ଈର୍ଷା-ଦ୍ୱେଷ, ମଣିଷ-ମଣିଷ ଭିତରେ ବିଭାଜନର  ପ୍ରାଚୀର ଛିଡ଼ା କରାଏ । ଆଉ ଏହାରି ଫାଇଦା ନେଇ  ଆଜିକାର ଟିଭି ପରଦାରେ ଚଳଚ୍ଚିତ୍ରର ତାରକାଙ୍କ ପରି  ବାହାରୁଥିବା ନାନାଦି ବାବା, ମା’ ଏବଂ ପ୍ରତି ସହର ସହର  ବୁଲି ମଞ୍ଚ ଉପରେ ପ୍ରବଚନ ଦେଉଥିବା ଧର୍ମଗୁରୁମାନେ  ସେମାନଙ୍କର ବିଳାସପୂର୍ଣ୍ଣ ଜୀବନ ଜିଇଁ ଚାଲିଥାଆନ୍ତି  ସାଧାରଣ ମଣିଷଙ୍କୁ ବୋକା ବନେଇ । କିନ୍ତୁ କେତେ ଦିନ  ଏହି ଗଧ ପୂଜା ଚାଲିଥିବ?

ଆଜିକାଲି ତ ଅନେକ ବାବା, ମାଆ, ଧର୍ମଗୁରୁ । ଅନେକ  ଆଶ୍ରମ ଅନେକ ଗୋଷ୍ଠୀ । ଧର୍ମର ଜୁଆର ଚତୁଃଦିଗେ ।  ମଣିଷମାନେ ତ ପାଗଳ ପ୍ରାୟ ସ୍ୱଇଚ୍ଛାରେ ଧସେଇ ପଶୁଛନ୍ତି  ଗୁରୁମାନଙ୍କ ଧାର୍ମିକ ଗୁହାଳରେ । ଅନେକ ବେଶଭୂଷା,  ପରିପାଟ୍ଟୀରେ ସୁସଜ୍ଜିତ, ସୁଶୋଭିତ ମଞ୍ଚ ଉପରେ ଧର୍ମର  ଖୋଳରେ ବେପାରୀମାନଙ୍କର ପ୍ରବଚନ । ଅମୃତସମ ଶ୍ରବଣ  କରୁଥାଆନ୍ତି ସ୍ୱାର୍ଥାନ୍ୱେଷୀ ଭକ୍ତଗଣ । ଏସବୁ ଭିତରେ ନାଇଁ ଗୁରୁଙ୍କର, ନାଇଁ ଉପସ୍ଥିତ ଶିଷ୍ୟଶିଷ୍ୟାମାନଙ୍କର ଧର୍ମ ସହ  ଆଦୌ ଥାଏ କିଛି ସମ୍ପର୍କ । ତଥାକଥିତ ଗୁରୁମାନେ ବ୍ୟସ୍ତ  ନିଜ ନିଜର ସଂପତ୍ତି ଠୁଳକରି ଧର୍ମଭୀରୁ ଭକ୍ତଙ୍କୁ ଶୋଷଣ  କରିବାରେ ଆଉ ତଥାକଥିତ ଭକ୍ତଗଣଙ୍କର ଉଦ୍ଦେଶ୍ୟ  କାଳେ ଗୁରୁ କୃପାରେ ତାଙ୍କର ସମସ୍ତ କାମନା ବାସନାର  ପୂର୍ଣ୍ଣତା । ଉଭୟ ପକ୍ଷ ସ୍ୱ ସ୍ୱ ସ୍ୱାର୍ଥ ସାଧନରେ ବ୍ୟସ୍ତ । ଆଉ  କେବଳ ସେଇଥିପାଇଁ ଆଜି ସଂସାରରେ ଏତେ ଏତେ  ତଥାକଥିତ ବହୁଳ ପ୍ରଚାରିତ, ପ୍ରସାରିତ ଧର୍ମଗୁରୁମାନେ  ଥାଇ ମଧ୍ୟ ସମାଜରେ ଅନ୍ୟାୟ, ଅନୀତି, ଦୁର୍ନୀତି, ସାମାଜିକ  ବ୍ୟଭିଚାର, ସ୍ଖଳନ ବଢ଼ିବାରେ ଲାଗିଛି । ଅତୀତରେ ଏହି  ଭାରତବର୍ଷରେ ଅନେକ ସିଦ୍ଧ ପୁରୁଷ ଥିଲେ । ସେମାନେ  ଯଥାର୍ଥରେ ସାଧନାର ସିଦ୍ଧିରେ ଈଶ୍ୱର ଉପଲବ୍ଧି କରିଥିଲେ ।  ସେମାନଙ୍କର ଜୀବନ ଥିଲା ଜ୍ୱଳନ୍ତ ଅଗ୍ନିସମ । 

ଏହିଭଳି  ଗୁରୁମାନଙ୍କ ସଂସ୍ପର୍ଶରେ ଆସୁଥିବା ମଣିଷମାନେ ଅଗ୍ନିର  ଧାସରେ ଶୁଦ୍ଧ ହୋଇ ସ୍ୱର୍ଣ୍ଣସମ ଝଟକୁଥିଲେ । କିନ୍ତୁ ଗୋଟିଏ  ମନେ ରଖିବାର କଥା, ଜୀବନ୍ତ ଗୁରୁ ଶିଷ୍ୟଟିଏ ପାଇଁ  ଯେତିକି କାର୍ଯ୍ୟରେ ଆସିଥାଆନ୍ତି ତାଙ୍କର ଦେହାନ୍ତ ପରେ  ତାହା ଆଉ ସମ୍ଭବପର ହୋଇନଥାଏ । ଫଳରେ ହୁଏ  କ’ଣ ନା- ଗୁରୁଙ୍କ ମୃତ୍ୟୁ ପରେ ଭାବପ୍ରବଣତାରେ ଅନ୍ଧ ଅନୁଗାମୀମାନେ ଗୁରୁଙ୍କ ବ୍ୟବହୃତ ଲୁଗା, କଠଉ, ଜପମାଳି  ଇତ୍ୟାଦିକୁ ପୂଜା କରିବାରେ ଲାଗିଯାଆନ୍ତି । ଗୁରୁ ଅଙ୍ଗୁଳି  ନିର୍ଦ୍ଦେଶ କରି ଆକାଶର ଯେଉଁ ସୂର୍ଯ୍ୟଙ୍କୁ ଦେଖାଇ ଥାଆନ୍ତି  ଶିଷ୍ୟମାନେ ଆଉ ସୂର୍ଯ୍ୟଙ୍କୁ ନଚାହିଁ ଗୁରୁଙ୍କ ଅଙ୍ଗୁଳି ପୂଜାରେ  ମାତିଯାଆନ୍ତି । ସେଇଥିପାଇଁ ତ ଗୁରୁଙ୍କ ମୃତ୍ୟୁପରେ ଅନେକ  ଶହ ବର୍ଷ ବିତିଯାଉଥିଲେ ମଧ୍ୟ ଯଜ୍ଞକୁଣ୍ଡର ପାଉଁଶକୁ ବିଭୂତି  କହି ପ୍ୟାକେଟରେ ବିକାଯାଏ । ବେପାରୀଙ୍କ ଦ୍ୱାରା ପ୍ରସ୍ତୁତ  କାଠ, ପଥରର କଠଉ, ଗୁରୁଙ୍କ କଠଉ ନାମରେ ଭକ୍ତମାନଙ୍କ  ଘରେ ଘରେ ପୂଜା ପାଏ । କିନ୍ତୁ କେତେଦିନ ସତରେ ଧର୍ମ  ନାମରେ, ଗୁରୁଙ୍କ ନାମରେ ନିଜ ସହ ନିଜର ଏ ଠକାମି?  ପ୍ରବଞ୍ଚନା? 

ଶୁଣିଥିବା କଥାଟିଏ । ଗୋଟିଏ ଫକୀରର ଜଣେ ଭକ୍ତ  ଥିଲା । ଫକୀର କିଛିଦିନ ପାଇଁ ଭକ୍ତର ଗାଁରେ ରହିଥିଲା ।  ଭକ୍ତ ତାର ଖୁବ୍‌ ସେବା କରିଥିଲା । ଯେଉଁଦିନ ଫକୀର  ସେହି ଗାଁ ଛାଡ଼ିଲା ସେ ତା’ ନିଜର ଗଧଟିକୁ ଯାହା ଉପରେ  ବସି ଫକୀର ଯାତ୍ରା କରୁଥିଲା ସେହି ଗଧଟିକୁ ତାର ସେବା  କରିଥିବା ଭକ୍ତକୁ ସ୍ମୃତି ସ୍ୱରୂପ ଦେଇଦେଲା । ଭକ୍ତ ଖୁବ୍‌  ଆନନ୍ଦିତ ହେଲା । ଗରିବ ମଣିଷ । କିନ୍ତୁ ଭାଗ୍ୟର ବିଡ଼ମ୍ବନା  କିଛିଦିନ ପରେ ସେହି ଗଧଟି ବେମାରରେ ପଡ଼ି ମରିଗଲା ।  ଗଧଟି ବିଚରା ସେହି ଗରିବ ମଣିଷର ଏକମାତ୍ର ସଂପତ୍ତି,  ଏକମାତ୍ର ସମ୍ବଳ ଥିଲା । ତାହାଛଡ଼ା ଗଧ ସେହି ଫକୀରର  ସ୍ମୃତିର ସନ୍ତକ ଥିଲା । ଏମିତି ସେମିତି ସାଧାରଣ ଗଧ ତାହା  ନଥିଲା । ଫକୀର ଦେଇଥିଲା । ଫକୀର ତା’ ଉପରେ ବସି  ଯିବା ଆସିବା କରୁଥିଲେ । ତେଣୁ ନିଜ ଗୁରୁଙ୍କ ସ୍ପର୍ଶରେ  ଆସିଥିବା ଗଧ ମଧ୍ୟ ପବିତ୍ର ବିଭୂତି ସମାନ ଥିଲା । ଗୁରୁଙ୍କ  ପବିତ୍ର ହସ୍ତର ଚିହ୍ନ ଥିଲା ଗଧ ପିଠି ଉପରେ । ତେଣୁ ଏମିତି  ସେମିତି ସାଧାରଣ ଗଧ ତ ଆଦୌ ନଥିଲା । ସିଦ୍ଧ ଗଧ  ଥିଲା । ମହାତ୍ମା ଥିଲା । ଗରିବ ମଣିଷ ବହୁତ କାନ୍ଦିଲା । ଗଧ  ତ ମଲାନାହିଁ ବରଂ ଗୁରୁଙ୍କ ସ୍ମୃତି ତା’ସହ ପୋଛି ହୋଇଗଲା ।  

ଗରିବ ମଣିଷଟି ଗାତ ଖୋଳି ଗଧକୁ ପୋତିଦେଲା ।  ତା’ ଉପରେ ଶଙ୍ଖ ମଲମଲ୍‌ ପଥରରେ କବରଟିଏ  ତୋଳିଦେଲା । କବର ଚଟାଣକୁ ଫୁଲରେ ସଜାଇ ଦେଲା ।  