ଭୁବନେଶ୍ଵର, ୨୦/୦୬ : ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସରେ ସରକାରୀ ବ୍ୟୟ ଆଶାନୁରୂପ ଗତି ଧରି ପାରିନଥିବା ବେଳେ ବିଭିନ୍ନ ସରକାରୀ ବିଭାଗର ବିଦ୍ୟୁତ ବିଲ୍ ବକେୟା ୨୬୦ କୋଟି ଟଙ୍କା ଅତିକ୍ରମ କରିଛି। ଏଭଳି ସ୍ଥିତିରେ ପୁଞ୍ଜି ବ୍ୟୟ ବୃଦ୍ଧି, ରାଜସ୍ୱ ସଂଗ୍ରହରେ ତ୍ୱରାନ୍ୱିତ ପଦକ୍ଷେପ, ଇନ୍ଧନ ସଞ୍ଚୟ ଏବଂ ବକେୟା ପରିଚାଳନା ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି। ଗତ ୪ ତାରିଖରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକରେ ରାଜ୍ୟର ଆର୍ଥିକ ସ୍ଥିତି ଏବଂ ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତାର ସମୀକ୍ଷା କରାଯାଇଥିଲା। 

ବୈଠକରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ମେ’ ଶେଷ ସୁଦ୍ଧା ଋଣ ପରିଶୋଧ ଓ ବିପର୍ଯ୍ୟୟ ପରିଚାଳନା ବ୍ୟୟକୁ ବାଦ୍ ଦେଲେ ରାଜ୍ୟର ମୋଟ ବ୍ୟୟ ୨୪ ହଜାର ୮୬୬ କୋଟି ଟଙ୍କାରେ ପହଞ୍ଚିଛି। ଏହା ମୋଟ ବଜେଟର ମାତ୍ର ୮.୮ %। ଗତବର୍ଷ ଏହି ସମୟରେ ମୋଟ ବଜେଟର ବ୍ୟୟ ହାର ୯.୬ ପ୍ରତିଶତ ଥିଲା। ସେହିପରି ପ୍ରୋଗ୍ରାମ ବ୍ୟୟ ୧୩ ହଜାର ୮୬ କୋଟି ଟଙ୍କା ଥିବା ବେଳେ ପୁଞ୍ଜି ବ୍ୟୟ ମାତ୍ର ୩ ହଜାର ୩୬୧ କୋଟି ଟଙ୍କାରେ ସୀମିତ ରହିଛି, ଯାହା ବଜେଟ୍‌ ବ୍ୟବସ୍ଥାର କେବଳ ୪.୭ ପ୍ରତିଶତ। ଏହି ପରିପ୍ରେକ୍ଷୀରେ ଆର୍ଥିକ ବିଭାଗକୁ ପୁଞ୍ଜି ବ୍ୟୟ ବୃଦ୍ଧିରେ ବାଧକ ସାଜୁଥିବା ବିଭିନ୍ନ ପ୍ରଶାସନିକ ସମସ୍ୟାର ତ୍ୱରିତ ସମାଧାନ କରିବାକୁ କୁହାଯାଇଛି। ସେହିଭଳି କେନ୍ଦ୍ର ପ୍ରାୟୋଜିତ ଯୋଜନାଗୁଡ଼ିକର ଅନୁଦାନ ଶୀଘ୍ର ହାସଲ ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ କେନ୍ଦ୍ରୀୟ ମନ୍ତ୍ରଣାଳୟ ସହ ନିୟମିତ ସମନ୍ୱୟ ରଖିବାକୁ ପରାମର୍ଶ ଦିଆଯାଇଛି।

ବିଭିନ୍ନ ବିଭାଗ ନାମରେ ୨୬୦.୪୭ କୋଟି ଟଙ୍କାର ବିଦ୍ୟୁତ ବିଲ୍ ବକେୟା

ଅନ୍ୟପକ୍ଷରେ, ସରକାରୀ ବିଭାଗଗୁଡ଼ିକର ବିଦ୍ୟୁତ ବକେୟା ରାଶି ବୃଦ୍ଧି ପାଉଥିବାରୁ ଚିନ୍ତା ପ୍ରକାଶ ପାଇଛି। ମେ’ ୩୧ ସୁଦ୍ଧା ବିଭିନ୍ନ ବିଭାଗ ନାମରେ ୨୬୦.୪୭ କୋଟି ଟଙ୍କାର ବିଦ୍ୟୁତ ବିଲ୍ ବକେୟା ରହିଛି। ଏହାକୁ ଦୃଷ୍ଟିରେ ରଖି ପୋଷ୍ଟପେଡ୍ ସଂଯୋଗଗୁଡ଼ିକୁ ପ୍ରିପେଡ୍ ମିଟରରେ ପରିବର୍ତ୍ତନ, ରାସ୍ତା ଆଲୋକ ବିଲ୍ ପରିଶୋଧ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଏବଂ ସମସ୍ତ ସରକାରୀ ଦେୟର କେନ୍ଦ୍ରୀକୃତ ପୈଠ ବ୍ୟବସ୍ଥା ଉପରେ ଜୋର ଦିଆଯାଇଛି। ଏଥିସହ ବିଦ୍ୟୁତ ବକେୟା ପରିଚାଳନା ପାଇଁ ନିୟମିତ ସମୀକ୍ଷା ବୈଠକ ଆୟୋଜନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।ସରକାରଙ୍କ ମତରେ, ଆର୍ଥିକ ଶୃଙ୍ଖଳା, ବ୍ୟୟର ଗତି, ଇନ୍ଧନ ସଞ୍ଚୟ ଓ ବକେୟା ପରିଚାଳନାରେ ସୁଧାର ଆଣିପାରିଲେ ରାଜ୍ୟର ବିକାଶ ପ୍ରକଳ୍ପଗୁଡ଼ିକ ଅଧିକ ଦ୍ରୁତ ଗତିରେ ଆଗେଇ ପାରିବ।

ଅଧିକ ହୋଇଛି ରାଜସ୍ଵ ସଂଗ୍ରହ

ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ରାଜ୍ୟର ପ୍ରଦର୍ଶନ ଅପେକ୍ଷାକୃତ ଭଲ ରହିଛି। ମେ’ ମାସ ସୁଦ୍ଧା ରାଜ୍ୟର ମୋଟ ରାଜସ୍ୱ ଆଦାୟ ୧୬ ହଜାର ୩୧ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଗତବର୍ଷର ସମାନ ଅବଧି ତୁଳନାରେ ୫.୯୧% ଅଧିକ। ତଥାପି ସମସ୍ତ ରାଜସ୍ୱ ଆଦାୟକାରୀ ବିଭାଗକୁ ଧାର୍ଯ୍ୟ ଲକ୍ଷ୍ୟ ହାସଲ ପାଇଁ ଅଧିକ ସକ୍ରିୟ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଇନ୍ଧନ ସଞ୍ଚୟକୁ ନେଇ ମଧ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇଥିଲା। ବ୍ୟୟ ସଂଜମ ନୀତିର ଅଂଶ ସ୍ୱରୂପ ସରକାରୀ ବିଭାଗଗୁଡ଼ିକରେ ବ୍ୟବହୃତ ପେଟ୍ରୋଲ ଓ ଡିଜେଲ ଚାଳିତ ଭଡ଼ା ଗାଡ଼ିଗୁଡ଼ିକୁ ପର୍ଯ୍ୟାୟକ୍ରମେ ବୈଦ୍ୟୁତିକ ଯାନରେ ପରିବର୍ତ୍ତନ କରାଯିବ। ସରକାରୀ ଗାଡ଼ିରେ ଇନ୍ଧନ ବ୍ୟବହାରକୁ ଅତି କମ୍‌ରେ ୧୦ ପ୍ରତିଶତ ହ୍ରାସ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଏହି ବୈଠକରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି)ର ରୂପାନ୍ତର ଯାତ୍ରାକୁ ଏକ ସଫଳ ପ୍ରଶାସନିକ ମଡେଲ ଭାବେ ଉପସ୍ଥାପନ କରାଯାଇଥିଲା। ଡିଜିଟାଲ ଟିକେଟିଂ, ଆଇଟି ଆଧାରିତ ପରିଚାଳନା, ଯାତ୍ରୀ ସେବାର ମାନୋନ୍ନତି, ଇନ୍ଧନ ସଞ୍ଚୟ ବ୍ୟବସ୍ଥା ଏବଂ ଆନ୍ତଃରାଜ୍ୟ ସଂଯୋଗ ବୃଦ୍ଧି ଯୋଗୁଁ ସଂସ୍ଥା ଦୀର୍ଘ ଦିନର କ୍ଷତିରୁ ବାହାରି ୨୦୨୫-୨୬ ଆର୍ଥିକ ବର୍ଷରେ ଲାଭଜନକ ସଂସ୍ଥାରେ ପରିଣତ ହୋଇଛି। ଇଭି ଚାର୍ଜିଂ ଷ୍ଟେସନ୍, ସୌର ଶକ୍ତି ବ୍ୟବସ୍ଥା ଓ ବୈଦ୍ୟୁତିକ ବସ୍ ସେବା ମାଧ୍ୟମରେ ନିଗମ ଗ୍ରୀନ୍ ଟ୍ରାନ୍ସପୋର୍ଟ ଦିଗରେ ମଧ୍ୟ ଆଗେଇ ଚାଲିଛି। ଏହି ସଫଳତା ପାଇଁ ମୁଖ୍ୟ ଶାସନ ସଚିବ ଓଏସଆରଟିସିର ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ।

ଆହୁରି ପଢନ୍ତୁ- ନା ସିଲାବସ୍ ଅଛି, ନା ସଂଶୋଧନ ହେଲା: ଏନ୍‌ସିଇଆର୍‌ଟି ବହିକୁ ସିଧା ଅନୁବାଦ କରି ଛାପିଦେଲେ !