ନୂଆଦିଲ୍ଲୀ ୧୯/୦୬: ଏଆଇ ଓ ରୋବୋଟିକ୍ସକୁ ଅପରାଧ ନିୟନ୍ତ୍ରଣ ଓ ପୁଲିସ ସେବାର ଭବିଷ୍ୟତ କୁହାଯାଉଛି । ବିଶ୍ୱର ଅନେକ ସହରରେ ପୁଲିସକୁ ସାହାଯ୍ୟ କରିବା ଲାଗି ରୋବୋ ମୁତୟନ କରାଯାଉଛି । କିନ୍ତୁ ଆମେରିକାର ଓହାୟୋ ରାଜ୍ୟର ଡବ୍ଲିନ ସହରରେ ପରିଚାଳିତ ଏଭଳି ଏକ ପ୍ରୋଜେକ୍ଟ ସଫଳ ହୋଇପାରିନି । ଦୀର୍ଘ ବର୍ଷେ କାଳ ଚାକିରି କରିବା ପରେ ସହରର ରୋବୋ ପୁଲିସ ‘ଡବ୍ବଟ୍’କୁ ଅବସର ଦିଆଯାଇଛି । ସବୁଠୁ ଖାସ୍ କଥା ହେଉଛି ଏହି ରୋବୋ ପୁଲିସ ଚାକିରି କାଳରେ କୌଣସି ଅପରାଧୀକୁ ଧରିନାହିଁ କିମ୍ବା କାହାର ଗିରଫରେ ସହାୟକ ହୋଇନାହିଁ । ଏପରିକି ଗୋଟିଏ ଚାଲାଣ ବି କାଟିନି । ତଥାପି ଏହି ପ୍ରୋଜେକ୍ଟ ଉପରେ ସହରକୁ ପ୍ରାୟ ୬୩ ଲକ୍ଷ ଖର୍ଚ୍ଚ କରିବାକୁ ପଡ଼ିଲା ।
ଡବ୍ବଟ୍ ପ୍ରକୃତରେ ଆମେରିକାର ଟେକ୍ କମ୍ପାନି ନାଇଟ୍ସ୍କୋପ୍ର କେ୫ ଅଟୋନମସ୍ ସିକ୍ୟୁରିଟି ରୋବୋ ଥିଲା । ଏହାକୁ ଗତ ବର୍ଷ ଜୁଲାଇରେ ଡବ୍ଲିନ ସହରର ରକ୍ କ୍ରେସ୍ ପାର୍କିଂ ଗ୍ୟାରେଜ୍ରେ ମୁତୟନ କରାଯାଇଥିଲା । ପରେ ଏହାକୁ ସହରର ଅନ୍ୟ ସର୍ବସାଧାରଣ ଅଞ୍ଚଳରେ ମୁତୟନ କରିବାର ଯୋଜନା ମଧ୍ୟ ଥିଲା । ରୋବୋ ଶରୀରରେ ୩୬୦ ଡିଗ୍ରୀ କ୍ୟାମେରା, ଦୁଇ ପ୍ରକାର ଆପାତକାଳ ଯୋଗାଯୋଗ ପ୍ରଣାଳୀ ଓ ଏକ ଆପାତକାଳ କଲ୍ ବଟନ୍ ଦିଆଯାଇଥିଲା । ଏହା ଦ୍ୱାରା ଲୋକେ ଆବଶ୍ୟକ ହେଲେ ପୁଲିସ ସହ ସମ୍ପର୍କ କରିପାରୁଥିଲେ । ଡବ୍ଲିନ ପୁଲିସର ଧାରଣା ଥିଲା, ଏହି ରୋବୋ ଭିଡ଼ ଅଞ୍ଚଳରେ ଅପରାଧୀଙ୍କ ଉପରେ ନଜର ରଖିବା, ସାର୍ବଜନୀନ ସୁରକ୍ଷା ବଢ଼ାଇବା ଏବଂ ପୁଲିସକୁ ସାହାଯ୍ୟ କରିବା କାମ କରିବ । ଦୁଇ ବର୍ଷର ପାଇଲଟ୍ ପ୍ରୋଜେକ୍ଟ ଅନ୍ତର୍ଗତ ସହରରେ ଏହାକୁ ଆରମ୍ଭ କରାଯାଇଥିଲା । କିନ୍ତୁ ବର୍ଷେ ଭିତରେ ଅଧିକାରୀଙ୍କୁ ଲାଗିଲା, ରୋବୋ ସେମାନଙ୍କ ଆବଶ୍ୟକତା ପୂରଣ କରିପାରୁନି । ସମୀକ୍ଷା ପରେ ନିକଟରେ ସହରରେ ଡବ୍ବଟ୍କୁ ସେବାରୁ ହଟାଇ ଦିଆଯାଇଛି ଏବଂ ତାକୁ କମ୍ପାନି ନାଇଟ୍ସ୍କୋପ୍କୁ ପଠାଇ ଦିଆଯାଇଛି ।
ରିପୋର୍ଟ ଅନୁସାରେ, ପ୍ରାରମ୍ଭରେ ସହର ଦୁଇଟି ରୋବୋ ମୁତୟନ ଯୋଜନା କରିଥିଲା । ଏଥିପାଇଁ ନାଇଟ୍ସ୍କୋପ୍ ସହିତ ପ୍ରାୟ ୨ କୋଟିରୁ ଅଧିକ ଟଙ୍କାର ଚୁକ୍ତି ହୋଇଥିଲା । କିନ୍ତୁ ୨ୟ ରୋବୋ ମୁତୟନ ହୋଇପାରିଲା ନାହିଁ । ପ୍ରଥମ ବର୍ଷ ସହର ଏହି ପ୍ରୋଜେକ୍ଟରେ ୧,୨୮,୦୮୦ ଡଲାର ଖର୍ଚ୍ଚ କଲା । ଏତେ ଖର୍ଚ୍ଚ ସତ୍ତେ୍ୱ ଡବ୍ବଟ୍ କୌଣସି ଉପଲବ୍ଧି ହାସଲ କରିପାରିଲା ନାହିଁ । ଏମିତି କୌଣସି ମାମଲା ସେ ଚିହ୍ନଟ କଲା ନାହିଁ, ଯେଉଁଥିରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତା ।
ଆହୁରି ପଢ଼ନ୍ତୁ...ଆମେରିକା-ଇରାନ ବୁଝାମଣା ଚାପରେ ନଇଁବନି ଇସ୍ରାଏଲ, ଦକ୍ଷୀଣ ଲେବାନନରୁ ପଛକୁ ସେନା ନହଟାଇବାକୁ ପ୍ରସ୍ତାବ...