ଭୁବନେଶ୍ୱର,୧୨/୧୦ : ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ସୁକାନ୍ତ ଗୋଛାୟତଙ୍କ ପତ୍ନୀଙ୍କ ସୁନା ଚେନ୍‌ ଝାମ୍ପି ନେଲେ । ପୁଲିସ୍‌ ମାମଲା ରୁଜୁ କଲା । ତଦନ୍ତ କରି ଅଭିଯୁକ୍ତଙ୍କୁ ଧରି ସୁନା ଚେନ୍‌ ଜବତ କରିବ କ’ଣ, ପୁଲିସ୍‌ କହୁଛି ତୁମ ମାମଲା ତଦନ୍ତ ସରିଛି । ଆମେ କେସ୍‌ ବନ୍ଦ କରିବୁ ତମେ ଆସି ଦସ୍ତଖତ କରିଦେଇ ଯାଅ । ପ୍ରତ୍ୟେକ ଦିନ ଏମିତି ଫୋନ୍‌ କରି ମନଇଚ୍ଛା ପୁଲିସ୍‌ କେସ୍‌ ବନ୍ଦ କରୁଛି । ଚୋରି, ଲୁଟ୍‌, ଠକେଇ ଓ ଦୁର୍ଘଟଣା ଭଳି ଅଭିଯୋଗ ନେଇ ଥାନାକୁ ଗଲେ ପୁଲିସ୍‌ ଏତଲା ରଖିବାକୁ ବହୁ ବାହାନା କରେ । ତା’ପରେ ମାମଲା ରୁଜୁ କରି ଏତଲା କପି ଧରାଇ ଦିଏ । ତା’ପରେ କଥା ସରିଲା । ଅଭିଯୁକ୍ତକୁ ଧରିବା ଓ ସମ୍ପତ୍ତି ଫେରସ୍ତ କରିବାକୁ ଉଦ୍ୟମ କରେନାହିଁ । ଯଦି କେଉଁ ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି କିମ୍ବା ଉପର ଚାପ ପଡିଛି ସେଥିରେ ପୁଲିସ୍‌ ତଦନ୍ତ କରି ଅଭିଯୁକ୍ତଙ୍କୁ ଧରୁଛି । ଯଦି ସାଧାରଣ ଲୋକଟିଏ ଥାନାକୁ ଯାଉଛି । ତା’ହେଲେ ନ୍ୟାୟ ମିଳିବା କାଠିକର ପାଠ । 

ନିୟମ କହୁଛି, ଯେଉଁ ଅପରାଧରେ ୭ ବର୍ଷରୁ କମ୍‌ ଦଣ୍ଡ, ତାହାର ତଦନ୍ତ କରି ୬୦ ଦିନ ଦିନ ମଧ୍ୟରେ ଚାର୍ଜସିଟ୍‌ ଦେବ ପୁଲିସ୍‌ । ୧୦ ବର୍ଷରୁ ଅଧିକ ଥିଲେ ୯୦ କିମ୍ବା ୧୨୦ ଦିନରେ ଚାର୍ଜସିଟ୍‌ ଦାଖଲ କରିବ । ଚୋରି, ଲୁଟ୍‌, ଠକେଇ, ସିନ୍ଧିଚୋରି ଭଳି ମାମଲାରେ କମିଶନରେଟ୍‌ ପୁଲିସ୍‌ ଫେଲ୍‌ ମାରୁଛି । ଅଭିଯୋଗ ହେବା ପରେ ପୁଲିସ୍‌ ଉପରଠାଉରିଆ ତଦନ୍ତ କରି ଚୁପ୍‌ ରହୁଛି । ତା’ପରେ ଅଭିଯୋଗକାରୀଙ୍କୁ ଫୋନ୍‌ କରି ପୁଲିସ୍‌ କହୁଛି ମାମଲା ବନ୍ଦ ହୋଇଗଲା । ହେଲେ କ’ଣ ପାଇଁ ବନ୍ଦ ହେଉଛି ସେ ବିଷୟରେ ପୁଲିସ୍‌ କିଛି