ନୂଆଦିଲ୍ଲୀ,୨୩/୦୫: ଭାରତୀୟ ନୌସେନା ପାଇଁ ରୁଷରେ ନିର୍ମିତ ଯୁଦ୍ଧଜାହାଜ 'ତମାଲ' ସମସ୍ତ ପରୀକ୍ଷଣରେ ଉତ୍ତୀର୍ଣ୍ଣ ହୋଇଛି। ସୂତ୍ର ଅନୁସାରେ, ଏହାର ସମୁଦ୍ର ପରୀକ୍ଷଣ ଶେଷ ହୋଇଛି, ଯେଉଁଥିରେ ଜାହାଜର ସମସ୍ତ ପରୀକ୍ଷଣ ସମୁଦ୍ରରେ କରାଯାଏ। ଏବେ ଏହା ଚଳିତ ସପ୍ତାହରେ ଡକୟାର୍ଡରେ ପହଞ୍ଚିବ। ଏହା ପରେ, ତମାଲ ଆସନ୍ତା ମାସର ଶେଷ ସପ୍ତାହ ସୁଦ୍ଧା ଭାରତୀୟ ନୌସେନାରେ ସାମିଲ ହେବ। ଏହାକୁ ରୁଷରେ ହିଁ କାର୍ଯ୍ୟକ୍ଷମ କରାଯିବ, ତା’ପରେ ଏହାକୁ ଭାରତ ଅଣାଯିବ। ତମାଲ ହେଉଛି ଏକ ଷ୍ଟେଲ୍ଥ ଗାଇଡେଡ୍ ମିସାଇଲ୍ ଫ୍ରିଗେଟ୍।
ନୌସେନାରେ କମିଶନିଂ ପରେ, ଏହା ଆଇଏନ୍ଏସ୍ ତମାଲ ଭାବେ ପରିଚିତ ହେବ। ଭାରତୀୟ ନୌସେନାର ପ୍ରାୟ ୨୦୦ ଜଣଙ୍କ ଏକ ଦଳ ମଧ୍ୟ ରୁଷରେ ଅଛି ଯାହା ଏହି ଯୁଦ୍ଧଜାହାରର ପରୀକ୍ଷଣରେ ସାମିଲ ରହିଛି। ତମାଲର ବେଗ ୩୦ ନଟିକାଲ୍ ମାଇଲ୍। ଏଥିରୁ ଜାହାଜ ପ୍ରତିରୋଧୀ ବ୍ରହ୍ମୋସ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇପାରିବ। ଆଣ୍ଟି ସବ୍ମରିନ ଓ୍ବାରଫେୟାର ପାଇଁ ମଧ୍ୟ ଏହାକୁ ବିଶେଷ ଭାବେ ମଧ୍ୟ ଡିଜାଇନ୍ କରାଯାଇଛି। ଶତ୍ରୁ ପକ୍ଷର ବୁଡ଼ାଜାହାଜ ଆକ୍ରମଣର ମୁକାବିଲା କରିବା ପାଇଁ ଏହି ଯୁଦ୍ଧଜାହାଜରେ ଆଣ୍ଟି-ସବମେରିନ୍ ରକେଟ୍ ଏବଂ ଟର୍ପେଡୋ ମଧ୍ୟ ରହିଛି। ଏହି ଯୁଦ୍ଧଜାହାଜରେ ଏକ ହେଲିକପ୍ଟର ମଧ୍ୟ ନିୟୋଜିତ ହୋଇପାରିବ। ଏହାର ଓଜନ ପ୍ରାୟ ୩୯୦୦ ଟନ୍।
ତମାଲକୁ ସାମିଲ କରିବା ପରେ, ଭାରତୀୟ ନୌସେନାର ୧୪ଟି ଫ୍ରିଗେଟ୍ ରହିବ। ବର୍ତ୍ତମାନ ଭାରତୀୟ ନୌସେନା ପାଖରେ ୧୩ଟି ଫ୍ରିଗେଟ୍ ଅଛି। ଏଥି ସହିତ ୧୦ଟି ଡେଷ୍ଟ୍ରୟର ଏବଂ ୧୦ଟି କର୍ଭେଟ୍ ମଧ୍ୟ ଅଛି। ଫ୍ରିଗେଟ୍ଟି ଆକାରରେ ଟିକିଏ ଛୋଟ ଏବଂ ଡେଷ୍ଟ୍ରୟରଟି ଫ୍ରିଗେଟ୍ ଅପେକ୍ଷା ପ୍ରାୟ ଦେଢ଼ ଗୁଣ ବଡ଼। ଫ୍ରିଗେଟ୍ କୌଣସି ଗୋଟିଏ ପ୍ରକାରର ଭୂମିକା ପାଇଁ ସର୍ବୋତ୍ତମ, ଏବଂ ବାକି ସବୁ ପ୍ରତିରକ୍ଷା ଭୂମିକାରେ ବ୍ୟବହୃତ ହୁଏ। ଅନ୍ୟପକ୍ଷରେ ଡେଷ୍ଟ୍ରୟର ଏକକାଳୀନ ଅନେକ ଭୂମିକା ଗ୍ରହଣ କରିବାର କ୍ଷମତା ରଖେ। ଫ୍ରିଗେଟ୍ ତୁଳନାରେ କର୍ଭେଟ୍ ଆକାରରେ ଛୋଟ।
୨୦୧୬ ରେ, ଭାରତ ଏବଂ ଋଷ ମଧ୍ୟରେ ୪ଟି ତଲୱାର ଶ୍ରେଣୀର ଷ୍ଟେଲଥ୍ ଫ୍ରିଗେଟ୍ ନିର୍ମାଣ ପାଇଁ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଯେଉଁଥିରୁ ଦୁଇଟି ରୁଷରେ ଏବଂ ଦୁଇଟି ଭାରତରେ ନିର୍ମାଣ ହେବାର ଥିଲା। ରୁଷରେ ନିର୍ମିତ 'ତୁଶୀଳ'କୁ ଗତ ବର୍ଷ ହିଁ ନୌସେନାରେ ସାମିଲ କରାଯାଇଥିଲା ଏବଂ ଏବେ 'ତମାଲ' ମଧ୍ୟ ନୌସେନାରେ ସାମିଲ ହେବାକୁ ଯାଉଛି। ନୌସେନା ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ ଭବିଷ୍ୟତରେ ଆଉ କୌଣସି ଯୁଦ୍ଧଜାହାଜ ବାହାରୁ କିଣାଯିବ ନାହିଁ। ତେଣୁ, 'ତମାଲ' ନୌସେନାର ଶେଷ ଆମଦାନୀ ହୋଇଥିବା ଯୁଦ୍ଧଜାହାଜ ହେବ।