ଲଣ୍ଡନ,୧୬/୦୭: ଆସନ୍ତା ୨୩  ତାରିଖରୁ ଆରମ୍ଭ ହେବ ଚଳିତ ଆଣ୍ଡରସନ- ତେନ୍ଦୁଲକର ଟ୍ରଫି ଟେଷ୍ଟ ସିରିଜର ଚତୁର୍ଥ  ମୁକାବିଲା । ମାଞ୍ଚେଷ୍ଟର ସ୍ଥିତ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡ୍‌ରେ ଏହି ମ୍ୟାଚ୍‌ ଖେଳାଯିବ । ତୃତୀୟ ଟେଷ୍ଟର ପରାଜୟକୁ ଭୁଲିବା ସହଜ ନଥିଲେ  ହେଁ ଆଗକୁ ଆଉ ୨ଟି ମ୍ୟାଚ୍‌ ରହିଥିବାରୁ  ଏବେ ବି ସିରିଜ ଜିତିବାର ସଯୋଗ ରହିଛି । ତେଣୁ ପରାଜୟ ଦୁଃଖ ଭୁଲି ପରବର୍ତ୍ତୀ ମ୍ୟାଚ୍‌ ପାଇଁ ଏବେଠୁ ପ୍ରସ୍ତୁତ ହେବାକୁ ପଡ଼ିବ । ଦଳ ପାଇଁ ଏବେ ବିଜୟ ଜରୁରି ହୋଇ ପଡ଼ିଛି । ଇଂଲଣ୍ଡ ୨-୧ରେ ସିରିଜ ଆଗୁଆ ରହିଛି । ତେଣୁ ଭାରତକୁ ଏହି ସିରିଜ ଜିତିବାକୁ  ହେଲେ ଶେଷ ୨ଟି ଯାକ ଟେଷ୍ଟରେ ବିଜୟ  ହାସଲ କରିବାକୁ ପଡ଼ିବ । ଇଂଲଣ୍ଡ ଦଳକୁ  ସେମାନଙ୍କ ଘରୋଇ ଗ୍ରାଉଣ୍ଡ୍‌ରେ ହରାଇବା  ସହଜ ନୁହେଁ ବୋଲି ମଧ୍ୟ ଭାରତୀୟ ଦଳ  ଉପଲବ୍ଧି କରିସାରିଛି । ତେଣୁ ଚତୁର୍ଥ ଟେଷ୍ଟରେ  ଉପଯୁକ୍ତ ରଣନୀତି ଓ ଶ୍ରେଷ୍ଠ ଏକାଦଶ ସହ  ଭାରତ ଗ୍ରାଉଣ୍ଡକୁ ଓହ୍ଲାଇବା ଜରୁରି ।  

ବିଜୟ ମନ୍ତ୍ର ପଢ଼ାଇବେ ଗୁରୁ ଗମ୍ଭୀର: ଲିଡ୍ସ ପରେ ଲର୍ଡ୍ସ ପରାଜୟ ପରେ ଗୌତମ ଗମ୍ଭୀରଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିବାର ଆବଶ୍ୟକତା ରହିଛି । ଗତ ବର୍ଡର-ଗାଭାସ୍କର  ଟ୍ରଫିରେ ଭାରତର ପରାଜୟକୁ ନେଇ କେବଳ ରୋହିତ ଶର୍ମାଙ୍କୁ ଦାୟୀ କରାଯାଇଥିଲା । ଏପରିକି ଅଧିନାୟକ ଥାଇ ମଧ୍ୟ ସେ ସିଡନୀ ଟେଷ୍ଟରେ ଏକାଦଶରୁ ଓହରିବାକୁ ବାଧ୍ୟ ହୋଇଥିଲେ । ସେତେବେଳେ କେହି ଗମ୍ଭୀରଙ୍କ  ଉପରେ ନଜର ଦେଇ ନଥିଲେ । ଡ୍ରେସିଂ ରୁମ୍‌  ଆଲୋଚନାକୁ ବାହାରେ ପ୍ରକାଶ କରିବା ନେଇ ଏକ ବିବାଦ ଉଠିଥିଲା । ଏଥିରେ ଗମ୍ଭୀର  ହିରୋ ଓ ଅଭିଷେକ ନାୟାର (ସହକାରୀ  କୋଚ) ଖଳନାୟକ ସାବ୍ୟସ୍ତ ହୋଇଥିଲେ । ପରେ ନାୟାରଙ୍କୁ ବାଦ ଦିଆଯାଇଥିଲା । ଏବେ  ରୋହିତଙ୍କ ସମେତ ବିରାଟ କୋହଲି ମଧ୍ୟ ଟେଷ୍ଟରୁ ଅବସର ନେଇ ସାରିଛନ୍ତି । ରବି ଅଶ୍ୱିନଙ୍କୁ ପୂର୍ବରୁ ବିଦାୟ ରାସ୍ତା ଦେଖା ସରିଛି । 

ଇଂଲଣ୍ଡରେ ପ୍ରଥମ ୩ଟିରୁ ୨ଟି ମ୍ୟାଚ  ହାରିବା ପରେ ଗମ୍ଭୀରଙ୍କ ରଣ କୌଶଳକୁ  ନେଇ ପ୍ରଶ୍ନ ଉଠିବାର ସମୟ ଆସିଛି ।  ଯୁବ ଦଳକୁ ବିଜୟ ମନ୍ତ୍ର ଶିଖାଇବାରେ  ଗମ୍ଭୀର ବିଫଳ ହୋଇଥିବା ସ୍ପଷ୍ଟ ଜଣା  ପଡ଼ୁଛି । ପରବର୍ତ୍ତୀ ୨ଟି ଟେଷ୍ଟର ଫଳାଫଳ  ଗମ୍ଭୀରଙ୍କ ଦକ୍ଷତାର ପର୍ଦ୍ଦାଫାଶ କରିବ ।  

ନାଏର ବନାମ ସୁଦର୍ଶନ: ତୃତୀୟ ଟେଷ୍ଟରେ  ପରାଜୟ ପରେ ପୁଣି ଥରେ କରୁଣ ନାଏରଙ୍କ  ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠିଛି । ଘରୋଇ କ୍ରିକେଟ୍‌ରେ ଅପର୍ଯ୍ୟାପ୍ତ ରନ କରି ନାଏର  ଟେଷ୍ଟ ଦଳକୁ ଧଶେଇ ପଶିଥିଲେ । ହେଲେ  ରଣଜୀ ଟ୍ରଫି ପ୍ରଦର୍ଶନକୁ ସେ ଏପର୍ଯ୍ୟନ୍ତ  ଦୋହରାଇ ପାରି ନାହାନ୍ତି । ୬ଟି ଇନିଂସରେ  ସେ ଗୋଟିଏ ହେଲେ ଅର୍ଦ୍ଧଶତକ ଅର୍ଜନ  କରିପାରି ନାହାନ୍ତି । ତେଣୁ ଭାରତ ଏବେ  ପୁଣି ଥରେ ବ୍ୟାଟିଂ କ୍ରମର ୩ନଂ ସ୍ଥାନକୁ  ନେଇ ସମୀକ୍ଷା କରିବାର ସମୟ ଆସିଛି ।  ବିଫଳ ନାଏରଙ୍କ ସ୍ଥାନରେ ୨୧ବର୍ଷିୟ  ସାଇ ସୁଦର୍ଶନଙ୍କୁ ଆଉ ଥରେ ସୁଯୋଗ  ଦେବାରେ କିଛି ଅସୁବିଧା ନାହିଁ । ବାକି  ଦଳକୁ ଅପରିବର୍ତ୍ତିତ ରଖିବା ଜରୁରି । 

ନିମ୍ନ ବ୍ୟାଟିଂ କ୍ରମର ଯୋଗଦାନ: ଲର୍ଡ୍ସ  ଟେଷ୍ଟରେ ଭାରତୀୟ ଦଳର ତାରକା ବ୍ୟାଟର  ଫେଲ ମାରିଥିଲେ । ମାତ୍ର ନିମ୍ନ ଭାଗରେ  ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ  ଲଢୁଆ ବ୍ୟାଟିଂ କରିଥିଲେ । ରବିନ୍ଦ୍ର ଜାଡେଜା  କ୍ରିଜରେ ଅପରାଜିତ ଥିବାରୁ ବୁମରା ଓ  ସିରାଜଙ୍କ ବ୍ୟାଟ୍‌ରୁ ଦଳ ରନ ଆବଶ୍ୟକ  କରୁନଥିଲା । କେବଳ ଜାଡେଜାଙ୍କୁ ସାଥ୍‌  ଦେବାର ଆବଶ୍ୟକତା ଥିଲା । ଜାଡେଜାଙ୍କ  ସହ ବୁମରା ୨୨ ଓଭର ବ୍ୟାଟିଂ କରିଥିଲେ  ଓ ମ୍ୟାଚ୍‌କୁ ଶେଷ ଅଧିବେଶନକୁ ଟାଣି  ନେଇଥିଲେ । ପରେ ସିରାଜ ମଧ୍ୟ ଦାୟିତ୍ୱପୂର୍ଣ୍ଣ  ବ୍ୟାଟିଂ କରିଥିଲେ । ଶେଷରେ ଭାଗ୍ୟ ସାଥ୍‌  ନଦେବାରୁ ସେ ଆଉଟ୍‌ ହୋଇଥିଲେ । 

ଭାରତ ୮ଜଣ ବ୍ୟାଟର ଓ ବ୍ୟାଟିଂ  ଅଲ୍‌ରାଉଣ୍ଡର ନେଇ ଖେଳୁଛି । ତଥାପି  ନିମ୍ନ ଭାଗ ରନ ସଂଗ୍ରହ କରିପାରୁ ନାହିଁ ।  ଜାଡେଜାଙ୍କ ପରେ ବ୍ୟାଟିଂ ବିଭାଗ ଶୂନ୍ୟ  ମନେ ହେଉଛି । ଅପରପକ୍ଷରେ ଦେଖିବାକୁ  ଗଲେ ୯ନଂ ସ୍ଥାନରେ ଇଂଲଣ୍ଡର ବ୍ରାଇଡନ  କାର୍ସ ବ୍ୟାଟିଂ କରିବାକୁ ଆସି (ଲର୍ଡ୍ସ) ୫୬  ରନ୍‌ର ଇନିଂସ ଖେଳିଥିଲେ । ବାକି ମ୍ୟାଚ୍‌  ଜିତିବାକୁ ହେଲେ ନିମ୍ନ ଭାଗ ବ୍ୟାଟରଙ୍କୁ  କିଛି ରନ ସଂଗ୍ରହ କରିବାକୁ ହେବ । ବିଶେଷ  କରି ୱାସିଂଟନ ସୁନ୍ଦର ଓ ନୀତିଶ କୁମାର  ରେଡ୍ଡୀଙ୍କ ବ୍ୟାଟରୁ ଉପଯୋଗୀ ଇନିଂସ  କିମ୍ବା ଦାୟିତ୍ୱପୂର୍ଣ୍ଣ ଭାଗିଦାରୀ ଆବଶ୍ୟକ । 

ଅପରିବର୍ତ୍ତିତ ମନୋଭାବ: ଲର୍ଡ୍ସରେ  ଦଳ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲା ।  ତଥାପି ବିଜୟଠୁ ୨୨ ରନ ପଛରେ  ରହିଯାଇଥିଲା । ଏହି ମ୍ୟାଚରେ ଭାରତୀୟ  ଦଳ ଆକ୍ରମଣାତ୍ମକ ମନୋଭାବ ସହ  ଖେଳିଥିଲା । ଗ୍ରାଉଣ୍ଡ୍‌ରେ ପ୍ରଦର୍ଶନ ବ୍ୟତୀତ  ସ୍ଲେଜିଂରେ ମଧ୍ୟ ଭାରତୀୟ ଦଳ ପଛଘୁଞ୍ଚା  ଦେଇ ନଥିଲା । ଫଳରେ ଅନ୍ତିମ ଦିବସ  ବେଳକୁ ଲଢ଼େଇ ଜୋରଦାର ହୋଇଥିଲା ।  ଏହି ମନୋଭାବକୁ ମାଞ୍ଚେଷ୍ଟରରେ ମଧ୍ୟ  କାଏମ ରଖିବା ଜରୁରି । ଏଥିପାଇଁ ଅଧିନାୟକ  ଶୁଭମନ ଗିଲ୍‌ ନିଜ ଦଳକୁ ପ୍ରସ୍ତୁତ ରଖିବେ ।  ଇଂଲଣ୍ଡ ଉପରେ ମାନସିକ ଚାପ ପକାଇବାରେ  ଏହି ମନୋଭାବ ସହାୟକ ହେବ ।