କବର ପାଖରେ ବସି କାନ୍ଦିବାରେ ଲାଗିଲା । ପଥଚାରୀମାନେ  ଯେତେବେଳେ ଦେଖିଲେ କବର ପାଖରେ ମଣିଷଟିଏ ବସି  କାନ୍ଦୁଛି ବୋଲି, ସେମାନେ ମଧ୍ୟ କବର ଉପରେ କିଛି କିଛି  ଫୁଲ ଶ୍ରଦ୍ଧାଞ୍ଜଳି ଭାବରେ ଚଢ଼ାଇବାରେ ଲାଗିଲେ । ସେମାନେ  ଭାବିଲେ ନିଶ୍ଚୟ ଏହି କବର କୌଣସି ମହାପୁରୁଷ ଅବା  ମହାତ୍ମାଙ୍କ କବର ହୋଇଥିବ । ଆମ ମଣିଷମାନେ ତ  ଜଣେ ଆରଜଣକୁ ଦେଖି ଆଚରଣ କରିଥାଆନ୍ତି । ଗୋଟେ  ଗଧର କବର ହେବା କେହି ତ କେବେ ଶୁଣି ନଥିବେ  ନିଶ୍ଚୟ । ତେଣୁ ନିଶ୍ଚୟ କୌଣସି ମହାତ୍ମାଙ୍କର ହୋଇଥିବ  ବୋଲି ସମସ୍ତେ ଭାବିଲେ । କିଏ ବା କାହିଁକି ଅଯଥାରେ  ମୁଣ୍ଡ ଖେଳେଇବ ଏଇ ମହାତ୍ମା ପୁଣି କିଏ? ଭକ୍ତ ମଣିଷ  ସବୁବେଳେ ଭକ୍ତ ମଣିଷ । ଧୀରେ ଧୀରେ ପ୍ରତ୍ୟେକ ଦିନ  କେହି କେହି ଆସି ସେହି କବର ଉପରେ କିଏ ଆସି ଫୁଲ  ଥୋଇଲାଣି ତ କେହି କେହି କିଛି ଟଙ୍କା ପଇସା ପକେଇକି  ଗଲେଣି । ଦିନକୁ ଦିନ ଗରିବ ମଣିଷର ଲାଭ ହେବାକୁ  ଲାଗିଲା । ଜିଅନ୍ତା ଗଧଠାରୁ ଯେତିକି ଲାଭ ମିଳୁନଥିଲା  ତା’ଠାରୁ ଅଧିକ ଗଧ କବରରୁ ମିଳିବାକୁ ଲାଗିଲା । ଯେମିତି  କିଛି ବାବାଙ୍କ ମୃତ୍ୟୁର ଏତେବର୍ଷ ପରେ ଜରି ପ୍ୟାକେଟରେ  ପାଉଁଶକୁ ବିକି ଅନେକ ସଂସ୍ଥା ରୋଜଗାରରେ ମାତିଛନ୍ତି ।  ଧୀରେ ଧୀରେ କବର ପାଖରେ କିଏ ନଡ଼ିଆ ବାଡ଼େଇଲାଣି  ତ କିଏ ମାନସିକ ରଖି ଭୋଗରାଗ କଲାଣି । ଶହେଜଣ  ମାନସିକ ରଖିଲେ ମନକୁମନ ତ ଅନ୍ତତଃ ପଚାଶ ଜଣଙ୍କ  ମନସ୍କାମନା ପୂର୍ଣ୍ଣ ହେଲା । ମନସ୍କାମନା ପୂର୍ଣ୍ଣ ହେଲାପରେ  ଦାନ ଟଙ୍କାର ସୁଅ ଛୁଟିଲା । 

ଏହି କବରର ମହିମା ଆସ୍ତେ ଆସ୍ତେ ପାଖ ଗାଁ ଗଣ୍ଡାକୁ  ବ୍ୟାପିଲା । କବର ପ୍ରସିଦ୍ଧି ଲାଭ କଲା । ଏଇମିତି କେଇବର୍ଷ  ବିତିଗଲା । କେତେବର୍ଷ ପରେ ସେହି ଫକୀର ପୁଣିଥରେ  ଆସି ପହଞ୍ଚିଲେ ସେହି ଗାଁରେ । ଖୋଜିଲେ ତାଙ୍କର ପୁରୁଣା  ଭକ୍ତକୁ । ଏହା ମଧ୍ୟରେ ସେହି ମଣିଷଟି ଗଧର କବର ଉପରେ  ମନ୍ଦିରଟିଏ ଗଢ଼ି ତୋଳି ଦେଇଥାଏ । ଫକୀର ଭକ୍ତକୁ ଖୋଜି  ଖୋଜି ଯାଇ ପହଞ୍ଚିଲେ ସେହି ମନ୍ଦିର ପାଖରେ । ଦେଖିଲେ  ତାଙ୍କର ସେହି ଗରିବ ଭକ୍ତଟିର ଚେହେରା ପୂରାପୂରି ବଦଳି  ଯାଇଛି । ମନ୍ଦିର ଭିତରେ ପାଟଲୁଗା ପିନ୍ଧି ସେ ପୂଜାରୀ ହୋଇ  ବସିଯାଇଛି । ତାର ଗୋଡ଼ ପାଦ ଅନ୍ୟମାନେ ଘଷୁଛନ୍ତି ।  ଫକୀର ପଚାରିଲା- ଆରେ ଭାଇ କଥା କଅଣ? ଫକୀରକୁ  ଦେଖିଲା ମାତ୍ରକେ ଭକ୍ତ ଆସି ସିଧା ତାଙ୍କ ପାଦତଳେ  ପଡ଼ିଯାଇ କହିଲା- ମହାତ୍ମା, ସବୁ ଆପଣଙ୍କ କୃପା । ବିଭୂତି ।  ଫକୀର କହିଲେ- ମୁଁ ଆଦୌ କିଛି ବୁଝି ପାରୁନାହିଁ । ଏଡ଼େ  ସୁନ୍ଦର ମନ୍ଦିର । ଏତେ ଲୋକ । ଏପରି ଭକ୍ତିଭାବ । ପୂଜା  ଅର୍ଚ୍ଚନା । କିରେ ମାମଲା କ'ଣ? 

ଭକ୍ତ କହିଲା- ଆପଣଙ୍କ  ପାଖରେ ମୁଁ କଅଣ ଲୁଚାଇବି? ମିଛ ବା କିପରି କହିବି?  ଆପଣ କିନ୍ତୁ କାହାରି ଆଗରେ କହିବେନାହିଁ । ଆପଣ ଗାଁରୁ  ଗଲାବେଳେ ମୋତେ ଯେଉଁ ଗଧ ଦେଇଯାଇଥିଲେ ସେ  ମରିଗଲା ପରେ ମୁଁ ତାରି କବରଟିଏ ତୋଳି ତାରି ଉପରେ  ଏ ମନ୍ଦିର । ସମସ୍ତେ ଭାବୁଛନ୍ତି କୌଣସି ସିଦ୍ଧପୁରୁଷଙ୍କର ଏ  କବରସ୍ଥଳୀ । ସେହି ଗଧର କବର ଉପରେ ଆଜି ଏ ଖେଳ,  ଆଜି ମୋର ବେପାର ଛିଡ଼ା ହୋଇଛି । ଭକ୍ତର କଥା ଶୁଣି  ଫକୀର ହସିଦେଲେ । ଭକ୍ତ ପଚାରିଲା- ଆପଣ ହସିଲେ  କାହିଁକି? ଫକୀର କହିଲେ- ମୁଁ ହସୁଛି ଏଇଥିପାଇଁ ଯେ ମୁଁ  ଯେଉଁ ଗାଁରେ ରହୁଛି ସେଠାରେ ମଧ୍ୟ ତୋତେ ଦେଇଥିବା  ଗଧ ମା'ର କବର ଉପରେ ଏହିସବୁ ଖେଳ ଚାଲୁଛି । ତା’  ନହେଲେ ମୋ ସଂସାର କେମିତି ଚାଲୁଛି? ଏହି ଗଧର ମା’  ମରିଗଲା ପରେ ମୁଁ ମଧ୍ୟ ଅବିକଳ ଏୟା କରିଛି ବୋଲି ମୋ  ଗୁଜୁରାଣ ମେଣ୍ଟିଯାଉଛି । ଗଧ ମା’ ବି ବଡ଼ ମହାତ୍ମା ଥିଲା ।  