ନୂଆଦିଲ୍ଲୀ,୨୪/୦୫: ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ (ଡିଓଏସ୍‌ଇଏଲ୍‌)  ଶିକ୍ଷାର୍ଥୀ ତଥା ଯୁବବର୍ଗଙ୍କୁ ନିଶା, ତମାଖୁ  ଭଳି ହାନିକାରକ ପଦାର୍ଥ ସେବନରୁ ଦୂରେଇ ରଖିବା ଲାଗି ଜାତୀୟ ଅଭିଯାନ  ଆରମ୍ଭ କରିଛି । ଏ ଦିଗରେ ପଦକ୍ଷେପ  ନେଇ ସମସ୍ତ ନିୟମକୁ କଡ଼ାକଡ଼ି ଲାଗୁ  କରିବାକୁ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ  ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି । ଏ  ନେଇ ଗତ ୧୫ ତାରିଖରେ ନାର୍କୋ-କୋଅର୍ଡିନେସନ ସେଣ୍ଟରର ୮ମ ଶୀର୍ଷ  କମିଟି ବୈଠକ ବସିଥିଲା । ଏହା ପରେ  ଡିଓଏସ୍‌ଇଏଲ୍‌ ସଚିବ ସଞ୍ଜୟ କୁମାର ଦେଶବ୍ୟାପୀ ଏହି ଅଭିଯାନ ଆରମ୍ଭ କରିବା  ଲାଗି ଦିଶାନିର୍ଦ୍ଦେଶ ଜାରି କରିଥିଲେ ।  

ଏହା ଅନୁସାରେ, ସ୍କୁଲ କଲେଜ  ପରିସରରେ ‘ତମାଖୁ ମୁକ୍ତ ଅଞ୍ଚଳ’  ଲେଖା ପ୍ରଦର୍ଶନ କରାଯିବ । ପ୍ରବେଶ  ପଥରେ ‘ତମାଖୁ ମୁକ୍ତ ଶିକ୍ଷା ଅନୁଷ୍ଠାନ’  ବୋର୍ଡ ଲାଗିବ । ପରିସରରେ ତମାଖୁ  ବ୍ୟବହାର ଲାଗି କୌଣସି ମାଧ୍ୟମ  ରହିବନି । ତମାଖୁ ସେବନ ଜନିତ  ସ୍ୱାସ୍ଥ୍ୟଗତ ସମସ୍ୟା ବାବଦରେ  ସଚେତନ ସାମଗ୍ରୀ ପ୍ରଦର୍ଶନ କରାଯିବ ।  ପ୍ରତି ୬ ମାସରେ ଅତିକମ୍‌ରେ ଥରେ  ଏକ ତମାଖୁ ନିୟନ୍ତ୍ରଣ ଗତିବିଧି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।  ତମାଖୁ ମନିଟରଙ୍କ ନାମାଙ୍କନ କରାଯିବ ।  ସ୍କୁଲରେ ଆଚାର ସଂହିତାରେ ତମାଖୁ  ମୁକ୍ତ ନୀତି ସାମିଲ ହେବ । ଶିକ୍ଷାନୁଷ୍ଠାନର  ଚାରିପଟେ ୧୦୦ ଗଜ ଦୂରତା ଭିତରେ  ଥିବା ପରିସରକୁ ତମାଖୁ ମୁକ୍ତ କ୍ଷେତ୍ର  ଘୋଷଣା କରାଯିବ । କୌଣସି ଦୋକାନୀ  ବା ବିକ୍ରେତା ୧୦୦ ଗଜ ପରିସୀମା  ଭିତରେ ଯେପରି ତମାଖୁ ଉତ୍ପାଦ ବିକ୍ରି  ନ କରନ୍ତି ତାହା ସୁନିଶ୍ଚିତ କରାଯିବ ।  ଭାରତ ଦୁନିଆର ସବୁଠୁ ଯୁବ ଜନସଂଖ୍ୟା  ବିଶିଷ୍ଟ ଦେଶ ମଧ୍ୟରେ ଅନ୍ୟତମ ।  ଏହାର ଅଧିକାଂଶ ନାଗରିକଙ୍କ ବୟସ  ୨୯ ବର୍ଷରୁ କମ୍‌ । ସେମାନେ ଏକ  ବିକଶିତ ଭାରତ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ  ଭୂମିକା ତୁଲାଇବେ । ଅଧ୍ୟୟନ ଅନୁସାରେ,  ଭାରତରେ ଯୁବପିଢ଼ିଙ୍କ ମଧ୍ୟରେ ତମାଖୁ  ସେବନ ମାତ୍ରା ଦ୍ରୁତଗତିରେ ବଢ଼ୁଛି ।  ଏଥିଯୋଗୁ ସ୍କୁଲ, କଲେଜ ପରିସରରେ  ଅନ୍ୟ ନିଶା ପଦାର୍ଥ ସେବନ ପ୍ରବୃତ୍ତି ମଧ୍ୟ  ବୃଦ୍ଧିପାଉଛି । ଗ୍ଲୋବାଲ ୟୁଥ୍‌ ଟୋବାକୋ  ସର୍ଭେ, ୨୦୧୯ ଅନୁସାରେ ୧୩ରୁ ୧୫ ବର୍ଷ  ବୟସର ପିଲାଙ୍କ ମଧ୍ୟରୁ ୮.୫% କୌଣସି  ନା କୌଣସି ରୂପରେ ତମାଖୁ ସେବନ  କରୁଥିଲେ । ଏଥିରୁ ଅଧିକ ଚିନ୍ତାଜନକ  ହେଉଛି ଭାରତରେ ପ୍ରତିଦିନ ୫,୫୦୦ରୁ  ଅଧିକ ପିଲା ତମାଖୁ ସେବନ ଆରମ୍ଭ  କରୁଛନ୍ତି । ଏହାକୁ ରୋକିବା ଲାଗି ନିୟମ  ଥିଲେ ମଧ୍ୟ ଏହାର କଡ଼ାକଡ଼ି ଅନୁପାଳନ  ହେଉନାହିଁ । ତେଣୁ ଭାରତ ସରକାରଙ୍କ  ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି ।