ପ୍ରମୂଖ ଖବର
  • ଅନୁଗୁଳ : ଜମିବାଡ଼ି ଭାଗ କରିବା ପାଇଁ ମାଗୁଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବରିଷ୍ଠ କିରାଣୀ
  • ||
  • କନ୍ଧମାଳ : ମଦ୍ୟପ ପୁଅର ହାତୁଡ଼ି ମାଡ଼ରେ ଆଖି ବୁଜିଲା ବାପା, ପୋଲିସ ଆଗରେ ସତ ବଖାଣିଲା ଅଭିଯୁକ୍ତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ପ୍ରଶ୍ନକାଳ ସ୍ବାଭାବିକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ମନ୍ତ୍ରୀ
  • ||
  • ମୁକୁନ୍ଦପୁର ଘାଟିରେ ବସ୍‌ ଓଲଟିବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
  • ||
  • ଜଷ୍ଟିସ ବର୍ମାଙ୍କ ଘରୁ ଟଙ୍କା ଜବତ ମାମଲା: ୮ ପୁଲିସଙ୍କ ମୋବାଇଲ ଜବତ, ୮ ଅଧିକାରୀଙ୍କ ବୟାନ ବି ରେକର୍ଡ
  • ||
  • ମଣପ୍ପୁରମ ସୁନା ଲୁଟ୍‌ ଘଟଣା: ଦୁର୍ଦ୍ଦାନ୍ତ ସୁବୋଧ ସିଂହ ଗିରଫ, ଆଜି କୋର୍ଟରେ ହାଜର କରିବ ପୁଲିସ
  • ||
  • ରାଜଧାନୀରୁ ଗୋରୁ ଭର୍ତ୍ତି ପିକଅପ୍ ଗାଡ଼ି ଜବତ, ରାସ୍ତା ଉପରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର
  • ||
  • ସାମାନ୍ୟ ବଚସାରୁ ରାଉରକେଲାରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ଯୁବକ
  • ||
  • ଆଇପିଏଲ୍ ୨୦୨୫: ଆଜି ସୁପରକିଙ୍ଗ୍‌ସ-ରୟାଲ୍‌ ଚ୍ୟାଲେଞ୍ଜର୍ସ ଲଢ଼େଇ, ସ୍ପିନରଙ୍କୁ ସୁହାଇବ ଚିପକ୍‌ ପିଚ୍‌
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛରେ ଝୁଲି ରହିଲା ୧୦୮ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ୩ ଆମ୍ବୁଲାନ୍ସ କର୍ମଚାରୀ
  • ||
  • ବାଲେଶ୍ୱର : ମର୍ଣ୍ଣିଙ୍ଗ୍ ୱାକ୍‌ କରିବା ବେଳେ ଅଘଟଣ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ଆସନ୍ତା ତିନି ଦିନ ନିଆଁ ବର୍ଷା: ୪୦ ଡିଗ୍ରୀ ଡେଇଁଲା ୮ ସହର ପାରଦ, ଆଜି ୪୨, କାଲି ୪୩ ଛୁଇଁବ ତାପମାତ୍ରା
  • ||

ଲୋକବିମର୍ଶ: ବ୍ୟାଖ୍ୟାନହୀନତାର ସମୟ...