ସେ ମଧ୍ୟ ଏମିତି ସେମିତି ଗଧ ନଥିଲା ।  

କହିବାର କଥା ହେଲା, ଯେବେ ପାଉଁଶର ପୂଜା ଆରମ୍ଭ  ହୋଇଯାଏ ସେତେବେଳେ ନ୍ୟସ୍ତସ୍ୱାର୍ଥ ମଣିଷମାନଙ୍କର  ଗହଳି ଲାଗିଯାଏ । ଗୁରୁ ତ ଆଉ ସଂସାରରେ ନଥାନ୍ତି  ତାଙ୍କରି ନାଁରେ ତାଙ୍କ ଅନୁଗାମୀମାନେ ବେପାର ଆରମ୍ଭ  କରିଦିଅନ୍ତି । ବିଭିନ୍ନ ବାଗରେ, ବିଭିନ୍ନ ତରିକାରେ । ଆଉ  ଅନ୍ଧପ୍ରାୟ ସ୍ୱାର୍ଥାନ୍ୱେଷୀ ମେଣ୍ଢା ମଣିଷମାନେ ଜୀବନରେ  ସବୁକିଛି ପ୍ରାପ୍ତି ଲାଳସାରେ ଗୁରୁଙ୍କ ନାମରେ ଖୋଲାଯାଇଥିବା  ବେପାର ଆଶ୍ରମରେ ଭକ୍ତ ହୋଇ ଯୋଗ ଦିଅନ୍ତି । ତା’ପରେ  ଶୋଷଣର ପର୍ବ ଆରମ୍ଭ ହୋଇଯାଏ । ସଦ୍‌ଗୁରୁମାନେ  ହେଲେ ଜଳନ୍ତା ଅଗ୍ନିସଦୃଶ । କିନ୍ତୁ ଥରେ ସେ ଅଗ୍ନି ନିର୍ବାପିତ  ହୋଇଗଲା ପରେ ପାଉଁଶକୁ ପୂଜା କରିବାର ଅର୍ଥ ହିଁ କିଛି  ନଥାଏ । ଆଧ୍ୟାତ୍ମିକ ଉତ୍ତରଣ ତ ହୁଏନାହିଁ, ବରଂ ଧର୍ମ ନାଁରେ  ଗୋଷ୍ଠୀ ଗଢ଼ାହୁଏ । ଈର୍ଷା-ଦ୍ୱେଷ, ମଣିଷ-ମଣିଷ ଭିତରେ  ବିଭାଜନର ପ୍ରାଚୀର ଛିଡ଼ା କରାଏ । ଆଉ ଏହାରି ଫାଇଦା  ନେଇ ଆଜିକାର ଟିଭି ପରଦାରେ ଚଳଚ୍ଚିତ୍ରର ତାରକାଙ୍କ ପରି  ବାହାରୁଥିବା ନାନାଦି ବାବା, ମା’ ଏବଂ ପ୍ରତି ସହର ସହର  ବୁଲି ମଞ୍ଚ ଉପରେ ପ୍ରବଚନ ଦେଉଥିବା ଧର୍ମଗୁରୁମାନେ  ସେମାନଙ୍କର ବିଳାସପୂର୍ଣ୍ଣ ଜୀବନ ଜିଇଁ ଚାଲିଥାଆନ୍ତି  ସାଧାରଣ ମଣିଷଙ୍କୁ ବୋକା ବନେଇ । କିନ୍ତୁ କେତେ ଦିନ  ଏହି ଗଧ ପୂଜା ଚାଲିଥିବ?