ନୂଆଦିଲ୍ଲୀ,୨୦/୦୬; ଶୁଭମନ ଗିଲଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଆଫଗାନିସ୍ତାନ ବିପକ୍ଷରେ ଦିନିକିଆ ସିରିଜ୍ ଖେଳୁଛି । ଏହା ପରେ ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଟିମ୍ ଇଣ୍ଡିଆ । ଭାରତୀୟ କ୍ରିକେଟ୍ ଦଳର ତାରକା ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି । ୫୦ ଓଭରିଆ କ୍ରିକେଟ୍ ପାଇଁ ଆବଶ୍ୟକ ଫିଟ୍ନେସ୍ ସ୍ତରରେ ପହଞ୍ଚି ପାରିନଥିବାରୁ ଜାତୀୟ ଚୟନ ସମିତି ତାଙ୍କୁ ନେଇ ଏଭଳି ନିଷ୍ପତ୍ତି ନେଇଛି । ଆଗକୁ ବିଶ୍ୱକପ ଥିବାବେଳେ ବେଳେ ପାଣ୍ଡ୍ୟା ବାଦ୍ ପଡ଼ିବା ଟିମ୍ ଇଣ୍ଡିଆ ପାଇଁ ଚନ୍ତାର କାରଣ ହୋଇଛି । ସେପଟେ ଆଫଗାନିସ୍ତାନ ବିପକ୍ଷ ସିରିଜରୁ ବାଦ ପଡିଥିବା କୋହଲି ଜୁନ୍ ୨୨ରେ ଫିଟନେସ୍ ପରୀକ୍ଷା ଦେବେ । ଏହା ପରେ କୋହିଲଙ୍କ ଚୟନ ଉପରେ ନିଷ୍ପତ୍ତି ନିଆଯିବ ।
ଜାତୀୟ ଗଣମାଧ୍ୟମ ଅନୁଯାୟୀ, ୩୨ ବର୍ଷୀୟ ପାଣ୍ଡ୍ୟା ଏପର୍ଯ୍ୟନ୍ତ ପୂର୍ଣ୍ଣ ବୋଲିଂ କାର୍ଯ୍ୟଭାର ସମ୍ଭାଳିବାରେ ସକ୍ଷମ ହୋଇନାହାନ୍ତି । ଦିନିକିଆ କ୍ରିକେଟ୍ ପାଇଁ ସମ୍ପୂର୍ଣ୍ଣ ଫିଟ୍ ହେବାକୁ ତାଙ୍କୁ ଆହୁରି କିଛି ସମୟ ଲାଗିବ । ଚଳିତ ବର୍ଷର ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ବ ନେଇଥିବା ପାଣ୍ଡ୍ୟା ସେତେବେଳେ ପିଠି ଯନ୍ତ୍ରଣାର ପୀଡ଼ିତ ହୋଇଥିଲେ। ଏହାପରେ ସେ ବେଙ୍ଗାଲୁରୁସ୍ଥିତ ବିସିସିଆଇର ପାରଦର୍ଶିତା କେନ୍ଦ୍ରରେ ପୁନର୍ବାସ ପ୍ରକ୍ରିୟା ଜାରି ରଖିଥିଲେ । ପ୍ରଶିକ୍ଷଣ ସମୟରେ ସେ ୧୦ ଓଭରର ପୂର୍ଣ୍ଣ ବୋଲିଂ କୋଟା ମଧ୍ୟ ସମାପ୍ତ କରିଥିଲେ, ଯାହା ତାଙ୍କ ଶୀଘ୍ର ପ୍ରତ୍ୟାବର୍ତ୍ତନର ସଙ୍କେତ ଦେଇଥିଲା। ତେବେ ପୁନର୍ବାସ ସମୟରେ ସେ ପୁଣିଥରେ ଆହତହୋଇଥିଲେ ଏବଂ ଏବେସୁଦ୍ଧା ପୂରା ଫିଟ୍ନେସ୍ ପାଇ ନଥିବା ଜଣାପଡ଼ିଛି । ହାର୍ଦ୍ଦିକଙ୍କ ଅନୁପସ୍ଥିତିକିନ୍ତୁ ଭାରତୀୟ ଦଳର ଦିନିକିଆ ଯୋଜନାକୁ ପ୍ରଭାବିତ କରିପାରେ । ଜଣେ ଦ୍ରୁତ ବୋଲର ଅଲ୍ରାଉଣ୍ଡର ଓ ମ୍ୟାଚ୍ ଫିନିସର୍ ଭାବେ ସେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ । ୨୦୨୭ ବିଶ୍ୱକପକୁ ଦୃଷ୍ଟିରେ ରଖି ଦଳୀୟ ଅଧିକାରୀମାନେ ତାଙ୍କୁ ଅଧିକ ଦିନିକିଆ ମ୍ୟାଚ୍ ଖେଳାଇବା ସହ ତାଙ୍କ କାର୍ଯ୍ୟଭାରକୁ ସତର୍କତାର ସହ ପରିଚାଳନା କରୁଛନ୍ତି ।
ଏହା ବି ପଢନ୍ତୁ...FIFA World Cup 2026: ଫୁଟବଲ୍ ଇତିହାସରେ ପ୍ରଥମ; ବିଶ୍ୱକପରେ ମାଆ-ପୁଅଙ୍କ ଧମାଲ, ଇରାନ ବିପକ୍ଷରେ ଟେଲରଙ୍କ ଡେବ୍ୟୁ
ରିପୋର୍ଟ ଅନୁଯାୟୀ, ଆଇପିଏଲରେ ଆହତ ହୋଇଥିବା ଟିମ୍ ଇଣ୍ଡିଆ କିଙ୍ଗ୍ ବିରାଟ କୋହଲି ଜୁନ୍ ୨୨ ତାରିଖରେ ଏକ ଫିଟନେସ୍ ପରୀକ୍ଷା ଦେବେ । ଯାହା ତାଙ୍କୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରଜ୍ ପାଇଁ ଚୟନ କରିପାରେ । ସିଓଇ ଲଣ୍ଡନରେ ବିରାଟଙ୍କ ସହିତ ଯୋଗାଯୋଗରେ ଅଛନ୍ତି । ତାଙ୍କୁ ଏକ ପୁନର୍ବାସ କାର୍ଯ୍ୟକ୍ରମ ଦିଆଯାଇଥିଲା । ବିରାଟ ହାମଷ୍ଟ୍ରିଙ୍ଗ୍ ଆଘାତକୁ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଜୁନ୍ ୨୨ରେ ବିରାଟ କୋହଲି ଆଉ ଥରେ ଫିଟନେସ ଟେଷ୍ଟ ଦେବେ । ଆସନ୍ତା ସପ୍ତାହରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ ଘୋଷଣା ହେବ । ବିଶେଷ କରି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଚୟନକୁ ଫୋକସ କରାଯାଇଛି ।ଭାରତ-ଇଂଲଣ୍ଡ ଦିନିକିଆ ଶୃଙ୍ଖଳା ଇଂଲଣ୍ଡର ବର୍ମିଂହାମଠାରେ ଆରମ୍ଭ ହେବାର ଅଛି । ପରବର୍ତ୍ତୀ ଦୁଇଟି ମ୍ୟାଚ୍ କାର୍ଡିଫ୍ ଓ ଲର୍ଡସରେ ଖେଳାଯିବ । ଜୁଲାଇ ୧୪, ୧୬ ଓ ୧୯ ତାରିଖରେ ମ୍ୟାଚ୍ ଅନୁଷ୍ଠିତ ହେବ ।