Published By : Prameya | March 3, 2025 1:46 PM

ଓଡ଼ିଆ ମହାଭାରତରେ ସାରଳା  ଦାସ ଚଳନ୍ତି ବାଚିକତାକୁ ଅଭୂତପୂର୍ବ  କାବ୍ୟିକତାରେ ପରିଭାଷିତ କରି ଓଡ଼ିଆ ବ୍ୟାଖ୍ୟାନ ପରମ୍ପରାର ପିଣ୍ଡ ନିର୍ମାଣ କରିଚନ୍ତି । ୟାର ଛନ୍ଦକୁ  ଓଡ଼ିଆବାଣୀ ବା ଓଡ୍ରବୃତ୍ତ କହିବା  ଉପଯୁକ୍ତ ହେବ । ୟାକୁ ଦାଣ୍ଡିବୃତ୍ତ  ନାଁ କିଏ ଦେଲେ ଜଣା ନାହିଁ, କିନ୍ତୁ  ଅନୁମାନ କରାଯାଇପାରେ ଯେ ଯେଉଁ  ପରିସ୍ଥିତିରେ ପରବର୍ତ୍ତୀ କାଳରେ  ଜଗନ୍ନାଥଦାସଙ୍କ ଭାଗବତକୁ ଦାଣ୍ଡି  ଭାଗବତ ବୋଲି କୁହାଗଲା ସେହିଭଳି  ପୂର୍ବବର୍ତ୍ତୀ ଗୋଟେ ସମୟରେ  ସଂସ୍କୃତିଆମାନେ ସାରଳାଙ୍କ ଛନ୍ଦହୁଡ଼ା,  ଯତିଭ୍ରଷ୍ଟ ପଦରଚନାକୁ ଶାସ୍ତ୍ରହୁଡ଼ା  ଦାଣ୍ଡି ବୋଲି କହିଥିବେ ।

ଭାରତୀୟ ବାଙ୍ଗମୟ ବ୍ୟାଖ୍ୟାନର । ଅଭିବ୍ୟକ୍ତିର  ବ୍ୟାପ୍ତି, ଚିତ୍ରମୟତା, ସଘନତା, ତରଳତା,  ଐନ୍ଦ୍ରୀୟତା, ବିଷୟବ୍ୟାପ୍ତି, ନାଟକୀୟତା ଓ ତତ୍କାଳିକତା ତଥା ସ୍ମୃତି ଓ ପୌରାଣିକତା ଭାରତୀୟ  ବ୍ୟାଖ୍ୟାନର ଉତ୍ସ ଓ ଉପାଦାନ । ଯେଉଁ ଭାରତୀୟ  ଭାଷା ଯେତେ ସମୃଦ୍ଧ ତାର ବ୍ୟାଖ୍ୟାନ ପରମ୍ପରା  ସେତେ ବିପୁଳ । ମୌଖିକ ଓ ଲିଖିତ ସମସ୍ତ  ରଚନା ବ୍ୟାଖ୍ୟାନର ଅନ୍ତର୍ଭୁକ୍ତ । ଓଡ଼ିଆ କେବଳ  ବିନେ୍ଧ୍ୟତର ଭାରତର ଏକମାତ୍ର ସମ୍ପନ୍ନ ଭାଷା  ନୁହେଁ, ତାମିଲ ଓ ତାମିଲ ଗୋଷ୍ଠୀର ଅନ୍ୟ ଦକ୍ଷିଣ  ଭାରତୀୟ ଶାସ୍ତ୍ରୀୟ ଭାଷାମାନଙ୍କ ଠାରୁ ଅଧିକ  ସମ୍ପ୍ରେଷଣକ୍ଷମ, ଅଧିକ ଚିତ୍ରମୟ ଓ ମୁକ୍ତ । 