ଜଣାଉନାହିଁ । ଠକେଇ ମାମଲାରେ ସ୍ଥିତି ଅତ୍ୟନ୍ତ ଖରପ । ଠକେଇ ନେଇ ଯଦି କେହି ଥାନାକୁ ଯାଉଛି ପୁଲିସ୍‌ ତାକୁ ପ୍ରଶ୍ନ ଉପରେ ପ୍ରଶ୍ନ କରୁଛି । ପୁଲିସ୍‌ କହୁଛି ଟଙ୍କା ଦେଲା ବେଳେ କ’ଣ ଆମକୁ ଜଣାଇ ଥିଲ? ଟଙ୍କା ଦେଇ ଥିଲ ବୋଲି କ’ଣ ପ୍ରମାଣ ରହିଛି? ଏବେ ଆସିଲେ ଆମେ କ’ଣ କରିବୁ? ଏମିତି ପ୍ରଶ୍ନ ଶୁଣି ଲୋକେ ଏତଲା ଦେବା ବଦଳରେ ଥାନାରୁ ପଳାଇ ଯାଉଛନ୍ତି । 

ଯଦି କେହି ଏତଲା ଦେଇ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରୁଛି ସେଥିରେ ପୁଲିସ୍‌ ଦୋମୁହାଁ ନୀତି ଆପଣାଉଛି । ଠକେଇ ମାମଲାରେ ଅଭିଯୁକ୍ତ ଧରି ପୁଲିସ୍‌ ଧାରା ୪୧ ମୁତାବକ ନୋଟିସ୍‌ ଦେଇ ଛାଡ଼ିଦେଉଛି । ଅଳ୍ପ କିଛି ଘଟଣାରେ ଅଭିଯୁକ୍ତ ଜେଲ୍‌ ଯାଉଛି । ହେଲେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ତା’ ଟଙ୍କା ଫେରିପାଉନି । ପୁଲିସ୍‌ ମଧ୍ୟ ସେଥିପାଇଁ କିଛି ପଦକ୍ଷେପ ନେଉ ନାହିଁ । କିଛି ଦିନ ପରେ ମାମଲା ବନ୍ଦ କରିଦେଉଛି । ଦୁର୍ଘଟଣା ମାମଲା ଯେଉଁ ଦିନ ରୁଜୁ ହେଉଛି । ତାହାର ୧୦ରୁ ୧୫ ଦିନ ମଧ୍ୟରେ ପୁଲିସ ଚାର୍ଜସିଟ୍‌ ଦାଖଲ କରି ଫାଇନାଲ୍‌ ରିପୋର୍ଟ କରିଦେଉଛି । ଦୁର୍ଘଟଣା କ’ଣ ପାଇଁ ଘଟିଲା? କାହାର ଭୁଲ୍‌? ସେ ସବୁ ବିଷୟରେ କୌଣସି ତଦନ୍ତ ହେଉନାହିଁ । ଅବଶ୍ୟ ପୁନଃତଦନ୍ତର ବ୍ୟବସ୍ଥା ରହିଛି । ହେଲେ ପୁଲିସ୍‌ ଭୟରେ ଲୋକେ ମାମଲାର ଅଧିକ ତଦନ୍ତ ପାଇଁ ଦାବି କରୁନାହାନ୍ତି । ନିୟମ କହୁଛି ଅଭିଯୋଗକାରୀ ପୁନଃତଦନ୍ତ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ । ଅଭିଯୋଗକାରୀ କୋର୍ଟଙ୍କୁ ଜଣାଇବେ ତଦନ୍ତକାରୀ ଅଧିକାରୀଙ୍କ ତଦନ୍ତରେ ସେ ଅସନ୍ତୁଷ୍ଟ । କୋର୍ଟ ଏହି ମାମଲାର ଫଇସଲା କରି ଯଥାବିଧି ନିର୍ଦ୍ଦେଶ ଦେବେ ।