ଭୁବନେଶ୍ୱର, ୧୦/୦୩ :ସାରା ଦେଶରେ ଫିନ୍‌ଟେକ କ୍ଷେତ୍ର ଦ୍ରୁତ ଅଗ୍ରଗତି କରୁଛି । ଓଡ଼ିଶାକୁ ଏକ ଫିନ୍‌ଟେକ୍‌ ହବ୍‌ ଭାବେ ଗଢ଼ି ତୋଳିବା ଲକ୍ଷ୍ୟ ରଖିଛନ୍ତି  ରାଜ୍ୟ ସରକାର । ଏହାକୁ ନଜରରେ ରଖି ଓଡ଼ିଶା ଏକ ଫିନ୍‌ଟେକ ନୀତି ଆଣିବ ବୋଲି ରାଜ୍ୟ ଅର୍ଥନୈତିକ  ସର୍ଭେ ରିପୋର୍ଟରେ କୁହାଯାଇଛି । ରାଜ୍ୟର ଅର୍ଥନୈତିକ ଏବଂ ସାମାଜିକ ବିକାଶରେ ଫିନ୍‌ଟେକ ଫାର୍ମ ଗୁଡ଼ିକର  ଯୋଗଦାନକୁ ବଢ଼ାଇବା ଲାଗି ଏକ ବ୍ଲୁ ପ୍ରିଣ୍ଟ ଆସିବ । ଏହା ଦ୍ୱାରା ଆର୍ଥିକ ଅନ୍ତର୍ଭୁକ୍ତି, ଜୀବିକା, ନୂଆ ନିଯୁକ୍ତି  ଏବଂ ଜିଡିପିକୁ ଯୋଗଦାନ ଭଳି ଦିଗ ଗୁଡ଼ିକୁ ତ୍ୱରାନ୍ୱିତ କରାଯିବା ଲକ୍ଷ୍ୟ ରଖାଯାଇଛି ।  

ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ତୁଳନାରେ ଫିନ୍‌ଟେକ ଇକୋସିଷ୍ଟମ ଅପେକ୍ଷାକୃତ ଜଟିଳ । ଫିନ୍‌ଟେକ ଷ୍ଟାର୍ଟଅପ୍‌  ଗୁଡ଼ିକ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ  (ସେବି), ନ୍ୟାଶନାଲ ପେମେଣ୍ଟସ କର୍ପୋରେସନ ଅଫ୍‌ ଇଣ୍ଡିଆ, ଭାରତୀୟ ବୀମା ନିୟାମକ ଏବଂ ଉନ୍ନତିକରଣ  କର୍ତ୍ତୃପକ୍ଷ (ଆଇଆର୍‌ଡିଏ) ଏବଂ ରିଜର୍ଭ ବ୍ୟାଙ୍କ ଭଳି  ଏକାଧିକ ନିୟାମକଙ୍କ ଦ୍ୱାରା ପରିଚାଳିତ ହୋଇଥାନ୍ତି । 

ସେହିଭଳି ଟେକ୍ନୋଲୋଜି କମ୍ପାନି, ନିବେଶକ,  ପାରମ୍ପରିକ ଆର୍ôଥକ ପ୍ରତିଷ୍ଠାନ ସହ ମିଳିତ ହୋଇ ଏହି  କ୍ଷେତ୍ରର ଷ୍ଟାର୍ଟଅପ୍‌ ଗୁଡ଼ିକୁ କାମ କରିବାକୁ ହୁଏ । ଫିନ୍‌ଟେକ  ଇକୋସିଷ୍ଟମକୁ ଦୃଢ଼ୀକରଣ କରିବା ଦିଗରେ ରାଜ୍ୟ ଏସବୁ  କ୍ଷେତ୍ରର ଅଂଶୀଦାରଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବ  ବୋଲି ରିପୋର୍ଟରେ କୁହାଯାଇଛି ।  