ଦକ୍ଷିଣୀ କଳ୍ପନାରେ, ସଙ୍ଗମ ସାହିତ୍ୟ ଠାରୁ  ଆରମ୍ଭ କରି ଏପର୍ଯ୍ୟନ୍ତ, ଆତିଶଯ୍ୟର ଉତ୍କଟତା  ଭିତରୁ ସୁଠାମ ଓ ବପୁବନ୍ତ  ବ୍ୟାଖ୍ୟାନର ନିର୍ମାଣ କରିଚନ୍ତି  ସେମାନେ । ରାମାୟଣ ଓ  ମହାଭାରତର କଥାରେ ବ୍ୟତିକ୍ରମ  ଆଣିଚନ୍ତି । ଉଭୟ ରମଣୀୟତା  ଓ ଅତିକଳ୍ପନାରେ ବ୍ୟାଖ୍ୟାନ  ବଢ଼େଇଚନ୍ତି । ମଥିତ ଓ ବିକର୍ତ୍ତିତ  ହୋଇ ତାମିଲ ମୂଳ ମାଳୟଲମ,  କନ୍ନଡ଼ ଓ ତେଲୁଗୁ ଭଳି ସବଳ ଭାଷାମାନଙ୍କୁ  ଶାସ୍ତ୍ରୀୟ ଚରିତ୍ର ଓ ଗୁଣ ଦେଇଚି । ସେଇଠି ଉତ୍ତର  ( ବିନେ୍ଧ୍ୟତର) ଭାରତୀୟ ସଂସ୍କୃତ ଭାଷାର  ସାଂସ୍କୃତିକତାକୁ ନେଇ ଦେଶଜ ବ୍ୟାଖ୍ୟାନରେ  ସିଦ୍ଧ ହେଇଚି ଓଡ଼ିଆ । ଓଡ଼ିଆ ମହାଭାରତରେ  ସାରଳା ଦାସ ଚଳନ୍ତି ବାଚିକତାକୁ ଅଭୂତପୂର୍ବ  କାବ୍ୟିକତାରେ ପରିଭାଷିତ କରି ଓଡ଼ିଆ ବ୍ୟାଖ୍ୟାନ  ପରମ୍ପରାର ପିଣ୍ଡ ନିର୍ମାଣ କରିଚନ୍ତି । ୟାର ଛନ୍ଦକୁ  ଓଡ଼ିଆବାଣୀ ବା ଓଡ୍ରବୃତ୍ତ କହିବା ଉପଯୁକ୍ତ ହେବ ।  ୟାକୁ ଦାଣ୍ଡିବୃତ୍ତ ନାଁ କିଏ ଦେଲେ ଜଣା ନାହିଁ, କିନ୍ତୁ  ଅନୁମାନ କରାଯାଇପାରେ ଯେ ଯେଉଁ ପରିସ୍ଥିତିରେ  ପରବର୍ତ୍ତୀ କାଳରେ ଜଗନ୍ନାଥଦାସଙ୍କ ଭାଗବତକୁ  ଦାଣ୍ଡି ଭାଗବତ ବୋଲି କୁହାଗଲା ସେହିଭଳି  ପୂର୍ବବର୍ତ୍ତୀ ଗୋଟେ ସମୟରେ ସଂସ୍କୃତିଆମାନେ  ସାରଳାଙ୍କ ଛନ୍ଦହୁଡ଼ା, ଯତିଭ୍ରଷ୍ଟ ପଦରଚନାକୁ  ଶାସ୍ତ୍ରହୁଡ଼ା ଦାଣ୍ଡି ବୋଲି କହିଥିବେ । ଯାହାବି କହନ୍ତୁ  ଓଡ଼ିଆ ବ୍ୟାଖ୍ୟାନର ମୂଳ ସେଇଠି, ସେଇଠି ବି  ଓଡ଼ିଆ ଗଦ୍ୟର କାବ୍ୟାତ୍ମା!  

