବା ପାଇଁ ଫୋଡିବାକୁ ପଡ଼ିବ ନାହିଁ ଛୁଞ୍ଚି..