ଫିନ୍‌ଟେକ କମ୍ପାନିଗୁଡ଼ିକର ଲାଇସେନ୍ସ ଏବଂ ପୁଞ୍ଜି  ଆବଶ୍ୟକତା, ପ୍ରୋତ୍ସାହନ, ସବ୍‌ସିଡି, ରିସ୍କ ମ୍ୟାନେଜ୍‌ମେଣ୍ଟ  ଭଳି ଦିଗ ଗୁଡ଼ିକରେ ମଧ୍ୟ ଷ୍ଟାର୍ଟଅପକୁ ରାଜ୍ୟ ହ୍ୟାଣ୍ଡହୋଲ୍ଡିଂ  ସୁବିଧା ଯୋଗାଇ ଦେବ । ଏସବୁ କ୍ଷେତ୍ରରେ ଟେକ୍ନୋଲୋଜି ଦ୍ରୁତ  ଭାବେ ବଦଳୁଥିବାରୁ ଏ ନେଇ ଓପନ୍‌ ଇନୋଭେସନ ପ୍ରୋଗ୍ରାମ,  ହ୍ୟାକାଥନ ଏବଂ ଷ୍ଟାଣ୍ଡବକ୍ସେସର ଆବଶ୍ୟକତା ମଧ୍ୟ ରହିଛି ।  ଓଡ଼ିଶାର ଭୌଗୋଳିକ ଉପସ୍ଥିତି ଦୃଷ୍ଟିକୋଣରୁ ଏହା ପୂର୍ବ ଭାରତର ଫିନ୍‌ଟେକ ହବ୍‌ ଭାବେ ବିକଶିତ  ହେବାର ଢ଼େର ସମ୍ଭାବନା ରହିଛି । ସମ୍ଭାବନାକୁ ଉନ୍ମୁକ୍ତ କରି  ବିଜ୍‌ନେସଗୁଡ଼ିକୁ ଆକୃଷ୍ଟ କଲେ ଏହା ରାଜ୍ୟର ଅଭିବୃଦ୍ଧିକୁ  ତ୍ୱରାନ୍ୱିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।  

ରାଜ୍ୟର ଡିଜିଟାଲ ଭିତ୍ତିଭୂମି ଦୃଢ଼ ହେଉଥିବାରୁ ଫିନ୍‌ଟେକ  କମ୍ପାନି ଗୁଡ଼ିକୁ ଆକୃଷ୍ଟ କରିବାରେ ଏହା ସହାୟକ ହେବ ।  ସେହିଭଳି ନିବେଶ ଏବଂ ଉଦ୍ଭାବନକୁ ଏବେ ରାଜ୍ୟ  ସରକାର ଉତ୍ସାହିତ କରଛନ୍ତି । ଯାହା ଦ୍ୱାରା ଏହି ବର୍ଗର  କମ୍ପାନିଗୁଡ଼ିକୁ ଓଡ଼ିଶାରେ ଉପସ୍ଥିତି ଦୃଢ଼ୀକରଣରେ ସୁବିଧା  ହେବ । ନୀତିଗତ ପଦକ୍ଷେପ ଏବଂ ପ୍ରୋତ୍ସାହନ ସହ ରାଜ୍ୟ  ଫିନ୍‌ଟେକ କ୍ଷେତ୍ର ଲାଗି ନୂଆ କ୍ଲଷ୍ଟର ଆଣିବାକୁ ଯାଉଛି ।  ସେହିଭଳି ଷ୍ଟେଟ ଅଫ୍‌ ଆର୍ଟ ଆଇଟି ହବ୍‌ ଏବଂ ଟିୟର  ୨ ଏବଂ ୩ ସହର ଗୁଡ଼ିକରେ ଆସିବାକୁ ଥିବା ଟେକ୍‌  ବିଜ୍‌ନେସ ପାର୍କ ଗୁଡ଼ିକରେ ଫିନ୍‌ଟେକ କମ୍ପାନିଗୁଡ଼ିକ  ୟୁନିଟ ସ୍ଥାପନାକୁ ବେଶ ଆଗଭର ହେବେ ।  

ଆଇଟି ପାର୍କ ଜୋନ ଦ୍ୱାରା ରାଜ୍ୟର ସମ୍ଭାବ୍ୟ ଆର୍ଥିକ  ସେବା କ୍ଷେତ୍ରରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ଟେକ୍‌  ଏବଂ ଅଣ ଟେକ୍‌ ସଂସ୍ଥାଗୁଡ଼ିକ ବ୍ୟାଙ୍କିଙ୍ଗ, ବୀମା, ୱେଲ୍‌ଥ  ଏବଂ ପେମେଣ୍ଟଭଳି କ୍ଷେତ୍ରରେ ଯୋଗଦାନ ଦେଇ ପାରିବେ ।  ଏହି ଧାରାକୁ ଉତ୍ସାହିତ କରିବ ଏଆଇ ମିଶନ ଏବଂ  ଏଆଇ ନୀତି । ରାଜ୍ୟରେ ଡାଟା ସେଣ୍ଟରର ଉନ୍ନତିକରଣ  ଷ୍ଟେଟ ୱାଇଡ୍‌ ଏରିଆ ନେଟ୍‌ୱର୍କ ଦ୍ୱାରା ଫିନ୍‌ଟେକ  କ୍ଷେତ୍ର ଅପରେସନର ମୂଳ ଭିତ୍ତି ହେବାକୁ ଯାଉଛି ।  ପଞ୍ଚାୟତ ସ୍ତରରେ ଭାରତ ନେଟ୍‌ ଅପ୍ଟିକାଲ ଫାଇବରର  ସମ୍ପ୍ରସାରଣ ମଧ୍ୟ ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ  ଏବଂ ସୁରକ୍ଷିତ କରିବ ବୋଲି ରିପୋର୍ଟରେ କୁହାଯାଇଛି ।