କହିବାରେ ଦ୍ୱିଧା ନାହିଁ ଯେ ବ୍ୟାଖ୍ୟାନ ସ୍ଥୂଳ ପାଠ ନୁହେଁ । ପାଠର ଗତି ନଥିଲେ ତାହା  ବ୍ୟାଖ୍ୟାନଯୋଗ୍ୟ ନୁହେଁ । ଗତିସ୍ମାନ ଭାଷା ଯାହା ସମ୍ପ୍ରେଷଣକ୍ଷମ, ସମ୍ପ୍ରସାରଣଶୀଳ, ଚିତ୍ରମୟ,  ସଘନ କେବେ ତ ତରଳ, କେବେ ବ୍ୟାପ୍ତ, ଐନ୍ଦ୍ରୀୟ  ଓ ନାଟକୀୟ । ଅର୍ଥାତ ଏଥିରେ ଗଦ୍ୟ, ପଦ୍ୟ,  ନାଟକ, ସବୁ ଅନ୍ତର୍ଭୁକ୍ତ । ଏ ପ୍ରକାରର ବ୍ୟାଖ୍ୟାନ  ପ୍ରତି ଭାଷାରେ ତାର ନିଜର ସାମର୍ଥ୍ୟ ଅନୁସାରେ  ବିକଶିତ ହୋଇଆସିଚି, ଓଡ଼ିଆରେ ଏ ବ୍ୟାଖ୍ୟାନ  ତାର ସ୍ୱାଭାବିକ ମାର୍ଗରେ ନଯାଇ ଊନବିଂଶ ଶତାବ୍ଦୀରେ  ବଦଳିଚି । ପାଦ୍ରୀଗଦ୍ୟର ଅନୁପ୍ରବେଶ ସହିତ ଓଡ଼ିଆ  ଗଦ୍ୟ ବ୍ୟାଖ୍ୟାନରେ ବାକ୍ୟ ନିର୍ମାଣରୁ ତାର ପଦ୍ୟାତ୍ମା  ଯାଇ ତର୍କ ପ୍ରବେଶ କରିଚି । 

ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ କାଳଖଣ୍ଡରେ  ସମ୍ବାଦପତ୍ରର ଉଦୟ ଓଡ଼ିଆ ବ୍ୟାଖ୍ୟାନକୁ ତତ୍କାଳିକ  କରି ଲୋକମୁଖୀ କରିଚି । ସାରଳା ଦାସ, ନାରାୟଣ  ଅବଧୂତ ସ୍ୱାମୀ, ବ୍ରଜନାଥ ବଡ଼ଜେନାଙ୍କ ବାକ୍ୟ  ନିର୍ମାଣକୁ ଫକୀର ମୋହନ ଆଗକୁ ବଢ଼ାଇ ଗଳ୍ପ  ଓ ଉପନ୍ୟାସର ବ୍ୟାଖ୍ୟାନ ନିର୍ମାଣ କରିଚନ୍ତି, ୟା  ଭିତରେ ଚଟୁଳ ପଦ୍ୟାତ୍ମା ସହିତ ରୋକଠୋକିଆ  ତାର୍କିକ ଗଦ୍ୟର ପ୍ରୟୋଗ ଅଛି । ଫକୀର ମୋହନ  ଓ ରାଧାନାଥ ତଥା ତାଙ୍କର ସହଲେଖକ ଗୋଷ୍ଠୀ  ପ୍ରବନ୍ଧ ଲେଖି ବ୍ୟାଖ୍ୟାନ ପରମ୍ପରାକୁ ଶକ୍ତି  ଦେଇଚନ୍ତି । ବିଂଶ ଶତାବ୍ଦୀର ପ୍ରଥମ ପଚିଶ ବର୍ଷ  ଭିତରେ ଓଡ଼ିଆ ବ୍ୟାଖ୍ୟାନ ସିଦ୍ଧ ହୋଇଚି । ପାଲା,  ଯାତ୍ରା, ସୁଆଙ୍ଗ, ବାଗ୍ମୀଙ୍କ ବକ୍ତୃତା ସହିତ ସମ୍ବାଦ  ପରିବେଷଣ, କାବ୍ୟ କବିତା, ଗଳ୍ପ ଓ ଉପନ୍ୟାସ  ବ୍ୟାଖ୍ୟାନକୁ ବିପୁଳ ବିବର୍ତ୍ତନଶୀଳ କଥକତା  ଦେଇଚି । ପ୍ରଗତିବାଦୀ, ରହସ୍ୟ-ରୋମାନ୍‌ସବାଦୀ  ଓ ବିପ୍ଳବବାଦୀ କାବ୍ୟ କବିତା ଆବୃତ୍ତି ଓ ଉଚ୍ଚାରଣ  ବଢ଼ାଇ ଭାଷାର ସମ୍ପ୍ରେଷଣ ଧ୍ୱନିକୁ ଇନ୍ଦ୍ରିୟଗ୍ରାହୀ  କରିଚନ୍ତି । ଆଧୁନିକ କାଳର ନିରବ ପଠନ ତଥା  ବ୍ୟାଖ୍ୟାନ ବିମୁଖତା ଓଡ଼ିଆ ବ୍ୟାଖ୍ୟାନ ପରମ୍ପରାର  ବ୍ୟତିକ୍ରମ । ଏହା ପ୍ରାୟ ସବୁ ଭାରତୀୟ ଭାଷାରେ  ଘଟିଚି, କିନ୍ତୁ ଓଡ଼ିଆରେ କ୍ଷତି ସର୍ବାଧିକ ।  

ଏବେ ଯେଉଁ ସମୟରେ ଆମେ ବାସ କରୁଚେ  ତାହା ବାର୍ତ୍ତାହୀନ ମୂକଙ୍କ ସମୟ । ବାର୍ତ୍ତାହୀନତା  ଆମକୁ ବ୍ୟାଖ୍ୟାନହୀନ କରିଚି । ବ୍ୟାଖ୍ୟାନହୀନତା  ଆମକୁ ବିମର୍ଶହୀନ କରିଚି । ଆମ ପାଟି ଫିଟୁନି ।  ଶବ୍ଦ ପଇଟୁନି । ସଂକେତରେ ଯାହା ବୁଝିବା କଥା  ବୁଝ, ଯାହା କହିବା କଥା କୁହ । ଓଡ଼ିଆ ବା ଅନ୍ୟ  କୌଣସି ଭାରତୀୟ ଭାଷା ବିଷୟରେ କହିଲା ବେଳେ  ଦୁଃଖର ସହିତ ସ୍ୱୀକାର କରିବାକୁ ହେବ ଯେ ଆମ  ତୁଣ୍ଡ ଆଉ ଆମ ଆୟତ୍ତରେ ନାହିଁ । ଆବଶ୍ୟକତା  ପୂରଣ ପାଇଁ ଭାଷାର ଆବଶ୍ୟକତା ପ୍ରାୟ ନାହିଁ ।  ସମକାଳୀନ ପାଶ୍ଚାତ୍ୟ ବିଦ୍ୱାନ ଆଗାମ୍ବେନ କହୁଚନ୍ତି  ଯେ, ଟେକ୍‌ନୋଲୋଜି କମ୍ପ୍ୟୁଟର ସୂଚନା ପ୍ରସାର  କରି ବିଶ୍ୱକୁ ଏକୁଟିଆ ମଣିଷଙ୍କ ଅଜ୍ଞାତବାସରେ  ପରିଣତ କରିସାରିଲାଣି । ଯଦି ସବୁ କିଛି  ଅନଲାଇନ ମିଳିପାରୁଚି ତେବେ ବ୍ୟକ୍ତି ଆଉ ବଜାର  ଗହ ଗହରେ ପଶିବ କାଇଁକି? ସ୍ନେହ, ମମତା,  ଅଭିଯାନ, ବୀରତ୍ୱ ଆଦି ବ୍ୟକ୍ତିଭୂଷଣ ପ୍ରତୀୟମାନ  ପ୍ରାପ୍ତିରେ ସମ୍ଭବ । ଭାରଚୁଆଲ ରିଆଲିଟିରେ ଯଦି  ରିଅଲ ରିଆଲିଟି ଠାରୁ ଅଧିକ ସାଧ୍ୟ, ସମ୍ଭବ, ସହଜ  ଓ ଭୋଗ୍ୟ, ତେବେ ବାସ୍ତବତାର କଷ୍ଟ, ବିପଦ,  ସଙ୍କଟରେ ପଶିବା କାଇଁକି? 

ଅନ୍ୟ ଭାବରେ କହିଲେ ଆମର ରାଷ୍ଟ୍ରମାନେ  ଇନକ୍ଲୁସିଭ ସମାଜର କଳ୍ପନା କଲାବେଳକୁ  ବ୍ୟକ୍ତିଜୀବନ ଏକ୍ସକ୍ଲୁସିଭ ହୋଇ ଚାଲିଚି । ମୂକମାନଙ୍କ  ସମାଜରେ ଘର ନାହିଁ, ପରିବାର ନାହିଁ, କୁଟୁମ୍ବ  ନାହିଁ, ବନ୍ଧୁ ନାହିଁ, ବାର୍ତ୍ତା ନାହିଁ । ଶ୍ରମ କରି ପରିବାର  ଚଳାଉଥିବା ଘରେ ଏବେ ଶ୍ରମ ନାହିଁ, ହାତରେ  ମୋବାଇଲ, ସ୍ତ୍ରୀ ହାତରେ ବି ମୋବାଇଲ, ପିଲାଙ୍କ  ହାତରେ ବି ମୋବାଇଲ । ସମସ୍ତେ ନିଜ ନିଜର  ଆପ୍ରତ୍ୟକ୍ଷ ଜଗତରେ । ଯୌଥ ପରିବାର ଭାଙ୍ଗିଥିଲା,  ଏବେ ଏକକ ପରିବାର ଧ୍ୱସ୍ତ । ସାମୂହିକ ଜୀବନରେ  ଆଦର୍ଶ ନାହିଁ, ବିତ୍ତଶାଳୀ ମହାବଳୀ । କଳିଆ ନାହାନ୍ତି,  କୁହାଳିଆ ନାହାନ୍ତି । ବାଗ୍ମୀ ନାହାନ୍ତି । ବାର୍ତ୍ତାକାର  ନାହାନ୍ତି । ମଧ୍ୟସ୍ଥ ନାହାନ୍ତି କି ମହାତ୍ମା ନାହାନ୍ତି । 

ସାହିତ୍ୟରେ ବ୍ୟାଖ୍ୟାନର କ୍ରମବିଲୟ  ସମାଜରେ ପାଶ୍ଚାତ୍ୟ ଆଧୁନିକତାର କ୍ରମସଂକ୍ରମଣର  ସଂକେତ ବା ତାର ପରିଣାମ । ମାନବର ସର୍ବୋନ୍ନତ  ମେଧା ବର୍ତ୍ତମାନ ମାନବ ହିତରେ ନିୟୋଜିତ  ନୁହେଁ । ବର୍ତ୍ତମାନ ୟୁରୋଆମେରିକାନ ମେଧା  ସ୍ୱୀକାର କରୁଚି ଯେ ସଭ୍ୟତା, ଜ୍ଞାନବିଜ୍ଞାନ ଓ ତଥ୍ୟ  କ୍ଷେତ୍ରରେ ନୂଆ କିଛି ଘଟିବାର ନାହିଁ । ସେଇଠି  ସମସ୍ତ ମେଧା ଅନ୍ତରୀକ୍ଷ ବିଜୟରେ ନିୟୋଜିତ ।  ଗଣିତ, ବିଜ୍ଞାନ, ଅର୍ଥନୀତିରେ କୌଣସି ମୌଳିକ  ଉଦ୍ଭାବନ ବା ଆବିଷ୍କାର ପାଇଁ ନୋବେଲ ପୁରସ୍କାର  ମିଳିନାହିଁ । କେବଳ ସାହିତ୍ୟରେ ନୋବେଲ ପୁରସ୍କାର ମିଳିଚାଲିଚି ମଣିଷର ଧରାନିବାସର  ସଙ୍କଟ ଓ ବୈଚିତ୍ର‌୍ୟ ଉଦ୍‌ଘାଟିତ କରୁଥିବା  ମାନବୀୟ ବିମର୍ଶକୁ । ଲାଗୁଚି ଯେମିତି ବିଜ୍ଞାନର  ଅମାନବୀୟ ଆସ୍ପର୍ଦ୍ଧା ବିରୋଧରେ ଠିଆ ହେଇଚି  ସାହିତ୍ୟ । ବିଜ୍ଞାନର ସଂକେତ ବିରୋଧରେ  ମଣିଷର ବ୍ୟାଖ୍ୟାନ । ଯଥେଷ୍ଟ ହେଲା ବିଜ୍ଞାନ ।  

ମଣିଷକୁ ଯେତିକି ବ୍ୟବହାରଯୋଗ୍ୟ ସୁବିଧା  ବିଜ୍ଞାନ ସୂତ୍ରରୁ ମିଳିଚି, ସେତିକି ଆପାତତଃ  ଯଥେଷ୍ଟ । ଅଧିକ ସଂକେତ ଦରକାର ନାହିଁ, ଅଧିକ  ମାନବୀୟ ବ୍ୟାଖ୍ୟାନ ଲୋଡ଼ା । ଅମାନବୀୟ କୃତ୍ତ୍ରିମ  ବୁଦ୍ଧିରେ କି କାମ, କରୁଣା ଲୋଡ଼ା! ନିଷ୍କରୁଣ  ପୃଥିବୀରେ ଅତିବୁଦ୍ଧି ଏକ ରାକ୍ଷସୀ ବ୍ୟାପାର ।  ଇଏ ସଂସାରର ରହସ୍ୟ, କୌଟୁଜ, ଅନୁସନ୍ଧିତ୍ସା ଓ  ନିରୀହର ଆତ୍ମସନ୍ତୋଷକୁ ମାରିଦେବ । ମଣିଷର  ଐନ୍ଦ୍ରୀୟ ଉପସ୍ଥିତି ବିପଦରେ ପଡ଼ିଯିବ । ଐନ୍ଦ୍ରୀୟତା  ବିପନ୍ନ ହେଲେ ବସ୍ତୁସୁଖ ନିରର୍ଥକ ହେଇଯିବ ।  ମୁଁ ଏ ବିଷୟରେ ନିଶ୍ଚିତ ଯେ, କୃତ୍ରିମ ଅତିବୁଦ୍ଧିର  ନିୟନ୍ତ୍ରଣ ପାଇଁ ବିଶ୍ୱର ନେତୃରାଷ୍ଟ୍ର ଚିନ୍ତିତ । 

ବେଲଗ୍ରେଡ ଓ ଦିଲ୍ଲୀ ତଥା ଅଳ୍ପ ଦିନ ତଳେ  ପ୍ୟାରିସରେ ରାଷ୍ଟ୍ରମୁଖ୍ୟଙ୍କର ଶୀର୍ଷଚିନ୍ତନରେ  କୃତ୍ରିମ ବୁଦ୍ଧିର ବ୍ୟବହାରରେ ସତର୍କତା, ସୁରକ୍ଷା ଓ ପ୍ରୟୋଗରେ ସଂଯମ କଥା କୁହାଗଲା । ଏ  କ୍ଷେତ୍ରରେ ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଭାରତ  ଏକ ନେତୃରାଷ୍ଟ୍ର ଭାବରେ ତାର ଅଗ୍ରଗାମୀ  ଭୂମିକା ନିର୍ବାହ କରିବା ଭାରତର ରାଜନୈତିକ  ପରାକାଷ୍ଠାର ପ୍ରମାଣ । ମୋର ବିଶ୍ୱାସ ଯେ,  କୃତ୍ରିମ ଅତିବୁଦ୍ଧିକୁ ନେଇ ଚାଲିଥିବା ବିଚାର ଏକ  ମାନବୀୟ ବିମର୍ଶରେ ପରିଣତ ହେବ । ଏଥିପାଇଁ  ଲୋଡ଼ା ହେବ ନୂଆ ବ୍ୟାଖ୍ୟାନ । ରୋକଠୋକ  ଶୁଖିଲା ସାରଣୀ ନୁହେଁ । ତଥ୍ୟର ବୁଲେଟ-ପଏଣ୍ଟ  ନୁହେଁ, ବିଶ୍ୱମାନସ ଆଶ୍ୱାସନ ଚାହେଁ, ଆସ୍ଥା  ଚାହେଁ, ଭରସା ଚାହେଁ । ବାଣୀ ଦରକାର, ଗଣିତକୁ  ଗଣିତରେ ବୁଝେଇବାର ଇଙ୍ଗିତ ସାହିତ୍ୟ ମୂକ  ସଂସାରକୁ ଅଧିକ ମୂକ କରିଦେବ । କୃତ୍ରିମ ବୁଦ୍ଧି  ମାନବ ମଙ୍ଗଳ ପାଇଁ ବ୍ୟବହୃତ ହେଉ, କିନ୍ତୁ ତା’  ସହିତ ମଣିଷ ତୁଣ୍ଡରେ ଭାଷା, ମୁଣ୍ଡରେ କଳ୍ପନା ଓ  ଜୀବନରେ ରହସ୍ୟ ବଞ୍ଚିରହୁ । ମଣିଷର ବ୍ୟାଖ୍ୟାନ  ନିର୍ମାଣ କ୍ଷମତାକୁ କୃତ୍ରିମବୁଦ୍ଧି ଅଣଦେଖା ନକରୁ,  ନଷ୍ଟ ନକରୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.